spot_img
Home Blog Page 2740

ଛାତ୍ର ମୃତ୍ୟୁ ପାଇଁ ୪ ଶିକ୍ଷକ ସସପେଣ୍ଡ, ନୂଆ ଶିକ୍ଷକଙ୍କୁ ପାଠପଢ଼ା ଦାୟିତ୍ବ

ନୂଆପଡା: ନୂଆପଡ଼ା ବୋଡେନ ବୁଢାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀ ଛାତ୍ରର ନାଳରେ ବୁଡି ମୃତ୍ୟୁ ଘଟଣା । ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀଙ୍କ ସମେତ ଶିକ୍ଷକ କିଶୋର ସାହୁ ଓ ଦୁଇ ଶିକ୍ଷୟିତ୍ରୀ ହିଙ୍ଗୁଳା ମାଝୀ, ଲୋଚନେ ବେହେରାଙ୍କୁ ସସପେଣ୍ଡ କରିଛି । କାର୍ଯ୍ୟରେ ଅବହେଳା ନେଇ ନିଲମ୍ବିତ କରିଛି ଜିଲ୍ଲା ଶିକ୍ଷା ବିଭାଗ । ସ୍କୁଲରେ ଶିକ୍ଷାଦାନ ପାଇଁ ନୂଆ ୪ ଜଣ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ କହିଛନ୍ତି । ସେହିପରି ଜିଲ୍ଲାରେ ଥିବା ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱକୁ ଠିକ ଭାବରେ ତୁଲାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ବୁଢାପଡା ଗାଁର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ବିଦ୍ୟାଳୟକୁ ଯାଇଥିଲେ । ଖାଇବା ଛୁଟି ପରେ ସେ କିଛି  ଛାତ୍ରଙ୍କ ସହ ନିକଟରେ ଥିବା ଏକ ନାଳକୁ ଯାଇଥିଲେ । ସେଠାରେ ନାଳ ପାଣିରେ ବୁଡିଯାଇଥିଲେ କେଶବ । ଖବର ପାଇ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ପିଲାମାନେ ନାଳକୁ ଯାଇ ଛାତ୍ରକୁ ଉଦ୍ଧାର କରିଥିଲେ  । ପରିବାର ଲୋକେ ନାଳ ନିକଟକୁ ଯାଇ କେଶବଙ୍କୁ ଖଡ଼ିଆଳ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରାଉ ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ସହକର୍ମୀଙ୍କୁ ସ୍କୁଲରେ ତାଲା ପକାଇ ଦେଇଥିଲେ ଏବଂ ଖଡ଼ିଆଳ-ବୋଡେନ ରାସ୍ତା ଅବରୋଧ କରିଥିଲେ । ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ବିଭାଗୀୟ ଅଧିକାରୀ ତଦନ୍ତ କରି ୪ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।

ପରଲୋକରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ , ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ।

ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବରେ ସେ ସାମାଜିକ ବିକାଶରେ ମଧ୍ୟ ମହତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି। ତାଙ୍କର ତ୍ୟାଗପୂତ ସରଳ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟମର୍ଯ୍ୟାଦା ସହ ସମ୍ପର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

୭୪୮୩ ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ

କଟକ: ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ । ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ । ହାଇକୋର୍ଟ ମେ ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବୀ ସଂରକ୍ଷିତ ରଖାଯିବ । ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି । ମୋଟ ୭ ହଜାର ୪୮୩ଟି ନର୍ସ ପଦବୀ ପୂରଣ ହେବ ।

ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଦେଶରେ ଚାଲିଛି ପୂଜାର୍ଚ୍ଚନା

ନୂଆ ଦିଲ୍ଲୀ : ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା । ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ପୁରାଦେଶ ଅପେକ୍ଷା କରିଥିବା ବେଳେ ବାରାଣାସୀରେ ଆଜି ହୋମଯଜ୍ଞ କରାଯାଇଛି ।

କାମାକ୍ଷା ମନ୍ଦିରରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୂଜାର୍ଚ୍ଚନା ସହ ମୁନ ମିଶନର ସଫଳତା ପାଇଁ କାମନା କରାଯାଇଛି । ମୁମ୍ବାଇରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଚନ୍ଦ୍ରଯାନର ସଫଳତା ପାଇଁ ପୂଜାର୍ଚ୍ଚନା କରାଯାଇଛି । ପ୍ରୟାଗରାଜରେ ବି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ହୋମଯଜ୍ଞ କରାଯାଇଛି । ଭୋପାଳର ବୈଷ୍ଣୋଧାମ ଆଦର୍ଶ ନବଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନ ସହ ଜଳ ଲାଗି କରାଯାଇଛି ।

ବେଗୁନିଆ ମିନି ଷ୍ଟାଡିୟମରେ 5T ସଚିବଙ୍କ ବିକାଶ ସମୀକ୍ଷା, ଶୁଣିଲେ ଲୋକଙ୍କ ସମସ୍ୟା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମିନି ଷ୍ଟାଡିୟମରେ ସାଧାରଣ ସଭାରେ ଯୋଗଦେଲେ 5T ସଚିବ ଭିକେ ପାଣ୍ଡିଆନ । ମହିଳାମାନେ 5T ସଚିବଙ୍କୁ ରାକ୍ଷୀ ପିନ୍ଧାଇ ମଙ୍ଗଳ ମନାସିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି 5T ସଚିବ । ଚାଷୀଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ଜାଗା ମିଶନରେ ଜମି ପଟ୍ଟା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି 5T ସଚିବ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ସାତ ଦିନ ମଧ୍ୟରେ ଖୁସି ଖବର ମିଳିବ । ପିଇବା ପାଣି ସମସ୍ୟା ପାଇଁ ଜିଲ୍ଲାପାଳ ଲୋକଙ୍କ ସହ ଆଲୋଚନା କରିବେ । ଫୋନ ନମ୍ବର ନେବା ପରେ ଯନ୍ତ୍ରୀ ଘରକୁ ଯାଇ ସବୁକିଛି ଠିକ କରିବେ । ବୋଲଗଡ଼ ବ୍ଲକକୁ ପାଇପ ଜରିଆରେ ପିଇବା ପାଣି ପହଞ୍ଚିବ । ବେଗୁନିଆର ୨୧ରୁ ୧୬ଟି ପଞ୍ଚାୟତକୁ ପିଇବା ପାଣି ଯୋଗାଯିବ । ଏଥିପାଇଁ ୩୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହ ଲୋ ଭୋଲ୍ଟେଜ୍ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି 5T ସଚିବ । BSKY, ମିଶନ ଶକ୍ତି, ଚାଷୀ ବୀମା ପ୍ରିମିଅମ, ସ୍କୁଲ କଲେଜରେ 5T ରୂପାନ୍ତର ନେଇ ସମସ୍ତଙ୍କୁ ବୁଝାଇଛନ୍ତି । ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ 5Tରେ ସାମିଲ କରାଗଲା ବୋଲି ଘୋଷଣା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା, ପୀଡ଼ିତାଙ୍କୁ ଭେଟିବାକୁ ବାରଣରୁ ରାତି ତମାମ୍‌ ଧାରଣା

ନୂଆଦିଲ୍ଲୀ: ଦିଲ୍ଲୀରେ ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ହସ୍ପିଟାଲ ବାହାରେ ହାଇଡ୍ରାମା । ପୋଲିସର ଗୁଣ୍ଡାଗର୍ଦ୍ଦିକୁ ନେଇ ଧାରଣାରେ ବସିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । ପୀଡ଼ିତା ନାବାଳିକା ଓ ତାଙ୍କ ପରିବାରକୁ ଭେଟିବାକୁ ଦିଆ ନଯିବାରୁ ସେ ହସ୍ପିଟାଲ ବାହାରେ ରାତି ତମାମ ଧାରଣାରେ ବସି ରହିଥିଲେ । ସାଙ୍ଗର ଝିଅକୁ ଆଶ୍ରୟ ଦେବା ନାଁରେ ଜଣେ ସରକାରୀ ଅଧିକାରୀ ଓ ତାଙ୍କ ସ୍ତ୍ରୀ ଯୌନ ଶୋଷଣ କରିଥିବା ବେଳେ ପୋଲିସ କାହିଁକି ପୀଡ଼ିତାଙ୍କୁ ଭେଟିବାକୁ ଦେଉନି ବୋଲି ପ୍ରଶ୍ନ କରିଛନ୍ତି ସ୍ବାତୀ । ପୋଲିସ କ’ଣ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ସ୍ବାତୀ ପ୍ରଶ୍ନ କରିଛନ୍ତି ।

NCPCR ଅଧ୍ୟକ୍ଷା ପୀଡ଼ିତାଙ୍କ ମାଆଙ୍କୁ ଭେଟି ଆଲୋଚନା କରିଛନ୍ତି । ହେଲେ ଦିଲ୍ଲୀରେ ଘଟିଥିବା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ କାହିଁକି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଦିଆଯାଉନି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ ପରେ ବି କାହିଁକି ୮ ଦିନ ଯାଏଁ ଅଭିଯୁକ୍ତକୁ ଗିରଫ କରି ନଥିଲା । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବାରୁ ପୋଲିସ ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ଦେଖାଉଛି ବୋଲି ସ୍ବାତୀ ଅଭିଯୋଗ କରିଛନ୍ତି ।

 

ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା, ବୋହୂ ବୈଶାଖୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଖଣ୍ଡଗିରି ବାରିରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣା । ବୋହୂ ବୈଶାଖୀ ପଲେଇକୁ ଗିରଫ କଲା ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ମିଳିଲା ପ୍ରମାଣ । ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୋଲିସ । ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା ପାଇଁ ପାଇଖାନା ଟାଙ୍କି ସଫା କରିଥିଲା ପୋଲିସ । ସେସପୁଲ ଗାଡି ଦ୍ୱାରା ପାଇଖାନା ଟାଙ୍କି ସଫା କରିଥିଲା ଭରତପୁର ପୋଲିସ । ବୋହୂ ବୈଶାଖୀଙ୍କ ସମ୍ପୃକ୍ତି ନେଇ ପୋଲିସକୁ ମିଳିଛି ଠୋସ୍ ପ୍ରମାଣ । ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ଗତ ମଙ୍ଗଳବାର ମଦା ପଲେଇଙ୍କ ହତ୍ୟା କରାଯାଇଥିଲା । ବୋହୂର ପରକୀୟା ପ୍ରୀତିରୁ ଶାଶୁଙ୍କୁ ଗଳା କାଟି ହତ୍ୟା ନେଇ ପୋଲିସ ସନ୍ଦେହ କରୁଥିଲା । ମଦା ପଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ।

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍ରିମ୍ ସ୍କିମ୍‌, MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର: MSME କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହେଲା ନୂଆ ଯୋଜନା । ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍କିମ୍‌ ଫର୍ ରି-ଇମ୍ବରସମେଣ୍ଟ ଅଫ୍‌ ଇଣ୍ଟରେଷ୍ଟ ଟୁ MSME ବା ସ୍ରିମ୍‌ ସ୍କିମ୍‌ । MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇଦେବେ ରାଜ୍ୟ ସରକାର । ଯୋଜନା ଅନୁସାରେ MSME ସେକ୍ଟରରେ ୧୦ ଲକ୍ଷ କୋଟି ନିବେଶ କରିଥିବା ନିବେଶକାରୀଙ୍କୁ ସମ୍ପୁର୍ଣ୍ଣ ଋଣ ଛାଡ଼ କରିବେ ରାଜ୍ୟ ସରକାର । ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିଥିବା ନିବେଶକାରୀଙ୍କୁ ୭୫ ପ୍ରତିଶତ, ୫୦ ଲକ୍ଷରୁ ଏକ କୋଟି ଯାଏଁ ୫୦ ପ୍ରତିଶତ , ଏକ କୋଟିରୁ ୩ କୋଟି ପର୍ଯ୍ୟନ୍ତ ନିବେଶକାରୀଙ୍କୁ ୨୫ ପ୍ରତିଶତ ଋଣ ରିହାତି ଯୋଗାଇଦେବେ ରାଜ୍ୟ ସରକାର । ଓଡ଼ିଶାରେ ଶିଳ୍ପାୟନ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ବ୍ୟାପକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତିରେ ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଯେଉଁଥିପାଇଁ MSME ସେକ୍ଟରରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଉଦ୍ୟୋଗୀ । ସେଥିପାଇଁ ନୂଆ ଯୋଜନାରେ ଅନେକ ରିହାତିର ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀମ ସ୍କିମ ଯୋଜନାର ସମ୍ପୁର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ ।

ଚନ୍ଦ୍ରଯାନର ସୁନା ମଡେଲ, ପ୍ରତିକୃତି ନିର୍ମାଣ ପାଇଁ ବ୍ୟବହାର ହୋଇଛି ୪ ଗ୍ରାମ ସୁନା

ନୂଆଦିଲ୍ଲୀ: ଚନ୍ଦ୍ରଯାନର ସୁନା ମଡେଲ । ଦେଢ଼ ଇଞ୍ଚର ପ୍ରତିକୃତି ନିର୍ମାଣ କରିଛନ୍ତି ତାମିଲନାଡୁ କୋଏମ୍ବାଟୁରର ଲଘୁ କାରିଗର ମରିଆପ୍ପାନ । ପ୍ରତିକୃତି ନିର୍ମାଣ ପାଇଁ ୪ ଗ୍ରାମ ସୁନା ବ୍ୟବହାର ହୋଇଛି । ଚନ୍ଦ୍ରଯାନର ମିନି ମଡେଲ ନିର୍ମାଣ ଲାଗି ୪୮ ଘଣ୍ଟା ସମୟ ଲାଗିଛି ବୋଲି ସେ କହିଛନ୍ତି । ଚନ୍ଦ୍ରଯାନ ପ୍ରୋଜେକ୍ଟରେ ସାମିଲ ସମସ୍ତ ବୈଜ୍ଞାନିକଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏହି ମଡେଲ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ମରିଆପ୍ପାନ ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭାଇରାଲ ହେଉଛି ବାଘ ଚଳ ପ୍ରଚଳ କରୁଥିବା ଭିଡିଓ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳରେ ବୁଲୁଛି ମହାବଳ ବାଘ । ଭାଇରାଲ ହେଉଛି ବାଘ ଚଳ ପ୍ରଚଳ କରୁଥିବା ଭିଡିଓ । ଏହାକୁ ନେଇ ଉଭୟ ରାଜ୍ୟର ଗ୍ରାମରେ ଆତଙ୍କ ଖେଳିଯାଇଛି । ଭାଇରଲ ଭିଡିଓରେ ଗୋଟିଏ ମହାବଳ ବାଘ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ଶ୍ରୀକାକୁଲମ ଜଙ୍ଗଲ ବିଭାଗ କର୍ମଚାରୀମାନେ ବାଘ ବୁଲୁଥିବା ଅଞ୍ଚଳ ପରିଦର୍ଶନ କରି ସତ୍ୟାସତ୍ୟ ଯାଞ୍ଚ କରିଛନ୍ତି । କିଛି ଅଞ୍ଚଳରେ ବାଘର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ଏହାପରେ ଭାମିନି ମଣ୍ଡଳ ତହସିଲଦାର ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଗୃହପାଳିତ ପଶୁଙ୍କୁ ନଛାଡ଼ିବାକୁ ସତର୍କ କରାଯାଇଛି । ଏନେଇ ଗୁଣୁପୁର ଡେପୁଟି ରେଞ୍ଜର ନୀଳ ମାଧବ ପାଢ଼ୀ କହିଛନ୍ତି ଯେ, ମହାବଳ ବାଘ ଆନ୍ଧ୍ରରେ ରହିଛି । ତେଣୁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ । ସୀମାନ୍ତରେ ପ୍ରତିଦିନ ଯାଞ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।