ଆୟୂର୍ବେଦରେ ରହିଛି ଅମୋଘ ଚିକିତ୍ସା ଶକ୍ତି

ସମ୍ବଲପୁର: ଆୟୁର୍ବେଦରେ ରହିଛି କ୍ୟାନସର, ମଧୂମେହ, ଫାଇଲେରିଆ ପରି ରୋଗର ସଫଳ ଚିକିତ୍ସା । ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ବାୟୋ ଟେକ୍ନୋଲୋଜିର ରିସର୍ଚ୍ଚରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମଧୁମେହର କ୍ୟାପସୁଲ ତିଆରି ସରିଥିବାବେଳେ କ୍ୟାନସର ଔଷଧ ମୂଷାଙ୍କ ଉପରେ ଲ୍ୟାବରେ ପରୀକ୍ଷା ସରିଛି । ସେହିପରି ଫାଇଲେରିଆ ଖାଇ ରୋଗୀ ଉପଷମ ହେଉଥିବା ଦାବି କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ଆୟୁର୍ବେଦରେ ରହିଛି ଅମୋଘ ଚିକିତ୍ସା ଶକ୍ତି । କ୍ୟାନସର, ମଧୂମେହ, ଫାଇଲେରିଆ ପରି ରୋଗର ଉପଚାର । ବାୟୋ ଟେକନୋଲୋଜି ରିସର୍ଚ୍ଚରୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । କ୍ୟାନସର ଔଷଧ ସନ୍ଧାନରେ ସମ୍ବଲପୁର ବିଶ୍ବବିଦ୍ୟାଳୟ । ଆର୍ୟୁବେଦିକ ପଦ୍ଧତିରେ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ ଉପରେ ଚାଲିଛି ରିସର୍ଚ୍ଚ । କ୍ୟାନ୍ସର ଔଷଧ ସନ୍ଧାନରେ ବାୟୋଟେକ୍ନୋଲୋଜି ଓ ବାୟୋ ଇନଫରମେଟିକ୍ ବିଭାଗ ।

ଗନ୍ଧମାର୍ଦ୍ଧନ ପାହାଡ ପାଦଦେଶରୁ ଔଷଧୀୟ ବୃକ୍ଷ ଆଣି ଚାଲିଛି ଅନୁସଂଧାନ । ଏହାକୁ ମୂଷାଙ୍କ ଉପରେ ପ୍ରୟୋଗ କରି ତାର ପ୍ରଭାବ ଓ କାର୍ଯ୍ୟକାରିତା ନେଇ କରାଯାଉଛି ପରୀକ୍ଷା। ଖାସ କରି ସ୍ତନ କର୍କଟ, ସର୍ଭିକାଲ କ୍ୟାନସର, ଓଭାରିଆନ କ୍ୟାନସର ଉପରେ କରାଯାଉଛି ରିସର୍ଚ୍ଚ । ଏହି ଆନିମଲ ଟ୍ରାଏଲ ସଫଳ ହେଲେ ଏହାର କ୍ଲିନିକାଲ ଟ୍ରାଏଲ ହେବ ବୋଲି କହିଛନ୍ତି ସେଣ୍ଟର ଅଫ ଏକ୍ସିଲେନ୍ସର ସଂଯୋଜକ ପ୍ରଫେସର ପ୍ରଦୀପ ନାଏକ ।

ବର୍ତ୍ତମାନ ମଧୁମେହ ପାଇଁ ବ୍ୟବହାର ହେଉଥିବା ଔଷଧ ପାନକ୍ରିୟାଜ୍ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହାସହ ବିଟାସେଲର ଜେନେରେଟ କରିନଥାଏ ଏଲୋପ୍ୟାଥିକ ଔଷଧ । ହେଲେ ବିଭାଗ ତିଆରି କରିଥିବା କ୍ୟାପସୁଲରେ ବିଟାସେଲ ଫରମେସନ କରିବାର କ୍ଷମତା ରହୁଛି । ଏହାର ଖର୍ଚ୍ଚ ପ୍ରତି କ୍ୟାପସୁଲ ପିଛା 25 ପଇସା ରହିଛି ।

ଭୁବନେଶ୍ବର ଏମ୍ସ ସହ ମିଶି ଏହି ପ୍ରୋଜେଜ୍ଟ ଚାଲିଥିବାବେଳେ ପେଟେଣ୍ଟ ପାଇଁ ଆବେଦନ ହୋଇଥିବା କହିଛନ୍ତି ସଂଯୋଜକ । ସେହିପରି ଫାଇଲେରିଆ ଔଷଧ ମଧ୍ୟ ପ୍ରସ୍ତୁତ କରିଛି ବିଭାଗ । ଏଲୋପ୍ୟାଥିକ ଔଷଧରେ ମାଇକ୍ରୋ ଫାଇଲେରିଆ ସେଲ୍ ମାରିବାର କ୍ଷମତା ଥିବାବେଳେ ବିଭାଗ ପ୍ରସ୍ତୁତ କରିଥିବା ଔଷଧରେ ଆଡଲ୍ଟ ସେଲ୍ ମାରିବାର କ୍ଷମତା ରହିଛି ।