Asia Cup-2023: ରାହୁଲ ଓ ବିରାଟଙ୍କ ବିସ୍ଫୋରକ ଶତକୀୟ ଇନିଂସ, ପାକିସ୍ତାନକୁ ୩୫୭ରନର ଟାର୍ଗେଟ

1 min read

କଲମ୍ବୋ: ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୩୫୬ରନର ବିଶାଳ ସ୍କୋର କରିଛି । ବିରାଟ କୋହଲି ଏବଂ କେଏକଲ ରାହୁଲଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ୍ ବିନିମୟରେ ୩୫୬ ରନ୍ କରିଛି । ଶ୍ରୀଲଙ୍କାର କଲୋମ୍ବରେ ଚାଲିଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୫୬ ରନ୍ ସଂଗ୍ରହ କରିଛି । ଏବେ ପାକିସ୍ତାନକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ଓଭରରେ ୩୫୭ ରନ୍ କରିବାକୁ ହେବ । ତେବେ ଆଜିର ଏହି ମ୍ୟାଚ୍ ରିଜର୍ଭ ଡେ ରେ ଚାଲିଛି । ଗତକାଲି ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଭାରତୀୟ ସ୍କୋର ୧୪୭/୨ ଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଥିଲା ।

ଭାରତ ତାର ଦୁଇଟି ୱିକେଟ୍ ହରାଇଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଏବଂ ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇନିଂ ସ ଖେଳି ଆଉଟ୍ ହୋଇଥିଲେ । ରୋହିତ ଶର୍ମା ୪୯ ଟି ବଲ୍ ଖେଳି ୫୬ ରନ୍ କରିଥିଲେ ଏବଂ ଶୁବମନ ଗିଲ୍ ୫୨ ଟି ବଲରେ ୫୮ ରନ୍ କରିଥିଲେ ।  ଏହାପରେ ବିରାଟ କୋହଲି ଏବଂ କେଏଲ୍ ରାହୁଲ କ୍ରୀଜରେ ଥିଲେ । ଆଜି ଅପରାହ୍ନ ୪ଟା ୪୦ରେ ଖେଳ ୨୪.୧ ଓଭରରୁ ଖେଳ ଆରମ୍ଭ ହୋଇଥିଲା । ବିରାଟ ଏବଂ ରାହୁଲ ଖେଳ ଜାରି ରଖିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଅପରାଜିତ ରହି ଦଳୀୟ ସ୍କୋରକୁ ୩୫୬ରେ ପହଞ୍ଚାଇଛନ୍ତି । ବିରାଟ କୋହଲି ଆଜି ସବୁଠୁ ଦ୍ରୁତତମ ଦିନିକିଆ ୧୩୦୦୦ ସ୍କୋର ପୂରଣ କରିଛନ୍ତି । ଏଥିସହିତ ବିରାଟଙ୍କର ଏହା ୪୭ତମ ଦିନିକିଆ ଶତକ ଅଟେ ।

ବିରାଟ କୋହଲି ୯୪ଟି ବଲରେ ୧୨୨ ରନ୍ କରିଥିବା ବେଳେ ରାହୁଲ ୧୦୬ ଟି ବଲରେ ୧୧୧ ରନ୍ କରିଛନ୍ତି । ଉଭୟଙ୍କ ମଧ୍ୟରେ ୧୯୪ଟି ବଲରେ ୨୩୩ରନର ପାର୍ଟନରସିପ୍ ହୋଇଛି । ଆଜିର ମ୍ୟାଚରେ ପାକିସ୍ତାନୀ ବୋଲର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଶାହୀନ ଆଫ୍ରିଦୀ ଏବଂ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଗତ ଭାରତ ବିପକ୍ଷ ମ୍ୟାଚରେ ଷ୍ଟାର ବନିଥିବା ଶାହୀନ ଆଫ୍ରିଦୀ ଆଜିର ମ୍ୟାଚରେ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ଓଭରରେ ୭୯ ରନ୍ ବ୍ୟୟ କରିଛନ୍ତି । ଗତ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରେ ରହିଥିଲା । ଭାରତ ୨୬୬ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିଲେ । ଉଭୟ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ବଣ୍ଟାଯାଇଥିଲା ।