spot_img
Home Blog Page 2705

ଆୟୂଷ କମାଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ଆୟୂଷ କମାଉଛି ପ୍ରଦୂଷଣ । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଦିଲ୍ଲୀବାସୀଙ୍କର ପ୍ରାୟ ୧୨ବର୍ଷ ଆୟୂଷ କମିଛି । ଭାରତୀୟଙ୍କ ଆୟୂଷ ପ୍ରାୟ ୫ବର୍ଷ କମିଛି । ୨୦୧୩ ପରଠାରୁ ବିଶ୍ବରେ ବାୟୂ ପ୍ରଦୂଷଣ ବୃଦ୍ଧି ପାଇଁ ଭାରତର ପ୍ରଦୂଷଣ ୫୯ ପ୍ରତିଶତ ଦାୟୀ । ବିଶ୍ବର ସବୁଠୁ ପ୍ରଦୂଷିତ ଦକ୍ଷିଣ ଏସୀୟ ଦେଶଗୁଡ଼ିକର ବାୟୂ ପ୍ରଦୂଷଣକୁ ନେଇ ଚିନ୍ତାଜନକ ରିପୋର୍ଟ ଦେଇଛି ୟୁନିଭର୍ସିଟି ଅଫ ଚିକାଗୋ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ବା EPIC । ମଙ୍ଗଳବାର ଏୟାର କ୍ବାଲିଟି ଲାଇଫ ଇଣ୍ଡେକ୍ସ ପ୍ରକାଶ ପାଇଛି । ଦକ୍ଷିଣ ଏସିଆର ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସବୁଠୁ ଅଧିକ ପ୍ରଦୁଷିତ ରାଷ୍ଟ୍ର ବୋଲି ରିପୋର୍ଟରେ ଉଲ୍ଲେଖ କରିଛି EPIC । ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନର ବାୟୂ ପ୍ରଦୂଷଣକୁ ନେଇ ରିପୋର୍ଟ ଦେଇଛି ଚିକାଗୋ ବିଶ୍ବବିଦ୍ୟାଳୟ ।

ପୁଣି ଗିରଫ ହେଲେ ଇମ୍ରାନ ଖାନ୍

ଇସଲାମବାଦ: ଜାମିନ ପରେ ପୁଣି ଗିରଫ । ସିକ୍ରେଟ ଲେଟର ଚୋରି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନଙ୍କ ସଜା ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ମଙ୍ଗଳବାର ରାୟ ଆସିବା ପରେ ସିକ୍ରେଟ ଲେଟର ଚୋରି ମାମଲାରେ ଇମ୍ରାନଙ୍କୁ ପୁଣି ଗିରଫ କରାଯାଇଛି । ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ଅଫିସିଆଲ ସିକ୍ରେଟ ଆକ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଏକ ଏକ ଗୁପ୍ତ କୂଟନୈତିକ କେବୁଲ (ସାଇଫର) ର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ତଳ କୋର୍ଟ । ଏହା ସହ ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ 5 ବର୍ଷ ଯାଏ  ନିର୍ବାଚନ ଲଢ଼ି ପାରିବେନାହିଁ ବୋଲି ପ୍ରତିବନ୍ଧକ ଲଗାଇଥିଲେ କୋର୍ଟ ।

ଖୁବଶୀଘ୍ର ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ଜାମ୍ମୁ କାଶ୍ମୀର!

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ଜାମ୍ମୁ କାଶ୍ମୀର । ସ୍ଥିତି ଦେଖି ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ମାମଲାର ଶୁଣାଣିରେ କେନ୍ଦ୍ର ରଖିଲା ଉତ୍ତର । କେନ୍ଦ୍ର ଶାସିତ ଅଞ୍ଚଳ ରହିବ ଲଦାଖ । ଆସନ୍ତା ଗୁରୁବାର ବିସ୍ତୁତ ଉତ୍ତର ରଖିବେ କେନ୍ଦ୍ର ସରକାର । ୩୭୦ ଧାରା ଉଚ୍ଛେଦକୁ ନେଇ  ସୁପ୍ରିମକୋର୍ଟରେ ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଗଠିତ ବେଞ୍ଚ । ଜାମ୍ମୁକାଶ୍ମୀରରେ ଗଣତନ୍ତ୍ରର ସ୍ଥାପନା ପାଇଁ କେନ୍ଦ୍ର ସରକାର କେତେ ଗମ୍ଭୀର ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ କୋର୍ଟରେ ଉପସ୍ଥିତ ରହି ଉତ୍ତର ରଖିଥିଲେ । ୩୭୦ ଧାରା ଉଚ୍ଛେଦ ପରେ ୨୦୨୦ରେ ପ୍ରଥମ ଥର ପାଇଁ ସେଠାରେ ଡିଡିସି ବା ଜିଲ୍ଲା ଉନ୍ନୟନ ପରିଷଦର ନିର୍ବାଚନ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ମାନ୍ୟତା ଦେବା ପାଇଁ ଏକ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ୨୦୧୯ ପରଠାରୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଅନେକ ସମୟରେ ହରତାଳ, ହଟ୍ଟଗୋଳ, ବିବାଦ ଜାରି ରହୁଥିବା ବେଳେ ଜାମ୍ମୁ କାଶ୍ମୀରରେ ଏବେ ସ୍ଥିତି ସାଧାରଣ ହୋଇଛି  । କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ଅବଗତ ଥିବା ସଲିସିଟର ଜେନେରାଲ କହିଛନ୍ତି । ଗତ ୧୨ ଦିନ ହେଲାଣି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

ଜମ୍ମୁ କାଶ୍ମୀରରେ ବରିଷ୍ଠ ଅଧ୍ୟାପକ ଜହୁର ଅହମଦ ଭଟଙ୍କୁ ନିଲମ୍ବନ କରାଯିବାର କାରଣ ସଂପର୍କରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।  ଜମ୍ମୁ କଶ୍ମୀରର ସ୍କୁଲ ଓ ଶିକ୍ଷା ବିଭାଗରେ ଭଟ୍ଟ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଧାରା ୩୭୦ ଉଚ୍ଛେଦ ମାମଲାରେ ସେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ । ୫ ଜଣିଆ ସମ୍ବିଧାନ ପୀଠ ମାମଲାର ଶୁଣାଣି ଆରମ୍ଭ କରିବାକୁ ଯିବା ସମୟରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଭଟ୍ଟଙ୍କ ବଦଳି ବିଷୟ ଉଠାଇଥିଲେ । ସେ ଅଦାଲତରେ ଉପସ୍ଥିତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ଠିକ୍ ନୁହେଁ । ଗଣତନ୍ତ୍ରରେ ଏଭଳି ହେବା ଉଚିତ ନୁହେଁ ବୋଲି ଶିବଲ କହିଥିଲେ । ଭଟ ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟରେ ହାଜର ହୋଇଥିବାବେଳେ ତାଙ୍କୁ ୨୫ ତାରିଖରେ ନିଲମ୍ବିତ କରାଯାଇଛି । ଏହି ପ୍ରସଙ୍ଗ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ସେ ଏ ସଂପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଆଗକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଜାମ୍ମୁ କାଶ୍ମୀରରେ ପୂର୍ବରୁ ଲାଗୁ ହୋଇଥିବା ୩୫ଏ କୁ ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି  । ଧାରା ୩୫ଏ ଉଠିବା ପରେ ଲୋକଙ୍କ ମୌଳିକ ଅଧିକାରୀ କ୍ଷୁର୍ଣ୍ଣ ହୋଇଥିଲା । ଏହି ଧାରା ସ୍ଥାୟୀ ବାସିନ୍ଦା ନିର୍ଧାରଣ କରିବାର ସଜ୍ଞା ବିଧାନସଭାକୁ ପ୍ରଦାନ କରିଥିଲା । ଏଥିନିମନ୍ତେ କଣ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଏହି ଧାରା ସ୍ଥାୟୀ ବାସିନ୍ଦାକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ବେଳେ ଅନ୍ୟମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଥିଲା ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସମର୍ଥନରେ ଯୁକ୍ତି ବାଢିଥିଲେ  । ୩୫ଏ ଧାରାରେ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ନ୍ୟାୟିକ ସମୀକ୍ଷା କରାନଯାଇପାରିବାର ମଧ୍ୟ ବ୍ୟବସ୍ଥା ଥିଲା । କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା କିଛି ବର୍ଗର ଲୋକଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିଥିଲା । ଦଶନ୍ଧୀ ଦଶନ୍ଧୀ ଧରି ଏଭଳି ବ୍ୟବସ୍ଥା ଚାଲିଆସୁଥିଲା । ଯାହା ସାମ୍ବିଧାନିକ ଗଣତନ୍ତ୍ରରେ ଚିନ୍ତା ବି କରାଯାଇପାରିବ ନାହିଁ ।

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ,ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି ୫ରୁ ୧୮ ବର୍ଷର ପିଲା

ଭୁବନେଶ୍ବର: BSKY ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ଛୋଟ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୫ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ବଡ଼ ଫାଇଦା । ରାସନ କାର୍ଡରେ ନାଁ ନଥିଲେ ବି ସେମାନେ ଚିକିତ୍ସାରୁ ବଞ୍ଚିତ ହେବେନି । ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ BSKYରେ ଚିକିତ୍ସା ମିଳିପାରୁନଥିଲା ।

ଏବେ କୌଣସି ସମସ୍ୟା ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ୨୦୧୮ ଅଗଷ୍ଟ ୧୫ ତାରିଖରେ ଆରମ୍ଭ କଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ । ମହିଳାଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା । ବିଏସ୍‌କେଓ୍ବାଇ ପ୍ରଚଳନ ପରଠୁ ଗରିବଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦରେ ଟଙ୍କାଟିଏ ଦେବାକୁ ପଡ଼ୁନି । ଫଳରେ ସେମାନଙ୍କ ଆୟ ସଞ୍ଚୟ ହେଉଛି ।

ଅନୁରୂପ ଭାବେ ସରକାରୀ ଡାକ୍ତରଖାନାରେ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ନମୁନା ପରୀକ୍ଷା, ଔଷଧ ପ୍ରଦାନର ବ୍ୟବସ୍ଥା କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ପ୍ରଚଳନ କରି ମୁଖ୍ୟମନ୍ତ୍ରୀ ଗରିବଙ୍କ ଚିକିତ୍ସାରେ ଯେପରି ସମୟ ଓ ଅର୍ଥ ବାଧକ ନ ସାଜିବ, ତାକୁ ସୁନିଶ୍ଚିତ କରିଛନ୍ତି । ଏବେ ରାଜ୍ୟର ୯୯ ଲକ୍ଷ ୯ ହଜାର ପରିବାରର ୩ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଛି ବିଏସ୍‌କେଓ୍ବାଇ ସ୍ମାର୍ଟ୍‌ କାର୍ଡ଼ ।

