ଚନ୍ଦ୍ରଯାନ-୩ରେ ଓଡ଼ିଆ ବୈଜ୍ଞାନିକ, ଗଜପତି ଆନି କ୍ରିଷ୍ଣା ଚନ୍ଦ୍ରଯାନ-୩ ଯାତ୍ରାରେ ସାମିଲ

1 min read

ଗଜପତି: ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ପୁଅ । ଅନେକ ବୈଜ୍ଞାନିକଙ୍କ ପରିଶ୍ରମ ଦ୍ବାରା ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଛି । ଏଥିରେ ଗଜପତି ପାରଳାଖେମୁଣ୍ଡିର ବୈଜ୍ଞାନିକ ଆନି କ୍ରିଷ୍ଣା ସାମିଲ ହୋଇଛନ୍ତି । ବିଶ୍ୱ ଇତିହାସରେ ଭାରତ ସ୍ଵର୍ଣ୍ଣମୟ ଅଧ୍ୟାୟ ସୃଷ୍ଟି କରିବାରେ ଆନି କ୍ରିଷ୍ଣାଙ୍କ ଅବଦାନକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଉ ସେ ସମୟ ଅନୁଭୂତିକୁ ମନେପକାଇ ଭାବବିହ୍ୱଳ ହୋଇ ଉଠିଛନ୍ତି ଆନି କ୍ରିଷ୍ଣା ।

ଆନି କ୍ରିଷ୍ଣାଙ୍କ ବାପା ଥିଲେ ଜଣେ ପଶୁ ଚିକିତ୍ସକ । ତାଙ୍କ ବିୟୋଗ ପରେ ବହୁ କଷ୍ଟରେ ପାଠ ପଢିଥିଲେ ଆନି କ୍ରିଷ୍ଣା । ପାରଳାଖେମୁଣ୍ଡି ମହାରାଜା ବାଳକ ବିଦ୍ୟାଳୟ ପରେ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଶେଷ କରି ଖଡ଼ଗପୁର ଆଇଆଇଟିରେ ବିଜ୍ଞାନ ଟେକ୍ନୋଲୋଜି ପଢୁଥିବା ବେଳେ ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ । ଆନି କ୍ରିଷ୍ଣା ସେନସର ଟେକ୍ନୋଲୋଜି ଓ ଆନିମେସନ ବିଭାଗରେ କାର୍ଯ୍ୟ କରିଛନ୍ତି ଯାହା ଚନ୍ଦ୍ରାୟନ ୩ରେ ଉପଯୋଗ ହୋଇଛି, ଏଥିରେ ଅଂଶଗ୍ରହଣ କରି ସେ ନିଜକୁ ଗର୍ବିତ ବୋଲି କହିଛନ୍ତି । ଆଗକୁ ସୂର୍ଯ୍ୟ ଉପରେ ଅନୁସନ୍ଧାନ କରିବାକୁ ଆଦିତ୍ୟ ଏଲ ଓ୍ବାନ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏଥିପାଇଁ ଆଗ୍ରହ ଓ ଚ୍ୟାଲେଞ୍ଜ ସହ ଉଦ୍ୟମ ଜାରି ରହିଛି । ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ଆନି କ୍ରିଷ୍ଣାଙ୍କ ପରିବାର ବେଶ୍ ଖୁସି ।

ଦେଶ ପାଇଁ ଗର୍ବ ଆଣିବାରେ ଆନି କ୍ରିଷ୍ଣାଙ୍କ ଭୂମିକାକୁ କେବଳ ଅଞ୍ଚଳରେ ନୁହେଁ ସାରା ଭାରତରେ ପ୍ରଶଂସା କରାଯାଉଛି । ତାଙ୍କ ଉଦ୍ୟମରେ ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରୁଛି ।