ଝୁଲଣ ଯାତ୍ରା ପାଇଁ ଦୁଲୁକୁଛି ଶ୍ରୀକ୍ଷେତ୍ର

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ପ୍ରସିଦ୍ଧ ଝୁଲଣ ଯାତ୍ରା ।  ଶ୍ରୀମନ୍ଦିରରେ ଏହି ଯାତ୍ରା ପାଳିତ ହେଉଥିବା ବେଳେ ବିଭିନ୍ନ ମଠ ମନ୍ଦିର ଗୁଡ଼ିକରେ ମଧ୍ୟ ଏହି ମହୋତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । ଯାତ୍ରାରେ ରାଧାକୃଷ୍ଣ ଝୁଲଣ କୁଞ୍ଜରେ ରହି ପ୍ରାବୃଟ ରାସ କରୁଥିବାବେଳେ ଭକ୍ତ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ସହ ବିଭିନ୍ନ ମଠମନ୍ଦିର ମାନଙ୍କୁ ଯାଇ ଏହି ରାସର ମଜା ଉଠାଉଛନ୍ତି । ସହରର ବୈଷ୍ଣବ ଧର୍ମୀ ମଠ ମନ୍ଦିର ଗୁଡ଼ିକ ସହ ଶ୍ରୀମନ୍ଦିରରେ ଏହି ଯାତ୍ରା ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ ।  ଶ୍ରୀମନ୍ଦିର ପରିସରରେ ଥିବା ଝୁଲଣ ମଣ୍ତପକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇ ୭ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏହି ଯାତ୍ରା । ଝୁଲଣ ମଣ୍ତପରେ ରାଧାକୃଷ୍ଣଙ୍କ ପ୍ରାବୃଟ ରାସ ସହ ଦୋଳି ଖେଳିବାର ନୀତି ଓ ପରମ୍ପରା ରହିଛି ଏହି ଉତ୍ସବରେ ।

ଶ୍ରୀମନ୍ଦିର ସମେତ ପୁରୀର ବିଭନ୍ନ ବୈଷ୍ଣବ ମଠ ଓ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଏହି ଯାତ୍ରାକୁ ଆକର୍ଷଣୀୟ ଭାବେ ପାଳନ କରାଯାଉଛି । ଝୁଲଣ ମଣ୍ତପ ଗୁଡ଼ିକୁ ସୋଲ, ଜରି ଓ ଜମ୍ବୁରରେ ସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗର ଆଲୋକ ସଜ୍ଜା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ପୁରୀର ଜିଅର ସ୍ୱାମୀ ମଠ, ନେବଳ ଦାସ ମଠ, ସିଦ୍ଧବକୁଳ ମଠ ଉତ୍ତର ପାର୍ଶ୍ୱ ମଠ, ଗୌଡ଼ିଅ ମଠ, ରାଧା ବଲ୍ଲଭ ମଠ, ସାନ ମଠ ସହ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ବେଶ୍ ଧୁମଧାମରେ ପାଳନ ହେଉଛି ମହୋତ୍ସବ ।  ବିଭନ୍ନ ମଠ ଗୁଡ଼ିକରେ ନୃତ୍ୟ, ସଂଗୀତ ଓ ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଚାଲୁଅଛି ।