spot_img
Home Blog Page 2746

ହିମାଚଳରେ ବର୍ଷା ଛାଡ଼ିଛି, ଦୁର୍ଦ୍ଦଶା ବଢ଼ିଛି

ନନ୍ଦିଘୋଷ ବ୍ୟୁରୋ: ସୁଧୁରୁନି ହିମାଚଳ ପ୍ରଦେଶ ସ୍ଥିତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଅଧିକ ଚିନ୍ତା ସୃଷ୍ଟି କରିଛି । ସମର ହିଲ୍ସ ଅଞ୍ଚଳରେ ପୁନର୍ବାର ଭୂସ୍ଖଳନ ହେବା ଯୋଗୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଓ କାଲି ସାରା ରାଜ୍ୟରେ ବର୍ଷା ହେବ ବୋଲି ଆଶଙ୍କା କରାଯାଇଛି । ଏହା ସହ ୨୨ ଓ ୨୩ ତାରିଖରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ସୂଚନା ପରେ ବଢିଛି ଚିନ୍ତା । ଲ୍ୟାଣ୍ଡ ସ୍ଲାଇଡ, ଫ୍ଲାସ ଫ୍ଲଡ, ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ଯୋଗୁ ଏବେ ବି ସାରା ରାଜ୍ୟରେ ହାହାକାର ଅବସ୍ଥା ଜାରି ରହିଛି । ରାଜ୍ୟର ବିପତ୍ତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଲାଗି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦାବି କରିଥିବା ସତ୍ତ୍ବେ କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ରାଜ୍ୟରେ ବର୍ଷାଜନିତ କ୍ଷତି ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି କହିଥିଲେ ସୁଖୁ । ତେଣେ ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଲାଗି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

 

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ 

ସୋର: ଅଭିଯୁକ୍ତକୁ ଗିରଫ କରି ଆଣିବା ବେଳେ ପୋଲିସକୁ ଆକ୍ରମଣ  l ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳର ଅଭାନୀୟ ଘଟଣା ଘଟିଛି l ପୋଲିସ ବାଲିଛନ୍ଦା ଘାଟରୁ ବଂଶୀଧର ମଲ୍ଲିକ ଓ୍ବାରେଣ୍ଟିକୁ ଧରି ଅଟୋ ଯୋଗେ ଫେରିଲା ବେଳେ ପୋଲିସକୁ ଆକ୍ରମଣ କରି ଛଡ଼ାଇ ନେଲେ ଅଭିଯୁକ୍ତ l ଆକ୍ରମଣରେ କନେଷ୍ଟବଳ ପୂର୍ଣ୍ଣ ଚନ୍ଦ୍ର ସିଂଙ୍କ ହାତ ଭାଙ୍ଗିଛି l ଆକ୍ରମଣ କାରୀ ଏସଆଇଙ୍କ ମୋବାଇଲ ମଧ୍ୟ ଛଡାଇ ନେଇଛନ୍ତି  l ବଂଶୀଧର ଦୀର୍ଘ ଦିନ ଧରି ଠକେଇ, ଗଣ୍ଡଗୋଳ ମାମଲାରେ ଫେରାର ଥିଲେ  । ତାଙ୍କ ୱାରେଣ୍ଟ ବାହାରିବା ପରେ ସୋର ପୋଲିସ ଆଜି ଧରିବା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ସମେତ ତାଙ୍କ ପରିବାର ଲୋକ ବାଡ଼ରେ କରେଣ୍ଟ ଲଗାଈବା ସହିତ ପୋଲିସ କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ନକଲି ସାର୍ଟିଫିକେଟ୍ ମାମଲା, ୧୨ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କଲା ଶିକ୍ଷା ବିଭାଗ

