ଦୁର୍ବଳ ମୌସୁମୀର ପ୍ରଭାବ, ଲଘୁଚାପ ନହେଲେ ସ୍ଥିତି ହୋଇପାରେ ସଙ୍ଗୀନ

1 min read

ଭୁବନେଶ୍ୱର: ଦୁର୍ବଳ ମୌସୁମୀର ବଡ଼ ପ୍ରଭାବ। ପୂର୍ବ-କେନ୍ଦ୍ରୀୟ ଭାରତରେ ଉତ୍କଟ ସ୍ଥିତି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବି ପ୍ରଭାବିତ । ସେପ୍ଟେମ୍ବର ବର୍ଷା ଉପରେ ଭରସା । ଲଘୁଚାପ ନହେଲେ ସ୍ଥିତି ହୋଇପାରେ ସଙ୍ଗୀନ । ଅଗଷ୍ଟ ୩୦ ସୁଦ୍ଧା ୧୧ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ । ନବରଙ୍ଗପୁରରେ ସର୍ବାଧିକ ୪୧ ପ୍ରତିଶତ କମ୍ ବୃଷ୍ଟିପାତ । କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ କୃଷି ବିଭାଗର ନିର୍ଦ୍ଦେଶ । ଚଳିତ ବର୍ଷ ସାରା ଦେଶରେ ଏଲନିନୋର ପ୍ରଭାବ ଦେଖିବାକୁ ମିଳିଛି । ଉତ୍ତର ଭାରତରେ ବାଦଲଫଟା ବର୍ଷା ହୋଇଥିବା ବେଳେ ସେଣ୍ଟ୍ରାଲ ଇଣ୍ଡିଆରେ କାଁ ଭାଁ ବର୍ଷା ରେକର୍ଡ ହୋଇଛି । ପୂର୍ବ ଭାରତରେ ଦୁର୍ବଳ ମୌସୁମୀ ପାଇଁ ତାତିରେ ରେକର୍ଡ ହୋଇଛି । ଗତ ୪ ଦିନ ହେବ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । କାଲି ପରେ ରାଜ୍ୟରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ମୌସୁମୀ ସିଜିନରେ କେବଳ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ସମୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା । ବାକି ସମୟରେ ତା’ର ସ୍ଥାନ ପରିବର୍ତ୍ତନ କରି ଦୁର୍ବଳ ରହିଛି । ଫଳରେ ନିଅଣ୍ଟିଆ ବର୍ଷା ରେକର୍ଡ ହେବା ସହ ତାତି ଗୁଳୁଗୁଳି ବଢିଛି ।

ଚଳିତ ବର୍ଷ ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ସମେତ କୋରାପୁଟ, ରାୟଗଡ଼ା, କଳାହାଣ୍ଡିରେ ସ୍ଥିତି ଉତ୍କଟ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ କଣ୍ଟିଜେନ୍ସି ପ୍ଲାନ ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବରରେ ବର୍ଷା ହେବା ନେଇ ଆକଳନ ହୋଇଛି। ଅକ୍ଟୋବରରେ ବି ବର୍ଷା ହୋଇପାରେ । କୃଷି ବିଭାଗ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିଛି ବୋଲି ଏସଆରସି କହିଛନ୍ତି । ସେପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି ଏବଂ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି ।

ଗତ ୪ ଦିନ ହେବ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ଦୈନିକ ୯୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେବେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।