୨୩ରେ ଆସୁଛି ବଡ ବର୍ଷା

1 min read

ଭୁବନେଶ୍ବର: ଖରା ବର୍ଷାର ଲୁଚକାଳି ଭିତରେ ୨୩ରେ ଆସୁଛି ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ । କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ । ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ବର୍ଷା ସତ୍ବେ ବି ମୌସୁମୀ ସିଜିନ୍ରେ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ । ଦକ୍ଷିଣ-ଉପକୂଳରେ ସ୍ଥିତି ଉତ୍କଟ । ଓଡ଼ିଶା ଉପରେ ନାହିଁ କୌଣସି ପାଣିପାଗ ନିୟାମକ । ଫଳରେ ସାରା ରାଜ୍ୟରେ ଏବେ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ହେଉଛି ତ କେଉଁଠି ରାଜ କରୁଛି ଗରମ ଗୁଳୁଗୁଳି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଦଳିବ ବାୟୁ ଚଳାଚଳର ପ୍ରକ୍ରିୟା । ପ୍ରଭାବରେ ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବାରମ୍ବାର ଲଘୁଚାପ ସତ୍ତ୍ବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୮ ପ୍ରତିଶତ ନଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶା । ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତାହାର ତୀବ୍ରତା କେତେ ରହିବ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଜଣାପଡିବ ।