spot_img
Home Blog Page 2701

ଗଣିଆରେ ନିର୍ମାଣ ହେଲା ନୂତନ ବସଷ୍ଟାଣ୍ଡ, ଯାତାୟତ ସୁବିଧା ବଢିଥିବାରୁ ବେଶ୍ ଖୁସି ଅଞ୍ଚଳବାସୀ

ନୟାଗଡ଼: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଟ୍ରାଫିକ ସମସ୍ୟାର ସମାଧାନ ହେବା ସହ ବିକାଶ ପଥରେ ସାମିଲ ହେଲା ଗଣିଆ ନୂଆ ବସଷ୍ଟାଣ୍ଡ। ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଠାରେ ରହିଛି ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ଶୌଚାଳୟ, ଶୁଦ୍ଧ ପାନୀୟ ଜଳ, ଆଲୋକୀକରଣ ଓ ବସ୍ ରହଣି ପାଇଁ ଅତ୍ୟାଧୁନିକ ପାର୍କିଂ ସୁବିଧା। ବିକାଶର ମାଇଲଖୁଣ୍ଟ ସାଜିବା ସହ ପୂର୍ବ-ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ସାଜିଛି ଅତ୍ୟାଧୁନିକ ଗଣିଆର ନୂତନ ବସଷ୍ଟାଣ୍ଡ।

ଗଣିଆରେ ବସଷ୍ଟାଣ୍ଡ ଏବଂ ଯାତ୍ରୀ ଆଶ୍ରୟସ୍ଥଳୀ ନଥିବା ଯୋଗୁଁ ୩ଟି ବ୍ଲକର ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗଣିଆ ବଜାରର ଟ୍ରାଫିକ ସମସ୍ୟା ବିଷୟରେ ଜଣାଇଥିଲେ। ସବୁ ସମସ୍ୟା ଜାଣିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଗଣିଆ ବଜାରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଏବେ ବେଶ୍ ଖୁସି ଅଞ୍ଚଳବାସୀ । ହାତ ପାହାନ୍ତାରେ ସବୁ କିଛି ସୁବିଧା ମିଳିବା ସହିତ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

ଚନ୍ଦ୍ରଯାନ-୩ରେ ଓଡ଼ିଆ ବୈଜ୍ଞାନିକ, ଗଜପତି ଆନି କ୍ରିଷ୍ଣା ଚନ୍ଦ୍ରଯାନ-୩ ଯାତ୍ରାରେ ସାମିଲ

ଗଜପତି: ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ପୁଅ । ଅନେକ ବୈଜ୍ଞାନିକଙ୍କ ପରିଶ୍ରମ ଦ୍ବାରା ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଛି । ଏଥିରେ ଗଜପତି ପାରଳାଖେମୁଣ୍ଡିର ବୈଜ୍ଞାନିକ ଆନି କ୍ରିଷ୍ଣା ସାମିଲ ହୋଇଛନ୍ତି । ବିଶ୍ୱ ଇତିହାସରେ ଭାରତ ସ୍ଵର୍ଣ୍ଣମୟ ଅଧ୍ୟାୟ ସୃଷ୍ଟି କରିବାରେ ଆନି କ୍ରିଷ୍ଣାଙ୍କ ଅବଦାନକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଉ ସେ ସମୟ ଅନୁଭୂତିକୁ ମନେପକାଇ ଭାବବିହ୍ୱଳ ହୋଇ ଉଠିଛନ୍ତି ଆନି କ୍ରିଷ୍ଣା ।

ଆନି କ୍ରିଷ୍ଣାଙ୍କ ବାପା ଥିଲେ ଜଣେ ପଶୁ ଚିକିତ୍ସକ । ତାଙ୍କ ବିୟୋଗ ପରେ ବହୁ କଷ୍ଟରେ ପାଠ ପଢିଥିଲେ ଆନି କ୍ରିଷ୍ଣା । ପାରଳାଖେମୁଣ୍ଡି ମହାରାଜା ବାଳକ ବିଦ୍ୟାଳୟ ପରେ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଶେଷ କରି ଖଡ଼ଗପୁର ଆଇଆଇଟିରେ ବିଜ୍ଞାନ ଟେକ୍ନୋଲୋଜି ପଢୁଥିବା ବେଳେ ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ । ଆନି କ୍ରିଷ୍ଣା ସେନସର ଟେକ୍ନୋଲୋଜି ଓ ଆନିମେସନ ବିଭାଗରେ କାର୍ଯ୍ୟ କରିଛନ୍ତି ଯାହା ଚନ୍ଦ୍ରାୟନ ୩ରେ ଉପଯୋଗ ହୋଇଛି, ଏଥିରେ ଅଂଶଗ୍ରହଣ କରି ସେ ନିଜକୁ ଗର୍ବିତ ବୋଲି କହିଛନ୍ତି । ଆଗକୁ ସୂର୍ଯ୍ୟ ଉପରେ ଅନୁସନ୍ଧାନ କରିବାକୁ ଆଦିତ୍ୟ ଏଲ ଓ୍ବାନ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏଥିପାଇଁ ଆଗ୍ରହ ଓ ଚ୍ୟାଲେଞ୍ଜ ସହ ଉଦ୍ୟମ ଜାରି ରହିଛି । ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ଆନି କ୍ରିଷ୍ଣାଙ୍କ ପରିବାର ବେଶ୍ ଖୁସି ।

ଦେଶ ପାଇଁ ଗର୍ବ ଆଣିବାରେ ଆନି କ୍ରିଷ୍ଣାଙ୍କ ଭୂମିକାକୁ କେବଳ ଅଞ୍ଚଳରେ ନୁହେଁ ସାରା ଭାରତରେ ପ୍ରଶଂସା କରାଯାଉଛି । ତାଙ୍କ ଉଦ୍ୟମରେ ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରୁଛି ।

 

ଉଦଘାଟନୀ ମ୍ୟାଚରେ ଖାଲି ପଡ଼ିଲା ସିଟ୍, ସୋସିଆଲ ମିଡିଆରେ ଟ୍ରୋଲ କଲେ ୟୁଜର୍ସ

ଇସଲାମବାଦ: ବୁଧବାରଠାରୁ ଆରମ୍ଭ ହୋଇଛି ଏସିଆ କପ । ଉଦଘାଟନୀ ମ୍ୟାଚରେ ଘରୋଇ ପାକିସ୍ତାନକୁ ସାମ୍ନା କରୁଛି ନେପାଳ। ପାକିସ୍ତାନ ଏସିଆ କପ ଆୟୋଜନ କରୁଥିବା ଘରୋଇ ଦଳର ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ମରୁଡ଼ି ପଡ଼ିଛନ୍ତି ଦର୍ଶକ । ଷ୍ଟାଡିୟମରେ ଖାଲି ପଡ଼ିଥିବାର ଫଟୋକୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ପୋଷ୍ଟ କରି ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ତେବେ ଏହି ପୋଷ୍ଟ ଗୁଡ଼ିକ ଅଧିକାଂଶ ୟୁଜର୍ସ ଲାଇକ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି ।  ସବୁଠାରୁ ବଡ଼ ମ୍ୟାଚ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି । ଏହି ମ୍ୟାଚ ପାଇଁ ପ୍ରଂଶସକମାନେ ଆଗୁଆ ଟିକେଟ କାଟିସାରିଛନ୍ତି । ମାତ୍ର ପାକିସ୍ତାନରେ ଘରୋଇ ଦଳ ଖେଳୁଥିବାବେଳେ ଦର୍ଶକଙ୍କ ସଂଖ୍ୟା ବହୁତ କମ ରହିବାକୁ କ୍ରୀଡ଼ା ସମୀକ୍ଷକମାନେ ସମାଲୋଚନା କରିଛନ୍ତି ।

ବଲାଙ୍ଗୀରରେ ନକଲି କପଡ଼ା ଗୋଦାମରେ ରେଡ୍, ୪୫ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡେଡର ପୋଷାକ ଜବତ

