ଗଣିଆରେ ନିର୍ମାଣ ହେଲା ନୂତନ ବସଷ୍ଟାଣ୍ଡ, ଯାତାୟତ ସୁବିଧା ବଢିଥିବାରୁ ବେଶ୍ ଖୁସି ଅଞ୍ଚଳବାସୀ

1 min read

ନୟାଗଡ଼: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଟ୍ରାଫିକ ସମସ୍ୟାର ସମାଧାନ ହେବା ସହ ବିକାଶ ପଥରେ ସାମିଲ ହେଲା ଗଣିଆ ନୂଆ ବସଷ୍ଟାଣ୍ଡ। ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଠାରେ ରହିଛି ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ଶୌଚାଳୟ, ଶୁଦ୍ଧ ପାନୀୟ ଜଳ, ଆଲୋକୀକରଣ ଓ ବସ୍ ରହଣି ପାଇଁ ଅତ୍ୟାଧୁନିକ ପାର୍କିଂ ସୁବିଧା। ବିକାଶର ମାଇଲଖୁଣ୍ଟ ସାଜିବା ସହ ପୂର୍ବ-ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ସାଜିଛି ଅତ୍ୟାଧୁନିକ ଗଣିଆର ନୂତନ ବସଷ୍ଟାଣ୍ଡ।

ଗଣିଆରେ ବସଷ୍ଟାଣ୍ଡ ଏବଂ ଯାତ୍ରୀ ଆଶ୍ରୟସ୍ଥଳୀ ନଥିବା ଯୋଗୁଁ ୩ଟି ବ୍ଲକର ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗଣିଆ ବଜାରର ଟ୍ରାଫିକ ସମସ୍ୟା ବିଷୟରେ ଜଣାଇଥିଲେ। ସବୁ ସମସ୍ୟା ଜାଣିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଗଣିଆ ବଜାରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଏବେ ବେଶ୍ ଖୁସି ଅଞ୍ଚଳବାସୀ । ହାତ ପାହାନ୍ତାରେ ସବୁ କିଛି ସୁବିଧା ମିଳିବା ସହିତ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।