spot_img
Home Blog Page 2684

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କମିଟିକୁ ନେଇ ବିବାଦ, ସଦସ୍ୟ ରହିବାକୁ ମନା କଲେ ଅଧୀର

ନୂଆଦିଲ୍ଲୀ: ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି ଗଠିତ କମିଟିକୁ ନେଇ ବିବାଦ । କମିଟିର ସଦସ୍ୟ ହେବାକୁ ମନା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । କହିଲେ- କମିଟି ନାମକୁ ମାତ୍ର ଗଠିତ ହୋଇଛି ।

ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି ।

ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ । ଗତକାଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଲାଗି ଗଠିତ କମିଟିରେ ସ୍ଥାନ ପାଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଏନକେ ସିଂହ, ସୁଭାଷ କଶ୍ୟପ, ହରିଶ ସାଲଭେ, ସଞ୍ଜୟ କୋଠାରୀ । ପୂର୍ବରୁ କମିଟିର ଅଧ୍ୟକ୍ଷ ଲାଗି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଘୋଷିତ ହୋଇଥିଲା । ଆସନ୍ତା ୧୮ରୁ ୨୨ ତାରିଖ ଯାଏଁ ସଂସଦ ଅଧିବେଶନ ବସିବା ଲାଗି ଜରୁରୀ ଘୋଷଣା ପରେ ଏହି କମିଟି ଗଠିତ ହୋଇଥିଲା । ଏହି ଅଧିବେଶନରେ ଶୂନ୍ୟକାଳ, ପ୍ରଶ୍ନୋତ୍ତର, ପ୍ରାଇଭେଟ ମେମ୍ବର ବିଜନେସ କାଳ ରହିବ ନାହିଁ ।

୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ମାଲିକ ଗିରଫ

ବାଙ୍କୀ: ୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ମାଲିକ ଗିରଫ । ଜମି ଦେବାକୁ କହି ବାରଙ୍ଗ ଥାନା ମଧୁପୁରର ସୁରେଶ ଚନ୍ଦ୍ର ସାହୁ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁସାରେ, ସୁରେଶ ୨୦୧୯ ମସିହାରେ କଟକ ଶଙ୍କରପୁରର ପିଙ୍କି ପ୍ରଧାନଙ୍କଠାରୁ ୨୯ ଲକ୍ଷ ଟଙ୍କା ନେଇଥିଲେ । ପ୍ରଥମେ ୨୪ ଲକ୍ଷ ଟଙ୍କାର ଚେକ୍ ଆକାରରେ ନେଇଥିଲେ । ଏହାର କିଛି ଦିନ ପରେ ଆଉ ୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପିଙ୍କିଙ୍କୁ ଜମି ଦେବା ବଦଳରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ । ଫଳରେ ପିଙ୍କି ଟଙ୍କା ଫେରସ୍ତ ମାଗିଥିଲେ । ସୁରେଶ ଟଙ୍କା ଫେରାଇବା ବଦଳରେ ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଏନେଇ ପିଙ୍କି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସରେଶଙ୍କୁ ଗିରଫ କରିଛି ।

୪୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ସୋନପୁର: STF ଜାଲରେ ଜାଲ୍ ନୋଟ୍ ରାକେଟ୍ । ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ । ସୋନପୁରରୁ ଜବତ ହେଲା ନୋଟ୍ । ଜାଲ୍ ନୋଟ୍ ପ୍ରସ୍ତୁତି ସରଞ୍ଜାମ ଜବତ, ଜଣେ ଗିରଫ ।

ରାଜ୍ୟ ବାହାରକୁ ଜାଲ୍ ନୋଟ୍ ରାକେଟର ଚେର ଲମ୍ବିଥିବା ବେଳେ ଛତିଶଗଡ଼କୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ନକଲି ନୋଟଗୁଡିକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗର ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରିଣ୍ଟିଂ ପ୍ରେସକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୋନପୁର ଉଲୁଣ୍ଡାର ଦୀପକ ମେହେର । ଅଭିଯୁକ୍ତକୁ ବୀରମହାରାଜପୁର SDJM କୋର୍ଟରେ ହାଜର କରାଯାଇଛି ।

ସୋନିଆ ଗାନ୍ଧୀଙ୍କୁ ଜ୍ବର, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜ୍ବରରେ ପୀଡ଼ିତ ହୋଇଥିଲେ ସୋନିଆ । ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଗତ ଏକ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ସୋନିଆ । ସେଠାରୁ ଫେରିବା ପରେ ଜ୍ବରରେ ପୀଡ଼ିତ ହୋଇଥିଲେ । ତାଙ୍କୁ ତୁରନ୍ତ ଗଙ୍ଗାରାମ ହସ୍ପିଟାଲକୁ ନିଆଯାଇଥିଲା । ପୂର୍ବରୁ ମଧ୍ୟ ଜ୍ବରରେ ପୀଡ଼ିତ ହୋଇ ସୋନିଆ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ।

ସୂର୍ଯ୍ୟ ପାତ୍ରଙ୍କୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି, ବିଧାନସଭା ପରିସରରେ ଗାର୍ଡ ଅଫ ଅନର

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ନୟାପଲ୍ଲୀ ବାସଭବନରେ ଶେଷ ଦର୍ଶନ ପରେ ନିଆଗଲା ଶଙ୍ଖ ଭବନ । ସେଠାରେ ମାନ୍ୟଗନ୍ୟ ବକ୍ତି ସ୍ବାର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ସବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ସ୍ବାର୍ଗତ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହା ପୂର୍ବରୁ ନୟାପଲ୍ଲୀ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାର୍ଗତ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତକାଲିଠାରୁ ବିଜେଡି ସମେତ ବିଭିନ୍ନ ଦଳର ରାଜନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସାଧାରଣ ଜନତା ମଧ୍ୟ ସ୍ବାର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିଥିଲେ ।

ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନକୁ ଯାଇ ସ୍ବାର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ଗଭୀର ସମବେଦନା ।

ସ୍ବର୍ଗତ ପାତ୍ରଙ୍କ ମରଶରୀରକୁ ଶଙ୍ଖ ଭବନକୁ ନେଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ ପରେ ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କରାଯିବ ଶେଷକୃତ୍ୟ ।

ଗତକାଲି ତାଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକ ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଏକ ବାର୍ତ୍ତାରେ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିବା ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିବା କହିଥିଲେ ।

ମୃତ୍ୟୁ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚକ୍ଷୁଦାନ

ଭୁବନେଶ୍ବର: ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି ।

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଏକ ଡାକ୍ତରୀ ଟିମ୍ ତାଙ୍କ ଚକ୍ଷୁକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଚକ୍ଷୁର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଆଙ୍କ ବିୟୋଗ ପରେ ଚକ୍ଷୁ ଦାନ କରାଯାଇଥିଲା ।

ଗତକାଲି ଘରୋଇ ହସ୍ପିଟାଲରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ସୂର୍ଯ୍ୟ ପାତ୍ର । ୧୯୭୭ରେ ରାଜନୈତିକ ଜୀବନ ଆରମ୍ଭ କରି ଜଣେ ସଫଳ ରାଜନେତା ଭାବେ ଓଡ଼ିଶା ରଜନୀତିରେ ଛାପ ଛାଡ଼ି ଯାଇଛନ୍ତି । ବ୍ରହ୍ମପୁର ମୁନିସିପାଲିଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସୂର୍ଯ୍ୟ ପାତ୍ର ଥରେ ବାଚସ୍ପତି, ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ହିମାଚଳ ପାଇଁ ନବୀନଙ୍କ ୫ କୋଟି ଟଙ୍କା ସହାୟତା ଘୋଷଣା

ଭୁବନେଶ୍ବର: ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ସହାୟତା କଲେ ଘୋଷଣା । ଏଥିସହ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଚିଠି ଲେଖି ରାଜ୍ୟରେ ଘଟିଥିବା ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ତବ ସହ ଭୂସ୍ଖଳନରେ ସ୍ଥିତି ବେହାଲ ହୋଇଛି । ପ୍ରଭାବିତ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ବାୟୁସେନା ହେଲିକପ୍ଟର । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଚଳିତବର୍ଷ ମୋଟ୍ ୧୭୦ରୁ ଅଧିକ ଥର ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୯ ହଜାର ୬୦୦ ଘର ଭାଙ୍ଗିଯାଇଛି । ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ହେଲା ସୋଲନ, ଶିମଲା, ମଣ୍ତି, ହମିରପୁର ଓ କାଙ୍ଗ୍ରା । ପ୍ରଭାବିତ ସ୍ଥାନରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ।

ସରିଲା ଚନ୍ଦ୍ରାୟାନ-୩ ମିଶନ, ନିଷ୍କ୍ରିୟ ହେଲା ରୋଭର ପ୍ରଜ୍ଞାନ

ବେଙ୍ଗାଲୁରୁ: ସରିଲା ଚନ୍ଦ୍ରାୟନ-୩ ମିଶନ । ଚନ୍ଦ୍ରରେ ଶାନ୍ତିରେ ଶୋଇଲା ପ୍ରଜ୍ଞାନ । ୧୪ ଦିନର ମିଶନ ସାରି ନିଷ୍କ୍ରିୟ ହେଲା ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରେ ସୁରକ୍ଷିତ ପାର୍କିଂ ହୋଇଛି ପ୍ରଜ୍ଞାନ । ପ୍ରଜ୍ଞାନ ନିଷ୍କ୍ରିୟ ହେବା ପୂର୍ବରୁ ସମସତ ତଥ୍ୟ କରି ନେଇଛି ଇସ୍ରୋ । ସେପ୍ଟେମ୍ବର ୨୨ରେ ପୁଣି ସୂର୍ଯ୍ୟକିରଣ ପଡ଼ିଲେ ପ୍ରଜ୍ଞାନ ସକ୍ରିୟ ହେବା ଆଶା ରଖିଛି ଇସ୍ରୋ ।

୧୪ ଦିନ ପରେ ଯଦି ସଫଳତାର ସହ ପ୍ରଜ୍ଞାନ ପୁଣି ସକ୍ରିୟ ହେଲା, ତେବେ ଏହା ଇସ୍ରୋ ଭାଇଁ ଆଉ ଏକ ବଡ଼ ଉପଲବ୍ଧି ହେବ । ଏହାପରେ ଆହୁରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବ ପ୍ରଜ୍ଞାନ ।

ଇସ୍ରୋ ପକ୍ଷରୁ କୁହାଯାଇଛି, ସୋଲାର ସିଷ୍ଟମ ଏବେ ସ୍ଲିପ ମୋଡରେ ରହିଛି  । ସବୁଦିନ ପାଇଁ ଚନ୍ଦ୍ରରେ ଭାରତର ଦୂତ ହୋଇ ରହିବ ପ୍ରଜ୍ଞାନ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ନିର୍ଦ୍ଧାରିତ ୧୦୦ ମିଟର ଦୂରତା ଅତିକ୍ରମ କରିଛି ।

୧୪ ଜୁଲାଇ ୨୦୨୩ରେ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରାୟାନ-୩ ଭାରତକୁ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରିବାରେ ଚତୁର୍ଥ ଦେଶ ଓ ଚନ୍ଦ୍ରର ସାଉଥ ପୋଲରେ ପାଖରେ ଅବତରଣ କରିବାରେ ପ୍ରଥମ ଦେଶ ଭାବେ ରେକର୍ଡ କରିଥିଲା । ମିଶନର ପ୍ରାଥମିକ ଉଦ୍ଦେଶ୍ୟ ପାଣିର ଅନ୍ନେଶ୍ୱଣ କରିବା ଓ ଚନ୍ଦ୍ରପୃଷ୍ଠର ବିଶେଷତ୍ୱକୁ ଅଧ୍ୟୟନ କରିବା ଥିଲା । ଏହା ପୂର୍ବରୁ ଇସ୍ରୋ କହିଥିଲା, ଚନ୍ଦ୍ରାୟାନ-୩ ମିଶନର ରୋଭର ପ୍ରଜ୍ଞାନରେ ଲାଗିଥିବା ଅନ୍ୟ ଏକ ଉପକରଣ ମଧ୍ୟ ଭିନ୍ନ ଏକ ଜ୍ଞାନକୌଶଳର ଉପଯୋଗ କରି ଚନ୍ଦ୍ରରେ ସଲଫରର ଉପସ୍ଥିତି ନେଇ ଅନୁସନ୍ଧାନ କରିଥିଲା । ଏଥିସହିତ ଅନ୍ୟ କିଛି ଏଲିମେଣ୍ଟ ଥିବା ନେଇ ମଧ୍ୟ ଲ୍ୟାଣ୍ଡର ସନ୍ଧାନ ପାଇଥିଲା ।

ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ଶେଷକୃତ୍ୟ ଆଜି

ଭୁବନେଶ୍ବର: ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗତକାଲି ଦେହାନ୍ତ ଘଟିଛି । ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ସୂର୍ଯ୍ୟ । ଗତକାଲି ସନ୍ଧ୍ୟା ୭ଟା ୨୧ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବେ । ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ କରାଯିବ ।

ପୂର୍ବତନ  ବାଚସ୍ପତି ତଥା ବର୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ର ଜଣେ ଦକ୍ଷ  ପ୍ରଶାସକ ଓ ସଂଗଠକ  ଭାବରେ ବର୍ଣ୍ଣନା କରିଛନ୍ତି  । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଲୋକ ପ୍ରତିନିଧି ଭାବେ ଆଜୀବନ ସେବା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ କହିଛନ୍ତି । ଅନ୍ୟପଟେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।  ସେ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ଦେହାନ୍ତ କେବଳ ବିଜୁ ଜନତା ଦଳ ପାଇଁ ନୁହେଁ ସମଗ୍ର ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଆମ ଦଳର ଜଣେ ଉତ୍ସର୍ଗୀକୃତ ନେତା, ଗଞ୍ଜାମର ଟାଣୁଆ ସଂଗଠକ । ତୃଣମୂଳ ସ୍ତରରୁ ଆସି ଓଡ଼ିଶାର ବାଚସ୍ପତି ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ପ୍ରରଣାର ଉତ୍ସ ହେବ ।

ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି ଯେ ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ସ୍ୱର୍ଗତ ପାତ୍ର ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ଭାବରେ ତାଙ୍କର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ତାଙ୍କ ବିୟୋଗରେ ରାଜ୍ୟ ଜଣେ ପୁରୁଖା ନେତାଙ୍କୁ ହରାଇଲା ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି l ଅପରପକ୍ଷେ ବରିଷ୍ଠ ନେତା ଦାମୋଦର ରାଉତ ସୂର୍ଯ୍ୟପାତ୍ରଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ମର୍ମାହତ ଓ ଦୁଖିତ କହିଛନ୍ତି । ସେ କହିଛନ୍ତି ସୂର୍ଯ୍ୟ ମୋ ଠାରୁ ୮ ବର୍ଷ ସାନ କିନ୍ତୁ ମୋର ସେ ଜଣେ ଭଲ ବନ୍ଧୁ ଥିଲେ । ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୂର୍ଯ୍ୟ ପାତ୍ରଙ୍କ ପରଲୋକ ଖବର ପାଇ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ରାଜନୀତିରୁ ଊର୍ଦ୍ଧ୍ବରେ ଥିଲେ ସୂର୍ଯ୍ୟ ପାତ୍ର । ତାଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି ।