spot_img
Home Blog Page 2700

ଅପରାଧୀ ସାବଧାନ, ସହର ଭିତରେ ସବୁ ଦେଖୁଛି ସିସିଟିଭି

ଭୁବନେଶ୍ୱର: ସାବଧାନ…ସହର ଭିତରେ ସବୁ ଦେଖୁଛି ସିସିଟିଭି । ଅପରାଧୀଙ୍କ ଉପରେ ନଜର ରଖିବାକୁ ଗଳିକନ୍ଦିରେ ଲାଗିବ କ୍ୟାମେରା । କ୍ରାଇମ ଡିଟେକ୍ସନ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । କଟକରେ ସଫଳତା ପରେ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ “ସହଭାଗିତା” । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ବର । ଅପରାଧୀଙ୍କୁ ଧରିବା ଓ କ୍ରାଇମ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ଏହି ନୂଆ ରଣନୀତି ଆପଣାଇବ । ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ‘ “ସହଭାଗିତା” ରେ ଯୋଡ଼ିହେବେ । କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମ୍ ସହ ଦୋକାନ, ମଲ ଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । କ୍ରାଇମ ପ୍ରିଭେନସନ ଓ ଡିଟେକ୍ସନରେ ଏହି ସିସିଟିଭି ଫୁଟେଜ ସହାୟକ ହେବ ।

ନିଜେ ପୋଲିସ କମିଶନର ଓ ଡିସିପି ଏନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ତତଃ ଗୋଟିଏ କ୍ୟାମେରା ରାସ୍ତା ସମ୍ମୁଖକୁ ରଖିବାକୁ କୁହାଯାଇଛି । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇ.ପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ । ଏହା ଦ୍ବାରା ସହରରେ ବଢୁଥିବା ପ୍ରପର୍ଟି ଅଫେନ୍ସ, ମହିଳାଙ୍କୁ ଅସଦାଚରଣ, ଅପରାଧୀଙ୍କ ଚାଲିଚଳଣ ଉପରେ ଲଗାମ ଲାଗିପାରିବ । ଅପରାଧୀଙ୍କୁ ଦଣ୍ଡବିଧାନ ଆଖିଦୃଶିଆ ହେଉଛି । ତଥାପି ଏହି ହାର ଆହୁରି କିଭଳି ବଢିବ ସେନେଇ ତଦନ୍ତ ଅଧିକାରୀଙ୍କୁ ତାଲିମ ଦେଉଛି କମିଶନରେଟ ପୋଲିସ ।

‘A’ ପଜିଟିଭ୍ ପ୍ୟାକେଟରେ ‘B’ ପଜିଟିଭ୍ ରକ୍ତ, ଭୁଲ ରକ୍ତ ନେଇ ରୋଗୀଙ୍କ ଅବସ୍ଥା ଗୁରୁତର

କଟକ: ‘A’ ପଜିଟିଭ୍ ପ୍ୟାକେଟରେ ‘B’ ପଜିଟିଭ୍ ରକ୍ତ । ଭୁଲ ରକ୍ତ ନେଇ ରୋଗୀଙ୍କ ଅବସ୍ଥା ଗୁରୁତର । କଟକ ରେଡକ୍ରସ୍ ରକ୍ତ ଭଣ୍ଡାର ବିରୋଧରେ ସାଂଘାତିକ ଅଭିଯୋଗ । ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା କହିଲେ ସମ୍ପର୍କୀୟ । ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କରିଛି ସଂସ୍ଥା । କଟକ ଝୋଲାସାହି ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବିଭୂତି ଭୂଷଣ ଜେନାଙ୍କ ପୁଅ ଏହି ଅଭିଯୋଗ କରିଛନ୍ତି । ତାଙ୍କ ବାପାଙ୍କ ଶରୀରରେ ହିମୋଗ୍ଲୋବିନ୍ କମ୍ ଥିବାରୁ ଡାକ୍ତର ରକ୍ତ ଦେବାକୁ କହିଥିଲେ । କଟକ ରେଡକ୍ରସ୍ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେବା ସମୟରେ ତାଙ୍କ ବାପା ଥରିବାକୁ ଲାଗିବା ସହ ଗୁରୁତର ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଅଭିଯୋଗକୁ ଅତି ଗୁରୁତର ଭାବରେ ନେଇଛନ୍ତି ରେଡକ୍ରସ୍ ରକ୍ତଭଣ୍ଡାର କର୍ତ୍ତୃପକ୍ଷ । ଖୁବଶୀଘ୍ର ଏକ କମିଟି ଗଠନ କରାଯାଇ ରକ୍ତ ପ୍ୟାକେଟରେ କିଭଳି ରକ୍ତ ତ୍ରୁଟି ରହିଲା ତଦନ୍ତ କରାଯିବ । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।ଭୁଲ୍ ରକ୍ତ ପଛରେ କାହାର ହାତ? କିଛି କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ହୋଇଛି ଅଭିଯୋଗ ।

ନେପାଳ ଆଗରେ ୩୪୩ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଏସିଆା କପର ଉଦଘାଟନୀ ମ୍ୟାଚରେ ପାକିସ୍ତାନ ନେପାଳ ମଧ୍ୟରେ ମୁହାଁମୁହିଁ ହେଉଛନ୍ତି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୬ ଓ୍ବିକେଟ ବିନିମୟରେ ୩୪୨ ରନ କରି ପାରିଛି । ପାକିସ୍ତାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବାବେଳେ ବାବର ଆଜମ ଏବଂ ଇପ୍ଟିହାର ଅହମ୍ମଦଙ୍କ ଯୋଡ଼ି ଏକ ବଡ଼ ସ୍କୋର କରିପାରିଛି । ବାବର ୧୫୧ ରନ କରିଥିବାବେଳେ ଅହମ୍ମଦ ୧୦୯ ରନର ପାଳି ଖେଳିଥିଲେ ।

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି

ଗୁରୁବାରଠାରୁ ମୁମ୍ବାଇରେ ଦୁଇଦିନିଆ ’I.N.D.IA’ ମେଣ୍ଟର ସମ୍ମିଳନୀ । ପ୍ରସ୍ତୁତ ହୋଇପାରେ ୨୦୨୪ ରଣନୀତି । ସାମିଲ ହେବେ ୬ ମୁଖ୍ୟମନ୍ତ୍ରୀ ସମେତ ୨୬ ଦଳର ନେତା । ବୈଠକରେ ଇଣ୍ଡିଆମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ଆଲୋଚନା । ସମ୍ମିଳନୀ ଲାଗି ମୁମ୍ବାଇରେ ପହଞ୍ଚିଛନ୍ତି ବହୁ ହେଭିଓ୍ବେଟ । ୨୦୨୪ ପୂର୍ବରୁ ରୋଡମ୍ୟାପ  ପ୍ରସ୍ତୁତ ହେଉଛି। ଏନଡିଏ ବିରୋଧରେ ଇଣ୍ଡିଆ ମେଣ୍ଟର ମେଗାମେଳି । ମୁମ୍ବାଇରେ ଦମ୍ ଦେଖାଇବ ଇଣ୍ଡିଆନ ନ୍ୟାସନାଲ ଡେଭଲେପମେଣ୍ଟାଲ ଇନକ୍ଲୁସିଭ ଆଲାଏନସ ।

ଦରବୃଦ୍ଧି, ଛଟେଇ, ବେକାରୀ ବିରୋଧରେ ଚାଲିବ ଅଭିଯାନ । ବୈଠକରେ ସାମିଲ ହୋଇପାରନ୍ତି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୬ଟି ଜାତୀୟ ଦଳ ଓ ଆଞ୍ଚଳିକ ଦଳର ନେତା । ବୈଠକରେ ’I.N.D.IA’ ମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ବୁଝାମଣା । ମେଣ୍ଟର ଲୋଗୋ ବି ହୋଇପାରେ ଚୂଡ଼ାନ୍ତ । ପାଟନା ଓ ବେଙ୍ଗାଳୁରୁ ପରେ ମୁମ୍ବାଇ ବୈଠକକୁ ନେଇ ବଢିଛି କଳ୍ପନାଜଳ୍ପନା । ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିସାରିଛନ୍ତି ଶରଦ ପାଓ୍ବାର, ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ ପ୍ରମୁଖ ନେତା । ବୈଠକରେ ମୁମ୍ବାଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ବି ସମ୍ବର୍ଦ୍ଧନା ଦିଆଯିବ ।

ସୋନପୁର ବିଜେପିରେ ଫାଟ

ସୋନପୁର: ସୋନପୁର ବିଜେପିରେ କଳି । ଗତ ୨୮ତାରଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ବ୍ୟାନର ଧରି ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହାକୁ ନେଇ ସୁବର୍ଣ୍ଣପୁର ବିଜେପି ସଭାପତି ଓ କିଛି କାର୍ଯ୍ୟକର୍ତ୍ତା ଏକ ସାମ୍ବାଦିକ ସମ୍ମୀଳନି କରି ସେମାନଙ୍କ ଉପରେ ବର୍ଷିଥିଲେ । ବଳରାମ ସିଂ ଯାଦବ ଓ ବଲଦେବ ବେଦବାକ ବିଜେପିର ପ୍ରାଥମିକ ସଦସ୍ୟ ନଥିବା ବେଳେ କିପରି ଭାବରେ ବିଜେପିର ପୋଷ୍ଟର ଓ ବ୍ୟାନର ଲଗାଇ ଆନ୍ଦୋଳନ କଲେ ବୋଲି ପ୍ରଶ୍ନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ପାଇଁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ।

ବିଜେପି ସହ ଲିଙ୍କରେ ଅଛନ୍ତି ମାୟାବତୀ: ଶରଦ ପାଓ୍ବାର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଆାରମ୍ଭ ହୋଇଛି ମେଣ୍ଟ । I.N.D.I.A  ଘନ ଘନ ବୈଠକ କରୁଥିବାବେଳେ ରଣନୀତି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜଣକ ପରେ ଜଣେ ନେତା ବିଜେପି ଲିଙ୍କରେ ରହୁଥିବା ଭଳି ଖବର ନଜରକୁ ଆସୁଛି । ବୁଧବାର ଏନସିପି ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି କି ବିଏସପି ସୁପ୍ରିମୋ ମାୟାବତୀ ବିଜେପି ସହ ଲିଙ୍କରେ ରହିଛନ୍ତି । ସେ ବିଜେପି ସହ ଆଲୋଚନା ମଧ୍ୟ କରୁଛନ୍ତି । ସେପଟେ ବିଜେପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି ଯେ ସେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସମେତ ଚାରିଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଏବଂ ନିଜେ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏଥି ସହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅଣ-ବିଜେପି ଦଳର ମିଳିତ ମଞ୍ଚ ‘I.N.D.I.A’ରେ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ”I.N.D.I.A ‘ର ଅନେକ ଚେହେରା ଅଛନ୍ତି, କିନ୍ତୁ ବିଜେପି ପାଖରେ କେତେ? ଠାକୁର କହିଛନ୍ତି ଯେ ସମସ୍ତ ଦଳର ଆଦର୍ଶ ଭିନ୍ନ ହୋଇପାରେ, କିନ୍ତୁ ଆମେ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ହୋଇଛୁ।

 

ମାଆକୁ ଖୋଜି ଥାନାରେ ପହଞ୍ଚିଲା ବାଛୁରୀ, ୪ ଦିନ କାନ୍ଦି କାନ୍ଦି ଅବସ୍ଥା ହେଲା ବେହାଲ୍

ଭଦ୍ରକ: ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କ ମାଆ ସହ ପିଲାର। ମାଆଠୁ ଅଲଗା ହେବାର କଷ୍ଟ ଅବର୍ଣ୍ଣନୀୟ । ସେ ମଣିଷ ହେଉ କି ପଶୁ । ମାଆର ମମତାରେ ବନ୍ଧା ସଭିଏଁ । ମାଆକୁ ସବୁବେଳେ ଆଖପାଖରେ ଦେଖିବାକୁ ମଣିଷମାନେ ଯେତିକି ଚାହାନ୍ତି ପଶୁ ମାନେ ବି ସେତିକି ଚାହାନ୍ତି । ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । ମାଆକୁ ଖୋଜି ଖୋଜି ଥାନାରେ ପହଞ୍ଚିଛି ବାଛୁରୀ । ଆଖିରୁ ଝରିପଡୁଛି ଧାରଧାର ଲୁହ। ବୋବେଇ ବୋବେଇ ତଣ୍ଟି ଶୁଖିଗଲାଣି। ଚାରି ଦିନ ହେଲା ନଖାଇ ନପିଈ ମାଆକୁ ଖୋଜିଖୋଜି ଶେଷରେ ଥାନାରେ ପହଞ୍ଚିଛି ଦୁଇ ମାସର କଅଁଳ ବାଛୁରୀ ଛୁଆ । ତା ସହ ମାଲିକ ବି ଥାନାର ଦ୍ବାରସ୍ଥ ହୋଇଛି। ଭଦ୍ରକର ରିତାରାଣୀ ମଲ୍ଲିକ ନିଜ ଗୁଜୁରାଣ ମେଣ୍ଟାଇବାପାଇଁ ଗାଈ ପଳିଥିଲେ। ଦୁଇ ମାସ ତଳେ ଗାଈଟି ଗୋଟିଏ ବାଛୁରୀକୁ ଜନ୍ମ ଦେଇଥିଲା। ରିତାରାଣି ଗାଈକୁ ପଦାରେ ଚରିବା ପାଇଁ ବାନ୍ଧିଥିବାବେଳେ କୌଣସି କାରଣରୁ ଗାଈଟି ଖୋଲିଯାଇ ସ୍ଥାନୀୟ ଜଣେ ଲୋକର ଚାଷ ଜମିକୁ ନଷ୍ଟ କରିଥିଲା। ଫଳରେ ସମ୍ପୃକ୍ତ ଚାଷୀ ଗାଇଟିକୁ ଅଟକ ରଖିଥିଲେ ଅନେକ ଅନୁରୋଧ ପରେ ବି ଛାଡିନଥିଲେ ।

୪ ଦିନ ହେବ ମାଆ ଘରକୁ ନଫେରିବାରୁ କାନ୍ଦି କାନ୍ଦି ବାଛୁରୀର ଅବସ୍ଥା ବେହାଲ୍। ବାଛୁରୀ ଛୁଆର ଦୁଃଖ ଦେଖି ଶେଷରେ ଥାନାର ଦ୍ବାରସ୍ଥ ହୋଇଥିଲେ ରିତାରାଣୀ । ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ସମ୍ପୃକ୍ତ ଚାଷୀକୁ ଥାନାକୁ ଡାକି ବୁଝାସୁଝା କରି ଗାଈ ଓ ବାଛୁରୀକୁ ଏକାଠି କରିଥିଲେ। ମାଆକୁ ପାଇବା ପରେ ବାଛୁରୀ ଛୁଆର ଖୁସି କହିଲେ ନସରେ । ସେପଟେ ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ କହିଛନ୍ତି ଅଧ୍ୟାପିକା ତଥା ଆଇନଜୀବୀ ରାଧାରାଣୀ ମହାପାତ୍ର ।

ଗଣିଆରେ ନିର୍ମାଣ ହେଲା ନୂତନ ବସଷ୍ଟାଣ୍ଡ, ଯାତାୟତ ସୁବିଧା ବଢିଥିବାରୁ ବେଶ୍ ଖୁସି ଅଞ୍ଚଳବାସୀ

ନୟାଗଡ଼: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଟ୍ରାଫିକ ସମସ୍ୟାର ସମାଧାନ ହେବା ସହ ବିକାଶ ପଥରେ ସାମିଲ ହେଲା ଗଣିଆ ନୂଆ ବସଷ୍ଟାଣ୍ଡ। ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଠାରେ ରହିଛି ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ଶୌଚାଳୟ, ଶୁଦ୍ଧ ପାନୀୟ ଜଳ, ଆଲୋକୀକରଣ ଓ ବସ୍ ରହଣି ପାଇଁ ଅତ୍ୟାଧୁନିକ ପାର୍କିଂ ସୁବିଧା। ବିକାଶର ମାଇଲଖୁଣ୍ଟ ସାଜିବା ସହ ପୂର୍ବ-ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ସାଜିଛି ଅତ୍ୟାଧୁନିକ ଗଣିଆର ନୂତନ ବସଷ୍ଟାଣ୍ଡ।

ଗଣିଆରେ ବସଷ୍ଟାଣ୍ଡ ଏବଂ ଯାତ୍ରୀ ଆଶ୍ରୟସ୍ଥଳୀ ନଥିବା ଯୋଗୁଁ ୩ଟି ବ୍ଲକର ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗଣିଆ ବଜାରର ଟ୍ରାଫିକ ସମସ୍ୟା ବିଷୟରେ ଜଣାଇଥିଲେ। ସବୁ ସମସ୍ୟା ଜାଣିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଗଣିଆ ବଜାରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଏବେ ବେଶ୍ ଖୁସି ଅଞ୍ଚଳବାସୀ । ହାତ ପାହାନ୍ତାରେ ସବୁ କିଛି ସୁବିଧା ମିଳିବା ସହିତ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

ଚନ୍ଦ୍ରଯାନ-୩ରେ ଓଡ଼ିଆ ବୈଜ୍ଞାନିକ, ଗଜପତି ଆନି କ୍ରିଷ୍ଣା ଚନ୍ଦ୍ରଯାନ-୩ ଯାତ୍ରାରେ ସାମିଲ

ଗଜପତି: ଚନ୍ଦ୍ରଯାନ-୩ ସଫଳତା ପଛରେ ଓଡ଼ିଆ ପୁଅ । ଅନେକ ବୈଜ୍ଞାନିକଙ୍କ ପରିଶ୍ରମ ଦ୍ବାରା ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଛି । ଏଥିରେ ଗଜପତି ପାରଳାଖେମୁଣ୍ଡିର ବୈଜ୍ଞାନିକ ଆନି କ୍ରିଷ୍ଣା ସାମିଲ ହୋଇଛନ୍ତି । ବିଶ୍ୱ ଇତିହାସରେ ଭାରତ ସ୍ଵର୍ଣ୍ଣମୟ ଅଧ୍ୟାୟ ସୃଷ୍ଟି କରିବାରେ ଆନି କ୍ରିଷ୍ଣାଙ୍କ ଅବଦାନକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଉ ସେ ସମୟ ଅନୁଭୂତିକୁ ମନେପକାଇ ଭାବବିହ୍ୱଳ ହୋଇ ଉଠିଛନ୍ତି ଆନି କ୍ରିଷ୍ଣା ।

ଆନି କ୍ରିଷ୍ଣାଙ୍କ ବାପା ଥିଲେ ଜଣେ ପଶୁ ଚିକିତ୍ସକ । ତାଙ୍କ ବିୟୋଗ ପରେ ବହୁ କଷ୍ଟରେ ପାଠ ପଢିଥିଲେ ଆନି କ୍ରିଷ୍ଣା । ପାରଳାଖେମୁଣ୍ଡି ମହାରାଜା ବାଳକ ବିଦ୍ୟାଳୟ ପରେ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଶେଷ କରି ଖଡ଼ଗପୁର ଆଇଆଇଟିରେ ବିଜ୍ଞାନ ଟେକ୍ନୋଲୋଜି ପଢୁଥିବା ବେଳେ ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ । ଆନି କ୍ରିଷ୍ଣା ସେନସର ଟେକ୍ନୋଲୋଜି ଓ ଆନିମେସନ ବିଭାଗରେ କାର୍ଯ୍ୟ କରିଛନ୍ତି ଯାହା ଚନ୍ଦ୍ରାୟନ ୩ରେ ଉପଯୋଗ ହୋଇଛି, ଏଥିରେ ଅଂଶଗ୍ରହଣ କରି ସେ ନିଜକୁ ଗର୍ବିତ ବୋଲି କହିଛନ୍ତି । ଆଗକୁ ସୂର୍ଯ୍ୟ ଉପରେ ଅନୁସନ୍ଧାନ କରିବାକୁ ଆଦିତ୍ୟ ଏଲ ଓ୍ବାନ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏଥିପାଇଁ ଆଗ୍ରହ ଓ ଚ୍ୟାଲେଞ୍ଜ ସହ ଉଦ୍ୟମ ଜାରି ରହିଛି । ଇସ୍ରୋରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ଆନି କ୍ରିଷ୍ଣାଙ୍କ ପରିବାର ବେଶ୍ ଖୁସି ।

ଦେଶ ପାଇଁ ଗର୍ବ ଆଣିବାରେ ଆନି କ୍ରିଷ୍ଣାଙ୍କ ଭୂମିକାକୁ କେବଳ ଅଞ୍ଚଳରେ ନୁହେଁ ସାରା ଭାରତରେ ପ୍ରଶଂସା କରାଯାଉଛି । ତାଙ୍କ ଉଦ୍ୟମରେ ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରୁଛି ।

 

ଉଦଘାଟନୀ ମ୍ୟାଚରେ ଖାଲି ପଡ଼ିଲା ସିଟ୍, ସୋସିଆଲ ମିଡିଆରେ ଟ୍ରୋଲ କଲେ ୟୁଜର୍ସ

ଇସଲାମବାଦ: ବୁଧବାରଠାରୁ ଆରମ୍ଭ ହୋଇଛି ଏସିଆ କପ । ଉଦଘାଟନୀ ମ୍ୟାଚରେ ଘରୋଇ ପାକିସ୍ତାନକୁ ସାମ୍ନା କରୁଛି ନେପାଳ। ପାକିସ୍ତାନ ଏସିଆ କପ ଆୟୋଜନ କରୁଥିବା ଘରୋଇ ଦଳର ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ମରୁଡ଼ି ପଡ଼ିଛନ୍ତି ଦର୍ଶକ । ଷ୍ଟାଡିୟମରେ ଖାଲି ପଡ଼ିଥିବାର ଫଟୋକୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ପୋଷ୍ଟ କରି ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ତେବେ ଏହି ପୋଷ୍ଟ ଗୁଡ଼ିକ ଅଧିକାଂଶ ୟୁଜର୍ସ ଲାଇକ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି ।  ସବୁଠାରୁ ବଡ଼ ମ୍ୟାଚ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି । ଏହି ମ୍ୟାଚ ପାଇଁ ପ୍ରଂଶସକମାନେ ଆଗୁଆ ଟିକେଟ କାଟିସାରିଛନ୍ତି । ମାତ୍ର ପାକିସ୍ତାନରେ ଘରୋଇ ଦଳ ଖେଳୁଥିବାବେଳେ ଦର୍ଶକଙ୍କ ସଂଖ୍ୟା ବହୁତ କମ ରହିବାକୁ କ୍ରୀଡ଼ା ସମୀକ୍ଷକମାନେ ସମାଲୋଚନା କରିଛନ୍ତି ।