ପ୍ରଥମଥର ଭୁବନେଶ୍ବରରେ ହେବ ବାଘ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଥମଥର ପାଇଁ ଭୁବନେଶ୍ବରରେ ହେବ ବାଘ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଚଳିତମାସ ୧୫ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ଚିଠି ଲେଖିଛି । ରାଜ୍ୟରେ ଥିବା ବାଘଙ୍କ ସଂଖ୍ୟା ସଠିକ୍ ନିରୂପଣ କରିବାକୁ ବଳିଷ୍ଠ କ୍ୟାମେରା ଖଞ୍ଜାଯିବା ସହ ସାଟେଲାଇଟ୍ ସର୍ଭେ ଓ ଡିଏନ୍ଏ ନମୁନା ସହିତ ମେଳ କରାଯିବ। ୨୦୨୪ ଜାନୁଆରୀ ସୁଦ୍ଧା ଗଣନା ପାଇଁ ସମସ୍ତ ପ୍ରସ୍ତୁତି ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ବାସ୍ତବରେ କେତେ ଅଛନ୍ତି ମହାବଳ ? କେମିତି ସଠିକ୍ ଭାବେ ହେବ ସେମାନଙ୍କ ଗଣନା ? ଏଥିପାଇଁ ପ୍ରଥମଥର ପାଇଁ ଭୁବନେଶ୍ବରରେ ଆୟୋଜିତ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଚଳିତମାସ ୧୫ ତାରିଖରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ଜଙ୍ଗଲ ବିଭାଗ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ଚିଠି ଲେଖିଛି । ପ୍ରତିଷ୍ଠାନର ଦୁଇଜଣ ବନ୍ୟପ୍ରାଣୀ ବୈଜ୍ଞାନିକ ସମସ୍ତ ବନଖଣ୍ଡ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେବେ । ଶିମିଳିପାଳ ଅଭୟାରଣ୍ୟ ସମେତ ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଖଞ୍ଜାଯିବା ସହିତ, ବାଘ ପାଦଚିହ୍ନ ମେଳ, ସାଟେଲାଇଟ୍ ଦ୍ବାରା ବାଘର ଗତିବିଧି ଓ ବାଘର ମଳମୂତ୍ର, ଲୋମରୁ ଡିଏନ୍ଏ ନମୁନା ବିଶ୍ଲେଷଣ କରି ବାଘଙ୍କ ସଠିକ୍ ସଂଖ୍ୟା ନିରୂପଣ କରାଯିବ ।

ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ଅଧୀନରେ ଆସୁଥିବା କୁଲଡିହା, ହଦଗଡ଼, କେନ୍ଦୁଝରର ଘଟଗାଁରେ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଦ୍ବାରା ଗୋଟିଏ ବାଘକୁ ତା ଚମଡ଼ାର ପଟ୍ଟା ଦାଗକୁ ନେଇ ଚିହ୍ନଟ କରାଯିବ । ପରେ ସେହି ବାଘର ସଂଗୃହୀତ ମଳମୂତ୍ରର ଡିଏନ୍ଏ ସହିତ ମେଳ କରାଯିବ । ଏହାବ୍ୟତୀତ ବାଘ ବିଚରଣ କରୁଥିବା ଇଲାକା ଯେପରିକି ଦେବ୍ରୀଗଡ଼, ସୁନାବେଡ଼ା, ଛତିଶଗଡ଼ ସୀମା ସଂଲଗ୍ନ ଉଦନ୍ତୀ ଜଙ୍ଗଲ, କୋରାପୁଟର ଲମତାପୁଟ, ଆନ୍ଧ୍ର ସୀମାନ୍ତ ଗୁଣପୁର ଅଞ୍ଚଳରେ କ୍ୟାମେରା ଖଞ୍ଜିବାକୁ ଯୋଜନା କରାଯାଇଛି । ୨୦୨୪ ଜାନୁଆରୀ ଶେଷସୁଦ୍ଧା ବାଘ ଗଣନା ପାଇଁ କ୍ୟାମେରା ଲଗାଇବା କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭାରତରେ ବାଘ ଗଣନା ପଦ୍ଧତି ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ପୂର୍ବତନ ଅଧିକାରୀ ସରୋଜ ରାଜ ଚୌଧୁରୀଙ୍କ ଦ୍ବାରା ଆବିଷ୍କୃତ ଏହି ପଦ୍ଧତି ପରବର୍ତ୍ତୀ ଅବସ୍ଥାରେ ଦେଶର ସବୁ ସଂରକ୍ଷିତ ଜଙ୍ଗଲରେ ବାଘ ଗଣନା ପାଇଁ ବ୍ୟବହାର ହୋଇଥିଲା । କିନ୍ତୁ ବାଘ ଗଣନା ପାଇଁ ଏହି ପଦ୍ଧତିର ଅବୈଧ ବ୍ୟବହାର ଯୋଗୁ ତାହା ପରେ ଆଉ ଗ୍ରହଣୀୟ ହୋଇନଥିଲା । ଏବେ ଯେପରି ଡିଏନ୍ଏ ଓ କ୍ୟାମେରା ଟ୍ରାପ୍ ଜରିଆରେ ଗଣନା ହେବ ତାହା ୮୦ ପ୍ରତିଶତ ସଠିକ୍ ଭାବେ ବାଘଙ୍କ ସଂଖ୍ୟା ଗଣନା ହୋଇପାରିବ ।

ଛୁଆ ବାଘଙ୍କ ବୟସ ୬ ମାସରୁ କମ୍ ହୋଇଥିଲେ ତାଙ୍କୁ ଗଣନା ପାଇଁ ନିଆଯିବନି । କାରଣ ୬ମାସର ବାଘ ଛୁଆଙ୍କ ମୃତ୍ୟୁହାର ଅଧିକ ଥିବାରୁ ଗଣନାକୁ ନିଆଯାଏ ନାହିଁ । ଏହାସହିତ କ୍ୟାମେରା ଦେଢ଼ଫୁଟ ଉଚ୍ଚରେ ଲାଗୁଥିବାରୁ ସେମାନଙ୍କ ଦେହ କ୍ୟାମେରାରେ ଆସିବନି । ବାଘଙ୍କ ଲୋମ, ମଳ, ମୂତ୍ରର ନମୁନା ପରୀକ୍ଷା କରି ଡିଏନ୍ଏ ଅଣୁ ପୃଥକ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବନ୍ୟଜନ୍ତୁ ଚିକିତ୍ସା କେନ୍ଦ୍ରରେ ଅତ୍ୟାଧୁନିକ ଲାବୋରେଟରୀ ରହିଛି ।

ଗତମାସରେ ବାଘ ଗଣନା ରିପୋର୍ଟ ଅନୁଯାୟୀ ଏବେ ରାଜ୍ୟରେ ୨୦ଟି ମହାବଳ ବାଘ ସହିତ ୪୦୦ରୁ ଅଧିକ କଲରାପତରିଆ ବାଘ ଅଛନ୍ତି । ସଠିକ ଭାବେ ଗଣନା ହେଲେ ଏହି ସଂଖ୍ୟାରେ କିଛିଟା ପରିବର୍ତ୍ତନ ଆସିପାରେ ବୋଲି ଜଙ୍ଗଲ ଅଧିକାରୀ ଆଶ ରଖିଛନ୍ତି ।