ଗାଡ଼ିକୁ ରାସ୍ତା ଦେବାକୁ ନେଇ ଝଗଡ଼ା, ମୁଣ୍ଡକୁ ମାରିଲେ ଗୁଳି: ବିଚ ରାସ୍ତାରେ ଆମାଜନ ମ୍ୟାନେଜରଙ୍କ ମୃତ୍ୟୁ

1 min read

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ଫୁଟିଲା ଗୁଳି । ଆମାଜନର ମ୍ୟାନେଜରଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ହରପ୍ରିତ ସିଂ । ସେ ତାଙ୍କ ମାମୁ ଗୋବିନ୍ଦଙ୍କ ସହ ବଇକରେ ଯାଉଥିବା ବେଳେ ଭଜନପୁରା ଅଞ୍ଚଳର ୮ ନମ୍ବର ଗଳି ପାଖରେ ଗୁଳିମାଡ଼ ଘଟିଛି । ଘଟଣା ସ୍ଥଳରେ ହରପ୍ରିତଙ୍କ ମୃତ୍ୟୁ ଘଟିଥିବା ବେଳେ ମାମୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ବାଇକରେ ମାମୁଙ୍କ ସହ ହରିପ୍ରିତ କେଉଁଆଡେ ଯାଉଥିଲେ । ଏହି ସମୟରେ ଭଜନପୁରାର ୮ ନମ୍ବର ଗଳିରେ ବାଇକକୁ ରାସ୍ତା ଦେବାକୁ ନେଇ ୫ ଜଣ ଯୁବକଙ୍କ ସହ ହରପ୍ରିତ ଓ ତାଙ୍କ ମାମୁଙ୍କ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ଉଭୟଙ୍କ ଉପରକୁ ଆଖିବୁଜା ଗୁଳି ମାରିଥିଲେ । ଏକ ଗୁଳି ହରିପ୍ରିତଙ୍କ ମୁଣ୍ଡରେ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

୧୦ ମିନିଟରେ ଫେରିବ କହି ଯାଇଥିଲା ହରିପ୍ରିତ

ଘଟଣା ପରେ ହରିପ୍ରିତଙ୍କ ବାପାଙ୍କ ବୟାନ ଆସିଛି । ପୁଅ ୧୦ ମିନିଟରେ ଫେରିବ କହି ଘରୁ ଯାଇଥିଲା । ସେ ସୁଭାଷ ମୋହଲ୍ଲାକୁ ମାମୁଙ୍କ ପାଖକୁ ଯାଇଥିଲା । ସେଠାରୁ ସେମାନେ ଏକ ସିଲଭର ରଙ୍ଗର ବାଇକରେ କେଉଁଆଡେ ଯାଉଥିଲେ । ରାସ୍ତାରେ ତାଙ୍କୁ ସ୍କୁଟରେ ଆସୁଥିବା ଦୁର୍ବୃତ୍ତ ଅଟକାଇ ଗୁଳି ମାରିଥିଲେ ।

ସ୍ଥାନୀୟ ଡିଏସପି କହିଛନ୍ତି, ଘଟଣା ସ୍ଥଳରୁ ପୋଲିସ କିଛି ସିସିଟିଭି ଭିଡିଓ ପାଇଛି । ଯେଉଁଥିରେ ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ଧୌଡୁଥିବା ରେକର୍ଡ ହୋଇଛି । ହତ୍ୟାର କରଣ ଝଗଡ଼ା । ଉଭୟ ପକ୍ଷଙ୍କ ମଧ୍ୟରେ ଗାଡ଼ିକୁ ରାସ୍ତା ଦେବାକୁ ନେଇ ବଚସା ହୋଇଥିଲା ।

ମାୟା ଗ୍ୟାଙ୍ଗ ଉପରେ ହତ୍ୟା ଅଭିଯୋଗ

ଏହି ହତ୍ୟାକାଣ୍ଡର ଅଭିଯୋଗ ଉତ୍ତର-ପୂର୍ବ ଦିଲ୍ଲୀର ମାୟା ଗ୍ୟାଙ୍ଗ ଉପରେ ଲଗାଯାଉଛି । ଏହି ଗ୍ୟାଙ୍ଗ ଉତ୍ତର-ପୂର୍ବ ଦିଲ୍ଲୀରେ ଆକ୍ଟିଭ ଅଛି । ଗ୍ୟାଙ୍ଗ ଲିଡର ସମୀର ଓରଫ ମାୟା ଡନ ହେବା ଆଶାରେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଛି । ସେ ମାରଣାସ୍ତ୍ର ସହ ନିଜ ଫଟୋ ଓ ଭିଡିଓ ସେୟାର କରୁଛି । ପୋଲିସ ଅନୁସାରେ ମାୟାର ବୟସ ୧୯ ବର୍ଷ । ସେ ନାବାଳକ ଥିବା ବେଳେ ତା’ ଉପରେ ୩ଟି ମାମଲା ରୁଜୁ ହୋଇସାରିଥିଲା । ଯେଉଁଥିରେ ଏକ ହତ୍ୟା ମାମଲା ବି ରହିଛି । ଡିସିପିଙ୍କ ଅନୁସାରେ ଅଭିଯୁକ୍ତଙ୍କ ଠିକଣା ମିଳି ସାରିଛି । ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ।