ମଧ୍ୟପ୍ରଦେଶରେ ଅସୁସ୍ଥ ଚିତାବାଘ ସହ ଲୋକଙ୍କ ସେଲଫି

ଭୋପାଳ: ମଧ୍ୟପ୍ରଦେଶ ସୋନକାଚରେ ଏକ ଅସୁସ୍ଥ ଚିତାବାଘ ସହ ଲୋକଙ୍କ ସେଲଫି । ଭାଇରାଲ ହେବାରେ ଲାଗିଛି ସେଲଫି ନେବାର ଭିଡିଓ । ଗତ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳରେ ଏକ ଚିତାବାଘ ନିସ୍ତେଜ ହୋଇ ପଡ଼ିରହିଥିଲା । ସେ ଠିକ୍ ଭାବେ ଚାଲିପାରୁ ନଥିଲା । ତେବେ ବାଘର ଚିକିତ୍ସା ବଦଳରେ ଲୋକମାନେ ବାଘକୁ ଚଲାଇଥିଲେ ଏବଂ ତା ସହ ସେଲଫି ନେଇଥିଲେ । ଏପରିକି କେତେକ ଲୋକ ବାଘ ଉପରେ ବସିବା ଲାଗି ବି ଉଦ୍ୟମ କରିଥିଲେ । ବାଘଟି ସୋନକାଚ ଅନ୍ତର୍ଗତ ଦେବାସ ଜିଲ୍ଲାର ଏକଲେରା ମାତାଜୀ ଜଙ୍ଗଲର କାଳି ସିନ୍ଧ ନଦୀ କୂଳରେ ପଡିରହିଥିବାବେଳେ ଲୋକମାନେ ସେଲଫି ନେଇଥିଲେ । ଏହି ଖବର ଜଣାପଡିବା ପରେ ଉଜ୍ଜୟିନୀରୁ ଜଙ୍ଗଲ ବିଭାଗର ଏକ ରେସ୍କ୍ୟୁ ଟିମ୍ ସେଠାରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିଲେ । ବାଘଟିକୁ ଇନ୍ଦୋର ଚିଡିଆଖାନାକୁ ନିଆଯାଇ ସେଠାରେ ତା’ର ଚିକିତ୍ସା କରାଯାଉଛି ।