ହିମାଚଳ ପାଇଁ ନବୀନଙ୍କ ୫ କୋଟି ଟଙ୍କା ସହାୟତା ଘୋଷଣା

ଭୁବନେଶ୍ବର: ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ସହାୟତା କଲେ ଘୋଷଣା । ଏଥିସହ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଚିଠି ଲେଖି ରାଜ୍ୟରେ ଘଟିଥିବା ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ତବ ସହ ଭୂସ୍ଖଳନରେ ସ୍ଥିତି ବେହାଲ ହୋଇଛି । ପ୍ରଭାବିତ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ବାୟୁସେନା ହେଲିକପ୍ଟର । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଚଳିତବର୍ଷ ମୋଟ୍ ୧୭୦ରୁ ଅଧିକ ଥର ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୯ ହଜାର ୬୦୦ ଘର ଭାଙ୍ଗିଯାଇଛି । ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ହେଲା ସୋଲନ, ଶିମଲା, ମଣ୍ତି, ହମିରପୁର ଓ କାଙ୍ଗ୍ରା । ପ୍ରଭାବିତ ସ୍ଥାନରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ।