ଅପରାଧୀ ସାବଧାନ, ସହର ଭିତରେ ସବୁ ଦେଖୁଛି ସିସିଟିଭି

ଭୁବନେଶ୍ୱର: ସାବଧାନ…ସହର ଭିତରେ ସବୁ ଦେଖୁଛି ସିସିଟିଭି । ଅପରାଧୀଙ୍କ ଉପରେ ନଜର ରଖିବାକୁ ଗଳିକନ୍ଦିରେ ଲାଗିବ କ୍ୟାମେରା । କ୍ରାଇମ ଡିଟେକ୍ସନ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । କଟକରେ ସଫଳତା ପରେ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ “ସହଭାଗିତା” । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ବର । ଅପରାଧୀଙ୍କୁ ଧରିବା ଓ କ୍ରାଇମ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ଏହି ନୂଆ ରଣନୀତି ଆପଣାଇବ । ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ‘ “ସହଭାଗିତା” ରେ ଯୋଡ଼ିହେବେ । କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମ୍ ସହ ଦୋକାନ, ମଲ ଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । କ୍ରାଇମ ପ୍ରିଭେନସନ ଓ ଡିଟେକ୍ସନରେ ଏହି ସିସିଟିଭି ଫୁଟେଜ ସହାୟକ ହେବ ।

ନିଜେ ପୋଲିସ କମିଶନର ଓ ଡିସିପି ଏନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ତତଃ ଗୋଟିଏ କ୍ୟାମେରା ରାସ୍ତା ସମ୍ମୁଖକୁ ରଖିବାକୁ କୁହାଯାଇଛି । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇ.ପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ । ଏହା ଦ୍ବାରା ସହରରେ ବଢୁଥିବା ପ୍ରପର୍ଟି ଅଫେନ୍ସ, ମହିଳାଙ୍କୁ ଅସଦାଚରଣ, ଅପରାଧୀଙ୍କ ଚାଲିଚଳଣ ଉପରେ ଲଗାମ ଲାଗିପାରିବ । ଅପରାଧୀଙ୍କୁ ଦଣ୍ଡବିଧାନ ଆଖିଦୃଶିଆ ହେଉଛି । ତଥାପି ଏହି ହାର ଆହୁରି କିଭଳି ବଢିବ ସେନେଇ ତଦନ୍ତ ଅଧିକାରୀଙ୍କୁ ତାଲିମ ଦେଉଛି କମିଶନରେଟ ପୋଲିସ ।