spot_img
Home Blog Page 2647

ଥମୁନି ସୁଦାନ ହିଂସା, କ୍ଷମତା ଲଢେଇରେ ମୃତ୍ୟୁସଂଖ୍ୟା ୪ ହଜାର ପାର୍

ନନ୍ଦିଘୋଷ ବ୍ୟୁରୋ: ଥମୁନି ସୁଦାନ ହିଂସା । ଘନୀଭୂତ ହେଉଛି ଲଢେଇ । କିଛି ମାସ ଧରି ଚାଲିଥିବା କ୍ଷମତା ଲଢେଇରେ ମୃତ୍ୟୁସଂଖ୍ୟା ୪ ହଜାର ପାର୍ ହୋଇଥିବାବେଳେ ଦେଶର ନିୟନ୍ତ୍ରଣକୁ ନେଇ ଏବେ ବି ସଂଶୟରେ ଦୁଇପକ୍ଷ । ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବାବେଳେ ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଲେଣି ୧୧ ଲକ୍ଷ ଲୋକ । ରବିବାର ହୋଇଥିବା ଡ୍ରୋନ ହମଲାରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଖୋର୍ତୋମରେ ସ୍ଥିତି ହେଲାଣି ଭୟଙ୍କର ।

ଆହତମାନଙ୍କୁ ବାସେର ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଜିଷ୍ଟାନ୍ସ କମିଟି ପକ୍ଷରୁ ମାନବିକ ସହାୟତା ଯୋଗାଇଦିଆଯାଉଛି । ଗତ ଏପ୍ରିଲ ମଧ୍ୟଭାଗରୁ ସୁଦାନରେ ଜେନେରାଲ ଆବଦେଲ ଫତାହ ବୁରହାନ ନେତୃତ୍ବାଧୀନ ସାମରିକ ବାହିନୀ ଓ ଜେନେରାଲ ମହମ୍ମଦ ହମଦାନ ଦାଗଲୋଙ୍କ ନେତୃତ୍ବାଧୀନ ଆରଏସଏଫ ପକ୍ଷରୁ ସଂଘର୍ଷ ଜାରି ରହିଛି । ଗୁଳିଗୋଳା ବିନିମୟ ଓ ଏୟାରଷ୍ଟ୍ରାଇକରେ ରାଜଧାନୀ ଖୋର୍ତମର ଅନେକ କୋଠା ହେଲାଣି ଛାରଖାର ।

ଏସିଆ କପ୍: ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ, କୋହଲି-ରାହୁଲଙ୍କ ପରେ ଚମକିଲେ କୁଲଦୀପ

କଲମ୍ବୋ: ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ଏସିଆ କପରେ ୨୨୮ ରନରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଏହି ରେକର୍ଡ ୧୪୦ ରନର ଥିଲା । ଯାହା କି ଭାରତ ୨୦୦୮ରେ ମୀରପୁର ଷ୍ଟାଡିୟମରେ ବନାଇଥିଲା । କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଶତକୀୟ ଇନିଂସ ଖେଳିଥିଲେ । ବିରାଟ କୋହଲି ୯୪ ଟି ବଲରେ ୧୨୨ ରନ୍ ଏବଂ କେଏଲ୍ ରାହୁଲ ୧୦୬ଟି ବଲରେ ୧୧ରନ୍ କରି ଅପରାଜିତ ରହିଥିଲେ ।

ଜବାବରେ ପାକିସ୍ତାନ ୩୨ ଓଭରରେ ୧୨୮/୮ ରନ୍ ହିଁ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନର ଦୁଇଜଣ ବ୍ୟାଟର ଆହତ କାରଣରୁ ପଡ଼ିଆକୁ ଓହ୍ଲାଇପାରିନଥିଲେ । କେବଳ ୮ ଜଣ ହିଁ ବ୍ୟାଟିଂ କରିଥିଲେ । ସେଥିପାଇଁ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ପାକିସ୍ତାନକୁ ନିଜ ଦିନିକିଆ ଇତିହାସରେ ଦ୍ୱିତୀୟଥର ସବୁଠୁ ବଡ଼ ପରାଜୟ ମିଳିଛି । ଦଳକୁ ଏହା ପୂର୍ବରୁ ୨୦୦୯ରେ କରାଚୀ ଷ୍ଟାଡିୟମରେ ଶ୍ରୀଲଙ୍କା ୨୩୪ରନରେ ପରାଜିତ କରିଥିଲା । ୩୫୭ରନର ବଡ଼ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଖରାପ ରହିଥିଲା । ଦଳ ୫ମ ଓଭର ଖେଳ ଚାଲୁଥିବାବେଳେ ଇମାମ-ଉଲ-ହକଙ୍କ ୱିକେଟ୍ ହରାଇଥିଲା ।

ଇମାମ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଓଭର ବଢିବା ସହ ଦଳୀୟ ସ୍ଥିତି ଶୋଚନୀୟ ହେବାରେ ଲାଗିଥିଲା । କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସଫଳ ହୋଇନଥିଲେ । ପାକିସ୍ତାନ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ୍ କରିଥିଲେ । ସେହିପରି ଅଘା ସଲମାନ ଏବଂ ଇଫତିକାର ଅହମ୍ମଦ ୨୩ ଲେଖାଏଁ ରନ୍ କରିଥିଲେ । ଦଳ ୩୨ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲାଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଭାରତକୁ ସୁପର-୪ରେ ଦ୍ୱିତୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବାର ଅଛି ।

ଶିଶୁ ଉପନ୍ୟାସ ‘କୁନିବଣି’ ଓ ‘ମୁଁ ବି ଆମ୍ବେଡ଼କର’ ଉନ୍ମୋଚିତ

ଭୁବନେଶ୍ୱର : ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜଙ୍କ ଲିଖିତ ଶିଶୁ ଉପନ୍ୟାସ ‘କୁନିବଣି’ ଏବଂ କନ୍ନଡ଼ ଭାଷାରୁ ତାଙ୍କ ଦ୍ୱାରା ଅନୂଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଡ଼କର’ ପୁସ୍ତକ ଉନ୍ମୋଚିତ ହୋଇଛି। ରବିବାର ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀ ସଭାଗୃହରେ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବିଶେଷ ଅତିଥି ଭାବେ କନ୍ନଡ ଭାଷା ପାଇଁ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଏଚ.ଏସ. ବ୍ୟାକୋଡ ଯୋଗ ଦେଇଥିଲେ।

ଉତ୍ସବ ଆରମ୍ଭରେ ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ ‘କୁନିବଣି’ ଏକ ଯୁଗସ୍ରଷ୍ଟା ଶିଶୁ ଉପନ୍ୟାସ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଲେଖକ ବୀରେନ୍ଦ୍ର ମହାନ୍ତି ଶିଶୁ ଉପନ୍ୟାସ ଅଧିକରୁ ଅଧିକ ଲିଖନ ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ସନାତନ ପଣ୍ଡା ଶିଶୁ ଉପନ୍ୟାସକୁ ବିଦ୍ୟାଳୟରେ ଅଧିକରୁ ଅଧିକ ପାଠକ ପ୍ରିୟ କରିବା ପାଇଁ ଆହ୍ଵାନ ଦେଇଥିବା ବେଳେ ମୁଖ୍ୟବକ୍ତା ତଥା ଶିଶୁ-ସାହିତ୍ୟିକ ଦାଶ ବେନହୁର ଶିଶୁ ସାହିତ୍ୟ ଆଜିକାଲି ପାଠକାଦୃତ ହେଉଥିବା ବ୍ୟକ୍ତ କରିଥିଲେ ଏବଂ ଏହା ପିଲାଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

ସଭାମୁଖ୍ୟ ତଥା ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଶିଶୁ ସାହିତ୍ୟ ଏବଂ ସମାଜ ଗଠନରେ ଶିଶୁ ଉପନ୍ୟାସର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ‘କୁନିବଣି’ ଭଳି ଏକ ଭଲ ଉପନ୍ୟାସକୁ ଉପହାର ଦେବା ନିମନ୍ତେ ସମସ୍ତଙ୍କୁ କହିଥିଲେ। ବିଶେଷ ଅତିଥି ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଏଚ.ଏସ. ବ୍ୟାକୋଡ଼ ଆଞ୍ଚଳିକ ଭାଷାରେ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଅନୁବାଦଧର୍ମୀ ଲିଖନ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ କନ୍ନଡ ଭାଷାରୁ ଓଡ଼ିଆକୁ ପ୍ରଥମଥର ପାଇଁ ଶିଶୁ ଉପନ୍ୟାସ ଅନୁବାଦିତ ହୋଇଥିବାରୁ ଅନୁବାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷକ ଡକ୍ଟର ହେମନ୍ତ କୁମାର ଛୋଟରାୟ ଉନ୍ମୋଚିତ ଉପନ୍ୟାସ ଦ୍ୱୟ ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ କରିଥିବାବେଳେ ‘କୁନିବଣି’କୁ ସମୀକ୍ଷା କରି ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ତାହା ଶିଶୁ ପ୍ରିୟ ଓ ଶିଶୁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବର ପ୍ରାରମ୍ଭରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଓ ସୁଶ୍ରୀ ନଳିନୀପ୍ରଭା ଦାଶଙ୍କ ସଂଯୋଜନାରେ ଶିଶୁ-କିଶୋର କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଶିଶୁ ସାହିତ୍ୟିକ ଡକ୍ଟର ଶରତ କୁମାର ବିଶ୍ଵାଳ ସଭାପତିତ୍ୱ କରିଥିଲେ। ୬୦ରୁ ଊର୍ଦ୍ଧ୍ଵ କବି ସ୍ଵରଚିତ ଶିଶୁ କବିତା ପାଠ କରିଥିଲେ। ଏହି ଅବସରରେ କନ୍ନଡ ଭାଷାର ଶିଶୁ ସାହିତ୍ୟିକ ତଥା ଆନ୍ତର୍ଜାତିକ ବନ୍ୟପ୍ରାଣୀ ଫଟୋଗ୍ରାଫର ଏଚ.ଏସ. ବ୍ୟାକୋଡ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ ହିମାଂଶୁ ଶେଖର ଫତେସିଂହଙ୍କୁ ସମ୍ମାନିତ କରାଯାଇଥିଲା।

ଏଥିସହିତ ଶିଶୁ-ପ୍ରତିଭା ଶେଖର କୁମାର ସ୍ଵାଇଁ, ବିଜୟଲକ୍ଷ୍ମୀ ସାହୁ, କୁମାରୀ ରତ୍ନମଞ୍ଜରୀ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଏଚ.ଏସ. ବ୍ୟାକୋଡଙ୍କ କନ୍ୟା ଯମୁନେଶ୍ୱରୀ ଉନ୍ମୋଚିତ ପୁସ୍ତକର ମୂଳ କନ୍ନଡ଼ ବହିଟି ମୈତ୍ରୀ ମିଶନକୁ ପ୍ରଦାନ କରିଥିବା ବେଳେ, ମୈତ୍ରୀ ମିଶନ ତରଫରୁ ତାଙ୍କୁ ଓଡ଼ିଆ ଅନୁବାଦଟି ପ୍ରଦାନ କରାଯାଇଥିଲା । ଉନ୍ମୋଚିତ ବହି ଦୁଇଟିକୁ ନେଇ ଲେଖକ ପ୍ରଶାନ୍ତ କୁମାର ମଙ୍ଗରାଜ ନିଜ ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯକ୍ରମର ସଫଳତା ନିମନ୍ତେ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମଟିକୁ ‘ଶିଶୁ କିଶୋର ସୃଜନୀ-ସଖା ଆସର’ ତରଫରୁ ଆୟୋଜନ କରାଯାଇଥିଲା।

ଉଚ୍ଚସ୍ତରୀୟ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ୱର: ହାଇ ଲେବୁଲ୍ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ମଂଜୁରୀ । ୧ଲକ୍ଷ ୧ହଜାର ୮୦୪. ୪୩କୋଟିର ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି । ଜଗତସିଂହପୁର JSW ଉତ୍କଳ ଷ୍ଟିଲକୁ ସଂପ୍ରସାରଣ ପାଇଁ ମଂଜୁରୀ ପ୍ରଦାନ କରାଯାଇଛି । ସେହିଭଳି କଳିଙ୍ଗନଗର ଜିନ୍ଦଲ ଫେରସ ଲିମିଟେଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଝାରସୁଗୁଡା MSP ମେଟାଲିକ୍ସ ପ୍ରକଳ୍ପ ଓ ଖୋର୍ଦ୍ଧା ଆଭାଦା ଇଲେକ୍ଟ୍ରୋ ପ୍ରା.ଲିଃକୁ ମଂଜୁରୀ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ବର୍ଜର ପେଣ୍ଟସ୍ ଇଣ୍ଡିଆ ଲିମିଟେଡକୁ ମଧ୍ୟ ମଂଜୁରୀ ମିଳିଛି । ପାରାଦୀପ L&T ଏନର୍ଜି ଗ୍ରୀନ ଟେକ୍ ଲିମିଟେଡକୁ ଓ ଭଦ୍ରକ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି । ଗଂଜାମ ପେଟ୍ରୋନେଟ୍ LNG ଲିମିଟେଡ ଓ କୋରାପୁଟ ତୋଷାଳି ସିମେଣ୍ଟ ପ୍ରା.ଲିଃକୁ ବି ଅନୁମତି ମିଳିଛି ।

ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶାସନିକ ସେବା ନିୟମର ପାଠ ପଢାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶାସନିକ ସେବା ନିୟମର ପାଠ ପଢାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ମଧ୍ୟପ୍ରଦେଶର ଆଇନା ଦେଖାଇ ଅପରାଜିତାଙ୍କୁ ସମାଲୋଚନା କଲେ ସସ୍ମିତ । ମଧ୍ୟପ୍ରଦେଶରେ ଆରଏସଏସର କାର୍ଯ୍ୟକ୍ରମରେ ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସଂଘ ସାଲ୍ୟୁଟ ମାରିବା ଠିକ୍, ହେଲେ ଓଡ଼ିଶାରେ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଏସପି ଯୋଗଦେବା ଭୁଲ୍ । ଅପରାଜିତାଙ୍କର ଏ କେଉଁ ପ୍ରକାର ନୀତି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ।

ଅପରାଜିତା କଣ ମଧ୍ୟପ୍ରଦେଶର ଏହି ଘଟଣାକୁ ନିନ୍ଦା କରିବେ କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ମୟୂରଭଞ୍ଜରେ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେବାକୁ ନେଇ ପ୍ରଶ୍ନ ଉଠାଇବା ସହିତ ବିବାଦ ସୃଷ୍ଟି କରିଥିଲେ ସାଂସଦ ଅପରାଜିତା । ଅପରାଜିତାଙ୍କୁ ଜବାବ ଦେଇ ସସ୍ମିତ କହିଛନ୍ତି, ବିଜେପି ଶାସିତ ମଧ୍ୟପ୍ରଦେଶରେ ସଂଘ କାର୍ଯ୍ୟକ୍ରମରେ ଦୁଇ ଆଇଏଏସ ଅଧିକାରୀ ରାଜନେତାଙ୍କ ଗହଣରେ ଠିଆ ହୋଇ ସଂଘୀୟ ସାଲ୍ୟୁଟ ମାରିଥିଲେ । ଏନେଇ ଏକ ଫଟୋ ସେୟାର କରି ଅପରାଜିତାଙ୍କୁ ଜବାବ ଦେବା ସହିତ ପ୍ରଶ୍ନ କରିଛନ୍ତି ସସ୍ମିତ ।

ପୁଣି ବର୍ଷା, ପାକିସ୍ତାନ ବ୍ୟାଟିଂରେ ବାଧା

କଲମ୍ବୋ: ରିଜର୍ଭ ଡେ’ରେ ଖେଳାଯାଉଛି ଭାରତ-ପାକିସ୍ତାନ ମ୍ୟାଚ୍ । ରବିବାର ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ବର୍ଷା ବାଧକ ସାଜିଥିଲା । ସୋମବାର ମଧ୍ୟ ବର୍ଷା ପାଇଁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ତେବେ ଭାରତ ୫୦ ଓଭର ଖେଳି ୨ ଓ୍ବିକେଟ ବିନିମୟରେ ୩୫୬ ରନ ସଂଗ୍ରହ କରିପାରିଛି । ଗିଲ ଏବଂ ରୋହିତ ଅର୍ଦ୍ଧଶତକୀୟ ପାଳି ଖେଳିଥିବାବେଳେ ରାହୁଲ ଏବଂ କୋହଲି ଶତକୀୟ ପାଳି ଖେଳିଛନ୍ତି । ତେବେ ୩୫୭ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ପାକିସ୍ତାନ ୨ ଓ୍ବିକେଟ ହରାଇଛି । ୧୧ ଓଭରରେ ୪୪ ରନ କରିଥିବାବେଳେ ବର୍ଷା ପାଇଁ ପୁଣିଥରେ ବ୍ରେକ୍ ହୋଇଛି । ମ୍ୟାଚ ଅଟକିବା ବେଳକୁ କ୍ରିଜରେ ମହମ୍ମଦ ରିଜଓ୍ବାନ ୧ ରନ ଓ ଫକର ଜମାନ ୧୪ ରନ କରି ଖେଳୁଛନ୍ତି ।

ସମାଜସେବୀ ସ୍ୱର୍ଗତ ତିଳୋତ୍ତମାଙ୍କ ନିର୍ମିତ ଗୃହ ହେବ ପୋଲିସ ସେବା କେନ୍ଦ୍ର

ଭୁବନେଶ୍ୱର: ପୋଲିସ ସେବା କେନ୍ଦ୍ର ପାଇଁ ସମାଜସେବୀ ସ୍ୱର୍ଗତ ତିଳୋତମା ପଣ୍ଡାଙ୍କ ଦ୍ୱାରା ନିର୍ମିତ ଗୃହକୁ ଉତ୍ସର୍ଗୀକୃତ କରାଯିବ । ସେହିପରି ସେବା କେନ୍ଦ୍ର ପାଇଁ ଆବଶ୍ୟକୀୟ ସରଞ୍ଜାମ ବି ଯୋଗାଇ ଦିଆଯିବ । ଲୁଲୁ ଭାଇନା ବିକାଶ ମଂଚ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଭୁବନେଶ୍ୱର କମିଶନରେଟ ପୁଲିସ କାର୍ଯ୍ୟାଳୟରେ ଏନେଇ ଡିସିପି ପ୍ରତୀକ ସିଂଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ଆଲୋଚନା କରିଛନ୍ତି । ଏଭଳି ମହତ୍‌ କାର୍ଯ୍ୟକୁ ଡିସିପି ଉଚ୍ଚ ପ୍ରଶଂସା କରିଛନ୍ତି ।

ଖୁବଶୀଘ୍ର ଡିସିପି ଏହି ସେବା କେନ୍ଦ୍ରକୁ ଉଦଘାଟନ କରିବେ ବୋଲି ଲୁଲୁ ଭାଇନା ବିକାଶ ମଂଚ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଡିସିପି ଶ୍ରୀ ସିଂ ବାଲିପାଟଣା ବ୍ଳକର ଆମଣାକୁଦା ପଂଚାୟତ ସରଂପଚ ମିତାଲି ମିଶ୍ର, ଲୁଲୁ ଭାଇନା ବିକାଶ ମଂଚର ଆବାହକ ଲୁଲୁ ପଣ୍ଡା ଓ ତିହୁରୀସ୍ଥିତ ଭାଇଭଉଣୀ କ୍ଳବର ସଭାପତି କୁବେର ବେହେରା ଏନେଇ ଡିସିପି ଶ୍ରୀ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଏହି ସେବା କେନ୍ଦ୍ର ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଂଚଳର ଆଇନ ଶୃଙ୍ଖଳା ସ୍ଥିତି ଠିକ ରହିବା ସହ ସାଧାରଣ ଲୋକମାନେ ତ୍ୱରିତ ପୁଲିସ ସେବା ଓ ନ୍ୟାୟ ପାଇପାରିବେ ବୋଲି ଲୁଲୁ ପଣ୍ଡା ପ୍ରକାଶ କରିଛନ୍ତି ।

ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ପପ୍ରେସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚଶିକ୍ଷିତ ପରେ ଚାକିରି ନିଶା ଛାଡ଼ । ଉଦ୍ୟୋଗୀ ହୋଇ ରୋଜଗାର କର ଅନ୍ୟକୁ ରୋଜଗାର ଦିଅ । ନୂଆ ଆଇଡିଆ ସହିତ ଆରମ୍ଭ କର ନିଜ ଷ୍ଟାର୍ଟ୍ ଅପ୍ । ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି ।

୨ଶହ କଲେଜ୍ ଓ ଉଚ୍ଚତର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅପ୍ ଯାତ୍ରା ଓ ଅଷ୍ଟମରୁ ଦଶମ ପାଠ ପଢୁଥିବା ୬୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅଫ୍ ଏକ୍ସପ୍ରେସ୍ ଭ୍ୟାନ୍ କ୍ୟାମ୍ପ ସାରା ଓଡ଼ିଶା ବୁଲିବ । ଏଥିରେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଲକ୍ଷ୍ୟ ରଖିଛି ଏମ୍ଏସ୍ଏମ୍ଇ ବିଭାଗ । ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟ୍ଲିଷ୍ଟ କରିବ । ୬୦ଟି ବୁଟ୍ କ୍ୟାମ୍ପ୍ ଜରିଆରେ ଚୟନ ହେବେ ଉଦ୍ୟୋଗୀ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବରେ ଇନକ୍ୟୁବେସନ୍ ପାଇଁ ଅଣାଯିବ ।

କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ସେହିପରି ଷ୍ଟାର୍ଟ୍ ଅପ୍ ଏକ୍ସ୍ପ୍ରେସ ଜରିଆରେ ସ୍କୁଲ ପିଲାଙ୍କ ଦ୍ବାରା ପ୍ରଦତ୍ତ ୧୦ଟି ସର୍ବଶ୍ରେଷ୍ଠ ଉପଯୋଗୀ ଆଇଡିଆକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ଷ୍ଟାର୍ଟ୍ ଅପ୍ ଓଡ଼ିଶା ଗଠନର ମାତ୍ର ଅଢେଇ ବର୍ଷ ଭିତରେ ଓଡ଼ିଆ ପିଲାଙ୍କ ଭିତରେ ଉଦ୍ୟୋଗୀ ହେବାର ନବଜାଗରଣ ସୃଷ୍ଟି ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏହା ଆହୁରି ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ଓ-ହବ୍ କର୍ତ୍ତୃପକ୍ଷ ।

Asia Cup-2023: ରାହୁଲ ଓ ବିରାଟଙ୍କ ବିସ୍ଫୋରକ ଶତକୀୟ ଇନିଂସ, ପାକିସ୍ତାନକୁ ୩୫୭ରନର ଟାର୍ଗେଟ

କଲମ୍ବୋ: ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୩୫୬ରନର ବିଶାଳ ସ୍କୋର କରିଛି । ବିରାଟ କୋହଲି ଏବଂ କେଏକଲ ରାହୁଲଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ୍ ବିନିମୟରେ ୩୫୬ ରନ୍ କରିଛି । ଶ୍ରୀଲଙ୍କାର କଲୋମ୍ବରେ ଚାଲିଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୫୬ ରନ୍ ସଂଗ୍ରହ କରିଛି । ଏବେ ପାକିସ୍ତାନକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ଓଭରରେ ୩୫୭ ରନ୍ କରିବାକୁ ହେବ । ତେବେ ଆଜିର ଏହି ମ୍ୟାଚ୍ ରିଜର୍ଭ ଡେ ରେ ଚାଲିଛି । ଗତକାଲି ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଭାରତୀୟ ସ୍କୋର ୧୪୭/୨ ଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଥିଲା ।

ଭାରତ ତାର ଦୁଇଟି ୱିକେଟ୍ ହରାଇଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଏବଂ ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇନିଂ ସ ଖେଳି ଆଉଟ୍ ହୋଇଥିଲେ । ରୋହିତ ଶର୍ମା ୪୯ ଟି ବଲ୍ ଖେଳି ୫୬ ରନ୍ କରିଥିଲେ ଏବଂ ଶୁବମନ ଗିଲ୍ ୫୨ ଟି ବଲରେ ୫୮ ରନ୍ କରିଥିଲେ ।  ଏହାପରେ ବିରାଟ କୋହଲି ଏବଂ କେଏଲ୍ ରାହୁଲ କ୍ରୀଜରେ ଥିଲେ । ଆଜି ଅପରାହ୍ନ ୪ଟା ୪୦ରେ ଖେଳ ୨୪.୧ ଓଭରରୁ ଖେଳ ଆରମ୍ଭ ହୋଇଥିଲା । ବିରାଟ ଏବଂ ରାହୁଲ ଖେଳ ଜାରି ରଖିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଅପରାଜିତ ରହି ଦଳୀୟ ସ୍କୋରକୁ ୩୫୬ରେ ପହଞ୍ଚାଇଛନ୍ତି । ବିରାଟ କୋହଲି ଆଜି ସବୁଠୁ ଦ୍ରୁତତମ ଦିନିକିଆ ୧୩୦୦୦ ସ୍କୋର ପୂରଣ କରିଛନ୍ତି । ଏଥିସହିତ ବିରାଟଙ୍କର ଏହା ୪୭ତମ ଦିନିକିଆ ଶତକ ଅଟେ ।

ବିରାଟ କୋହଲି ୯୪ଟି ବଲରେ ୧୨୨ ରନ୍ କରିଥିବା ବେଳେ ରାହୁଲ ୧୦୬ ଟି ବଲରେ ୧୧୧ ରନ୍ କରିଛନ୍ତି । ଉଭୟଙ୍କ ମଧ୍ୟରେ ୧୯୪ଟି ବଲରେ ୨୩୩ରନର ପାର୍ଟନରସିପ୍ ହୋଇଛି । ଆଜିର ମ୍ୟାଚରେ ପାକିସ୍ତାନୀ ବୋଲର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଶାହୀନ ଆଫ୍ରିଦୀ ଏବଂ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଗତ ଭାରତ ବିପକ୍ଷ ମ୍ୟାଚରେ ଷ୍ଟାର ବନିଥିବା ଶାହୀନ ଆଫ୍ରିଦୀ ଆଜିର ମ୍ୟାଚରେ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ଓଭରରେ ୭୯ ରନ୍ ବ୍ୟୟ କରିଛନ୍ତି । ଗତ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରେ ରହିଥିଲା । ଭାରତ ୨୬୬ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିଲେ । ଉଭୟ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ବଣ୍ଟାଯାଇଥିଲା ।

କେନ୍ଦୁଝର କୌଶଳ ବିକାଶ କେନ୍ଦ୍ରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନନ୍ଦିଘୋଷ ବ୍ୟୁରୋ:କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରରେ ଆଜି ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଯେଉଁଠି ଥାଅ, ଓଡ଼ିଶା ମାଟିର ସେବା କରିବାର ସୁଯୋଗ ହାତଛଡ଼ା କରନି । କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଫାଇଭ-ଟି ଉପକ୍ରମରେ ଓଡ଼ିଶା ଅପ୍-ସ୍କିଲିଂ ଓ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ସ୍କିଲ ସେଣ୍ଟର ଆରମ୍ଭ ହୋଇଛି ।

ପ୍ରଶିକ୍ଷଣ ପରେ ଆଇଟି କ୍ଷେତ୍ରରେ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟେକ୍‌ ମହିନ୍ଦ୍ରା ଲିମିଟେଡ୍ ସହଯୋଗରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ ସହଯୋଗୀ ଭାବେ ଟାଟା ଷ୍ଟିଲ ରହିଛି । ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ସହ ମାଗଣା ଲଜିଂ, ବୋର୍ଡିଂ ଓ ପରିବହନ ବ୍ୟବସ୍ଥା ରହିଛି । ପ୍ରଥମ ବ୍ୟାଚରେ ସାରା ଓଡ଼ିଶାରୁ ୧୮୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ପ୍ରଶିକ୍ଷଣ ପରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସଫ୍ଟୱେର ଇଂଜିନିୟର ଭାବେ ନିଯୁକ୍ତି ଦେବାକୁ ଟେକ୍‌ ମହିନ୍ଦ୍ରା କମ୍ପାନୀ ପ୍ରତିଶ୍ରୁତି ଦେଇଛି ।