ଗ୍ରାମାଞ୍ଚଳରେ ବ୍ୟାପକ ଯୁବ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ, ମୁଖ୍ୟମନ୍ତ୍ରୀଙ୍କ ଫୋକସରେ MSME ସେକ୍ଟର

1 min read

ଭୁବନେଶ୍ୱର: କ୍ଷୁଦ୍ର ଶିଳ୍ପରେ ବଡ଼ ସୁଯୋଗ । ଫୋକସରେ ଅର୍ଥନୈତିକ ବିକାଶ ଓ ବ୍ୟାପକ ନିଯୁକ୍ତି । MSME ସେକ୍ଟରକୁ ଦେବ ସ୍ରିମ୍ ସ୍କିମ୍ ବୁଷ୍ଟ । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ପ୍ରୋତ୍ସାହନ ପେଡି ଖୋଲିଲା ଓଡ଼ିଶା । ଶିଳ୍ପ ବିଭାଗ ଜାରି କଲା ସ୍ରିମ୍ ସ୍କିମ୍ ଯୋଜନାର ବିଧିବଦ୍ଧ ନୋଟିସ । ଛୋଟ ବ୍ୟବସାୟ, ବଡ ପ୍ରୋତ୍ସାହନ । କମିବ ବେକାରୀ ସମସ୍ୟା, ବଢିବ ରୋଜଗାର । ଅର୍ଥନୈତିକ ବିକାଶରେ କ୍ଷୁଦ୍ରଶିଳ୍ପ ନେବ ପ୍ରମୁଖ ଭୂମିକା । ଓଡ଼ିଶାରେ କ୍ଷୁଦ୍ର ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ସରକାର MSME ସେକ୍ଟର ପାଇଁ ମୁଖ୍ୟମନ୍ତ୍ରୀ ସ୍କିମ୍ ଫର୍ ରି-ଇମ୍ବରସମେଣ୍ଟ ଅଫ୍ ଇଣ୍ଟରେଷ୍ଟ ଟୁ MSME ବା ସ୍ରିମ୍ ସ୍କିମ୍  ଯୋଜନା ଆଣିଛନ୍ତି । ଏଣିକି MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇ ଦେବେ ରାଜ୍ୟ ସରକାର । ଏନେଇ ଶିଳ୍ପ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞନ୍ତି ପ୍ରକାଶ ପାଇଛି । ଗ୍ରାମାଞ୍ଚଳମାନଙ୍କରେ ଛୋଟ ବ୍ୟବସାୟୀ ଓ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଏହା ବେଶ ସହାୟକ ହେବ । ଗାଁ ଗାଁରେ କ୍ଷୁଦ୍ର ଉଦ୍ୟୋଗୀ ପ୍ରତିଷ୍ଠା କରିବା ସହ ଘରପାଖରେ ଯୁବପିଢିଙ୍କୁ ରୋଜଗାର ଯୋଗାଇ ଦେବାକୁ ରାଜ୍ୟ ସରକାର ଫୋକସ କରିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସ୍ରିମ୍ ସ୍କିମ୍  ଯୋଜନା ଅନୁସାରେ MSME ସେକ୍ଟରରେ ୧୦ ଲକ୍ଷ କୋଟି ନିବେଶ କରିଥିବା ନିବେଶକାରୀଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼ କରିବେ ରାଜ୍ୟ ସରକାର । ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିଥିବା ନିବେଶକାରୀଙ୍କୁ ୭୫ ପ୍ରତିଶତ, ୫୦ ଲକ୍ଷରୁ ଏକ କୋଟି ଯାଏଁ ୫୦ ପ୍ରତିଶତ, ଏକ କୋଟିରୁ ୩ କୋଟି ପର୍ଯ୍ୟନ୍ତ ନିବେଶକାରୀଙ୍କୁ ୨୫ ପ୍ରତିଶତ ଋଣ ରିହାତି ଯୋଗାଇ ଦିଆଯିବ । ଯାହା ଗ୍ରାମାଞ୍ଚଳ ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଫଳରେ ମହିଳାମାନେ ଅଧିକ ଉପକୃତ ହେଉଛନ୍ତି । ଯାହା ମହିଳା ସଶକ୍ତିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରଛି ବୋଲି ଶାସକ ଦଳ କହିଛି ।

ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏମଏସଏମଇ ସେକ୍ଟରର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଆର୍ଥିକ ସ୍ଥିତିକୁ ଅଧିକ ମଜଭୁତ କରିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ବୋଲି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ଟୁଇଟ କରି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି । ଓଡ଼ିଶାରେ ଶିଳ୍ପାୟନରେ ନୂଆ ଯୁଗ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କ୍ଷୁଦ୍ର, ମଧ୍ୟମ ଓ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ଲାଗି ପ୍ଲସ ଓ୍ବାନ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।