ରାୟଗଡ଼ା: ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରିବା  । ରାୟଗଡ଼ା ଜିଲ୍ଲାରେ ୧୨ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛି ଶିକ୍ଷା ବିଭାଗ । ୭ଜଣ ନକଲି ବିଇଡି ସାର୍ଟିଫିକେଟ ଦେଇଥିବା ବେଳେ ଜଣେ ନକଲି ସିଟି ସାର୍ଟିଫିକେଟ, ଦୁଇ ଜଣ ଯୁକ୍ତ ଦୁଇ  ସାର୍ଟିଫିକେଟ ଓ ଜଣେ ଯୁକ୍ତ ୩ ନକଲି ସାର୍ଟିଫିକେଟ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା । ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।  ବହିଷ୍କୃତ ଶିକ୍ଷକମାନେ ହେଲେ ଗଣେଶ ଚନ୍ଦ୍ର ବିଷୋୟୀ, ପାର୍ଥେନ୍ଦୁ ବାରିକ, ଲୋକନାଥ ମହାପାତ୍ର, ସୁମିତ୍ରା ଡାକୁଆ, ଶ୍ରୀକାନ୍ତ କୁମାର ଦାସ, ପୂର୍ଣଚନ୍ଦ୍ର ଶବର, ହରେଶ କୁମାର ପଣ୍ଡୁ, ପଞ୍ଜୀବ  ମାଝୀ, ଚନ୍ଦନ କୁମାର ବେହେରା, ଶମ୍ଭୁ  କହଁର ଓ ରଘୁନାଥ ବିଡ଼ିକା । ଏ ସମସ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି ।  ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ନାଁରେ ସେମାନେ କାମ କରୁଥିବା ଅଞ୍ଚଳର ଥାନାରେ ମାମଲାର ରୁଜୁ ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇ ଦିଆଯିବ । ମାମଲା ଦାଏର ପରେ ପୋଲିସ ତା’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

 

 

୨୩ରେ ଆସୁଛି ବଡ ବର୍ଷା

ଭୁବନେଶ୍ବର: ଖରା ବର୍ଷାର ଲୁଚକାଳି ଭିତରେ ୨୩ରେ ଆସୁଛି ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ । କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ । ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ବର୍ଷା ସତ୍ବେ ବି ମୌସୁମୀ ସିଜିନ୍ରେ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ । ଦକ୍ଷିଣ-ଉପକୂଳରେ ସ୍ଥିତି ଉତ୍କଟ । ଓଡ଼ିଶା ଉପରେ ନାହିଁ କୌଣସି ପାଣିପାଗ ନିୟାମକ । ଫଳରେ ସାରା ରାଜ୍ୟରେ ଏବେ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ହେଉଛି ତ କେଉଁଠି ରାଜ କରୁଛି ଗରମ ଗୁଳୁଗୁଳି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଦଳିବ ବାୟୁ ଚଳାଚଳର ପ୍ରକ୍ରିୟା । ପ୍ରଭାବରେ ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବାରମ୍ବାର ଲଘୁଚାପ ସତ୍ତ୍ବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୮ ପ୍ରତିଶତ ନଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶା । ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତାହାର ତୀବ୍ରତା କେତେ ରହିବ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଜଣାପଡିବ ।

 

 

କୁଇ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ

ଭୁବନେଶ୍ବର: କୁଇ ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ ନିବାସ ଠାରେ ଉପସ୍ଥିତ ହୋଇ କୃତଜ୍ଞତା ଜଣାଇଛନ୍ତି ।

କୁଇ ଭାଷା ସାହିତ୍ୟ ସମିତି, ଓଡ଼ିଶାର ସଭାପତି ଦୀନବନ୍ଧୁ କହଁର, ସମ୍ପାଦକ ଡା ନିରଦ ଚନ୍ଦ୍ର କହଁର, ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଘୁ. ଉଦୟଗିରି ପ୍ରତିନିଧି ବୀରେନ୍ଦ୍ର ପ୍ରଧାନ, ନରୋତ୍ତମ ପ୍ରଧାନ, କୁଇ ସମାଜ ସେବା ସମିତି, ଫୁଲବାଣୀର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କୁମାର କହଁର, କୁଇ କୂଳ ସମିତି, ବାଲିଗୁଡା ସଭାପତି ମନୋଜ ମଲ୍ଲିକ, କୁଇ ଯୁବ ପରିଷଦର ସଭାପତି ଦେବାଶିଷ କହଁର, ଭାବୀନ୍ଦ୍ର କହଁର, ରାୟଗଡା ଜିଲ୍ଲା ପ୍ରତିନିଧି ବିଜୟ କୁମାର ମେଲକା, ଆଦିବାସୀ ଭାଷା ଓ ସଂସ୍କୃତି, ଓଡ଼ିଶା ସଦସ୍ୟ ମେଦିନୀଧର ଯାନୀ, କୋରାପୁଟ ପ୍ରତିନିଧି ଈଶ୍ବର ମିନିଆକା, ବୁଲୁ ହିକକା, ମାଲକାନଗିରି ଜିଲ୍ଲାର ଗୋପି ପାଙ୍ଗୀ, ହରିବନ୍ଧୁ ଗୋଲାରି, ଆଦିବାସୀ ଉନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ଅଧ୍ୟକ୍ଷ ରଦନ ମଲ୍ଲିକ, ଉପାଧ୍ୟକ୍ଷା ନଳିନୀ କହଁର, କନ୍ଧମାଳ ଜିଲ୍ଲାର ମାନ୍ୟବର ବିଧାୟକ ଅଙ୍ଗଦ କହଁର, ଚକ୍ରମଣି କହଁର, ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବିଭିନ୍ନ ବ୍ଳକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଅନିମା କହଁର, ସସ୍ମିତା କହଁର, ଦିଲ୍ଲୀପ କହଁର, ପ୍ରିତମ ପ୍ରଧାନ, ବୈନେତ୍ରୀ କହ୍ନର, ବାସନ୍ତୀ ମାଝୀ, ସୁଷମା ପ୍ରଧାନ, ସୁଶାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜୟଶ୍ରୀ କହ୍ନର, ରଞ୍ଜନ ପ୍ରଧାନ, ଲିଲିମା ପ୍ରଧାନ, ନମିତା କହ୍ନର, ମମତାରାଣୀ କହ୍ନର ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ଲୋକ ସଭା ସାଂସଦ ଡା. ଅଚ୍ୟୁତ ସାମନ୍ତ ଓ ବିହନ ନିଗମ, ଓଡ଼ିଶା ଅଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ରହି ସମସ୍ତ ଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ବରିଷ୍ଠ ଜନପ୍ରତିନିଧି ଲାଲନନ୍ଦ ପ୍ରଧାନ, ବିଷ୍ଣୁ ମଲ୍ଲିକ,ଷ୍ଟିପେନ ପ୍ରଧାନ, ସୁଶାନ୍ତ କହ୍ନର, କୁମୁଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ l

ଝାରସୁଗୁଡ଼ାରେ ବିକାଶର ମାଷ୍ଟରପ୍ଲାନ

ଝାରସୁଗୁଡ଼ା: ବିକାଶ ଫର୍ଦ୍ଦରେ ଝାରସୁଗୁଡା ଜିଲ୍ଲା । ବ୍ରଜରାଜନଗରଠୁ ଲଖନପୁର, ଝାରସୁଗୁଡାରୁ ଲଇକେରା-ସବୁଠି ଖୁସିର ପର୍ବ । ଦୂର ହେବ ଲଖନପୁର ବ୍ଲକ ପାନୀୟ ଜଳ ସମସ୍ୟା । ୩୩ଟି ପଞ୍ଚାୟତର ପ୍ରତିଘରେ ପହଞ୍ଚିବ ପିଇବା ପାଣି । ଖର୍ଚ୍ଚ ହେବ ୨୧୧ କୋଟି ଟଙ୍କା । ଆସନ୍ତା ୩ ମାସ ଭିତରେ ଶେଷ ହେବ କାମ । ଜିଲ୍ଲା ଗସ୍ତରେ ଯାଇ ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସେହିପରି ବ୍ରଜରାଜନଗରରେ ମଧ୍ୟ ପ୍ରତ୍ୟକ ଘରେ ପାଣି ପହଞ୍ଚାଇବା ଲାଗି ଖର୍ଚ୍ଚ ହେବ ୨୯୫ କୋଟି ଟଙ୍କା । ୧୧୨ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ । ୫୦ ହଜାର ଏକରରେ ହେବ ଜଳସେଚନ ସୁବିଧା । ପଞ୍ଚପଡା ଇବ ନଦୀରେ ୫୦ କୋଟି ଟଙ୍କାରେ ସେତୁ ନିର୍ମାଣ ହେବ । ୪୦ କୋଟି ଟଙ୍କାରେ ନିର୍ମିତ ହେଉଥିବା ରେଲୱେ ଫ୍ଲାଇ ଓଭର ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ଫାଇଭ-ଟି ସଚିବ ।

5T ସଚିବ ବ୍ରଜରାଜନଗର ମା’ ରାମଚଣ୍ଡୀ ମନ୍ଦିରରେ କରିଥିଲେ ପୂଜାର୍ଚ୍ଚନା । ମନ୍ଦିରର ଉନ୍ନତି ଲାଗି ମନ୍ଦିର କର୍ମକର୍ତ୍ତା, ପୂଜକଙ୍କ ସହ ସେ କରିଥିଲେ ଆଲୋଚନା । ସେଠାରେ ଉପସ୍ଥିତ ମହିଳା ଓ ସ୍ଥାନୀୟ ବାସିନ୍ଦା 5T ସଚିବଙ୍କ ଉପରେ କରିଥିଲେ ପୁଷ୍ପବୃଷ୍ଟି । ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ଜାରି ରହିଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଅଞ୍ଚଳବାସୀ ଦେଇଥିଲେ ଧନ୍ୟବାଦ । ଆୟୋଜିତ ସଭାରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ବାଣ୍ଟିଥିଲେ ପାଣ୍ଡିଆନ । ସଭାରେ ସାମିଲ ହୋଇଥିଲେ ହଜାର ହଜାର ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ।

ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ବିନା ଅସ୍ତ୍ରୋପଚାରରେ ସୁସ୍ଥ ହେବେ ସ୍ତନ କର୍କଟ ରୋଗୀ। ଗବେଷଣା କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଓଡ଼ିଆ ବୈଜ୍ଞାନିକ। ମହିଳା ହୁଅନ୍ତୁ କି ପୁରୁଷ ସ୍ତନ କର୍କଟ ରୋଗର ପ୍ରମୁଖ କାରଣ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ଅଣୁକୁ ନିଷ୍କ୍ରିୟ କରାଗଲେ ଥାର୍ଡ ଷ୍ଟେଜ୍ ସ୍ତନ କର୍କଟ ରୋଗୀ ବି ଭଲ ହୋଇପାରିବେ। ଭୁବନେଶ୍ବରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମତରେ ଜିପିଆର୍ ଓ୍ବାନ୍ ଫର୍ ଓ୍ବାନ୍ ମୋଲେକ୍ୟୁଲ ସ୍ତନ କର୍କଟର କାରଣ ହୋଇଥାଏ। କେତେକ ମୋଲେକ୍ୟୁଲ ଟ୍ୟୁମର ହ୍ରାସ କରୁଥିବା ବେଳେ ଆଉ କେତେକ ଟ୍ୟୁମର ବୃଦ୍ଧି କରନ୍ତି। ଏଷ୍ଟ୍ରୋଜେନ୍ ରିସେପ୍ଟର୍ ଅନିୟନ୍ତ୍ରିତ ହେଲେ ମହିଳାଙ୍କ ଦେହରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ପରବର୍ତ୍ତୀ ଅବସ୍ଥାରେ ସ୍ତନ କର୍କଟ ରୋଗର କାରଣ ହୋଇଥାଏ। ସ୍ତନ କର୍କଟ ରୋଗୀ ଟ୍ରିପ୍ଲ ନେଗେଟିଭରେ ଆକ୍ରାନ୍ତ ହେଲେ ତାଙ୍କର ବଞ୍ଚିବା ଆଶା କ୍ଷୀଣ। ତେବେ ସ୍ତନରେ ଅଦରକାରୀ ଭାବେ ଥିବା ଇଆର୍ଆର୍ ବିଟା ବା ଏଷ୍ଟ୍ରୋଜେନ୍ ରିଲେଟେଡ୍ ରିସେପ୍ଟର୍ ବିଟା ଓ ଆଲଫାକୁ ନିୟନ୍ତ୍ରଣ ସ୍ତରକୁ ଆଣିବାକୁ ପଡ଼ିବ। ରୋଗକୁ ପ୍ରଥମରୁ ଚିହ୍ନଟ କରି ଇନ୍ହିବିଟର ପ୍ରୟୋଗ କରାଯାଇ କର୍କଟକୁ ଶରୀରର ଅନ୍ୟଅଂଶକୁ ବ୍ୟାପିବାକୁ ଦିଆଯାଏ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ତନ କର୍କଟ ରୋଗ ଆରୋଗ୍ୟ ପାଇଁ କମ୍ବିନେଟୋରିଆଲ୍ ଥେରାପି ଫଳପ୍ରଦ ହେଉଛି।

ସ୍ତନ କର୍କଟ ରୋଗକୁ ବିନା ଅସ୍ତ୍ରୋପଚାରରେ ଭଲ କରିବା ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନସ୍ରେ ଦୀର୍ଘ ଦିନରୁ ଗବେଷଣା ଜାରି ରହିଛି। କୋଭିଡ ପାଇଁ ଦେଢ଼ ବର୍ଷ ଧରି ଗବେଷଣା ବାଧାପ୍ରାପ୍ତ ହୋଇଥିଲା। କ୍ରୋମାଟିନ୍ ଇମିନୋ ପ୍ରେସିପିଟେସନ୍ କ୍ଲୋନିଂ ବା ଚିପ୍ କ୍ଲୋନିଂ ଜରିଆରେ ଶରୀର ବିଭିନ୍ନ ଅଣୁକୁ ଚିହ୍ନଟ କରିବାରେ ସହାୟକ ହୋଇଛି। ଏହି ପଦ୍ଧତିରେ ଦୁଇଟି ମୋଲୋକ୍ୟୁଲ ଚିହ୍ନଟ କରାଯାଇପାରିଛି। ବିସିଏସ୍-୨ ଓ ଏଫ୍ଏସ୍ଟି। ଦୁଇଟିଯାକ ମୋଲେକ୍ୟୁଲ ପରସ୍ପର ବିରୋଧୀ। ଗୋଟିଏ ଟ୍ୟୁମର ବଢାଉଥିବା ବେଳେ ଆରଟି ଟ୍ୟୁମର କମାଇଥାଏ। ପ୍ରାଥମିକ ପର୍ଯ୍ୟାୟରେ ଡିଜିନେପେ ଓ ପରେ ଏମ୍.ଏଲ୍.ଏନ୍ ଫୋର୍ ନାଇନ୍ ଟୁ ଫର୍ କର୍କଟ ରୋଗ ନିୟନ୍ତ୍ରଣରେ ନୂଆ ଆଶା ସଞ୍ଚାର କରିଥିଲା। ଭାରତରେ ରୋଷେଇ ଘର ଧୂଆଁ, ଧୁମ୍ରପାନ ଯୋଗୁ ମହିଳା ଓ ପୁରୁଷଙ୍କ ଦେହରେ ଅଧିକ ମାତ୍ରାରେ ନିକୋଟିନ୍ ଜମା ହୋଇଥାଏ। ଏହା କର୍କଟ ରୋଗର ମୁଖ୍ୟ କାରଣ।

ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଭଲ। ତେଣୁ ଜଣେ ରୋଗୀ ନିଜ ଶରୀରରେ କିଛି ଟାଣ ବା ମାଂସପେଶୀ ଶକ୍ତ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ରୋଗ ଚିହ୍ନଟ କରିବା ଦରକାର। ସ୍ତନ କର୍କଟ ରୋଗ ନିୟନ୍ତ୍ରଣ ପାଇଁ ଆଇଏଲ୍ଏସ୍ ବୈଜ୍ଞାନିକଙ୍କ ଗବେଷଣା ଆଗାମୀ ଦିନରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି।

ମହାକାଶରୁ ଆସିବ ଖୁସି ଖବର

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ର ଦୁଆରେ ଚନ୍ଦ୍ରଯାନ । ୨୩ ତାରିଖ ସନ୍ଧ୍ୟାରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟରେ ଇସ୍ରୋ । ଗତକାଲି ରାତିରେ ଫାଇନାଲ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ବେଳେ ଚନ୍ଦ୍ରଠାରୁ ଆଉ ମାତ୍ର ୨୫କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩ । ମଝିରେ ଆଉ ଦୁଇ ଦିନ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଗବେଷଣା ଆରମ୍ଭ କରିବ ରୋଭର । ସେପଟେ ଋଷର ଚନ୍ଦ୍ର ଅଭିଯାନକୁ ଅଧାରୁ ଝଟକା । ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ କରିଯାଇଛି ସ୍ପେସକ୍ରାଫ୍ଟ।

ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍ । ମଝିରେ ଆଉ ଦୁଇ ଦିନ । ମହାକାଶରୁ ଆସିବ ଖୁସି ଖବର । ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ । ଚନ୍ଦ୍ର ଦୁଆରେ ଚନ୍ଦ୍ରଯାନ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ବଢ଼ିଛି ସଫ୍ଟ ଲ୍ୟାଣ୍ଡିଂ ଆଶା । ଡିବୁଷ୍ଟିଂ ଅପରେସନରେ ଚନ୍ଦ୍ରଯାନ-୩ର ସ୍ପିଡକୁ କମାଇ ଦିଆଯାଇଛି । ଲ୍ୟାଣ୍ଡରର ଇଣ୍ଟରନାଲ ଯାଞ୍ଚ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋର ଚିହ୍ନ ଚନ୍ଦ୍ରପୃଷ୍ଠରେ ଚିହ୍ନ ଛାଡ଼ିବ ।

ଋଷର ଚନ୍ଦ୍ର ଅଭିଯାନ ଫେଲ । ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଲୁନା-୨୫ କ୍ରାସ୍ । ଚନ୍ଦ୍ରପୃଷ୍ଠରେ ଖସିପଡ଼ିଲା ଋଷର ସ୍ପେସକ୍ରାଫ୍ଟ । ପ୍ରିଲ୍ୟାଣ୍ଡିଂ ଅର୍ବିଟରେ ଯାନ୍ତ୍ରିକ ତ୍ରୁଟି ପରେ ଭାରସାମ୍ୟ ହରାଇ ଲୁନା-୨୫ ଖସି ପଡ଼ିଥିବା ସୂଚନା ଦେଇଛି ଋଷ ସ୍ପେସ ଏଜେନ୍ସି ରସକସମସ । ଶନିବାର ସନ୍ଧ୍ୟାରେ ସ୍ପେସକ୍ରାଫ୍ଟ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡିଂ ପୂର୍ବରୁ ଅର୍ବିଟ ବଦଳାଇବା ସମୟରେ ପୂର୍ବ ନିର୍ଦ୍ଧାରିତ ପାରାମିଟରରେ ଥ୍ରଷ୍ଟର ଫାୟାର ହୋଇ ନପାରିବା ଯୋଗୁ ଏହା କ୍ରାସ ହୋଇଯାଇଥଲା । ଅଗଷ୍ଟ ୧୧ରେ ସୋୟୁଜ-୨.୧ବି ଲଞ୍ଚ ବେହିକିଲରେ ଲୁନା-୨୫ ଉତକ୍ଷେପଣ କରିଥିଲା ଋଷ ।

୨୩ ତାରିଖ ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ସାରାଦେଶ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାକୁ ଅପେକ୍ଷା କରିଛି । ଏହି ପ୍ରକ୍ରିୟାକୁ ଇସ୍ରୋ ପକ୍ଷରୁ ଲାଇଭ୍ କରାଯିବ । ଇସ୍ରୋ ଅଫିସିଆଲ ଓ୍ବେବସାଇଟ, ୟୁଟ୍ୟୁବ ଚ୍ୟାନେଲ, ଫେସବୁକ ଓ ଡିଡିରେ ସନ୍ଧ୍ୟା ୫ଟା ୨୭ ମିନିଟରୁ ଲାଇଭ ଶୋ’ ଆରମ୍ଭ ହେବ

5T ସଚିବଙ୍କ ଉପରେ କାଳିମାଡ଼କୁ ସାରା ଓଡ଼ିଶା କରୁଛି ଛି ଛି

ଭୁବନେଶ୍ବର: 5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ସାରା ରାଜ୍ୟବାସୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ କମର୍ଚାରୀ ସଂଘ ଏଭଳି ଘୃଣ୍ୟକାମକୁ ସହଜରେ ଗ୍ରହଣ କରିପାରିନାହାନ୍ତି । 5T ସଚିବ ଉଦାରତା ଓ ମହାନତା ଦେଖାଇ ଅଭିଯୁକ୍ତକୁ କ୍ଷମା କରି ପୋଲିସ କବଳରୁ ମୁକୁଳାଇ ଦେଇଥିଲେ ବି ଘଟଣା ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ସମସ୍ତେ ବିରୋଧ କରୁଛନ୍ତି । ସବୁଠି ନିନ୍ଦା କରାଯାଉଛି ।

ସମୃଦ୍ଧି ପାଇଁ ଗ୍ରାଉଣ୍ଡରେ ପହଞ୍ଚୁଥିବା 5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି । 5T ସଚିବଙ୍କ ଉପରେ କାଳିମାଡ଼ କରି ଭାସ୍କର  ସାହୁ ବଦନାମ ହୋଇଛି । ଘଟଣାକୁ 5T ସଚିବ ଭି.କେ ପାଣ୍ଡିଆନ ହାଲୁକା ଭାବେ ଗ୍ରହଣ କରିଥିଲେ ବି ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି । ଜଣେ କର୍ତ୍ତବ୍ୟରତ ଉଚ୍ଚ ସରକାରୀ ଅଧିକାରୀଙ୍କ ପ୍ରତି ଏପରି ଆଚରଣକୁ ନିନ୍ଦା କରିଛନ୍ତି ରାଜ୍ୟବାସୀ । ଘଟଣାକୁ ନିନ୍ଦା କରିବା ସହ 5T ସଚିବ ଭି.କେ ପାଣ୍ଡିଆନଙ୍କ ଉଦାରତାକୁ ମନ୍ତ୍ରୀ ଓ ବିଧାୟକ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚୁଛି । ଜିଲ୍ଲା, ବ୍ଲକ୍‌, ପଞ୍ଚାୟତ ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଫାଇଭ -ଟି ସଚିବ ଭି.କେ ପାଣ୍ଡିଆନ । ଚୁଟକିରେ ସମସ୍ୟାର ସମାଧାନ ହେଉଛି । ବିନା ବାଧାରେ ଫାଇଭ- ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟି ନିଜ ସମସ୍ୟା ଉତ୍ଥାପନ କରିବାର ସୁଯୋଗ ପାଉଥିବାରୁ ସାଧାରଣ ଲୋକ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ବିକାଶର ବାଧକ ସାଜି ଫାଇଭ-ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ବିଭିନ୍ନ ସରକାରୀ କମର୍ଚାରୀ ସଙ୍ଗଠନ ଦୃଢ଼ ନିନ୍ଦା କରିଛନ୍ତି ।.

 

ଦଣ୍ଡ ନୁହେଁ, କ୍ଷମା କରି ବିଶାଳ ହୃଦୟର ପରିଚୟ ଦେଲେ 5T ସଚିବ

ଭୁବନେଶ୍ବର: ଦଣ୍ଡ ନୁହେଁ କ୍ଷମା। କାଳୀମାଡ଼ କରିଥିବା ଭାସ୍କର ସାହୁ ବିରୋଧରେ ଆକ୍ସନ ନୁହେଁ ଉଦାରତା ଦେଖାଇଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍। ଭାସ୍କରକୁ ତୁରନ୍ତ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇ ସେ ନିଜ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ଆଖି ଆଗରେ ଏଭଳି ହୀନ କାମକୁ ଦେଖିଥିବା ସତ୍ୟବାଦୀବାସୀ 5T ସଚିବଙ୍କ ଏଭଳି ବିଚାରଧାରାରେ ବିମୋହିତ ହୋଇଛନ୍ତି। ସାରା ରାଜ୍ୟ 5T ସଚିବଙ୍କ ବିକାଶମୂଳକ ଆଭିମୁଖ୍ୟ ଓ ଉଦାର ମନୋଭାବର ଭୂରି ଭୂରି ପ୍ରଶଂସା କରିଛି । 5T ସଚିବଙ୍କ ଆଦର୍ଶକୁ ଶିକ୍ଷା ଭାବେ ଗ୍ରହଣ କରିଛନ୍ତି ଯୁବପିଢି। ସମସ୍ତଙ୍କ ପାଇଁ ସେ ସାଜିଛନ୍ତି ରୋଲ ମଡେଲ୍ ।

ବିରୋଧର ଜବାବ ବିଶାଳ ହୃଦୟ। ଷଡ଼ଯନ୍ତ୍ରର କାଳିମାଡ଼କୁ ଉଦାରପଣର ମଲମ। କାଲି 5Tସଚିବଙ୍କୁ କାଳିମାଡ଼ କଲା କଣାସର ଭାସ୍କର ସାହୁ। ହେଲେ ସତ୍ୟବାଦୀ ଛାତିରେ ଫସର ଫାଟିଲା ଷଡ଼ଯନ୍ତ୍ରର ଏ କାହାଣୀ। ଏଭଳି ହୀନ ଚକ୍ରାନ୍ତ ନା ଓଗାଳିଲା ବିକାଶର ବାଟ ନା ଦୋହଲାଇ ପାରିଲା 5T ସଚିବଙ୍କ ବିଶାଳ ହୃଦୟ। ଯେଉଁ ଭାସ୍କର ସାହୁ ରାଜନୈତିକ ମୋହରା ସାଜି କାଳିମାଡ଼ କରିଥିଲା, ତାକୁ ତୁରନ୍ତ ଛାଡ଼ିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ 5Tସଚିବ। ପାଣ୍ଡିଆନଙ୍କ ଏଭଳି ଉଦାରପଣ ଆଗରେ ମୁଣ୍ଡ ନୁଆଁଇଛନ୍ତି ସତ୍ୟବାଦୀବାସୀ। କାଲି ଯେଉଁ ସତ୍ୟବାଦୀ ଭାସ୍କରଙ୍କ ହୀନ କାମରେ ଲୁହ ଝରାଉ ଥିଲା, ଆଜି ସେ 5T ସଚିବଙ୍କ ବିଶାଳ ହୃଦୟର ଗୁଣ ଗାଉଛି। ଯେଉଁ ମହିଳାମାନେ ନିଜ ପଣତ କାନିରେ 5T ସଚିବଙ୍କ ମୁହଁରୁ କାଳୀ ପୋଛି ଦେଇଥିଲେ, ଏବେବି ସେମାନଙ୍କ ଆଖିରେ ଲୁହ ଭରିଛି। କାଳୀମାଡ଼ ଘଟଣାରେ କାଲି ସେମାନେ ବିଚଳିତ ଓ ଦୁଃଖିତ ହୋଇ ପଡିଥିଲେ। ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ଆଦୌ ବିଚଳିତ ନହୋଇ ବିକାଶର ବାର୍ତ୍ତା ଦେବାକୁ ଆଗେଇ ଯାଇଥିଲେ 5T ସଚିବ। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇ ସେ ନିଜ ମହାନ ହୃଦୟର ପରିଚୟ ଦେଇଛନ୍ତି  ।

ସେପଟେ ସତ୍ୟବାଦୀର ଯୁବ ପିଢ଼ି ବି ପାଣ୍ଡିଆନଙ୍କ ଉଦାରତାକୁ ଶିକ୍ଷା ଭାବେ ଗ୍ରହଣ କରିଛନ୍ତି। ଅହିଂସା ଓ କ୍ଷମା ଦ୍ୱାରା ହିଁ ଜୀବନରେ ଆଗେଇବା ସହ ସମସ୍ତଙ୍କ ବିକାଶ ହୋଇପାରିବ। ସେକଥା ସେମାନେ 5T ସଚିବଙ୍କ ଠାରୁ ଶିଖିଛନ୍ତି। ସବୁ ବାଧାବିଘ୍ନକୁ ଆଡ଼େଇ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ଆଗେଇ ନେବା ପାଇଁ ଥିବା 5T ସଚିବଙ୍କ ବ୍ରତ ଏବେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ମାଟିରେ ସାଜିଛି ଉଦାହରଣ।