ବଲାଙ୍ଗୀର: ବଲାଙ୍ଗୀର ଲଖାନି ନ୍ୟୁ ଗାରମେଣ୍ଟ କପଡା ଗୋଦାମରେ ଚାଲିଥିଲା ନକଲି ସାମଗ୍ରୀ କାରବାର । ଚଢାଉ କରି ପାଖାପାଖି ୪୫ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡେଡର ପୋଷାକ ଜବତ କରିଛି ବଲାଙ୍ଗୀର ପୋଲିସ । ଗତକାଲି ରାତିରେ ବଲାଙ୍ଗୀର ଟାଉନ ଥାନା ପୋଲିସ ଚଢ଼ାଉ କରି ନକଲି ସାମଗ୍ରୀ ଜବତ କରିଛି । କିଛି ବ୍ରାଣ୍ଡେଡ୍ କମ୍ପାନୀ ତରଫରୁ ଏନେଇ ଅଭିଯୋଗ ପରେ ରେଡ୍ କରିଥିଲା ପୋଲିସ । ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜେଶ କୁମାର ଲଖାନିକୁ ହେପାଜତକୁ ନେଲା ତଦନ୍ତ କରୁଛି ପୋଲିସ ।

କର୍ଣ୍ଣାଟକରେ ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଗୃହଲକ୍ଷ୍ମୀ ଯୋଜନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଗୃହଲକ୍ଷ୍ମୀ ଯୋଜନା । ମହୀଶୂରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନେ ଖଡଗେ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସମାବେଶରେ ଯୋଗ ଦେଇ ରାହୁଲ କହିଛନ୍ତି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଯିବ । କର୍ଣ୍ଣାଟକ ସରକାର ଏହି ଗ୍ୟାରେଣ୍ଟି ଦେଇଥିଲେ । ଶକ୍ତି ଯୋଜନା ଅନୁସାରେ ବସରେ ଯିବା ଲାଗି ମହିଳାଙ୍କୁ ଟଙ୍କା ଦେବାକୁ ପଡିବନି । ଅନ୍ନଭାଗ୍ୟ ଯୋଜନାରେ ପ୍ରତି ପରିବାରକୁ ୧୦ କେଜି ଚାଉଳ ଦିଆଯାଉଛି । ଗୃହଜ୍ୟୋତି ଯୋଜନାରେ ମାସିକ ୨୦୦ ୟୁନିଟ ବିଜୁଳି ମାଗଣା । ୫ଟି ଯୋଜନାରୁ ଚାରିଟି ଯୋଜନା ମହିଳାଙ୍କ ଲାଗି ଉଦ୍ଦିଷ୍ଟ । ଯୁବାନିଧି ଯୋଜନା ବି ଯୁବବର୍ଗର ଆଶାକୁ ପୂରଣ କରିଛି ବୋଲି ସେ କହିଛନ୍ତି ।

ରାହୁଲ କହିଛନ୍ତି- ସାରାଦେଶରେ ଯେଉଁ ବିକାଶ କାମ ଚାଲିଛି ତାହା ମାତ୍ର ଦୁଇ ତିନିଜଣଙ୍କୁ ହିଁ ଉପକୃତ କରୁଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରିବା ଯୋଗୁ ଏହାର ପ୍ରଭାବ ମହିଳାଙ୍କ ଉପରେ ପଡୁଛି ବୋଲି ରାହୁଲ କହିଥିଲେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି- ସାରା ଦେଶ ଲାଗି କର୍ଣ୍ଣାଟକ ମଡେଲ ସାଜିବ ଉଦାହରଣ । ଏହି ଯୋଜନା ଜରିଆରେ ରାଜ୍ୟବାସୀଙ୍କ ଜୀବନ ଧାରଣର ମାନ, ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ ଘଟିବ । ରାଜ୍ୟରେ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ ନିର୍ବାଚନ ବେଳେ କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରାଯିବ ବୋଲି ସେ କହିଛନ୍ତି । ଗୃହଲକ୍ଷ୍ମୀ ଯୋଜନାରେ ଉପକୃତ ହେବ ରାଜ୍ୟର ୧ କୋଟି ୩୦ ଲକ୍ଷ ମହିଳା । ରାଜ୍ୟ ରାଜକୋଷରୁ ବାର୍ଷିକ ୩୩ ହଜାର କୋଟି ଟଙ୍କା ବ୍ୟୟ ହେବ ।

ପୁରୀ ବେଳାଭୂମି ନିକଟ ରେଣୁକା ଗଳିରେ ଅଘଟଣ, ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ

ପୁରୀ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ପୁରୀ ବେଳାଭୂମି ନିକଟ ରେଣୁକା ଗଳିରେ ଘଟିଛି ଅଘଟଣ । ଏକ ହୋଟେଲକୁ ଖାଇବାକୁ ଆସି ବସିଥିବାବେଳେ ହଠାତ ଟଳିପଡ଼ିଥିଲେ ଗ୍ରାହକ । ମୃତ୍ୟୁ ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୋଟେଲ ମାଲିକଙ୍କ କହିବା ଅନୁସାରେ ମୃତକ ଶ୍ରୀକାକୁଲମ ଅଞ୍ଚଳର । ସେ ସମୁଦ୍ରକୂଳ ରାସ୍ତାରେ ବସି ଜୋତା ସିଲାଇ କରୁଥିଲେ । ଗତ ୫ ବର୍ଷ ହେବ ସେ ସେହି ହୋଟେଲକୁ ଖାଇବାକୁ ଆସୁଥିଲେ । ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ଖାଇବାକୁ ଆସି ବସିଥିବାବେଳେ ଅଘଟଣ ଘଟିଥିଲା । ପ୍ରଥମେ ହୋଟେଲକୁ ଆସି ବିଚଳିତ ଦେଖାଯାଉଥିଲେ ସଂପୃକ୍ତ ବ୍ୟକ୍ତି । ପରେ ହଠାତ ସେଇଠି ହିଁ ଟଳିପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

 

ମଧ୍ୟପ୍ରଦେଶରେ ଅସୁସ୍ଥ ଚିତାବାଘ ସହ ଲୋକଙ୍କ ସେଲଫି

ଭୋପାଳ: ମଧ୍ୟପ୍ରଦେଶ ସୋନକାଚରେ ଏକ ଅସୁସ୍ଥ ଚିତାବାଘ ସହ ଲୋକଙ୍କ ସେଲଫି । ଭାଇରାଲ ହେବାରେ ଲାଗିଛି ସେଲଫି ନେବାର ଭିଡିଓ । ଗତ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳରେ ଏକ ଚିତାବାଘ ନିସ୍ତେଜ ହୋଇ ପଡ଼ିରହିଥିଲା । ସେ ଠିକ୍ ଭାବେ ଚାଲିପାରୁ ନଥିଲା । ତେବେ ବାଘର ଚିକିତ୍ସା ବଦଳରେ ଲୋକମାନେ ବାଘକୁ ଚଲାଇଥିଲେ ଏବଂ ତା ସହ ସେଲଫି ନେଇଥିଲେ । ଏପରିକି କେତେକ ଲୋକ ବାଘ ଉପରେ ବସିବା ଲାଗି ବି ଉଦ୍ୟମ କରିଥିଲେ । ବାଘଟି ସୋନକାଚ ଅନ୍ତର୍ଗତ ଦେବାସ ଜିଲ୍ଲାର ଏକଲେରା ମାତାଜୀ ଜଙ୍ଗଲର କାଳି ସିନ୍ଧ ନଦୀ କୂଳରେ ପଡିରହିଥିବାବେଳେ ଲୋକମାନେ ସେଲଫି ନେଇଥିଲେ । ଏହି ଖବର ଜଣାପଡିବା ପରେ ଉଜ୍ଜୟିନୀରୁ ଜଙ୍ଗଲ ବିଭାଗର ଏକ ରେସ୍କ୍ୟୁ ଟିମ୍ ସେଠାରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିଲେ । ବାଘଟିକୁ ଇନ୍ଦୋର ଚିଡିଆଖାନାକୁ ନିଆଯାଇ ସେଠାରେ ତା’ର ଚିକିତ୍ସା କରାଯାଉଛି ।

ପରିବହନ ବିଭାଗ ନାଁରେ ଠକୁଛନ୍ତି ସାଇବର ଠକ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ସାଇବର ସ୍କାମ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସାଇବର ଠକ ଏକ ନୂତନ ପଦ୍ଧତି ଦ୍ୱାରା ଲୋକଙ୍କୁ ଫସାଉଛନ୍ତି। ଯଦି ଆପଣ ଗାଡି ଚଳାଉଛନ୍ତି ତେବେ ସାବଧାନ ହୋଇଯାଅନ୍ତୁ । ଫୋନକୁ ଆସୁଛି ନକଲି ଇ-ଚାଲାଣ ମେସେଜ୍ । ପରିବହନ ବିଭାଗର ନକଲି ୱେବସାଇଟ୍ ଜାଲିଆତି କରି ଟଙ୍କା ଲୁଟୁଛନ୍ତି ସାଇବର ଠକ ।

