spot_img
Home Blog Page 2641

ପୁଣି କେରଳକୁ ନିପା ଭୟ

ନନ୍ଦିଘୋଷ ବ୍ୟୁରୋ: କେରଳକୁ ପୁଣି ଫେରିଲା ନିପା ଭୟ। କୋଝିକୋଡ଼ ଜିଲ୍ଲାରେ ଜ୍ବରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପୁଣି ଥରେ ରାଜ୍ୟରେ ନିପା ଭାଇରସ ବ୍ୟାପିବା ଆଶଙ୍କା ଦେଖାଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ଏଥିସହ ଏକ କେନ୍ଦ୍ରୀୟ ଟିମ୍‌ କେରଳ ପଠାଇଯାଇଛି  । ଉଭୟଙ୍କ ମୃତ୍ୟୁ ଏକ ଘରୋଇ ହସପିଟାଲରେ ହୋଇଛି । ନିପା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଣେ ମୃତକଙ୍କ ସଂପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। କୋଝିକୋଡ ହସପିଟାଲରେ ଆଇସୋଲେସନ୍ ଓ୍ବାର୍ଡ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଜୀବଜନ୍ତୁଙ୍କଠାରୁ ମଣିଷଙ୍କୁ ବ୍ୟାପେ ନିପା ଭାଇରସ । ବିଶେଷ କରି ବାଦୁଡ଼ିଠୁ ଏହା ବ୍ୟାପୁଥିବା କୁହାଯାଉଛି । ସଂକ୍ରମିତଙ୍କୁ ପ୍ରବଳ ଜ୍ବର, ମୁଣ୍ଡବିନ୍ଧା, ଶ୍ବାସକ୍ରିୟାରେ ସମସ୍ୟା ହୁଏ ।

ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର

ଭୁବନେଶ୍ବର: ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆୟୋଜିତ ହୋଇଥିବା ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ମାନର ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଲକ୍ଷ ପୂରଣ ହୋଇପାରିବ । ମୋ ପାଇଁ ସବୁ ଜୀବନ ମୁଲ୍ୟବାନ  । କେହି ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଏସଆଇ ହସ୍ପିଟାଲ ଏବେ ୮ ଲକ୍ଷ ଲୋକଙ୍କ ଚିକିତ୍ସା ଭାର ବହନ କରୁଛି  । ମେଡିକାଲରେ କ୍ୟାରିୟର କରିବା ଏକ ନୋବେଲ ପ୍ରଫେସନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଲୋକେ ଡାକ୍ତରଙ୍କୁ ଜୀବନଦାତା ବୋଲି ଭାବନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉନ୍ନୟନ୍ନ କମିଶନର ଅନୁଗର୍ଗ, ବିଭାଗୀୟ ସଚିବ ଆରଏସ ଗୋପାଲନ ପ୍ରମୁଖ ଉପସ୍ଥିତ ଥିଲେ  । ଶ୍ରମ ଓ ଇଏସଆଇ ବିଭାଗ ଅଧିନରେ ଏବେ ୪୫ଟି ହସ୍ପିଟାଲ ଓ ୧୨ଟି ଡିସେପନସରି କାମ କରୁଛି  । ଆଗକୁ ଆଉ ୫ଟି ହସ୍ପିଟାଲ ସାମିଲ ହେବା ନେଇ ସରକାରଙ୍କୁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ହୋଇଥିବା ମେଡିକାଲ ଅଧିକାରୀଙ୍କୁ ଡିଏସିପି ଓ ଡିଏନବି ବ୍ୟବସ୍ଥାର ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।

 

ସୌମ୍ୟଙ୍କୁ ବିଜେଡିର ଚେତାବନୀ, ନିଜକୁ ସୁଧୁରେଇ ନିଅନ୍ତୁ

ଭୁବନେଶ୍ବର: ନିଜକୁ ସୁଧୁରେଇ ନିଅନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବେ ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଛନ୍ତି  । ଆଗକୁ ଯଦି ଏଭଳି ଦଳବିରୋଧୀ କାର୍ଯ୍ୟ ଜାରି ରଖିବେ ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସୌମ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ହରାଇସାରିଛନ୍ତି । ଏଣୁ ନିଜେ ବିଧାୟକ ପଦରୁ ଇସ୍ତଫା ଦେଇଦିଅନ୍ତୁ । ସୌମ୍ୟ ଦୀର୍ଘଦିନ ଧରି ଦଳବିରୋଧୀ ମତ ଦେଉଛନ୍ତି ।

ଏହାପଛରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମନ୍ତ୍ରୀ ହେବା । ମନ୍ତ୍ରୀ ହେବା ପାଇଁ ସେ ବିଜେଡିକୁ ବ୍ଲାକମେଲିଂ କରୁଛନ୍ତି । ଯେଉଁଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଉପସଭାପତି ପଦରୁ ବିଦା କରିଛନ୍ତି  । ସାଂସଦ ଅମର ପଟ୍ଟନାୟକ ମଧ୍ୟ ସମାଲୋଚନା କରି ଇସ୍ତଫା ଦେବାକୁ ସୌମ୍ୟଙ୍କୁ ଆହ୍ବାନ ଦେଇଛନ୍ତି । ନିଜର ଅଭିସନ୍ଧି ପୂରଣ ହେଲାନି ବୋଲି ଦଳରେ ରହି ବ୍ଲାକମେଲ କରିବା ଚିନ୍ତାଧାରାକୁ ନବୀନ ଗ୍ରହଣ କରିନାହାନ୍ତି  । ନବୀନଙ୍କୁ ବିଜେଡି ନେତା ଭେଟି ପାରୁନାହାଁନ୍ତି ବୋଲି ସୌମ୍ୟଙ୍କ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସୌମ୍ୟଙ୍କୁ ଆଣି ରାଜ୍ୟସଭା ଓ ପରବର୍ତ୍ତୀ ସମୟରେ ବିଧାୟକ କରିଛି ବିଜେଡି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସୌମ୍ୟ ବିଧାୟକ ହେବାର ସୁଯୋଗ ପାଇଲେ  । ପରେ ମନ୍ତ୍ରୀ ହେବାର ଇଚ୍ଛାକୁ ଚରିତାର୍ଥ କରିବାକୁ ବ୍ଲାକମେଲ କଲେ । ଯଦି ନୀତିନୈତିକତାର ଚର୍ଚ୍ଚା କରିବାର ଥିଲା ତେବେ ଦଳରେ ଯୋଗଦେଲା ବେଳେ କାହିଁକି ଭାବିନଥିଲେ ବୋଲି ଲେନିନ ପ୍ରଶ୍ନ କରିଛନ୍ତି । ସବୁ ସହାୟତା ପରେ ବି ସୌମ୍ୟ ଦଳକୁ ଯେଭଳି ବ୍ଲାକମେଲ କଲେ ତାହା ଦଳ ଗ୍ରହଣ କରିବନି । ଏଥିପାଇଁ ଉପସଭାପତି ପଦରୁ ବହିଷ୍କୃତ କରାଯାଇଛି  ।

 

ବ୍ଲାକମେଲିଂ ପାଇଁ ଗଲା ସୌମ୍ୟଙ୍କ ଉପସଭାପତି ପଦ !

ଭୁବନେଶ୍ବର: ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଦରୁ ହଟାଇଛନ୍ତି। ଗତ କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସଂପାଦକୀୟ ଆଳରେ ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ମନ୍ତ୍ରୀପଦ ଲୋଭରେ ନେତୃତ୍ବକୁ କରୁଥିଲେ ବ୍ଲାକମେଲ । ନା ଥିଲା ଦଳ ପ୍ରତି ଆନୁଗତ୍ୟ ନା ନେତୃତ୍ବ ପ୍ରତି କୃତଜ୍ଞତା । ନିଜର ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ଦଳକୁ କରୁଥିଲେ ବ୍ଲାକମେଲ । ଏଥିପାଇଁ ଦେଉଥିଲେ ଦଳ ବିରୋଧୀ ମନ୍ତବ୍ୟ । ଯେଉଁଥିପାଇଁ ତାଙ୍କ ବିରୋଧରେ ବିଜେଡି ସଭାପତି କାର୍ଯାନୁଷ୍ଠାନ ନେଇଛନ୍ତି ।

ବ୍ଲାକମେଲିଂ ପାଇଁ ଗଲା ପଦ ! ଉପସଭାପତି ପଦରୁ ସୌମ୍ୟ ବିଦା। ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ।  ବିଜେଡି ସୁପ୍ରିମୋଙ୍କ ବଡ଼ ଆକ୍ସନ୍ । କୌଣସି ପଦପଦବୀ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ଲୋଭ ନଥିବା କହି ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ରାଜନୈତିକ ଲାଳସାରେ ଲାଗିନଥିଲା ରୋକ୍ । ଯେଉଁଥିପାଇଁ ପ୍ରଥମେ ରାଜ୍ୟସଭା, ତାପରେ ବିଧାୟକ ଆଉ ବିଧାୟକ ହେବା ପରେ ମନ୍ତ୍ରୀ ପଦ ପାଇଁ ଲାଳାୟିତ ହୋଇଥିଲେ । ମନ୍ତ୍ରୀପଦ ଲୋଭ ହିଁ ତାଙ୍କୁ ବ୍ଲାକମେଲର ଭାବେ ଛିଡା କରାଇଥିଲା ।

ନେତୃତ୍ବକୁ ବ୍ଲାକ ମେଲ କରିବାକୁ ଆଲେଖ୍ୟ ମାଧ୍ୟମରେ ଦଳର ସବୁ ନିଷ୍ପତ୍ତିକୁ ଚ୍ୟାଲେଂଜ କରୁଥିଲେ । ଆଲେଖ୍ୟକୁ ଅସ୍ତ୍ର କରି ଦଳକୁ ବ୍ଲାକମେଲିଂ କରୁଥିଲେ। ଦଳରେ ରହି ଦଳ ବିରୋଧରେ ମତ, ମନ୍ତବ୍ୟ ଦେଇ ଗତ କିଛି ଦିନ ହେଲା ବିବାଦରେ ରହୁଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ବାର୍ଥ ପାଇଁ ସଂପାଦକୀୟରେ ଲେଖିଛନ୍ତି ସୁବିଧାବାଦର ଭାଷା। ବିନା ତଥ୍ୟ ପ୍ରମାଣରେ ଆଲେଖ୍ୟରେ ଆକ୍ଷେପ କରିଛନ୍ତି। ନିଜ ମାଲିକାନାରେ ଥିବା ଖବରକାଗଜକୁ ଢାଲ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ଆଉ ମିଛର ପ୍ରମାଣ ମାଗିଲେ ଚୁପ୍ ରହିଛନ୍ତି ସୌମ୍ୟ। ସୌମ୍ୟଙ୍କ ଏଭଳି ଦଳବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତ ଖଣ୍ଡପଡାବାସୀ। ସେହିଭଳି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ କହିଛନ୍ତି, ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।

ବିଜେଡି ଉପସଭାପତି ପଦରୁ ସୌମ୍ୟ ବିଦା ପ୍ରସଙ୍ଗରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି  । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ  । କୃତଜ୍ଞତା ନଥିଲେ ଈଶ୍ବର ସହାୟତା କରନ୍ତିନି ବୋଲି ପ୍ରଣବ କହିଛନ୍ତି । ପ୍ରଣବଙ୍କ ଏହି ଉକ୍ତିକୁ ସମୀକ୍ଷକ ବି ସମର୍ଥନ କରିଛନ୍ତି । କଂଗ୍ରେସରୁ ସାଂସଦ ହେଲେ, କିନ୍ତୁ ଦଳ ବିରୋଧୀ ଅଭିଯାନ କରି ବିଦା ହେଲେ । ବିଜେପିରେ ଥାଇ ବି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହୋଇଥିଲେ । ରାଜନୈତିକ କ୍ୟାରିୟର ଆରମ୍ଭରୁ ସୌମ୍ୟ ରଂଜନ ଯେଉଁ ଦଳରେ ରହିଛନ୍ତି ସେହି ଦଳରେ ନେତୃତ୍ବ ବିରୋଧରେ ସ୍ବର ଉଠାଇଛନ୍ତି । ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ଯୋଗ ଦେବା ସମୟରେ ସେ କହିଥିଲେ ଯେ, ସେ ପ୍ରତ୍ୟକ୍ଷ ରାଜନୀତି ପାଇଁ ଆଶାୟୀ ନୁହଁନ୍ତି । କେବଳ ଜନସଭା ପାଇଁ ବିଜେଡିରେ ଯୋଗ ଦେଇଥିବା କହିଥିଲେ । ଯେଉଁଥିପାଇଁ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । …

ଜନସେବା ପାଇଁ ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ଅସଲ ଉଦ୍ଦେଶ୍ୟ ନଥିଲା ସେବା । ସେ ବିଜେଡିକୁ ଶିଢି କରି ନିଜର ରାଜନୈତିକ ସ୍ପପ୍ନକୁ ସାକାର କରିବାକୁ ଚେଷ୍ଟା କରୁଥିଲେ । ଯେଉଁଥିପାଇଁ ରାଜ୍ୟସଭା ସାଂସଦ ହେବା ପରେ ପୁଣି ଥରେ ବିଧାୟକ ହେବାକୁ ମନ ବଳାଇଥିଲେ । ଦିନକ ପାଇଁ ହେଲେ ବି ବିଧାୟକ ହେବାକୁ ଅଡି ବସିଥିଲେ ସୌମ୍ୟ । ତାଙ୍କ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ୨୦୧୯ରେ ତାଙ୍କୁ ଖଣ୍ଡପଡାରୁ ପ୍ରାର୍ଥୀ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କ୍ରେଜ ଓ ବିଜେଡି ସରକାରର ବିକାଶମୂଳକ କାର୍ଯ୍ୟର ଫଳସ୍ବରୂପ ସୌମ୍ୟ ରେକର୍ଡ ସଂଖ୍ୟକ ଭୋଟରେ ଜିତିଥିଲେ । ନିର୍ବାଚନ ଜିତିବା ପରେ ତାଙ୍କ ଲୋଭ ପୁଣି ବଢିଥିଲା । ମନ୍ତ୍ରୀପଦ ପାଇଁ ଆରମ୍ଭ ହୋଇଥିଲା ଦାବି ।

ଏଥିପାଇଁ ସେ ବିଭିନ୍ନ ଢଙ୍ଗରେ ଦଳର ସୁପ୍ରିମୋ ଓ ନେତୃତ୍ବକୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ନିର୍ବାଚିତ ହେବା ପରେ ଗତ ସାଢେ ଚାରି ବର୍ଷ ମଧ୍ୟରେ ଥରେ ହେଲେ ନିର୍ବାଚନମଣ୍ଡଳୀକୁ ଯାଇନାହାଁନ୍ତି । ପୌର ଓ ପଂଚାୟତ ନିର୍ବାଚନରେ ବି ଦାୟିତ୍ବ ନେଇନଥିଲେ । ତାଙ୍କ ବିରୋଧରେ ବିଧାୟକ ହାତପାଣ୍ଠି ବିକ୍ରି ଅଭିଯୋଗ ମଧ୍ୟ ଆସିଥିଲା । ନିର୍ବାଚନମଣ୍ଡଳୀର ବିକାଶର ଦାୟିତ୍ବ ନେଉନଥିବା ନେତା ମନ୍ତ୍ରୀ ହେବାକୁ ଅଡିବସି ହତାସ ହେବା ପରେ ଆରମ୍ଭ କରିଥିଲେ ଦଳବିରୋଧୀ ଅଭିଯାନ ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସିଧାସଳଖ ଲୋକଙ୍କ ପାଖକୁ ଯାଉଛି। ଲୋକଙ୍କ ସମସ୍ୟା ବୁଝୁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏସବୁ କଥା ଜାଣି ମଧ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ। ଏବେବି ସୌମ୍ୟଙ୍କ ହାତରେ ସମୟ ଅଛି, ଆଗକୁ ଯଦି ନିଜ ଆଭିମୁଖ୍ୟ ପରିବର୍ତ୍ତନ କରନ୍ତି, ତାହାଲେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରନ୍ତି । କିନ୍ତୁ ଆଭିମୁଖ୍ୟ ନବଦଳାଇଲେ, ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ତେବେ ପ୍ରଶ୍ନ ଉଠୁଛି, ସ୍ବାର୍ଥ ପାଇଁ କେମିତି ଏତେ ତଳକୁ ଖସିଗଲେ ସୌମ୍ୟ? ଯେଉଁ ଦଳରୁ ସାଂସଦ, ବିଧାୟକ ହେଲେ, ତାକୁ କେମିତି ବ୍ଲାକମେଲିଂ କଲେ? କୃତଜ୍ଞତା ଦେବା ବଦଳରେ କୃତଘ୍ନ ହୋଇଗଲେ ସୌମ୍ୟ । ନିଜ ସ୍ବାର୍ଥ ପାଇଁ ଦଳୀୟ ଅନୁଶାସନକୁ ଭୁଲିଗଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦାକୁ ବି ପାଶୋରି ଦେଲେ । ନିଜ ମାଲିକାନାରେ ଥିବା ଖବରକାଗଜକୁ ଅସ୍ତ୍ର କରି ଲୋକଙ୍କୁ ଭୁଆଁ ବୁଲାଇବାକୁ କରୁଥିଲେ ହୀନ ପ୍ରୟାସ ।

 

ଆଉ ରହିବନି ଲୋକଙ୍କ ସମସ୍ୟା, ଯୁଦ୍ଧକାଳୀନ ଭିତ୍ତିରେ ହେବ ସମାଧାନ

ଭୁବନେଶ୍ବର: ଆଉ ରହିବନି ଲୋକଙ୍କର ସମସ୍ୟା । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ କରି 5T ସଚିବଙ୍କ ଜିଲ୍ଲାଗସ୍ତ ବେଳେ ଯେଉଁ ଅଭିଯୋଗ ଆସିଛି ତାହାର ତୁରନ୍ତ ସମାଧାନ କରାଯାଉଛି । 5T ସଚିବଙ୍କ ଜିଲ୍ଲାଗସ୍ତ ସମୟରେ ଆସିଥିବା ଅଭିଯୋଗର ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜନସେବାକୁ ମୂଳମନ୍ତ୍ର କରି ଲୋକଙ୍କ ସମସ୍ୟାକୁ ଫୋକସ କରି କାମ କରାଯାଇଛି ବୋଲି ଶାସକ ଦଳ କହିଛି  ।

ଦୀର୍ଘକାଳୀନ ସମସ୍ୟା, ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ । ଲୋକଙ୍କ ଅଭିଯୋଗକୁ ତ୍ବରାନ୍ବିତ କରୁଛି ସିଏମଓ । 5T ସଚିବଙ୍କ ଜିଲ୍ଲାଗସ୍ତରୁ ମିଳିଛି ୫୩ହଜାର ୯୫୩ ଅଭିଯୋଗ । ୩୦ ହଜାରରୁ ଅଧିକ ସମସ୍ୟା ସମାଧାନର ଫିଟିଛି ବାଟ । ରାଜ୍ୟ ସରକାରଙ୍କ ଫୋକସରେ ଲୋକଙ୍କ ଅଭିଯୋଗ ।  ନବୀନ ଶାସନର ମୂଳମନ୍ତ୍ର ଜନସେବା । ଲୋକଙ୍କ କଥାରେ ଚାଲିବ ସରକାର । ସମସ୍ୟା ଯେଉଁଠି, ସରକାର ସେଇଠି । ସମୟ ଭିତରେ ଲୋକଙ୍କ ଅଭିଯୋଗର କରାଯିବ ସମାଧାନ ।

ଏହି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ୩୦ ଜିଲ୍ଲା ଗସ୍ତ କରି ୫୩ହଜାର ୯୫୩ ଅଭିଯୋଗ ପାଇଥିଲେ । ଯାହାର ତୁରନ୍ତ ସମାଧାନ ନେଇ ପ୍ରକ୍ରିୟା ତ୍ବାରାନ୍ବିତ ହୋଇଛି । ସିଏମଓଙ୍କୁ ମିଳିଥିବା ମୋଟ ୫୩ହଜାର ୯୫୩ଟି ଅଭିଯୋଗରୁ ଏଯାଏ ୩୧ ହଜାର ୨୩୫ଟି  ସମସ୍ୟାର ସମାଧାନ କରାଯାଇଛି  । ସେହିପରି ୨୨ ହଜାର ୭୧୮ଟି ସମସ୍ୟା ବିଚାରାଧୀନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ମଙ୍ଗ ଧରିବା ଠାରୁ ଲୋକଙ୍କ ଅଭିଯୋଗର ସମାଧାନ କରିବା ପ୍ରଥମ କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶ ରହିଛି । ସେଥିପାଇଁ ଲୋକଙ୍କ ଆଶୀର୍ବାଦ ସବୁ ନିର୍ବାଚନରେ ଦଳକୁ ମିଳୁଛି  ବୋଲି ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ  ଜିଲ୍ଲାସ୍ତର ଯାଏଁ, ଯେଉଁଠି ବି ଲୋକଙ୍କ ଅଭିଯୋଗ ଆସୁଛି ତାହାକୁ ସ୍ବତନ୍ତ୍ର ଭାବେ ବିଚାର କରି ସମାଧାନ କରାଯାଉଛି । ହୀରାକୁଦ ବିସ୍ଥାପିତଙ୍କୁ ୫୦ବର୍ଷ ପରେ ଜମିପଟ୍ଟା ମିଳିବା ସହ ଜଟଣୀ, ଗଂଜାମ ସମେତ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇଛି । ଚାଷୀ, ଚାଷ ସମ୍ପର୍କୀତ ସମସ୍ୟାର ସମାଧାନ ୭ ଦିନରେ କରାଯିବ । ଯେଉଁ ବିଭାଗରେ ସମସ୍ୟା ରହିଛି ତାର ସମାଧାନ ପାଇଁ ଡେଡଲାଇନ ଫିକ୍ସ କରାଯାଇଛି  । ଫଳରେ ଲୋକଙ୍କ ସମସ୍ୟା ଦୂର କରିବା ସହଜ ହୋଇଛି  ।

 

ଜାଣନ୍ତୁ  ଦେଶରେ କେବେ ହେବ ନିର୍ବାଚନ?

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଆଗୁଆ ନିର୍ବାଚନ ନେଇ ଜାରି ରହିଛି ସସପେନ୍ସ । ରାଜନୈତିକ ଦଳ ଗୁଡିକ କିନ୍ତୁ ନିର୍ବାଚନକୁ ଲକ୍ଷ୍ୟ ରଖି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ନିର୍ବାଚନ କମିଶନଙ୍କ ଟିମ୍ ସବୁ ରାଜ୍ୟକୁ ଗସ୍ତ କରୁଛନ୍ତି। ବୁଧବାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଏହି ଟିମ । ଅନ୍ୟପଟେ ଦେଶ ଓ ରାଜ୍ୟରେ ଆଗୁଆ ନିର୍ବାଚନ ହେବ କି ନାହିଁ, ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ଦେଶରେ ହେବ କି ଆଗୁଆ ନିର୍ବାଚନ ? ଏବେ ସମ୍ଭବ କି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍? ପ୍ରସ୍ତୁତି ଭିତରେ ସସପେନ୍ସ ଜାରି। ବୁଧବାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା। ପୁଣି ତାଜା ହୋଇଛି ଆଗୁଆ ନିର୍ବାଚନୀ ପ୍ରସ୍ତୁତି। ଯଦି ଦେଶରେ ଆଗୁଆ ନିର୍ବାଚନ ହୁଏ, ତେବେ ଓଡ଼ିଶା କେତେ ପ୍ରସ୍ତୁତ, ତାର ସମୀକ୍ଷା ହେବ। କାଲି ଖାରବେଳ ଭବନରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କ ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗଦେବେ। ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଛି ପ୍ରକ୍ରିୟା।

ସେପଟେ ଓଡିଶାକୁ ନିର୍ବାଚନ କମିଶନଙ୍କ ଟିମ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଆଗୁଆ ନିର୍ବାଚନ ଓ ୱାନ ନେସନ ୱାନ ଇଲେକ୍ସନ ଚର୍ଚ୍ଚା ଭିତରେ ଲୋକେ ଦ୍ୱନ୍ଦ୍ବରେ ଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେଇ ଆଶଙ୍କାରେ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। କଂଗ୍ରେସ ବି ପ୍ରସ୍ତୁତ ହେଉଛି ।

ସବୁ ନିର୍ବାଚନ ମଣ୍ଡଳୀରେ କାମ ଆରମ୍ଭ ହୋଇଛି। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି । ଯେତେବେଳେ ନିର୍ବାଚନ ହେବ ଦଳ ପ୍ରସ୍ତୁତ ବୋଲି ବରିଷ୍ଠ ବିଜେଡି ନେତା ସୁବାସ ସିଂହ କହିଛନ୍ତି। ଅନ୍ୟପଟେ ନିର୍ବାଚନ ଆଗୁଆ ହେବ କି ଠିକ ସମୟରେ ହେବ କେନ୍ଦ୍ର ସ୍ପଷ୍ଟ କରୁନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ନିର୍ବାଚନ କମିଶନଙ୍କ ଟିମର ଗସ୍ତ ଆଗୁଆ ନିର୍ବାଚନ ନେଇ ସଙ୍କେତ ଭାବେ କୁହା ଯାଇପାରିବ ବୋଲି ସମୀକ୍ଷକ କହିଛନ୍ତି।

ଏଠି ପୂଜା ପାଆନ୍ତି ମୁଗୁନି ପଥର ଗଣେଷ

କଟକ: ପାଖେଇ ଆସୁଛି ପବିତ୍ର ଗଜାନନଙ୍କ ପୂଜା । ଏନେଇ କଟକ ସହରରେ ମୂର୍ତ୍ତି ତିଆରି ଠାରୁ ଆରମ୍ଭ କରି ସାଜସଜା କାମ ଜୋରସୋରରେ ଚାଲିଛି । ହେଲେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହର ସହ ଲାଗି ପଡିଛନ୍ତି କଟକ ବକ୍ସିବଜାର ବଢେଇସାହିର ଯୁବକମାନେ । ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇଯାଇଥିବା ୫ ଶହ ବର୍ଷ ପୁରୁଣା  ମୁଗୁନିପଥରର ଆଦ୍ୟ ଗଣେଷ ମୂର୍ତ୍ତିକୁ ପଥୁରିଆମାନେ ଏଠାକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି । ମାନସିକ ପୁରଣ ହେଉଥିବା ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତମାନଙ୍କ ସମାଗମ ହୋଇଥାଏ।

ଗଣେଶ ପୂଜାରେ କମ୍ପିବ ଭାଇଚାରାର ସହର କଟକ ।  ପୂଜାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି  । ଚଳଚଞ୍ଚଳ ସମସ୍ତ ପୂଜା କମିଟି  । ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ବକ୍ସିବଜାର ବଢେଇସାହିର ଯୁବକମାନେ । ଏଠାରେ ଥିବା ବିରାଟ ମୁଗୁନି ପଥରରେ ନିର୍ମିତ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଧୁମଧାମରେ ପୂଜା କରାଯାଇଥାଏ  । ଲୋକକଥା ଅନୁଯାୟୀ ବାରବାଟୀ ଦୁର୍ଗ ପରିସରରେ ଥିବା ଆଦ୍ୟ ଗଣେଶ ମୂର୍ତ୍ତିକୁ କଳାପାହାଡ କବଳରୁ ରକ୍ଷା କରିବା ପାଇଁ ଗଡ଼ଖାଇରେ ପାଣି ଭିତରେ ଲୁଚାଇ ରଖାଯାଇଥିଲା । ପରେ ଏହି ସାହିର ପଥୁରିଆ ମାନେ ପ୍ରଭୁ ଗଣେଶଙ୍କ ଏହି ମୂର୍ତ୍ତିକୁ ଆଣି ନିଜ ସାହିରେ ସ୍ଥାପନ କରିଥିଲେ । ସେହି ଦିନଠାରୁ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇସାହିରେ ପୂଜା ପାଇ ଆସୁଛନ୍ତି ।

 

 

ଖୋଲିଲା ମହିଳାଙ୍କ ଭାଗ୍ୟ, ଲାଗିଲା ବଡ଼ ଲଟେରୀ

ନନ୍ଦିଘୋଷ ବ୍ୟୁରୋ: ଭାଗ୍ୟ ଦେଲା ସାଥ୍‌ । ଲାଗିଗଲା ଲଟେରୀ । ମାସକୁ ମିଳୁଛି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ବୟସର ଅପରାହ୍ଣରେ ଜଣେ ବୃଦ୍ଧା ଲଟେରୀ ଜିତି ପ୍ରତି ମାସ ୧୦ ଲକ୍ଷ ୩୭ ହଜାର ଟଙ୍କା ପାଉଛନ୍ତି । ଆଉ ଏହି ଅର୍ଥ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି । ଖାଲି ସେତିକି ନୁହେଁ, ଲଟେରୀରେ ମିଳୁଥିବା ମାସିକ ୧୦ ଲକ୍ଷ ୩୭ ହଜାର ଟଙ୍କା ସେ ୩୦ ବର୍ଷ ପର୍ଯ୍ୟନ୍ତ ପାଇବେ ବୋଲି କୁହାଯାଇଛି । ଯାହାକି ସମସ୍ତଙ୍କୁ ଖୁବ୍‌ ଚକିତ କରିଛି ।

କଥାଟି ଆପଣଙ୍କର ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ଇଂଲଣ୍ଡର । ଡୋର୍କିଙ୍ଗ ଅଞ୍ଚଳରେ ରହୁଥିବା ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ଏକ ଲଟେରୀ ଜିତିଥିଲେ । ଯାହାର ସମୟସୀମା ୩୦ ବର୍ଷ ରହିଛି ।

ଲଟେରୀ ତଥ୍ୟ ମୁତାବକ ବୃଦ୍ଧା ମହିଳା ଜଣକ ୩୦ ବର୍ଷ ଯାଏଁ ମାସିକ ୧୦,୦୦୦ ପାଉଣ୍ଡ ପାଇବେ । ଯାହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ୩୭ ହଜାର ଟଙ୍କା । ଏହାକୁ ନେଇ ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ବୟସ ୭୦ ବର୍ଷ । ଏହି ଲଟେରୀ ତାଙ୍କୁ ଶତାୟୁ ହେବାକୁ ଅର୍ଥାତ୍‌ ୧୦୦ ବର୍ଷ ବଞ୍ଚିବାକୁ ପ୍ରେରଣା ଦେଉଛି ।

ଡୋରିସ୍ ଷ୍ଟାନବ୍ରିଜ୍ ତାଙ୍କ ୭୦ତମ ଜନ୍ମଦିନରେ ଏକ ଲଟେରୀ ଟିକେଟ କିଣିବାକୁ ମନସ୍ଥ କରିଥିଲେ । ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ସେ ଏକ ସେଟ୍ ଫର୍ ଲାଇଫ୍ ଟିକେଟ୍ କିଣିଥିଲେ । ହେଲେ ସେ ଜାଣି ନଥିଲେ ସେହି ଲଟେରୀ ତାଙ୍କର ଭାଗ୍ୟ ପରିବର୍ତ୍ତନ କରିଦେବ । ଲଟେରି କିଣି ଲଗାଇବାର ୭ଦିନ ପରେ ତାଙ୍କ ନିକଟକୁ ଏକ ମେଲ୍‌ ଆସିଥିଲା । ଯେଉଁଥିରେ ସେ ସୂଚନା ପାଇଥିଲେ କି, ତାଙ୍କୁ ୩୦ ବର୍ଷ ଯାଏଁ ମାସିକ ମାସିକ ୧୦,୦୦୦ ପାଉଣ୍ଡ ମିଳିବ । ଯାହାକୁ ଜାଣି ଡୋରିସ୍ ଷ୍ଟାନବ୍ରିଜ୍ ବହୁତ ଖୁସି ହୋଇଥିଲେ ।

ଏହି ସୂଚନା ପାଇବା ପରେ ସେ ଲଟେରୀ ଟଙ୍କାକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ଯେପରିକି ତାଙ୍କର ୫୦ ବର୍ଷର ପୁରୁଣା ଘରକୁ ନୂଆ କରିବାକୁ ଯୋଜନା ରଖିଛନ୍ତି । ତାହା ସହିତ ଅନେକ କିଛି କରିବାକୁ ସ୍ୱପ୍ନ ଦେଖିଛନ୍ତି ଡୋରିସ୍ ଷ୍ଟାନବ୍ରିଜ୍

ଶେଷ ପର୍ଯ୍ୟାୟରେ ମୂର୍ତ୍ତି ତିଆରି କାମ  

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ଦିନର ଅପେକ୍ଷା । ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ଏଥିପାଇଁ ଚଳ ଚଞ୍ଚଳ ସହର। ଗଣେଶ ମୂର୍ତ୍ତିରେ ଲାଗିଛନ୍ତି କାରିଗର । ଖୋର୍ଦ୍ଧା ଏବଂ ଧର୍ମଗଡର ମୂର୍ତ୍ତି କାରିଗର ମାନେ ରାତି ଦିନ ଏକ କରି ଲାଗିଛନ୍ତି ମୂର୍ତ୍ତି ଗଢିବାରେ । କାରିଗରଙ୍କ ତୁଳୀ ସ୍ପର୍ଶରେ ଜୀବନ୍ତ ହେଉଛି ମୂର୍ତ୍ତି । ପେଚା ଉପରେ ଗଣେଶ, ମୟୁର ଉପରେ ଗଣେଶ ମୂର୍ତ୍ତି କରୁଛି ଲୋକଙ୍କୁ ଆକର୍ଷିତ ।

ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ବିଦ୍ୟାଦାତାଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୂର୍ତ୍ତି କାରିଗର ମାନେ ଜୋରସୋରରେ ଲାଗିଛନ୍ତି ମୂର୍ତ୍ତି ତିଆରି କାର୍ଯ୍ୟରେ । ମାଟି ମୂର୍ତ୍ତିରେ ରଙ୍ଗ ଦେଇ ଏହାକୁ ଆକର୍ଷଣୀୟ କରୁଛନ୍ତି ।  କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ପାର୍ବଣ ପୂର୍ବରୁ ଦେଖିବାକୁ ମିଳୁଛି ଗଜାନନଙ୍କ ଭଳିକି ଭଳି ମୂର୍ତ୍ତି l ଦୁଇ ଶହ ଟଙ୍କାଠୁ ଆରମ୍ଭ କରି ୫୦ ହଜାର ଟଙ୍କା ର ରହିଛି ମୂର୍ତ୍ତି l ଏଥିସହ ଗ୍ରାହକ ଯେମିତି ଡିଜାଇନର କହିବେ ସେମିତି ମୂର୍ତ୍ତି ତିଆରି କରୁଛନ୍ତି କାରିଗର ।  ପେଚା ଉପରେ ଗଣେଶ, ମୟୁର ଉପରେ ଗଣେଶ, ପାହାଡରେ ଗଣେଷ ଏବଂ ଗଛ ତଳେ ଗଣେଷ ଥିବା ଡିଜାଇନ୍ ହୋଇଛି । ମୂର୍ତ୍ତି କାମ ନସରୁଣୁ ମୂର୍ତ୍ତି ବରାଦ କରିଦେଇଯାଉଛନ୍ତି ଲୋକେ ।

ସେହିପରି  ଜଟଣୀରେ ଜୋରସୋରରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି। ପ୍ରାୟ ୨୦୦ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେବ ଏଠାରେ ଗଣେଶ ପୂଜା ହୋଇଆସୁଛି । ପ୍ରାୟ ୧୧ଦିନ ଧରି ଗଣେଶ ପୂଜା ଜଟଣୀ ସହରକୁ କରିଥାଏ ଚଳଚଞ୍ଚଳ। ଏଥିପାଇଁ ପ୍ରସ୍ତୁତି ବି ଜୋରଦାର ଚାଲିଛି। ଜଟଣୀର କୁଦୀଆରି ଠାରେ ଚାଲିଛି ବିଘ୍ନ ବିନାଶକ ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି। ମୂର୍ତ୍ତିର ଉଚ୍ଚତା ୪ଫୁଟ ରୁ ୨୦ଫୁଟ ପର୍ଯ୍ୟନ୍ତ ରହିଛି। ଶିଳ୍ପୀର ଶେଷ ସ୍ପର୍ଶରେ ମୂର୍ତ୍ତୀ ଗୁଡ଼ିକ ଜୀବନ୍ତ ସଦୃଶ ଦେଖାଯାଉଛି।

ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀସେତୁର ନିର୍ମାଣ କାର୍ଯ୍ୟ

ପୁରୀ: ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀସେତୁ ନିର୍ମାଣ କାର୍ଯ୍ୟ । ମାଳତିପାଟପୁର ବାଇପାସ ଠାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗୀକରଣ କରୁଥିବା ଏହି ସେତୁ ନିର୍ମାଣ ନେଇ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ହୋଇଛି । ଏହି ସେତୁର ଲମ୍ବ ୨.୫ କିଲୋମିଟର ରହିଛି | ଏହାଦ୍ବାରା ବହିରାଗତ ଯାତ୍ରୀ, ପର୍ଯ୍ୟଟକ ତଥା ପୁରୀ ବାସିନ୍ଦାଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ନେଇ ବେଶ ସୁବିଧା ହୋଇପାରିବ ବୋଲି ଜଣାପଡିଛି | ସରକାରଙ୍କ ଏହି ପ୍ରକଳ୍ପ ନିର୍ମାଣକୁ ନେଇ ସାଧାରଣରେ ସ୍ବାଗତ କରାଯାଇଥିବା ବେଳେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମଧ୍ୟରେ ଶେଷ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି  ।

ବିଶ୍ବ ମାନଚିତ୍ରରେ ବିଖ୍ୟାତ ହେବ ପୁରୀ । ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିବ ଶ୍ରୀସେତୁ । ବଡ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଜାରି ରହିଛି ଅନେକ ପ୍ରକଳ୍ପ । ସେଥିରୁ ଏକ ପ୍ରମୁଖ ପ୍ରକଳ୍ପ ହେଉଛି ପୁରୀ ଶ୍ରୀସେତୁ । ମାଳତୀପାଟପୁର ବାଇପାସ ରାସ୍ତାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ପର୍ଯ୍ୟନ୍ତ ଏହା ସଂଯୋଗ କରିବ | ଏହି ସେତୁ ମୁଖ୍ୟତଃ ଟ୍ରମ୍ପେଡ଼ ବ୍ରିଜ ଆକାରର । ଏହି ସେତୁର ନିର୍ମାଣ କାର୍ଯ୍ୟ ଦୃତଗତିରେ  ଜାରି ରହିଛି | ଏନେଇ ୪୦ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ସେତୁ ନିର୍ମାଣ ପ୍ରାୟତଃ ୯୦ ପ୍ରତିଶତ ସରିଛି |  ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ବୃହତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇି ।

ପ୍ରାୟ ୧୬୧ କୋଟି ଟଙ୍କାରୁ ଅଧିକ ବ୍ୟୟଅଟକଳରେ ଶୀସେତୁ ନିର୍ମାଣ କାର୍ଯ୍ୟ ଚାଲିଛି  ।  ପ୍ରକଳ୍ପ ଶେଷ ହେଲେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ଯାତ୍ରା ସୁଗମ ହେବା ସହ ଟ୍ରାଫିକ ସମସ୍ୟା କମିବ ବୋଲି ଆଶା କରାଯାଉଛି | ଶ୍ରୀସେତୁ ନିକଟ ସମଙ୍ଗ ମୌଜାରେ ଏକ ପାର୍କିଙ୍ଗ ସ୍ଥଳ ନିର୍ମାଣ ହୋଇଛି | ୪୭ ଏକର ପରିମିତ ଏହି ପାର୍କିଙ୍ଗରେ ୫୦ଟି ବ୍ୟାଟେରୀ ଗାଡ଼ି, ୩୫ଟି ଇଲେଟ୍ରିକ ବସ ରହି ପାରିବ | ରଥଯାତ୍ରା, ସୁନାବେଶ ଭଳି ଯାନିଯାତ୍ରା ସମୟରେ ଗହଳିକୁ ନଜରରେ ରଖି ସହରରେ ଭାରୀଯାନ ଯାତାୟାତ ବନ୍ଦ ରଖାଯିବା ବେଳେ ଏହି ଗାଡ଼ି ଗୁଡିକ ସାହାର୍ଯ୍ୟରେ ପର୍ଯ୍ୟଟକ ମାନେ ସିଧାସଳଖ ଶ୍ରୀ ଜଗନ୍ନାଥ ପାର୍କିଙ୍ଗକୁ ଯାଇ ପାରିବେ | ସରକାରଙ୍କ ଏହି ବୃହତ ପ୍ରକଳ୍ପ ଯୋଜନାକୁ ସାଧାରଣରେ ସ୍ବାଗତ କରାଯାଇଛି  ।