ଏଲନିନୋର ବଡ ପ୍ରଭାବ, ଦେଶରେ ରେକର୍ଡ ଭାଙ୍ଗିବ ଅଗଷ୍ଟର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଏଲନିନୋର ବଡ ପ୍ରଭାବ । ଦେଶରେ ରେକର୍ଡ ଭାଙ୍ଗିବ ଅଗଷ୍ଟର ନିଅଣ୍ଟିଆ ବର୍ଷା । ବିଶିଷ୍ଟ ଭୂବିଜ୍ଞାନୀ ମାଧବନ ରାଜୀବନଙ୍କ ଆକଳନ କହୁଛି ଚଳିତ ଅଗଷ୍ଟରେ ସର୍ବାଧିକ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ସେହିପରି ୨୦୦୫ରେ ସର୍ବାଧିକ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା । ୨୧ ରୁ ୨୮ ଯାଏଁ ଦୁର୍ବଳ ରହିବ ମୌସୁମୀ । ଉତ୍ତର ଭାରତରେ ପ୍ରବଳ ବର୍ଷା ହେଲେବି ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାରତରେ ନିଅଣ୍ଟିଆ ବର୍ଷାର ଉତ୍କଟ ସ୍ଥିତି ଦେଖାଦେବ । ଶହେରୁ ଅଧିକ ବର୍ଷ ପରେ ଭାରତରେ ଅଗଷ୍ଟ ମାସ ଶୁଷ୍କ ହେବାକୁ ଯାଉଛି ।

ଅଗଷ୍ଟ ମାସର ପ୍ରଥମ ୧୮ ଦିନରେ ବର୍ଷାର ପରିମାଣ ୩୮ ପ୍ରତିଶତ କମ ହୋଇଥିବା ସୂଚନା ଦେଇଛନ୍ତି ଆଇଏମ୍ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କେବଳ ଏତିକି ନୁହେଁ ୧୯୦୧ ମସିହା ଅର୍ଥାତ୍ ବର୍ଷାର ରେକର୍ଡ ହେବା ପରଠାରୁ ଚଳିତ ଅଗଷ୍ଟ ମାସ ସବୁଠାରୁ ଶୁଷ୍କ ହେବାର ଆଶଙ୍କା ପ୍ରକାଶ ପାଇଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପ୍ଟେମ୍ବର ବର୍ଷାକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏଲନିନୋ ବର୍ଷରେ ସେପ୍ଟେମ୍ବର ବି ନିଅଣ୍ଟିଆ ରହିବା ନେଇ ଆକଳନ କରାଯାଉଛି । ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ପାଇଁ ୮୭ ପ୍ରତିଶତ ସମ୍ଭାବନା ରହିଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖରେ କେନ୍ଦ୍ରୀଭୁତ ରହିଛି । ଏହାସହ ମୌସୁମୀ ନିମ୍ନଚାପରେଖା ଏବେ ସ୍ବାଭାବିକ ଅବସ୍ଥାନରୁ ଉତ୍ତରରେ ହିମାଳୟ ପାଦଦେଶରେ ରହିଛି । ଯାହା ଏବେ ଦୁର୍ବଳ ଅବସ୍ଥାରେ ଅଛି । ରାଜ୍ୟ ଉପରେ କୌଣସି ସିଷ୍ଟମର ପ୍ରଭାବ ନ ଥିବାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନାହିଁ । ୨୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେବ ।

ଏଥିପାଇଁ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ଯାଜପୁର ସୁକିନ୍ଦାରେ ସର୍ବାଧିକ ୯୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାର କୋଲାବିରାରେ ୯୭, ନବରଙ୍ଗପୁରରେ ୮୯, ସମ୍ବଲପୁରରେ ୮୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୌସୁମୀ ସିଜିନରେ ସ୍ବାଭାବିକ ଠାରୁ ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୯ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁରରେ ୧୯ ରୁ ୫୯ ପ୍ରତିଶତ ନିଅଣ୍ଟିଆ ସ୍ଥିତି ରହିଛି । ମାତ୍ର ୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।