ସ୍କାମ ଆଲର୍ଟ:

ପ୍ରତ୍ୟେକ ଦିନ ନୂଆ ନୂଆ ଉପାୟରେ ସାଇବର ସ୍କାମ କରାଯାଉଛି । ମୋବାଇଲକୁ ପ୍ରତିଦିନ ଫେକ୍ ମେସେଜ, ଫୋନକଲ୍ ଆସୁଛି । ଏହାପରେ ବ୍ୟାଙ୍କ୍ ଆକାଉଣ୍ଟର ବାଲାନ୍ସ ଜିରୋ କରିଦେଉଛନ୍ତି ସ୍କାମର। । ବର୍ତ୍ତମାନ ସରକାରୀ ସେକ୍ଟରକୁ ବି ଛାଡୁ ନାହାନ୍ତି ସାଇବର ଠକ । ଯେପରିକି, ପରିବହନ ବିଭାଗର ୱେବସାଇଟ ଜାଲିଆତି ହୋଇଥିବା କଥା ସାମ୍ନାକୁ ଆସିଛି। ଟ୍ରାଫିକରେ ଗାଡି ନାଁରେ ଇ-ଚାଲଣ କଟିଛି ବୋଲି ଫେକ୍ ମେସେଜ ପଠାଉଛନ୍ତି ଠକ । ଏଭଳି ମେସେଜ୍ ଠାରୁ ଦୂରେଇ ରହିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ସର୍ତକ କରାଯାଇଛି ।

ନକଲି ଇ-ଚାଲଣ ସ୍କାମ କଣ ?

ପୋଲିସର ସୂଚନା ଅନୁସାରେ , ସ୍କାମରମାନେ ପଠାଇଥିବା ମେସେଜ୍ ଟ୍ରାଫିକ୍ ପୋଲିସର ବୋଲି ଜଣାପଡିଛି । କିନ୍ତୁ ଏହା ଟ୍ରାଫିକ୍ ପୋଲିସର ନୁହେଁ। ସମାନ ଢଙ୍ଗର ମେସେଜ୍ ପଠାଉଛନ୍ତି ସ୍କାମର । ସ୍କାମର ପଠାଇଥିବା ମେସେଜରେ କୁହାଯାଇଛି ଯେ, ଗାଡି ଚାଳକମାନେ ଟ୍ରାଫିକର ନିୟମ ଉଲଘଂନ କରିଛନ୍ତି । ଏଥିପାଇଁ ଜରିମାନା ଦେବାକୁ ପଡିବ । ଏଥିରେ ଏକ ଲିଙ୍କ୍ ମଧ୍ୟ ଆସୁଛି, ଯେଉଁଥିରେ ଚାଳକଙ୍କୁ ଲିଙ୍କରେ କ୍ଲିକ କରି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲିଙ୍କରେ କ୍ଲିକ୍ କରିବା ଦ୍ୱାରା ପୋଲିସର ଏକ ନକଲି ୱେବସାଇଟ୍ ଖୋଲିଥାଏ । ସେଥିରେ ବ୍ୟକ୍ତିଗତ ଏବଂ ବ୍ୟାଙ୍କର ଡକ୍ୟୁମେଣ୍ଟ ଦେବା ପାଇଁ ସୂଚନା ଦିଆଯାଇଥାଏ । ସେହି ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ହ୍ୟାକରସ ମୋବାଇଲ ଡିଭାଇସ ଦ୍ୱାରା ସମସ୍ତ ତଥ୍ୟ ସହଜରେ ନେଇ ଆକାଉଣ୍ଟରୁ ସଙ୍ଗେ ସଙ୍ଗେ ଟଙ୍କା ଉଠାଇନେଇଥାନ୍ତି ।

ଇ-ଚାଲଣ ସ୍କାମରୁ କେମିତି ରକ୍ଷା ପାଇବେ :

ମନେ ରଖନ୍ତୁ ମେସେଜକୁ ଆସିଥିବା କୌଣସି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଯଦି ଟ୍ରାଫିକ ନିୟମ ଉଲଘଂନ କରିଛନ୍ତି ବୋଲି କିଛି ମେସେଜ ଆସୁଛି ତେବେ ସିଧାସଳଖ ଯାଇ ଟ୍ରାଫିକ ପୋଲିସ ସହ ଯୋଗାଯୋଗ କରନ୍ତୁ । ଭାରତରେ ଇ-ଚାଲଣ ଅଫିସିଆଲ ୱେବସାଇଟ ହେଉଛି  https://echallan.parivahan.in/” ।

ଗାଡ଼ିକୁ ରାସ୍ତା ଦେବାକୁ ନେଇ ଝଗଡ଼ା, ମୁଣ୍ଡକୁ ମାରିଲେ ଗୁଳି: ବିଚ ରାସ୍ତାରେ ଆମାଜନ ମ୍ୟାନେଜରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ଫୁଟିଲା ଗୁଳି । ଆମାଜନର ମ୍ୟାନେଜରଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ହରପ୍ରିତ ସିଂ । ସେ ତାଙ୍କ ମାମୁ ଗୋବିନ୍ଦଙ୍କ ସହ ବଇକରେ ଯାଉଥିବା ବେଳେ ଭଜନପୁରା ଅଞ୍ଚଳର ୮ ନମ୍ବର ଗଳି ପାଖରେ ଗୁଳିମାଡ଼ ଘଟିଛି । ଘଟଣା ସ୍ଥଳରେ ହରପ୍ରିତଙ୍କ ମୃତ୍ୟୁ ଘଟିଥିବା ବେଳେ ମାମୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ବାଇକରେ ମାମୁଙ୍କ ସହ ହରିପ୍ରିତ କେଉଁଆଡେ ଯାଉଥିଲେ । ଏହି ସମୟରେ ଭଜନପୁରାର ୮ ନମ୍ବର ଗଳିରେ ବାଇକକୁ ରାସ୍ତା ଦେବାକୁ ନେଇ ୫ ଜଣ ଯୁବକଙ୍କ ସହ ହରପ୍ରିତ ଓ ତାଙ୍କ ମାମୁଙ୍କ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ଉଭୟଙ୍କ ଉପରକୁ ଆଖିବୁଜା ଗୁଳି ମାରିଥିଲେ । ଏକ ଗୁଳି ହରିପ୍ରିତଙ୍କ ମୁଣ୍ଡରେ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

୧୦ ମିନିଟରେ ଫେରିବ କହି ଯାଇଥିଲା ହରିପ୍ରିତ

ଘଟଣା ପରେ ହରିପ୍ରିତଙ୍କ ବାପାଙ୍କ ବୟାନ ଆସିଛି । ପୁଅ ୧୦ ମିନିଟରେ ଫେରିବ କହି ଘରୁ ଯାଇଥିଲା । ସେ ସୁଭାଷ ମୋହଲ୍ଲାକୁ ମାମୁଙ୍କ ପାଖକୁ ଯାଇଥିଲା । ସେଠାରୁ ସେମାନେ ଏକ ସିଲଭର ରଙ୍ଗର ବାଇକରେ କେଉଁଆଡେ ଯାଉଥିଲେ । ରାସ୍ତାରେ ତାଙ୍କୁ ସ୍କୁଟରେ ଆସୁଥିବା ଦୁର୍ବୃତ୍ତ ଅଟକାଇ ଗୁଳି ମାରିଥିଲେ ।

ସ୍ଥାନୀୟ ଡିଏସପି କହିଛନ୍ତି, ଘଟଣା ସ୍ଥଳରୁ ପୋଲିସ କିଛି ସିସିଟିଭି ଭିଡିଓ ପାଇଛି । ଯେଉଁଥିରେ ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ଧୌଡୁଥିବା ରେକର୍ଡ ହୋଇଛି । ହତ୍ୟାର କରଣ ଝଗଡ଼ା । ଉଭୟ ପକ୍ଷଙ୍କ ମଧ୍ୟରେ ଗାଡ଼ିକୁ ରାସ୍ତା ଦେବାକୁ ନେଇ ବଚସା ହୋଇଥିଲା ।

ମାୟା ଗ୍ୟାଙ୍ଗ ଉପରେ ହତ୍ୟା ଅଭିଯୋଗ

ଏହି ହତ୍ୟାକାଣ୍ଡର ଅଭିଯୋଗ ଉତ୍ତର-ପୂର୍ବ ଦିଲ୍ଲୀର ମାୟା ଗ୍ୟାଙ୍ଗ ଉପରେ ଲଗାଯାଉଛି । ଏହି ଗ୍ୟାଙ୍ଗ ଉତ୍ତର-ପୂର୍ବ ଦିଲ୍ଲୀରେ ଆକ୍ଟିଭ ଅଛି । ଗ୍ୟାଙ୍ଗ ଲିଡର ସମୀର ଓରଫ ମାୟା ଡନ ହେବା ଆଶାରେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଛି । ସେ ମାରଣାସ୍ତ୍ର ସହ ନିଜ ଫଟୋ ଓ ଭିଡିଓ ସେୟାର କରୁଛି । ପୋଲିସ ଅନୁସାରେ ମାୟାର ବୟସ ୧୯ ବର୍ଷ । ସେ ନାବାଳକ ଥିବା ବେଳେ ତା’ ଉପରେ ୩ଟି ମାମଲା ରୁଜୁ ହୋଇସାରିଥିଲା । ଯେଉଁଥିରେ ଏକ ହତ୍ୟା ମାମଲା ବି ରହିଛି । ଡିସିପିଙ୍କ ଅନୁସାରେ ଅଭିଯୁକ୍ତଙ୍କ ଠିକଣା ମିଳି ସାରିଛି । ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ।

ଡିଜିଟାଲ ରାକ୍ଷୀ ପୂର୍ଣ୍ଣିମା, ମେହେନ୍ଦୀରେ QR କୋଡ ସ୍କାନ କରି ଟଙ୍କା ଗ୍ରହଣ କରୁଛନ୍ତି ଭଉଣୀ!

ନନ୍ଦିଘୋଷ ବ୍ୟୁରୋ: ପରମ୍ପରା ସହ ଆଧୁନିକତାର ମିଶ୍ରଣ । ରାକ୍ଷୀ ପୂର୍ଣ୍ଣିମାରେ ଭାଇମାନେ ଭଉଣୀକୁ ଉପହାର ଦେବାର ପରମ୍ପରା ରହିଛି । ଡିଜିଟାଲ ଯୁଗରେ ଉପହାର ଗ୍ରହଣ କରିବାକୁ ଆଧୁନିକ ଉପାୟ ଆପଣାଇଛନ୍ତି ଭଉଣୀ । ହାତରେ ମେହେନ୍ଦୀରେ QR କୋଡ କରାଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନଗଦ ଟଙ୍କା ପରିବର୍ତ୍ତେ QR କୋଡ ସ୍କାନ କରି ଟଙ୍କା ଗ୍ରହଣ କରିବାକୁ ଯୁବତୀ ହାତରେ QR କୋଡ କରିଛନ୍ତି । ଇନଷ୍ଟାଗ୍ରାମରେ ୟଶ ମେହେନ୍ଦୀ ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଅନେକ ୟୁଜର୍ସ ଏହି ଭିଡିଓକୁ ବେଶ ପସନ୍ଦ କରୁଥିବା ବେଳେ କଳା, ପରମ୍ପରା ଓ ଟେକ୍ନୋଲୋଜୀର ପରଫେକ୍ଟ ମିଶ୍ରଣ ବୋଲି ଅନେକ କମେଣ୍ଟ କରିଛନ୍ତି । ହେଲେ ଏହି କୋଡକୁ ସ୍କାନ କରି ଟଙ୍କା ଦେଇେହବ ନାହିଁ । କେବଳ ମଜାଳିଆ ଉଦ୍ଦେଶ୍ୟରେ ଏହି ପୋଷ୍ଟ କରାଯାଇଛି ବୋଲି ଭିଡିଓ କ୍ୟାପସନରେ ଉଲ୍ଲେଖ କରାଯାଇଛି ।