spot_img
Home Blog Page 2672

ଲ୍ୟାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରର ରଙ୍ଗୀନ ଫଟୋ: ଇସ୍ରୋ କହିଲା, ଦେଖିବା ମଜାଦାର

ବେଙ୍ଗାଲୁରୁ: ଚନ୍ଦ୍ରର ରଙ୍ଗୀନ ମାଟି । ଦେଖିଲେ ଆଚମ୍ବିତ ହୋଇଯିବେ । ଇସ୍ରୋ ଜାରି କଲା ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ । ଏହାସହ ଇସ୍ରୋ ପକ୍ଷରୁ କୁହାଯାଇଛି, ଏହାକୁ ଦେଖିବାର ପ୍ରକୃତ ମଜା ଥ୍ରିଡି ଚଷମା ପିନ୍ଧି ଦେଖିବାରେ ଅଛି । ରୋଭର ପ୍ରଜ୍ଞାନ ଏହି ଫଟୋ କିଛିଦିନ ପୂର୍ବେ ଲ୍ୟାଣ୍ଡର ବିକ୍ରମଠାରୁ ୧୫ ମିଟର ଦୂରରୁ ଉଠାଇଥିଲା ।

ଇସ୍ରୋ ବିକ୍ରମ ଲ୍ୟାଣ୍ଡରର ଆଖପାଖକୁ ଡାୟମେନସନକୁ ଷ୍ଟେରିଓ ଓ ମଲ୍ଟି ବ୍ଲ୍ୟୁ ଇମେଜ୍ ଆକାରରେ ଜାରି କରିଛି । ଏହାକୁ ଇସ୍ରୋ ଏନଗଲିଫ ବୋଲି କହୁଛି । ଏହି ଫଟୋକୁ ରୋଭର ପ୍ରଜ୍ଞାନରେ ଲାଗିଥିବା ନେଭକେମ୍ କ୍ୟାମେରା ଉଠାଇଥିଲା । ଯାହାକୁ ପରେ ନେଭକେମ୍ ଷ୍ଟେରିଓ ବଦଳାଇ ଦେଇଥିଲା ।

ଏହା ୩ଟି ଚ୍ୟାନେଲର ଫଟୋ । ପ୍ରକୃତରେ ଏହା ଦୁଇଟି ଫଟୋର ମିଶ୍ରଣ । ଗୋଟିଏ ଫଟୋ ରେଡ ଚ୍ୟାନେଲରେ ଉଠାଯାଇଥିବା ବେଳେ ଅନ୍ୟଟି ବ୍ଲୁ୍ୟ ଓ ଗ୍ରୀନ ଚ୍ୟାନେଲରେ ଉଠାଯାଇଥିଲା । ଦୁଇ ଫଟୋକୁ ମିଶାଇବା ପରେ ଏମିତି ଫଟୋ ହୋଇପାରିଛି । ଏହି କାରଣରୁ ବିକ୍ରମ ଲ୍ୟାଣ୍ଡର ଥ୍ରିଡିରେ ଦିଶିବ । ଅର୍ଥାତ ଆପଣଙ୍କୁ ଲାଗିବ ଆପଣ ଚନ୍ଦ୍ର ଉପରେ ଛିଡ଼ା ହୋଇ ବିକ୍ରମକୁ ଦେଖୁଛନ୍ତି ।

ସ୍ମାର୍ଟଓ୍ବାଚ୍ ଆଣିପାରେ ଏହି ବିପଦ

ନନ୍ଦିଘୋଷ ବ୍ୟୁରୋ: ସମୟ କ୍ରମେ ଧୀରେ ଧୀରେ ଆଧୁନିକ ଯୁଗ ସାଙ୍ଗକୁ ନୂଆ ନୂଆ ଜ୍ଞାନକୌଶଳ ସୃଷ୍ଟି ହେଉଛି। ପ୍ରତ୍ୟେକ କାର୍ଯ୍ୟକୁ ଆମେ ଏତେ ଜଲଦି କରିବାକୁ ଚେଷ୍ଟା କରୁଛେ ଯେ ଯାହା ପାଇଁ ଆମକୁ ସମୟକୁ ବି ଜଲଦି ଦେଖିବାକୁ ପଡୁଛି। ସେଥିପାଇଁ ସବୁବେଳେ ହାତରେ ଘଣ୍ଟା ବନ୍ଧା ହୋଇ ରହୁଛି । ଏମିତିରେ କିଛି ଜଣଙ୍କ କୌଣସି କାମ ନଥାଇ ବି ସେମାନେ ସଉକରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ହେଲେ ଏବେ ଆଉ ସେହି ପୁରୁଣା କଣ୍ଟା ଥିବା ଘଣ୍ଟାକୁ ପିନ୍ଧିବାକୁ କେହି ପସନ୍ଦ କରୁନାହାନ୍ତି । ବର୍ତମାନ ନୂଆ ନୂଆ ଫିଚର ସହ ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

ମୋବାଇଲ ଭଳି ବର୍ତମାନ ସ୍ମାର୍ଟ ୱାଚରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହୁଛି । ଘଣ୍ଟାରେ କେବଳ ସମୟ ଦେଖିବା ନୁହେ ବରଂ ଏଥିରେ ଅନେକ କାମ କରିହେଉଛି । ଫୋନ ଠାରୁ ଆରମ୍ଭ କରି ମନରଞ୍ଜନ ଯାଏଁ ସମସ୍ତ ସୁବିଧା ଏଥିରେ ମିଳିପାରୁଛି । ତେଣୁ ଏହି କାରଣରୁ ବର୍ତମାନ ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ସ୍ମାର୍ଟ ୱାଚ ପିନ୍ଧିବା ଦ୍ୱାରା ଆପଣଙ୍କ ଠାରେ କେଉଁ ସମସ୍ୟା ଦେଖା ଦେଉଛି ଏହା ଉପରେ କେବେ ଧ୍ୟାନ ଦେଇଛନ୍ତି କି? ଏହି ସ୍ମାର୍ଟ ୱାଚକୁ ଘଣ୍ଟା ଘଣ୍ଟା ଧରି ପିନ୍ଧିବା ଦ୍ୱାରା ଆପଣଙ୍କ ପାଖରେ ଅନେକ ସମସ୍ୟା ଦେଖାଦେଇପାରେ । ତେବେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସଚେତନ ରହିବା ଆବଶ୍ୟକ ।

ସ୍ମାର୍ଟ ୱାଚ୍ ବ୍ୟବହାର ଆପଣଙ୍କର ଶୋଇବା, ଧ୍ୟାନ, ଏବଂ ସ୍ମୃତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ । ଦୀର୍ଘ ଅବଧିରେ, ତାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ । ଦୀର୍ଘ ସମୟ ଧରି ଏହି ଗ୍ୟାଜେଟଗୁଡ଼ିକର ବ୍ୟବହାର ସ୍ମୃତି ଶକ୍ତି ହ୍ରାସ ଏବଂ ଖରାପ ଧ୍ୟାନ ଆଣିଥାଏ । କିଛି ଲୋକ ଦୀର୍ଘ ସମୟ ଧରି ସ୍ମାର୍ଟ ୱାଚ୍ ପିନ୍ଧିବା ପରେ ପ୍ରବଳ ମୁଣ୍ଡବିନ୍ଧା ଏବଂ ବାନ୍ତି ହେବାର ନଜର ରହିଛି ।

ସ୍ମାର୍ଟ ଓ୍ବାଚ୍ ଦ୍ବରା ଜୀବାଣୁ ଜନିତ ସମସ୍ୟା । ଫ୍ଲୋରିଡା ଆଟଲାଂଟିକ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଏହି ବ୍ରେସଲେଟଗୁଡିକରେ ଜୀବାଣୁ ସଂଖ୍ୟା ମାତ୍ରାଧିକ ରହୁଛି । ଏପରିକି ଏକ ପାଇଖାନା ପ୍ୟାନ ତୁଳନାରେ ଏଥିରେ ଅଧିକ ଜୀବାଣୁ ରହୁଛନ୍ତି । ପ୍ଲାଷ୍ଟିକ, ରବର, କନା, ଚମଡା, ସୁନା ଓ ରୂପା ସ୍ମାର୍ଟୱାଚ ଷ୍ଟ୍ରିପରେ ତଳେ ଝାଳ ଏବଂ ମଇଳା ଯୋଗୁ ଜୀବାଣୁ ସଂଖ୍ୟା ବୃଦ୍ଧି ପାଉଛି । ଏହା ଉପରକୁ ବିଶେଷ ନଜର ଦିଆ ଯାଉ ନ ଥିବାରୁ ସେଠାରେ ସେମାନେ ତାଙ୍କ ସଂଖ୍ୟା ସହଜରେ ବିସ୍ତାର କରିପାରୁଛନ୍ତି । ଫଳରେ ସେପସିସ ଓ ନିମୋନିଆ ପରି ରୋଗକୁ ଏହି ଜୀବାଣୁ ସହଜରେ ଶରୀର ମଧ୍ୟରେ ପ୍ରବେଶ କରାଇଥାନ୍ତି ।

ବ୍ଲୁ ଲାଇଟ ଇଫେକ୍ଟ । ଅଧ୍ୟୟନରୁ ଜଣାପଡିଛି ଯେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ନିଦ ଭାଙ୍ଗିଥାଏ । ଦିନସାରା ଏବଂ ରାତିରେ ମଧ୍ୟ ଏକ ସ୍ମାର୍ଟ ୱାଚ୍ ବ୍ୟବହାର କରିବା ଆପଣଙ୍କ ଶୋଇବାର କ୍ଷମତା ଉପରେ ପ୍ରଭାବ ପକାଇପାରେ କାରଣ ଆପଣ ଆଖିକୁ ଇନଫ୍ରାଡ୍ ଆଲୋକର ପ୍ରଭାବରୁ ରକ୍ଷା କରିପାରିବେ ନାହିଁ ।

ମାନସିକ ପ୍ରଭାବ । ସ୍ମାର୍ଟ ୱାଚର ଏକ ପ୍ରମୁଖ ପ୍ରଭାବ ହେଉଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଡିଏସନ ସଂସ୍ପର୍ଶରେ ଆସିବା ପରେ ଆପଣଙ୍କ ସ୍ନାୟୁ ଆଉ କ୍ଳାନ୍ତ ଅନୁଭବ କରେ ନାହିଁ । ଏହି କାରଣରୁ, ଆପଣଙ୍କ ମାନସିକ ଚାପ ଏବଂ ଅସନ୍ତୋଷ ଧୀରେ ଧୀରେ ବୃଦ୍ଧି ପାଏ । ତେଣୁ କ୍ରୋଧିତ ଆଚରଣ କରିବା ସ୍ୱାଭାବିକ ହୋଇଥାଏ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ୍ବେବ ପୋର୍ଟାଲ ଉଦଘାଟିତ

ଭୁବନେଶ୍ବର: ଗୁଣାତ୍ମକ ଶିକ୍ଷା ପାଇଁ ଓଡ଼ିଶା ସାଜିବ ରୋଲ ମଡେଲ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 542 ଜଣ ଶିକ୍ଷକ ଓ ଅଧ୍ୟକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିଭଳି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାୟ ପାଇଁ ୩୦ ଶିକ୍ଷକ ଓ ଅଧ୍ୟକ୍ଷ ମିଳିଛି ନିଯୁକ୍ତି । ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂତନ ହଷ୍ଟେଲ ଓ ଏକାଡେମିକ୍ ବିଲଡିଂର ଶୁଭ ଉଦଘାଟନ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ୍ବେବ ପୋର୍ଟାଲ ମଧ୍ୟ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାକୁ ଚେଷ୍ଟା କରିବାକୁ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଯୁକ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉନ୍ନତ୍ତିରେ ସାହାଯ୍ୟ କରିବ । ଶିକ୍ଷକ ଓ ଅଧ୍ୟାପକ ମାନେ

ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାଶ କରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।  5T କାର୍ଯ୍ୟଧାରା  ଛାତ୍ରଛାତ୍ରୀ ମାନଙ୍କୁ ଅନୁସରଣ କରାଇବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ନବ ନିଯୁକ୍ତ ଶିକ୍ଷକ ଓ ଅଧ୍ୟାପକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ହିରୋ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

ବଢୁଛି ‘ଯବାନ’ କ୍ରେଜ୍

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ଶାହରୁଖ ଖାନଙ୍କ ଯବାନ ଫିଲ୍ମ ମୋଷ୍ଟ ଆୱେଟେଡ୍ ଫିଲ୍ମରୁ ଅନ୍ୟତମ । ଫିଲ୍ମର ପ୍ରିଭ୍ୟୁ ଏବଂ ଟ୍ରେଲର ରିଲିଜ ପରେ ଯବାନ ଫିଲ୍ମ ଦେଖିବାକୁ ଲୋକେ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହାରି ମଧ୍ୟରେ ଯବାନର ଆଡଭାନ୍ସ ଟିକେଟ ବୁକିଂ ମଧ୍ୟ ଖୁବ ଜୋରରେ ଚାଲିଛି ।

ଶାହାରୁଖ ଖାନଙ୍କ ‘ଯବାନ’ର କ୍ରେଜ ରିଲିଜ ହେବା ପୂର୍ବରୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଫିଲ୍ମର ଟିକେଟ ଖୁବ ଜୋରରେ ବୁକିଂ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ ଏବଂ ମୁମ୍ବାଇରେ ଫିଲ୍ମର ଟିକେଟ୍ ସର୍ବାଧିକ ବିକ୍ରି ହେଉଛି ।  ଦିଲ୍ଲୀରେ ‘ଯବାନ’ ପାଇଁ ରୋଜଗାର ହାର ୨୨ ପ୍ରତିଶତ ଥିବାବେଳେ ମୁମ୍ବାଇରେ ଏହା ୧୮ ପ୍ରତିଶତ ସ୍ଥାନ ପାଇଛି । ଦିଲ୍ଲୀରେ ପ୍ରି-ସେଲିଂରେ ୨.୫ କୋଟି ଟଙ୍କା ଆୟ କରିଥିବାବେଳେ ମୁମ୍ବାଇରେ ୧.୫ କୋଟି ଟଙ୍କା ଆୟ କରିଛି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଫିଲ୍ମର ଅଗ୍ରୀମ ବୁଟିଙ୍ଗ୍ ଚାଲିଛି।

ଯବାନ 2D ହିନ୍ଦୀ ସଂସ୍କରଣ ପାଇଁ ୫ ଲକ୍ଷ ୨୯ ହଜାରରୁ ଅଧିକ ଟିକେଟ୍ ଏବଂ ହିନ୍ଦୀ IMAX ପାଇଁ ୧୧ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି । ତାମିଲ ସଂସ୍କରଣ ପାଇଁ ୧୯ ହଜାର ଟିକେଟ୍ ଏବଂ ତେଲୁଗୁ ସଂସ୍କରଣ ପାଇଁ ୧୬ ହଜାର ଟିକେଟ୍ ବିକ୍ରି ହୋଇଛି । ଆଶା କରାଯାଉଛି କି ପୂରା ୱିକେଣ୍ଡ ପାଇଁ ପାଖାପାଖି ୨୦ ଲକ୍ଷ ଟିକେଟ୍ ବୁକ୍ ହୋଇଯିବ। ଯଦି ଗଦର-୨ର ଆଡଭାନ୍ସ ବୁକିଂ ସହ ତୁଳନା କରାଯାଏ ତ ରିପୋର୍ଟ ମୁତାବିକ ଗଦର-୨ ର ପ୍ରଥମ ଦିନ ପାଇଁ ୭ ଲକ୍ଷରୁ ଅଧିକ ଟିକେଟ୍ ବୁକ୍ ହୋଇଥିଲା ।

 

ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କଲେ ନିଜ ଦଳର କର୍ମୀ

ନୟାଗଡ଼: ନୟାଗଡରେ ବିଜେପି ବନାମ ବିଜେପି l ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛନ୍ତି ନିଜ ଦଳର କର୍ମୀ । ଆଜି ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର କୁମାର ସିଂଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଥିଲା । ଏହି ଅବସରରେ ନୟାଗଡ ରାଜବାଟିରୁ ଏକ ରାଲି ବାହାରି ହେମନ୍ଦ୍ର ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ଆସିଥିଲେ । ଏହି ସମୟରେ ସମ୍ବିତ ପାତ୍ରଙ୍କୁ ଦେଖି ବିଜେପିର କିଛି କର୍ମୀ କଳାପତାକା ପଦର୍ଶନ କରିବା ସହ ଅଣ୍ଡା ମାଡ଼ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ।

ନୟାଗଡରେ ବିଜେପିର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ସମ୍ବିତ ପାତ୍ର ଏବେ ଯେଉଁଠିକି ଯାଉଛନ୍ତି ନିଜ ଦଳର କର୍ମୀ ଓ ନେତା ତାଙ୍କୁ ବିରୋଧ କରିବାର ଦେଖିବାକୁ ମିଳୁଛି । ତେବେ ଆଜି ପ୍ରତ୍ୟୁଷା ବନାମ ଇରାନିଙ୍କ କଳିରେ ସମ୍ବିତ ପାତ୍ରଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି । ନୟାଗଡ଼ ଜିଲ୍ଲା ବିଜେପିରେ ପ୍ରତ୍ୟୁଷା ଓ ଇରାନିଙ୍କ ଦୁଇଟି ସମାନ୍ତରାଳ ସଙ୍ଗଠନ ରହିଛି । ଆଜି ଇରାନିଙ୍କ ରାୟଙ୍କ ବାସଭବନରେ ବିଜେପି କର୍ମୀ ମାନେ ସମ୍ବିତ ପାତ୍ରଙ୍କୁ ବିରୋଧ କରିଥିଲେ ।

 

କାହିଁକି ବଦଳିବ ଇଣ୍ଡିଆର ନାଁ ?

ନନ୍ଦିଘୋଷ ବ୍ୟୁରୋ: କାହିଁକି ବଦଳିବ ଇଣ୍ଡିଆର ନାଁ । ନାଁ ବଦଳିଲେ ବଦଳିବ କି ବିଶ୍ବରେ ଦେଶର ପରିଚୟ । ବଦଳିବ କି ଆର୍ଥିକ ସ୍ଥିତି । ବଦଳିବ କି ଦେଶରେ ଥିବା କୁସଂସ୍କାର । ନା କେବଳ ଆତ୍ମସନ୍ତୋଷ ପାଇଁ ଦେଶର ନାଁ ବଦଳାଇବାକୁ ଚାଲିଛି ଯୋଜନା । ଇଣ୍ଡିଆର ନା ବଦଳାଇ ଭାରତ ରଖିବାକୁ ଚାଲିଛି କସରତ୍‌ । ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଆଣିପାରନ୍ତି ପ୍ରସ୍ତାବ । ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଲେଖାଯିବା ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବାରୁ ବିବାଦ ସୃଷ୍ଟି ହୋଇଛି ।

ଇଣ୍ଡିଆକୁ ନେଇ ମହା`ଭାରତ` । ଦୁଇଟି ନାଁ, ଗୋଟିଏ ଦେଶ  । ନାଁ ବଦଳାଇବାକୁ ନେଇ ଭାଗ ଭାଗ ପୂରାଦେଶ  । ଇଣ୍ଡିଆ ବନାମ ଭାରତ । ଦେଶର ନାଁ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା । ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଆଣିପାରନ୍ତି ପ୍ରସ୍ତାବ । ନାଁ ବଦଳାଇବାକୁ ନେଇ ସାରା ଦେଶରେ ଚର୍ଚ୍ଚା । କାହିଁକି ଦେଶର ନାଁ ଇଣ୍ଡିଆ ଲାଗୁଛି ଅଡୁଆ ? ଦେଶର ନାଁ ବଦଳାଇଲେ ଦେଶର ଭବିଷ୍ୟତ ଉପରେ କଣ ପଡ଼ିବ ପ୍ରଭାବ ? ବିଶେଷ କରି ଗୋଟିଏ ସମୁଦାୟକୁ ଭାରତ ନାଁ ପସନ୍ଦ ଆସୁଥିବା ବେଳେ ଆଉ ଗୋଟିଏ ସମୁଦାୟ ଏହା ପଛର ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛି । ଦେଶର ସମ୍ବିଧାନରେ ଇଣ୍ଡିଆର ନାଁ ଥିବା ବେଳେ ଧାରା ୧ରେ ଇଣ୍ଡିଆ ହିଁ ଭାରତ ବୋଲି କୁହାଯାଇଛି । ତାକୁ ମଧ୍ୟ ବଦଳାଯିବ କି ବୋଲି ପ୍ରଶ୍ନ ଉଠିଛି । ଯଦିଓ କେନ୍ଦ୍ର ସରକାର ଏନେଇ କୌଣସି ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଅତୀତରେ ବିଜେପିର ବିଭିନ୍ନ ଯୁକ୍ତି ଭାରତ ନାଁ ପ୍ରତି ଥିବା ଦୁର୍ବଳତା ଥିବା ପରିପ୍ରକାଶ କରିଛି । ଆରଏସଏସ ମଧ୍ୟ ଇଣ୍ଡିଆକୁ ସବୁବେଳେ ଭାରତ ବୋଲି ସମ୍ବୋଧନ କରିଥାଏ । ଏହି ଚିନ୍ତାଧାରାର ବ୍ୟକ୍ତି ଏବେ କେନ୍ଦ୍ରରେ ଥିବାରୁ ଇଣ୍ଡିଆର ନାଁ ବଦଳିବ ବୋଲି ଯଥେଷ୍ଟ ସମ୍ଭାବନା ରହିଛି ।

ଇଣ୍ଡିଆର ନାଁ ଭାରତ ବିବାଦ କାହିଁକି ? G-20 ଶିଖର ସମ୍ମିଳନୀ ପୂର୍ବରୁ ଏହି ବିବାଦର ମୂଳଦୁଆ ପଡ଼ିଛି  । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଆସନ୍ତା ୯ ତାରିଖରେ ରାଷ୍ଟ୍ରପତି ଭବନରେ ରାତ୍ରଭୋଜନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ କରାଯାଇଛି ବୋଲି ଜୟରାମ ରମେଶ କହିଛନ୍ତି । ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରଖାଯିବା ପରେ ଏହି ନାଁ ଚର୍ଚ୍ଚାରେ ରହିଛି । ବିଜେପି ନେତା ଲଗାତାର ମେଣ୍ଟ ନାଁକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ପୂର୍ବରୁ ବିଜେପି ସାଂସଦ ଦାବି କରିଛନ୍ତି । ଇଣ୍ଡିଆ ନାଁକୁ ନେଇ ବିଜେପି ଭିତରେ ରହିଥିବା ଡର, ଭୟକୁ ସ୍ପଷ୍ଟ ଦର୍ଶାଉଛି । 2024ରେ ବିଜେପିର ପତନ ସୁନିଶ୍ଚିତ । ଇଣ୍ଟରନାଲ ସର୍ଭେରୁ ଏହି ରିପୋର୍ଟ ଜାଣିବା ରେ ବିଜେପି ଭୟଭୀତ ହୋଇପଡ଼ିଛି ବୋଲି କଂଗ୍ରେସ ଓ ଆରଜେଡି କହିଛି ।

ଦେଶର ନାଁ ବଦଳାଇଲେ ଏହା ସାର୍ବଜନୀନ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବ  । ଦେଶ ସ୍ବାଧୀନତା ହେବା ପରଠାରୁ ସବୁ କ୍ଷେତ୍ରରେ ଇଣ୍ଡିଆର ନାଁ ବ୍ୟବହାର ହେଉଥିବା ବେଳେ ଏହାକୁ ମଧ୍ୟ ବଦଳାଇବାକୁ ପଡ଼ିବ । ଇଣ୍ଟରନେଟ ଡୋମେନଠୁ ଆରମ୍ଭ କରି ସରକାରୀ ଯୋଜନା, ଶିକ୍ଷାନୁଷ୍ଠାନ, ସରକାରୀ ସଂସ୍ଥାରେ ବ୍ୟବହାର ହେଉଥିବା ଇଣ୍ଡିଆ ଶବ୍ଦକୁ ବଦଳାଇବାକୁ ପଡ଼ିବ  । ପାସପୋର୍ଟରେ ଥିବା ରିପବ୍ଲିକ ଅଫ ଇଣ୍ଡିର ନାମ ବଦଳାଇ ଭାରତ କରିବାକୁ ପଡିବ । ଇଣ୍ଡିଆର ସମ୍ବିଧାନକୁ ବଦଳାଇ ଭାରତର ସମ୍ବିଧାନ କରିବାକୁ ପଡ଼ିବ ।

 

ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ପବିତ୍ର ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଅସ୍ଥାୟୀ ଭାବରେ ସତ୍ୟବାଦୀ ସ୍ଥିତ ପାନ୍ଥଶାଳାରେ ଆରମ୍ଭ ହୋଇଛି ପାଠପଢା ।

ଆଜି ଅପରାହ୍ଣରେ ପାନ୍ଥଶାଳାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହୋଇଥିଲା । ଗୁରୁ ଦିବସ ଅବସରରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଜଣେ ଛାତ୍ରୀ କୁଳପତିଙ୍କୁ ତାଙ୍କର ଫଟୋଚିତ୍ର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ଡ. ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏଡିଏମଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଓଡ଼ିଆ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଶେଷ ହୋଇଛି । ୩ଟି ବିଭାଗରେ ୭୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଚାଲିଥିବବେଳେ ଆଜିଠାରୁ ଅସ୍ଥାୟୀ ଭାବେ ପାନ୍ଥଶାଳାରେ ଆରମ୍ଭ ହୋଇଛି ପାଠପଢା ।

ଆୟୂର୍ବେଦରେ ରହିଛି ଅମୋଘ ଚିକିତ୍ସା ଶକ୍ତି

ସମ୍ବଲପୁର: ଆୟୁର୍ବେଦରେ ରହିଛି କ୍ୟାନସର, ମଧୂମେହ, ଫାଇଲେରିଆ ପରି ରୋଗର ସଫଳ ଚିକିତ୍ସା । ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ବାୟୋ ଟେକ୍ନୋଲୋଜିର ରିସର୍ଚ୍ଚରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମଧୁମେହର କ୍ୟାପସୁଲ ତିଆରି ସରିଥିବାବେଳେ କ୍ୟାନସର ଔଷଧ ମୂଷାଙ୍କ ଉପରେ ଲ୍ୟାବରେ ପରୀକ୍ଷା ସରିଛି । ସେହିପରି ଫାଇଲେରିଆ ଖାଇ ରୋଗୀ ଉପଷମ ହେଉଥିବା ଦାବି କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ଆୟୁର୍ବେଦରେ ରହିଛି ଅମୋଘ ଚିକିତ୍ସା ଶକ୍ତି । କ୍ୟାନସର, ମଧୂମେହ, ଫାଇଲେରିଆ ପରି ରୋଗର ଉପଚାର । ବାୟୋ ଟେକନୋଲୋଜି ରିସର୍ଚ୍ଚରୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । କ୍ୟାନସର ଔଷଧ ସନ୍ଧାନରେ ସମ୍ବଲପୁର ବିଶ୍ବବିଦ୍ୟାଳୟ । ଆର୍ୟୁବେଦିକ ପଦ୍ଧତିରେ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ ଉପରେ ଚାଲିଛି ରିସର୍ଚ୍ଚ । କ୍ୟାନ୍ସର ଔଷଧ ସନ୍ଧାନରେ ବାୟୋଟେକ୍ନୋଲୋଜି ଓ ବାୟୋ ଇନଫରମେଟିକ୍ ବିଭାଗ ।

ଗନ୍ଧମାର୍ଦ୍ଧନ ପାହାଡ ପାଦଦେଶରୁ ଔଷଧୀୟ ବୃକ୍ଷ ଆଣି ଚାଲିଛି ଅନୁସଂଧାନ । ଏହାକୁ ମୂଷାଙ୍କ ଉପରେ ପ୍ରୟୋଗ କରି ତାର ପ୍ରଭାବ ଓ କାର୍ଯ୍ୟକାରିତା ନେଇ କରାଯାଉଛି ପରୀକ୍ଷା। ଖାସ କରି ସ୍ତନ କର୍କଟ, ସର୍ଭିକାଲ କ୍ୟାନସର, ଓଭାରିଆନ କ୍ୟାନସର ଉପରେ କରାଯାଉଛି ରିସର୍ଚ୍ଚ । ଏହି ଆନିମଲ ଟ୍ରାଏଲ ସଫଳ ହେଲେ ଏହାର କ୍ଲିନିକାଲ ଟ୍ରାଏଲ ହେବ ବୋଲି କହିଛନ୍ତି ସେଣ୍ଟର ଅଫ ଏକ୍ସିଲେନ୍ସର ସଂଯୋଜକ ପ୍ରଫେସର ପ୍ରଦୀପ ନାଏକ ।

ବର୍ତ୍ତମାନ ମଧୁମେହ ପାଇଁ ବ୍ୟବହାର ହେଉଥିବା ଔଷଧ ପାନକ୍ରିୟାଜ୍ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହାସହ ବିଟାସେଲର ଜେନେରେଟ କରିନଥାଏ ଏଲୋପ୍ୟାଥିକ ଔଷଧ । ହେଲେ ବିଭାଗ ତିଆରି କରିଥିବା କ୍ୟାପସୁଲରେ ବିଟାସେଲ ଫରମେସନ କରିବାର କ୍ଷମତା ରହୁଛି । ଏହାର ଖର୍ଚ୍ଚ ପ୍ରତି କ୍ୟାପସୁଲ ପିଛା 25 ପଇସା ରହିଛି ।

ଭୁବନେଶ୍ବର ଏମ୍ସ ସହ ମିଶି ଏହି ପ୍ରୋଜେଜ୍ଟ ଚାଲିଥିବାବେଳେ ପେଟେଣ୍ଟ ପାଇଁ ଆବେଦନ ହୋଇଥିବା କହିଛନ୍ତି ସଂଯୋଜକ । ସେହିପରି ଫାଇଲେରିଆ ଔଷଧ ମଧ୍ୟ ପ୍ରସ୍ତୁତ କରିଛି ବିଭାଗ । ଏଲୋପ୍ୟାଥିକ ଔଷଧରେ ମାଇକ୍ରୋ ଫାଇଲେରିଆ ସେଲ୍ ମାରିବାର କ୍ଷମତା ଥିବାବେଳେ ବିଭାଗ ପ୍ରସ୍ତୁତ କରିଥିବା ଔଷଧରେ ଆଡଲ୍ଟ ସେଲ୍ ମାରିବାର କ୍ଷମତା ରହିଛି ।

 

ପ୍ରଥମଥର ଭୁବନେଶ୍ବରରେ ହେବ ବାଘ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଥମଥର ପାଇଁ ଭୁବନେଶ୍ବରରେ ହେବ ବାଘ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଚଳିତମାସ ୧୫ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ଚିଠି ଲେଖିଛି । ରାଜ୍ୟରେ ଥିବା ବାଘଙ୍କ ସଂଖ୍ୟା ସଠିକ୍ ନିରୂପଣ କରିବାକୁ ବଳିଷ୍ଠ କ୍ୟାମେରା ଖଞ୍ଜାଯିବା ସହ ସାଟେଲାଇଟ୍ ସର୍ଭେ ଓ ଡିଏନ୍ଏ ନମୁନା ସହିତ ମେଳ କରାଯିବ। ୨୦୨୪ ଜାନୁଆରୀ ସୁଦ୍ଧା ଗଣନା ପାଇଁ ସମସ୍ତ ପ୍ରସ୍ତୁତି ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ବାସ୍ତବରେ କେତେ ଅଛନ୍ତି ମହାବଳ ? କେମିତି ସଠିକ୍ ଭାବେ ହେବ ସେମାନଙ୍କ ଗଣନା ? ଏଥିପାଇଁ ପ୍ରଥମଥର ପାଇଁ ଭୁବନେଶ୍ବରରେ ଆୟୋଜିତ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଚଳିତମାସ ୧୫ ତାରିଖରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ଜଙ୍ଗଲ ବିଭାଗ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ଚିଠି ଲେଖିଛି । ପ୍ରତିଷ୍ଠାନର ଦୁଇଜଣ ବନ୍ୟପ୍ରାଣୀ ବୈଜ୍ଞାନିକ ସମସ୍ତ ବନଖଣ୍ଡ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେବେ । ଶିମିଳିପାଳ ଅଭୟାରଣ୍ୟ ସମେତ ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଖଞ୍ଜାଯିବା ସହିତ, ବାଘ ପାଦଚିହ୍ନ ମେଳ, ସାଟେଲାଇଟ୍ ଦ୍ବାରା ବାଘର ଗତିବିଧି ଓ ବାଘର ମଳମୂତ୍ର, ଲୋମରୁ ଡିଏନ୍ଏ ନମୁନା ବିଶ୍ଲେଷଣ କରି ବାଘଙ୍କ ସଠିକ୍ ସଂଖ୍ୟା ନିରୂପଣ କରାଯିବ ।

ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ଅଧୀନରେ ଆସୁଥିବା କୁଲଡିହା, ହଦଗଡ଼, କେନ୍ଦୁଝରର ଘଟଗାଁରେ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଦ୍ବାରା ଗୋଟିଏ ବାଘକୁ ତା ଚମଡ଼ାର ପଟ୍ଟା ଦାଗକୁ ନେଇ ଚିହ୍ନଟ କରାଯିବ । ପରେ ସେହି ବାଘର ସଂଗୃହୀତ ମଳମୂତ୍ରର ଡିଏନ୍ଏ ସହିତ ମେଳ କରାଯିବ । ଏହାବ୍ୟତୀତ ବାଘ ବିଚରଣ କରୁଥିବା ଇଲାକା ଯେପରିକି ଦେବ୍ରୀଗଡ଼, ସୁନାବେଡ଼ା, ଛତିଶଗଡ଼ ସୀମା ସଂଲଗ୍ନ ଉଦନ୍ତୀ ଜଙ୍ଗଲ, କୋରାପୁଟର ଲମତାପୁଟ, ଆନ୍ଧ୍ର ସୀମାନ୍ତ ଗୁଣପୁର ଅଞ୍ଚଳରେ କ୍ୟାମେରା ଖଞ୍ଜିବାକୁ ଯୋଜନା କରାଯାଇଛି । ୨୦୨୪ ଜାନୁଆରୀ ଶେଷସୁଦ୍ଧା ବାଘ ଗଣନା ପାଇଁ କ୍ୟାମେରା ଲଗାଇବା କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭାରତରେ ବାଘ ଗଣନା ପଦ୍ଧତି ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ପୂର୍ବତନ ଅଧିକାରୀ ସରୋଜ ରାଜ ଚୌଧୁରୀଙ୍କ ଦ୍ବାରା ଆବିଷ୍କୃତ ଏହି ପଦ୍ଧତି ପରବର୍ତ୍ତୀ ଅବସ୍ଥାରେ ଦେଶର ସବୁ ସଂରକ୍ଷିତ ଜଙ୍ଗଲରେ ବାଘ ଗଣନା ପାଇଁ ବ୍ୟବହାର ହୋଇଥିଲା । କିନ୍ତୁ ବାଘ ଗଣନା ପାଇଁ ଏହି ପଦ୍ଧତିର ଅବୈଧ ବ୍ୟବହାର ଯୋଗୁ ତାହା ପରେ ଆଉ ଗ୍ରହଣୀୟ ହୋଇନଥିଲା । ଏବେ ଯେପରି ଡିଏନ୍ଏ ଓ କ୍ୟାମେରା ଟ୍ରାପ୍ ଜରିଆରେ ଗଣନା ହେବ ତାହା ୮୦ ପ୍ରତିଶତ ସଠିକ୍ ଭାବେ ବାଘଙ୍କ ସଂଖ୍ୟା ଗଣନା ହୋଇପାରିବ ।

ଛୁଆ ବାଘଙ୍କ ବୟସ ୬ ମାସରୁ କମ୍ ହୋଇଥିଲେ ତାଙ୍କୁ ଗଣନା ପାଇଁ ନିଆଯିବନି । କାରଣ ୬ମାସର ବାଘ ଛୁଆଙ୍କ ମୃତ୍ୟୁହାର ଅଧିକ ଥିବାରୁ ଗଣନାକୁ ନିଆଯାଏ ନାହିଁ । ଏହାସହିତ କ୍ୟାମେରା ଦେଢ଼ଫୁଟ ଉଚ୍ଚରେ ଲାଗୁଥିବାରୁ ସେମାନଙ୍କ ଦେହ କ୍ୟାମେରାରେ ଆସିବନି । ବାଘଙ୍କ ଲୋମ, ମଳ, ମୂତ୍ରର ନମୁନା ପରୀକ୍ଷା କରି ଡିଏନ୍ଏ ଅଣୁ ପୃଥକ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବନ୍ୟଜନ୍ତୁ ଚିକିତ୍ସା କେନ୍ଦ୍ରରେ ଅତ୍ୟାଧୁନିକ ଲାବୋରେଟରୀ ରହିଛି ।

ଗତମାସରେ ବାଘ ଗଣନା ରିପୋର୍ଟ ଅନୁଯାୟୀ ଏବେ ରାଜ୍ୟରେ ୨୦ଟି ମହାବଳ ବାଘ ସହିତ ୪୦୦ରୁ ଅଧିକ କଲରାପତରିଆ ବାଘ ଅଛନ୍ତି । ସଠିକ ଭାବେ ଗଣନା ହେଲେ ଏହି ସଂଖ୍ୟାରେ କିଛିଟା ପରିବର୍ତ୍ତନ ଆସିପାରେ ବୋଲି ଜଙ୍ଗଲ ଅଧିକାରୀ ଆଶ ରଖିଛନ୍ତି ।

 

ବିଜେପିର ଚାର୍ଜସିଟ ରାଜନୀତି, ବିଜେପି ବିଧାୟକ ଦଳକୁ କରିଛି ଦୁଇଫାଳ!

ଭୁବନେଶ୍ବର: ବିଜେପିର ଚାର୍ଜସିଟ ରାଜନୀତି ବିଜେପି ବିଧାୟକ ଦଳକୁ ଦୁଇଫାଳ କରିଛି । ବିରୋଧୀ ଦଳ ନେତା ଜୟନାରା୍ରଣ ମିଶ୍ର ଚାର୍ଜସିଟ  ରଣନୀତିକୁ ବ୍ୟକ୍ତିଗତ ମତ କହି ନିଜ ଦଳର ନେତାଙ୍କୁ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ  ଜୟ ନାରାୟଣଙ୍କ ଚାର୍ଜସିଟ ରଣନୀତିକୁ ବ୍ୟକ୍ତିଗତ ମତ ବୋଲି ଖୋଲାଖୋଲି ଗଣମାଧ୍ୟମ ଆଗରେ କହିଛନ୍ତି  । ବିଧାୟକ ପ୍ରକାଶ ସୋରେନ ମଧ୍ୟ ଚାର୍ଜସିଟ ରଣନୀତି କଣ ବୋଲି ପ୍ରଶ୍ନ କରିଛନ୍ତି । ବିଜେପିର ରଣନୀତିକୁ ନେଇ ବିଧାୟକ ଦଳ ନେତା ଓ ବିଧାୟକଙ୍କ ମତରେ ତାଳମେଳ ନାହିଁ । ବିଜେପିର ଚାର୍ଜସିଟ ରଣନୀତିକୁ ମଧ୍ୟ କଟାକ୍ଷ କରିଛନ୍ତି କଂଗ୍ରେସ ଓ ବିଜେଡି । ଯାହାକୁ ନେଇ ବିଜେପି ୨୪ ରଣନୀତି ପାଣିଚିଆ ହୋଇଛି ।

ଚାର୍ଜସିଟ ରଣନୀତି ନେଇ ବିଜେପି ରାଜନୀତି ଚାର୍ଜ। ବିରୋଧୀ ଦଳ ନେତା- ମୁଖ୍ୟ ସଚେତକ ମୁହାଁମୁହିଁ। ଜୟନାରାୟଣଙ୍କ ବୟାନକୁ ବ୍ୟକ୍ତିଗତ ମତ କହିଲେ ମୋହନ। ପ୍ରକାଶ ସୋରେନ ବି ଉଠାଇଲେ ପ୍ରଶ୍ନ। କଟାକ୍ଷ କଲା କଂଗ୍ରେସ। ନିଜ ଚାର୍ଜସିଟରେ ନିଜେ ଅଭିଯୁକ୍ତ ରାଜ୍ୟ ବିଜେପି। ଲୋକଙ୍କ ପାଖକୁ ଚାର୍ଜସିଟ ନେବା ପୂର୍ବରୁ ଜୟନାରାୟଣଙ୍କ ରଣନୀତିକୁ ନେଇ ଉଠିଲା ପ୍ରଶ୍ନ। କାହିଁକି ଦଳରେ ହଠାତ୍ ଏମିତି ରଣନୀତି? ବିରୋଧୀ ଦଳ ନେତା ବିଳିବିଳେଇଲା ଭଳି ଚାର୍ଜସିଟ ରଣନୀତି କଥା କହିବା ନେଇ ଦଳ ଭିତରେ ଜୟଙ୍କୁ ଘେରିଛନ୍ତି ନିଜ ଦଳର ବିଧାୟକ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଚାର୍ଜସିଟ ରଣନୀତି ଜୟନାରାୟଣଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି।

ଚାର୍ଜସିଟ୍ ବୟାନ କଣ ବୋଲି ମଧ୍ୟ ପଚାରିବାକୁ ପଛାଇ ନାହାନ୍ତି। ସେହିପରି ବିଧାୟକ ପ୍ରକାଶ ସୋରେନ ମଧ୍ୟ ଚାର୍ଜସିଟ ରଣନୀତି ଜାଣିନଥିବା କହିଛନ୍ତି। ବିଜେପି ବିଧାୟକଙ୍କ ଚାର୍ଜସିଟ ବୟାନ ରାଜନୀତିର ଭାଷା ନାଁ ବ୍ୟକ୍ତିଗତ ଭାଷା, ତାକୁ ନେଇ କାଠଗଡ଼ାରେ ଜୟନାରାୟଣ। ବିଭିନ୍ନ ମାମଲାରେ ଜୟଙ୍କ ବିରୋଧରେ ଚାର୍ଜସିଟ ହୋଇଛି। ବୋଧେ ତାକୁ ଲକ୍ଷ୍ୟ ରଖି ୨୪ ନିର୍ବାଚନ ପାଇଁ ଚାର୍ଜସିଟ ଶଦ୍ଦକୁ ଆଣିବାକୁ ଚାହୁଁଥିବା କହି ଜୟନାରାୟଣଙ୍କ ଦଳ ଭିତରୁ ନେତାଏ ଘେରିଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି ରାଜନୀତି ଗୋଳିଆ ହୋଇଛି। ଦଳର ନିଷ୍ପତ୍ତି ଯଦି ଚାର୍ଜସିଟ ହୋଇଥାନ୍ତା, ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବରିଷ୍ଠ ବିଧାୟକ ବି ଅବଗତ ହୋଇଥାନ୍ତେ। ଏବେ ଚାର୍ଜସିଟ ଶଦ୍ଦ ଯେ, ବିଜେପି ଦଳରେ ଫାଟ ସୃଷ୍ଟି କରିଛି ତାହା ନେତାଙ୍କ ବୟାନରୁ ବଡ଼ ସଙ୍କେତ ମିଳିଛି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଚାର୍ଜସିଟ ରଣନୀତିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ରାଜ୍ୟବାସୀଙ୍କ ପାଖରେ ବିଜେପି ନିଜେ ଅଭିଯୁକ୍ତ ହୋଇଥିବାରୁ ଏପରି ଚାର୍ଜସିଟ ନାଟକ କରୁଛି ବୋଲି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଓଡ଼ିଶାବୀସୀ ବିଜେପିର ଅସଲ ଚାର୍ଜସିଟ ବତାଇବେ ବୋଲି କଂଗ୍ରେସ କହିଛି। ସେପଟେ ୨୪ନିର୍ବାଚନକୁ ଆଖିରେ ରଖି ବିଜେପି ଏପରି ନୂଆ ସ୍ଲୋଗାନ ଦେଇଛି। ରାଜନୀତିରେ କିଏ ଚୋର ଓ କିଏ ଭଲ ତାହା ବିଜେପି ଅପେକ୍ଷା ଲୋକେ ଜାଣନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ଅନ୍ୟପଟେ ବିଜେପି ଚାର୍ଜସିଟ ପଲିଟିକ୍ସରେ ନିଜ ଦଳର ସ୍ଥିତି କଣ ତାହା ଦଳୀୟ ନେତାଙ୍କ ମତରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ବିଜେଡି କହିଛି। ୨୪ନିର୍ବାଚନ ସ୍ଲୋଗାନ ରଣନୀତି ନେଇ ବିଜେପି ସରକାରକୁ ଘେରିବା ପୂର୍ବରୁ ଦଳର ସ୍ଥିତି ଓ ଆଭିମୁଖ୍ୟ ବିବାଦ ଚିନ୍ତା କରୁ ବୋଲି ଦଳ କହିଛି।