ଭୁବନେଶ୍ୱର: ଆକାଶରେ ସୁପର ମୁନ ବା ବ୍ଲୁ ମୁନ୍ ଦେଖିଲେ ଲୋକେ । ଆଜି ରାତିରେ ଜହ୍ନ ଅନ୍ୟ ଦିନ ଅପେକ୍ଷା ଅଧିକ ବଡ଼ ଦେଖାଯିବା ସହ ଆହୁରି ଉଜ୍ଜଳ ଦେଖାଯାଉଛି । ଏଭଳି ନିଆରା ଦୃଶ୍ୟ ଆସନ୍ତା କିଛି ବର୍ଷରେ ଦେଖିବାକୁ ପାଇବେ ନାହିଁ ବୋଲି ମଧ୍ୟ କୁହାଯାଉଛି । ବ୍ଲୁ ମୁନ୍ ହେଉଛି କେବଳ ଏକ ଶବ୍ଦ । ଏଥିରେ ଜହ୍ନର ରଙ୍ଗ ନୀଳ ଦେଖାଯାଉନାହିଁ । ଆକାଶୀୟ ପିଣ୍ଡ ସାମାନ୍ୟଠୁ ଅଧିକ ପୃଥିବୀର ନିକଟତର ହେବ । ସାଧାରଣତଃ ପୂର୍ଣ୍ଣିମା ମାସକୁ ଥରେ ପଡ଼ିଥାଏ । ହେଲେ ଯେତେବେଳେ ବ୍ଲୁ ମୁନ୍ ହୁଏ ସେତେବେଳେ ଏହା ଦ୍ବିତୀୟ ଥର ପଡ଼ିଥାଏ ।
ଯାଜପୁରରେ ଖୋଲିଲା ମିଶନ ଶକ୍ତି କାଫେ
ଯାଜପୁର: ଯାଜପୁରରେ ଖୋଲିଲା ମିଶନ ଶକ୍ତି କାଫେ । ବିରଜା ମନ୍ଦିର ସଂଲଗ୍ନ ବିରଜା ପାନ୍ଥ ନିବାସ ପରିସରରେ କାଫେର ଶୁଭାରମ୍ଭ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ମହିଳା ମହାସଂଘ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି କାଫେରେ ଅତ୍ୟାଧୁନିକ ସୁବିଧା ରହିଛି । ଏହି କାଫେ ଖୋଲିବା ପରେ ଯାଜପୁରକୁ ଆସୁଥିବା ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏଠାରେ ଖାଣ୍ଟି ଓଡ଼ିଆ ଖାଦ୍ୟ ସହିତ ଇଣ୍ଡିଆନ, ଚାଇନିଜ ଖାଦ୍ୟ ମିଳିବ । ଉଦଘାଟନ ସମୟରେ ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଦରଦାମ ତାତିରୁ ଖାଉଟିଙ୍କୁ ମିଳିବନି ଆଶ୍ବସ୍ତି, ଆହୁରି ବଢ଼ିବ ଖାଇବା ତେଲ ଓ ଡାଲିର ମୂଲ୍ୟ
ଭୁବନେଶ୍ୱର: ଏବେ ଦରଦାମ ତାତିରୁ ଖାଉଟିଙ୍କୁ ମିଳିବନି ଆଶ୍ବସ୍ତି । ଆଗକୁ ଖାଇବା ତେଲ ଏବଂ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ । ଅଗଷ୍ଟରେ ହାରାହାରି ତୁଳନାରେ ବହୁତ କମ୍ ବର୍ଷା ହୋଇଛି ଏବଂ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମାନ ଅବସ୍ଥା ଜାରି ରହିବ । ପ୍ରଭାବରେ ଡାଲି ଏବଂ ତେଲ ବିହନର ଅମଳ ପ୍ରଭାବିତ ହେବ । ଫଳରେ ବଜାରରେ ଡାଲି ଏବଂ ଖାଇବା ତେଲ ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ । ମାତ୍ର ବର୍ଷକ ମଧ୍ୟରେ ହରଡ଼ ଡାଲି ଦର ୨୭ ପ୍ରତିଶତ ବୃଦ୍ଧି ଘଟିଛି ।
ଚଳିତବର୍ଷ ମୌସୁମୀରେ କମ୍ ବର୍ଷା ଯୋଗୁ ଆସନ୍ତା ଦିନରେ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଖରିଫ ଫସଲ ଅମଳ ଋତୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ହେଉଥିବା ବର୍ଷା ଉପରେ ନିର୍ଭର କରେ। ଏଭଳି ପରିସ୍ଥିତିରେ ଦେଶରେ ଦୁଇ ବର୍ଷ ମଧ୍ୟରେ କମ୍ ବର୍ଷା ହେତୁ ଧାନ, ଆଖୁ, ଡାଲି ଏବଂ ତେଲ ବିହନ ଉତ୍ପାଦନ ପ୍ରଭାବିତ ହୋଇପାରେ । ରାଜ୍ଯ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ଦରଦାମ ନିୟନ୍ତ୍ରଣ ଏବେ କର୍ପୋରେଟ ହାଉସ ନିର୍ଦ୍ଧାରଣ କରୁଛି । ଡାଲିଜାତୀୟ ଜିନିଷ, ଗହମ ଓ ଚାଉଳ ଦାମ ଆଗକୁ ବଢିବାର ସମ୍ଭାବନା ରହିଛି । ଉତ୍ପାଦନ କମିଲେ ପରିସ୍ଥିତି ସାଂଘାତିକ ହେବ ଓ ଲୋକମାନେ ପ୍ରଭାବିତ ହେବେ ।
ବିକାଶ ନାଁରେ ଆଉ ବଳି ପଡିବନି ଗଛ, ବୃକ୍ଷ ପୁନଃରୋପଣ ପାଇଁ ସ୍ଵତନ୍ତ୍ର ଏସ୍ଓପି
ଭୁବନେଶ୍ୱର: ଉନ୍ନୟନ ପ୍ରକଳ୍ପ ପାଇଁ ରାଜ୍ୟରେ କଟାଯାଉଛି ଲକ୍ଷ ଲକ୍ଷ ଗଛ । ଏହି ଗଛଗୁଡ଼ିକୁ ବଢ଼ାଇବା ପାଇଁ ଅନେକ ପରିଶ୍ରମ ସହିତ ସମୟ ଲାଗୁଛି । ହେଲେ ବିଭିନ୍ନ ପ୍ରକଳ୍ପ ପାଇଁ ଆଖି ପିଛୁଳାକେ ଗଛ କାଟି ଦିଆଯାଉଛି । ଫଳରେ ରାଜ୍ୟରେ ସବୁଜିମା ପ୍ରତି ଆହ୍ବାନ ସୃଷ୍ଟି ହେବା ସହ ଅନ୍ୟ ସମସ୍ୟାଗୁଡ଼ିକ ମୁଣ୍ଡ ଟେକୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ବୃକ୍ଷ ପୁନଃରୋପଣ’ ପାଇଁ ଏକ ସ୍ଵତନ୍ତ୍ର ଏସଓପି ଆଣିଛନ୍ତି । ବିଭାଗ ପକ୍ଷରୁ ଜାରି ଏସଓପି ପାଳନ କରି ଗଛ ନ କାଟି ଅନ୍ୟତ୍ର ପ୍ରତ୍ୟାରୋପଣ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଗତ ୨୦୧୦-୧୧ରୁ ୨୦୨୦-୨୧ ମଧ୍ୟରେ ରାଜପଥ ନିର୍ମାଣ ଓ ଅନ୍ୟ ପ୍ରକଳ୍ପ ପାଇଁ ରାଜ୍ୟର ୧.୮୫ କୋଟି ଗଛ କଟାଯାଇଛି । କେବଳ ଭୁବନେଶ୍ବରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ୭ ହଜାର ୮୦୦ ଗଛ କଟାଯାଇଛି । ଏହି ବ୍ୟବସ୍ଥାରେ ରୋକ୍ ଲଗାଇ ନୂତନ ଏସଓପି ପାଳନ କରି ବୃକ୍ଷ ପ୍ରତ୍ୟାରୋପଣ ପଦ୍ଧତିକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗ ପକ୍ଷରୁ ଜାରି ହୋଇଥିହବା ଏସଓପିରେ ଗଛର ସ୍ଥାନ, ବୟସ, ମୋଟେଇ, ପ୍ରଜାତି, ଔଷଧୀୟ ଓ ଧର୍ମୀୟ ଭାବନା ଆଦି ସମ୍ପର୍କରେ ଦର୍ଶାଯାଇଛି । ଗଛ ପ୍ରତ୍ୟାରୋପଣ ବେଳେ ଏହି ଦିଗ ପ୍ରତି ଗୁରୁତ୍ବ ଦିଆଯିବ । ଯାନ୍ତ୍ରିକ ପଦ୍ଧତି ଦ୍ବାରା ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମୟ ସାପେକ୍ଷ ବୋଲି ବିଭାଗ କହିଛି । ଏହାସହ କେଉଁସ୍ଥାନରୁ କେଉଁସ୍ଥାନକୁ ଗଛ ନିଆଯାଇ ପ୍ରତ୍ୟାରୋପଣ କରାଯିବ ତାକୁ ଦୃଷ୍ଟିରେ ରଖାଯିବ । ଯୁବ ଅବସ୍ଥାରେ ଥିବା ଗଛଗୁଡ଼ିକର ଚେର କମ୍ ରହିଥିବାରୁ ଏହା ପ୍ରତ୍ୟାରୋପଣ ପରେ ପୁନର୍ବାର ବଞ୍ଚିବାର ଅଧିକ ସମ୍ଭାବନା ରହିଥାଏ । ଏହି ପ୍ରକ୍ରିୟାରେ ଲଗାଯାଇଥିବା ଗଛ ଗୁଡ଼ିକ ମଧ୍ୟରୁ ପ୍ରଥମ ବର୍ଷରେ ୫୦-୮୦ ପ୍ରତିଶତ ଗଛ ବଞ୍ଚୁଥିବା ବେଳେ ହିତୀୟ ବର୍ଷରେ ୩୦-୭୦ ପ୍ରତିଶତ ଗଛ ବଞ୍ଚିବା ନେଇ ଜଣାପଡ଼ିଛି । ଯେଉଁ ଗଛଗୁଡ଼ିକ କାଟିବା ପରେ କୁଆଁ ବାହାର କରିବାର କ୍ଷମତା ରଖୁଥାଏ, ସେହି ଗଛ ପ୍ରତ୍ୟାରୋପଣ ପରେ ମଧ୍ୟ ବଞ୍ଚିବାର କ୍ଷମତା ସବୁଠୁ ଅଧିକ ରହିଥାଏ ।
ଗଛ କଟା ହେବାରୁ ପରିବେଶର ସନ୍ତୁଳନ ବିଗିଡି ଯାଉଛି । ନୂଆ ଚାରାକୁ ଗଛ ହେବାକୁ ସମୟ ଲାଗୁଛି । ଚଳିତ ଅଗଷ୍ଟରେ ବର୍ଷା ଦିନ ସତ୍ବେ ଆକାଶରୁ ନିଆଁ ବର୍ଷା ହେଉଛି । ଏପରି ସ୍ଥିତିରେ ବୃକ୍ଷ ପ୍ରତ୍ୟାରୋପଣକୁ ସ୍ବାଗତ କରିଛନ୍ତି ପରିବେଶବିତ । ସହରର କଂକ୍ରିଟ ଜଙ୍ଗଲରେ ବୃକ୍ଷ ନଷ୍ଟ ହେବାକୁ ଲାଗିଲାଣି । ପରିବେଶ ପ୍ରଦୂଷଣ ବଢୁଛି । ମୃତିକା ଅବକ୍ଷୟ ବି ହେଉଛି । ହେଲେ ମଣିଷର ପ୍ରକୃତ ବନ୍ଧୁ ଗଛକୁ ନୂଆ ଜୀବନ ଦେଲେ ସେ ବି ମଣିଷକୁ ଅମ୍ଳଜାନ ଯୋଗାଇବ ।
ଗ୍ରାମାଞ୍ଚଳରେ ବ୍ୟାପକ ଯୁବ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ, ମୁଖ୍ୟମନ୍ତ୍ରୀଙ୍କ ଫୋକସରେ MSME ସେକ୍ଟର
ଭୁବନେଶ୍ୱର: କ୍ଷୁଦ୍ର ଶିଳ୍ପରେ ବଡ଼ ସୁଯୋଗ । ଫୋକସରେ ଅର୍ଥନୈତିକ ବିକାଶ ଓ ବ୍ୟାପକ ନିଯୁକ୍ତି । MSME ସେକ୍ଟରକୁ ଦେବ ସ୍ରିମ୍ ସ୍କିମ୍ ବୁଷ୍ଟ । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ପ୍ରୋତ୍ସାହନ ପେଡି ଖୋଲିଲା ଓଡ଼ିଶା । ଶିଳ୍ପ ବିଭାଗ ଜାରି କଲା ସ୍ରିମ୍ ସ୍କିମ୍ ଯୋଜନାର ବିଧିବଦ୍ଧ ନୋଟିସ । ଛୋଟ ବ୍ୟବସାୟ, ବଡ ପ୍ରୋତ୍ସାହନ । କମିବ ବେକାରୀ ସମସ୍ୟା, ବଢିବ ରୋଜଗାର । ଅର୍ଥନୈତିକ ବିକାଶରେ କ୍ଷୁଦ୍ରଶିଳ୍ପ ନେବ ପ୍ରମୁଖ ଭୂମିକା । ଓଡ଼ିଶାରେ କ୍ଷୁଦ୍ର ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ସରକାର MSME ସେକ୍ଟର ପାଇଁ ମୁଖ୍ୟମନ୍ତ୍ରୀ ସ୍କିମ୍ ଫର୍ ରି-ଇମ୍ବରସମେଣ୍ଟ ଅଫ୍ ଇଣ୍ଟରେଷ୍ଟ ଟୁ MSME ବା ସ୍ରିମ୍ ସ୍କିମ୍ ଯୋଜନା ଆଣିଛନ୍ତି । ଏଣିକି MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇ ଦେବେ ରାଜ୍ୟ ସରକାର । ଏନେଇ ଶିଳ୍ପ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞନ୍ତି ପ୍ରକାଶ ପାଇଛି । ଗ୍ରାମାଞ୍ଚଳମାନଙ୍କରେ ଛୋଟ ବ୍ୟବସାୟୀ ଓ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଏହା ବେଶ ସହାୟକ ହେବ । ଗାଁ ଗାଁରେ କ୍ଷୁଦ୍ର ଉଦ୍ୟୋଗୀ ପ୍ରତିଷ୍ଠା କରିବା ସହ ଘରପାଖରେ ଯୁବପିଢିଙ୍କୁ ରୋଜଗାର ଯୋଗାଇ ଦେବାକୁ ରାଜ୍ୟ ସରକାର ଫୋକସ କରିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସ୍ରିମ୍ ସ୍କିମ୍ ଯୋଜନା ଅନୁସାରେ MSME ସେକ୍ଟରରେ ୧୦ ଲକ୍ଷ କୋଟି ନିବେଶ କରିଥିବା ନିବେଶକାରୀଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼ କରିବେ ରାଜ୍ୟ ସରକାର । ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିଥିବା ନିବେଶକାରୀଙ୍କୁ ୭୫ ପ୍ରତିଶତ, ୫୦ ଲକ୍ଷରୁ ଏକ କୋଟି ଯାଏଁ ୫୦ ପ୍ରତିଶତ, ଏକ କୋଟିରୁ ୩ କୋଟି ପର୍ଯ୍ୟନ୍ତ ନିବେଶକାରୀଙ୍କୁ ୨୫ ପ୍ରତିଶତ ଋଣ ରିହାତି ଯୋଗାଇ ଦିଆଯିବ । ଯାହା ଗ୍ରାମାଞ୍ଚଳ ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଫଳରେ ମହିଳାମାନେ ଅଧିକ ଉପକୃତ ହେଉଛନ୍ତି । ଯାହା ମହିଳା ସଶକ୍ତିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରଛି ବୋଲି ଶାସକ ଦଳ କହିଛି ।
ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏମଏସଏମଇ ସେକ୍ଟରର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଆର୍ଥିକ ସ୍ଥିତିକୁ ଅଧିକ ମଜଭୁତ କରିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ବୋଲି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ଟୁଇଟ କରି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି । ଓଡ଼ିଶାରେ ଶିଳ୍ପାୟନରେ ନୂଆ ଯୁଗ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କ୍ଷୁଦ୍ର, ମଧ୍ୟମ ଓ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ଲାଗି ପ୍ଲସ ଓ୍ବାନ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।
ଦୁର୍ବଳ ମୌସୁମୀର ପ୍ରଭାବ, ଲଘୁଚାପ ନହେଲେ ସ୍ଥିତି ହୋଇପାରେ ସଙ୍ଗୀନ
ଭୁବନେଶ୍ୱର: ଦୁର୍ବଳ ମୌସୁମୀର ବଡ଼ ପ୍ରଭାବ। ପୂର୍ବ-କେନ୍ଦ୍ରୀୟ ଭାରତରେ ଉତ୍କଟ ସ୍ଥିତି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବି ପ୍ରଭାବିତ । ସେପ୍ଟେମ୍ବର ବର୍ଷା ଉପରେ ଭରସା । ଲଘୁଚାପ ନହେଲେ ସ୍ଥିତି ହୋଇପାରେ ସଙ୍ଗୀନ । ଅଗଷ୍ଟ ୩୦ ସୁଦ୍ଧା ୧୧ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ । ନବରଙ୍ଗପୁରରେ ସର୍ବାଧିକ ୪୧ ପ୍ରତିଶତ କମ୍ ବୃଷ୍ଟିପାତ । କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ କୃଷି ବିଭାଗର ନିର୍ଦ୍ଦେଶ । ଚଳିତ ବର୍ଷ ସାରା ଦେଶରେ ଏଲନିନୋର ପ୍ରଭାବ ଦେଖିବାକୁ ମିଳିଛି । ଉତ୍ତର ଭାରତରେ ବାଦଲଫଟା ବର୍ଷା ହୋଇଥିବା ବେଳେ ସେଣ୍ଟ୍ରାଲ ଇଣ୍ଡିଆରେ କାଁ ଭାଁ ବର୍ଷା ରେକର୍ଡ ହୋଇଛି । ପୂର୍ବ ଭାରତରେ ଦୁର୍ବଳ ମୌସୁମୀ ପାଇଁ ତାତିରେ ରେକର୍ଡ ହୋଇଛି । ଗତ ୪ ଦିନ ହେବ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । କାଲି ପରେ ରାଜ୍ୟରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ମୌସୁମୀ ସିଜିନରେ କେବଳ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ସମୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା । ବାକି ସମୟରେ ତା’ର ସ୍ଥାନ ପରିବର୍ତ୍ତନ କରି ଦୁର୍ବଳ ରହିଛି । ଫଳରେ ନିଅଣ୍ଟିଆ ବର୍ଷା ରେକର୍ଡ ହେବା ସହ ତାତି ଗୁଳୁଗୁଳି ବଢିଛି ।
ଚଳିତ ବର୍ଷ ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ସମେତ କୋରାପୁଟ, ରାୟଗଡ଼ା, କଳାହାଣ୍ଡିରେ ସ୍ଥିତି ଉତ୍କଟ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ କଣ୍ଟିଜେନ୍ସି ପ୍ଲାନ ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବରରେ ବର୍ଷା ହେବା ନେଇ ଆକଳନ ହୋଇଛି। ଅକ୍ଟୋବରରେ ବି ବର୍ଷା ହୋଇପାରେ । କୃଷି ବିଭାଗ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିଛି ବୋଲି ଏସଆରସି କହିଛନ୍ତି । ସେପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି ଏବଂ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି ।
ଗତ ୪ ଦିନ ହେବ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ଦୈନିକ ୯୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେବେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାହ୍ନ ଭୋଜନ ରାସନ
ଭୁବନେଶ୍ୱର: ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାହ୍ନ ଭୋଜନ ରାସନ । ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ମଧ୍ୟାହ୍ନ ଭୋଜନ ରାସନ୍ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରକ୍ରିଆ ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଶୁଖିଲା ରାସନ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ରାଜ୍ୟ ୩ ହଜାର ୬୯୪ ଛାତ୍ରଛାତ୍ରୀ ଉପକୃତ ହେବେ । ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।
ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି । କୌଣସି ଅସୁବିଧା ହେଲେ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନଏମଙ୍କ ସହାୟତା ନେଇପାରିବେ । ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ କାଉନସେଲିଂ ପାଇଁ ନିଆଯିବ । ଏହାସହ ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟର ଶିକ୍ଷକ, ବ୍ଲକ୍ ସହଯୋଗୀ ଅଧିକାରୀ, ଆଇଇଭିମାନେ ତଦାରଖ କରିବା ପାଇଁ ଯିବେ । ପିଲାମାନେ ଘରେ କିଭଳି ପଢୁଛନ୍ତି, ପଢ଼ାରେ କେତେ ଉନ୍ନତି କରୁଛନ୍ତି ଏନେଇ ପଚାରି ବୁଝିବେ । ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କର କାଉନସେଲିଂ ମଧ୍ୟ କରାଯିବ ।
ସୋନପୁର ବିଜେପିରେ କଳି
ସୋନପୁର: ସୋନପୁର ବିଜେପିରେ କଳି । ଗତ ୨୮ ତାରିଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ଧରି ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବି ପତ୍ର ପ୍ରଦାନ କରିଥିଲେ । ଏହାକୁ ନେଇ ସୁବର୍ଣ୍ଣପୁର ବିଜେପି ସଭାପତି ଓ କିଛି କାର୍ଯ୍ୟକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଉପରେ ବର୍ଷିଥିଲେ । ବଳରାମ ସିଂ ଯାଦବ ଓ ବଲଦେବ ବେଦବାକ ବିଜେପିର ପ୍ରାଥମିକ ସଦସ୍ୟ ନଥିବା ବେଳେ କିପରି ଭାବରେ ବିଜେପିର ପୋଷ୍ଟର ଓ ବ୍ୟାନର ଲଗାଇ ଆନ୍ଦୋଳନ କଲେ ବୋଲି ପ୍ରଶ୍ନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ।