ଝୁଲଣ ଯାତ୍ରା ପାଇଁ ଦୁଲୁକୁଛି ଶ୍ରୀକ୍ଷେତ୍ର

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ପ୍ରସିଦ୍ଧ ଝୁଲଣ ଯାତ୍ରା ।  ଶ୍ରୀମନ୍ଦିରରେ ଏହି ଯାତ୍ରା ପାଳିତ ହେଉଥିବା ବେଳେ ବିଭିନ୍ନ ମଠ ମନ୍ଦିର ଗୁଡ଼ିକରେ ମଧ୍ୟ ଏହି ମହୋତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । ଯାତ୍ରାରେ ରାଧାକୃଷ୍ଣ ଝୁଲଣ କୁଞ୍ଜରେ ରହି ପ୍ରାବୃଟ ରାସ କରୁଥିବାବେଳେ ଭକ୍ତ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ସହ ବିଭିନ୍ନ ମଠମନ୍ଦିର ମାନଙ୍କୁ ଯାଇ ଏହି ରାସର ମଜା ଉଠାଉଛନ୍ତି । ସହରର ବୈଷ୍ଣବ ଧର୍ମୀ ମଠ ମନ୍ଦିର ଗୁଡ଼ିକ ସହ ଶ୍ରୀମନ୍ଦିରରେ ଏହି ଯାତ୍ରା ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ ।  ଶ୍ରୀମନ୍ଦିର ପରିସରରେ ଥିବା ଝୁଲଣ ମଣ୍ତପକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇ ୭ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏହି ଯାତ୍ରା । ଝୁଲଣ ମଣ୍ତପରେ ରାଧାକୃଷ୍ଣଙ୍କ ପ୍ରାବୃଟ ରାସ ସହ ଦୋଳି ଖେଳିବାର ନୀତି ଓ ପରମ୍ପରା ରହିଛି ଏହି ଉତ୍ସବରେ ।

ଶ୍ରୀମନ୍ଦିର ସମେତ ପୁରୀର ବିଭନ୍ନ ବୈଷ୍ଣବ ମଠ ଓ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଏହି ଯାତ୍ରାକୁ ଆକର୍ଷଣୀୟ ଭାବେ ପାଳନ କରାଯାଉଛି । ଝୁଲଣ ମଣ୍ତପ ଗୁଡ଼ିକୁ ସୋଲ, ଜରି ଓ ଜମ୍ବୁରରେ ସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗର ଆଲୋକ ସଜ୍ଜା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ପୁରୀର ଜିଅର ସ୍ୱାମୀ ମଠ, ନେବଳ ଦାସ ମଠ, ସିଦ୍ଧବକୁଳ ମଠ ଉତ୍ତର ପାର୍ଶ୍ୱ ମଠ, ଗୌଡ଼ିଅ ମଠ, ରାଧା ବଲ୍ଲଭ ମଠ, ସାନ ମଠ ସହ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ବେଶ୍ ଧୁମଧାମରେ ପାଳନ ହେଉଛି ମହୋତ୍ସବ ।  ବିଭନ୍ନ ମଠ ଗୁଡ଼ିକରେ ନୃତ୍ୟ, ସଂଗୀତ ଓ ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଚାଲୁଅଛି ।

ସରିଛି ଶ୍ରାବଣ ସୋମବାର, ଚାଲିଛି ବୋଲବମ୍

ଜଳେଶ୍ବର: ଶ୍ରାବଣରେ ଶିବ ପୂଜା । ଶ୍ରାବଣ ପୂର୍ଣ୍ଣମୀ ପାଇଁ ଚଳଚଞ୍ଚଳ ଜଳେଶ୍ବର ଚନ୍ଦନେଶ୍ବର ପୀଠ । ମହାଦେବଙ୍କ ଜଳଲାଗି ପାଇଁ ଅପେକ୍ଷାରତ ହଜାର ହଜାର ଭକ୍ତ । ଜଳେଶ୍ବର ଚନ୍ଦନେଶ୍ବର ପୀଠରେ ଶ୍ରାବଣ ପୂର୍ଣ୍ଣମୀରେ ଜଳଲାଗି କରିବାର ସ୍ବତନ୍ତ୍ର ମହାତ୍ମ୍ୟ ରହିଛି । ଶ୍ରାବଣ ପୂର୍ଣ୍ଣମୀରେ ପ୍ରଭୁ ଚନ୍ଦନେଶ୍ବରଙ୍କୁ ଜଳଲାଗି କଲେ ମନୋବଞ୍ଛା ପୂରଣ ହୁଏ, କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଯେଉଁଥିପାଇଁ ପ୍ରତିବର୍ଷ ଶ୍ରାବଣ ସୋମବାର ଲିଙ୍ଗରେ ଜଳଲାଗି ହେଉଥିଲେ ବି ପୂର୍ଣ୍ଣମୀରେ ଜଳଲାଗି କରିବାକୁ ଅପକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆସନ୍ତାକାଲି ଶ୍ରାବଣ ପୂର୍ଣ୍ଣମୀ ଥିବାରୁ ଆଜିଠୁ ସୁବର୍ଣ୍ଣରେଖା ନଦୀ ଘାଟରୁ ପାଣି ଭାର ନେଇ ବାବାଙ୍କ ପୀଠରେ ପହଞ୍ଚିଛନ୍ତି କାଉଡିଆ । ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଘାଟରେ ମୁତୟନ ହୋଇଛନ୍ତି । ଜଳେଶ୍ଵରରୁ ଚନ୍ଦନେଶ୍ଵର ପୀଠ ରାସ୍ତାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପାଟ୍ରୋଲିଂ କଡ଼ା କଡ଼ି କରାଯାଇଛି । ଆଜି ରାତ୍ରି ୯ଟାରୁ ବାବା ଚନ୍ଦନେଶ୍ଵରଙ୍କ ଜଳାଭିଷେକ ଆରମ୍ଭ ହେବା । ସାରାରାତି ଭକ୍ତମାନେ ଜଳଲାଗି କରିବେ ।

ବଢ଼ୁଛି ଟେରାକୋଟା ରାକ୍ଷୀର ଚାହିଦା

କେନ୍ଦ୍ରାପଡ଼ା: ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭଳି କି ଭଳି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ମହିଳା । କେନ୍ଦ୍ରାପଡ଼ା ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ୍‌ର ମିଶନ ଶକ୍ତି ମହିଳା ମିଶି ପ୍ରସ୍ତୁତ କରିଛନ୍ତି ଟେରାକୋଟା ଏବଂ କାଇଁଚ ରାକ୍ଷୀ।  ୧୦ ଟଙ୍କାରୁ ୨୫ ଟଙ୍କା ପର୍ଯ୍ୟନ୍ତ ରହିଛି ରାକ୍ଷୀର ଦାମ୍ ।  ପରିବେଶ ଅନୁକୂଳ ଏହି ରାକ୍ଷୀ ନେବାକୁ ଲୋକଙ୍କ ଭିଡ । ରାକ୍ଷୀ ବଜାରରେ ସାମିଲ ହୋଇଛି ଟେରାକୋଟା ଏବଂ କାଇଁଚ ରାକ୍ଷୀ ।  ଫ୍ୟାନସି ରାକ୍ଷୀ ଭଳି ସୁନ୍ଦର ଦିଶିବା ସହ ଏହି ରାକ୍ଷୀ ପରିବେଶ ଅନୁକୂଳ ।  ମାଟିକୁ ପୋଡି ଟେରାକୋଟା ରାକ୍ଷୀ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ୍‌ର ମିଶନ ଶକ୍ତି ମହିଳାମାନେ। ମାଟିରେ, ଜଗନ୍ନାଥ, ଗଣେଶ ସ୍ୱସ୍ତିକ ଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏମାନେ । ୧୦ ଟଙ୍କାରୁ ୨୫ ଟଙ୍କା ପର୍ଯ୍ୟନ୍ତ ରହିଛି ରାକ୍ଷୀର ଦାମ୍ । ସୁନ୍ଦର ରାକ୍ଷୀକୁ ନେବାକୁ ଲୋକମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ।

ସେହିଭଳି ପୂର୍ବରୁ କେନ୍ଦ୍ରାପଡ଼ାରେ କାଇଁଚରୁ ପ୍ରସ୍ତୁତି ହେଉଥିଲା ରାକ୍ଷୀ । ଏବର୍ଷ ମଧ୍ୟ କାଇଁଚ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ମହିଳା । ଷ୍ଟୋନରେ ସଜେଇ ପ୍ରସ୍ତୁତ ହଉଥିବା କାଇଁଚ ରାକ୍ଷୀର ମଧ୍ୟ ବଜାରରେ ଭଲ ଚାହିଦା ରହିଛି। ଏହି ରାକ୍ଷୀ ପରିବେଶ ପାଇଁ ଅନୁକୂଳ ହୋଇଥିବା ବେଳେ ସୁନ୍ଦର ମଧ୍ୟ୍ୟ ଦେଖାଯାଉଛି। ଗୋଟିଏ ଷ୍ଟଲରେ ଉଭୟ କଇଁଚ ଓ ଟେରାକୋଟା ରାକ୍ଷୀ ମନ ମୋହୁଛି । ୭ଟି ଉତ୍ପାଦକ ଗୋଷ୍ଠୀକୁ ଏଥିପାଇଁ ନିୟୋଜିତ କରାଯାଇଛି।  ଯେଉଁଥିରେ ପ୍ରାୟ ୩୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା କାରିଗର ଏହି କାମରେ ଲାଗି ପଡ଼ିଛନ୍ତି।

ବିଜୁ ପଟ୍ଟନାୟକ କ୍ରୀଡ଼ା ଉତ୍ସବ ୨୦୨୩, ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଭୁବନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପୁରସ୍କାର ୨୦୨୩ ସମାରୋହ ଅନୁଷ୍ଠିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ ।  କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସ୍ୱାଗତ ଭାଷଣ ଦେଇଥିବାବେଳେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ । ଦୁଇଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଦିବଙ୍ଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ପୁରସ୍କାର ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କ ପରିବାର ସଦସ୍ୟ ପୁରସ୍କାର ଗ୍ରହଣ କରିଛନ୍ତି । ସରୋଜ ଦାସଙ୍କ ପାଇଁ ତାଙ୍କ ପିତା ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଗ୍ରହଣ କରିଥିଲେ । ସେହିପରି  ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ, ଦୀପ ରଂଜନ ବିଷୋୟୀ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ପୁରସ୍କାର, ଉଦୀୟମାନ କ୍ରୀଡ଼ାବିତ ଭାବେ ସବିତା ଟପ୍ପୋ, ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପୁରସ୍କାର, ପିଟର ତିର୍କୀଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ପୁରସ୍କାର ଏବଂ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ପୁରସ୍କାର, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପେନସନ ଟଙ୍କାରେ ପାଠାଗାର ଖୋଲିଛନ୍ତି ଶିକ୍ଷକ, ମାଗଣା ପୁସ୍ତକ ଦେଇ ପାଠ ପଢ଼ିବାକୁ କରୁଛନ୍ତି ଉତ୍ସାହିତ  

କଳାହାଣ୍ଡି: ଶିକ୍ଷକ ହେବ ତ ଏମିତି l ଅବସର ପରେ ପେନସନ ଟଙ୍କାରେ ଖୋଲିଛନ୍ତି  ପାଠାଗାର। ଲୋକଙ୍କୁ ମାଗଣା  ପୁସ୍ତକ ଦେଇ ପାଠ ପଢିବାକୁ ଉତ୍ସାହିତ କରୁଛନ୍ତି । ୨୦୦୦ରୁ ଅଧିକ ବହି ଏହି ପାଠାଗାରରେ  । କଳାହାଣ୍ଡି  ଜିଲ୍ଲା ଧର୍ମଗଡ ଜୟନ୍ତପୁର ଗାଁର ଶିକ୍ଷକ ତ୍ରିଲୋଚନ ବାଗ  । ଚାକିରିରୁ ଅବସର ପରେ ନିଜ ପେନସନ ପଇସାରେ ଗାଁରେ ଖୋଲିଛନ୍ତି ପାଠାଗାର। ଲୋକେ ପାଠାଗାରରେ ବିଭିନ୍ନ ପୁସ୍ତକ ପଢ଼ି ଜ୍ଞାନ ଆହରଣ କରୁଛନ୍ତି l କଳାହାଣ୍ଡି ଧର୍ମଗଡ ଜୟନ୍ତପୂର୍ ଗାଁର ଶିକ୍ଷକ ତ୍ରିଲୋଚନ ବାଗ । ଶିକ୍ଷକ ସହ ତ୍ରିଲୋଚନ ଜଣେ ଲେଖକ ମଧ୍ୟ। ଉନ୍ନତ ଶିକ୍ଷାଦାନ ଶୈଳୀ ପାଇଁ ସେ ପୂର୍ବରୁ ଅନେକ ପୁରସ୍କାର ହାତେଇଛନ୍ତି ।  ୧୯୯୫ରେ ଆଦର୍ଶ ଶିକ୍ଷକ ସମ୍ମାନ,୧୯୯୬ରେ ରାଜ୍ୟପାଳ ପୁରସ୍କାର ଏବଂ ୨୦୦୭ ମସିହାରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। ୨୦୧୧ ମସିହାରେ ଅବସର ନେଇଥିଲେ ତ୍ରିଲୋଚନ। ପୂର୍ବରୁ ଗାଁ ଲୋକେ କୌଣସି ପୌରାଣିକ ଗ୍ରନ୍ଥ, ଉପନ୍ୟାସ କିମ୍ବା ଗଳ୍ପ ବହି ଟିଏ ପଢିବାକୁ ହେଲେ ଦୂର ସ୍ଥାନକୁ ଯାଉଥିଲେ। ଏବେ ଗାଁରେ ପାଠାଗାର ଟିଏ ହେବା ପରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସବୁ ସମୟରେ ଲୋକେ ପାଠ ପଢିପାରୁଛନ୍ତି । ଲୋକଙ୍କୁ ପଢୁଥିବାର ଦେଖି ତ୍ରିଲୋଚନ ସାର ମଧ୍ୟ ବେଶ୍ ଖିୁସି ।

 

ଆଇଆଇପିର ଭାଗିଦାରିତାରେ ମିଲେଟ ଶକ୍ତି ପ୍ରସ୍ତୁତ ଦ୍ରବ୍ୟର ପ୍ୟାକେଜିଂରେ ଗୁଣାତ୍ମକମାନ ବୃଦ୍ଧି କରାଯିବ

ଭୁବନେଶ୍ବର: ମିଲେଟ ଶକ୍ତି ଦ୍ବାରା ଉତ୍ପାଦିତ ଦ୍ରବ୍ୟର ପ୍ୟାକେଜିଂରେ ମାନକୀକରଣ ନିମନ୍ତେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ମିଶନ ଶକ୍ତି ବିଭାଗ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା କୃଷିଭବନରେ ସ୍ବାକ୍ଷରିତ ହୋଇଛି । ଏହି ଭାଗିଦାରିତାର ଅବଧି ୩ ବର୍ଷ ଅର୍ଥାତ ୨୦୨୩ ଅପ୍ରେଲ ପହିଲାଠାରୁ ଆାରମ୍ଭ କରି ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । ମେମୋରାଣ୍ଡମ ଅଫ୍ ଆଗ୍ରିମେଣ୍ଟରେ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନେଦ କୁମାର ଜେନା ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂର ଯୁଗ୍ମ ନିଦ୍ଦେର୍ଶକ ବାବୁରାଓ ଗୁଡୁରୀ ସ୍ବାକ୍ଷର କରିଛନ୍ତି । ଏହି ରାଜିନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଆଇଆଇପିର ସହକାରୀ ନିର୍ଦ୍ଦେଶକ ଶେଖର ଆମ୍ବେଦକର ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଛି ।