ମାଲ ବୋଝେଇ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ଗିରଫ

ଦେବଗଡ଼: ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅଞ୍ଚଳରେ ମାଲ ବୋଝେଇ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ଅଭିଯୁକ୍ତ ଗିରିଫ । ସେମାନଙ୍କ ନିକଟରୁ ପଲସର ବାଇକ, ତେଲ ଟାଙ୍କି ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଚୋରା ଡିଜେଲ କିଣୁଥିବା ଗୁଣ୍ଡେଇମରା ଗାଁର ହବିଜୁଲ ଶେଖକୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଶେଖ ନିକଟରୁ ୫୦ ଲିଟରରୁ ଅଧିକ ଚୋରା ଡିଜେଲ ଜବତ ହୋଇଛି । ତିଳେଇବଣି ଫାଣ୍ଡି ଅଞ୍ଚକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ରାତ୍ରି ସମୟରେ ଛିଡ଼ା ହୋଇଥିବା ମାଲ ବୋଝେଇ ଟ୍ରକ ମାନଙ୍କରୁ ଡିଜେଲ ଚୋରି ଅଭିଯୋଗ ଆସୁଥିବା ବେଳେ ଚୋରି କରୁଥିବା ଚୋରଙ୍କ ସମ୍ପର୍କରେ କୌଣସି ସୁରାକ ମିଳୁନଥିଲା । ଗତକାଲି ବିଳମ୍ବିତ ରାତିରେ ଫାଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ବେକେ କୈଳାସ ଛକ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସକୁ ଦେଖି ଦୁର୍ବୁତ୍ତମାନେ ବାଇକକୁ ଛାଡି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚରା ଉଚୁରା କରିଥିଲା ।