spot_img
Home Blog Page 2636

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ, ୪ଟି ସ୍ଥାନରେ ଚାଲିଛି ରେଡ୍

ଗଞ୍ଜାମ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ । ସଂଗ୍ରାମ କେଶରୀ ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଗଞ୍ଜାମ ବୁଗୁଡାର ପୂର୍ବତନ ତହସିଲଦାର ଥିଲେ ସଂଗ୍ରାମ। ଏକକାଳୀନ ଚାରିଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ।

ବାଲୁଗାଁ ରେ ଥିବା ଜେନା କଲୋନୀ, ଖୋର୍ଦ୍ଧା ଟାଙ୍ଗି ଥାନା ହରିପୁର ଠାରେ ବିଲ୍ଡିଂ, ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ଛୋଟରାୟପୁରଶାସନରେ ଥିବା ୩ ପ୍ଲଟ ସମ୍ପର୍କରେ ତଥ୍ୟ ନେଉଛି ଭିଜିଲାନ୍ସ । ଚାକିରି କାଳରେ ବାବୁ ଜଣଙ୍କ କିଭଳି କୋଟି କୋଟି ଟଙ୍କା ରୋଜଗାର କଲେ ତାହାକୁ ନେଇ ଛାନଭିନ ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା ।

ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ, ସହରରେ ସୃଷ୍ଟି ହେବ ଜଳମଗ୍ନ ସ୍ଥିତି

ଭୁବନେଶ୍ବର: ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ । ଆଜି ଆଭ୍ୟନ୍ତରୀଣ ଓଡିଶାରେ ନିର୍ଧୁମ ଛେଚିବ । ଫ୍ଳାସଫ୍ଳଡ ନେଇ ସତର୍କତା ଜାରି ହୋଇଛି । ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିଵ । କମିବ ଦୃଶ୍ୟମାନ କ୍ଷମତା । ବର୍ତ୍ତମାନ ଏହା ପଶ୍ଚିମବଙ୍ଗ ଉତ୍ତର ଓଡିଶା ଉପକୂଳରେ କେନ୍ଦ୍ରୀଭୂତ ରହିଛି ।

ଦୁଇଦିନ ମଧ୍ୟରେ ଓଡିଶା ଛତିଶଗଡ଼ ଦେଇ ଗତି କରିବ । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ । କଳାହାଣ୍ଡି ଏମ.ରାମପୁରରେ ୧୯୩ ମିମି ବର୍ଷା ହୋଇଥିବା ବେଳେ ଥୁଆମୁଳ ରାମପୁର, କଣ୍ଟାମାଳ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଛି ।

ଆଜି ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । କାଲି ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବ । ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା । ମାଟିଘର କାନ୍ଥ ଭୁସୁଡିବା ସମ୍ଭାବନା, କଚ୍ଚା ରାସ୍ତା ପ୍ରଭାବିତ ହେବ ।

ଧାନ ବିଲରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦିଆଯାଇଛି । ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ ପରାମର୍ଶ । ଆଜି ଅପରାହ୍ନରୁ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା କମିବ । ୧୬ ତାରିଖରୁ ସାରା ଓଡ଼ିଶାରେ ବର୍ଷାର ପରିମାଣ କମିବ । ୧୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ ।

ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଉଚିତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅପରାଧିକ ମାମଲାରେ ମିଡିଆ ଟ୍ରାଏଲକୁ ନେଇ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୋଲିସ ମିଡିଆ ବ୍ରିଫିଂ ଉପରେ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯାଉ । ଦୁଇମାସ ମଧ୍ୟରେ ଗଣମାଧ୍ୟମ ବ୍ରିଫିଂ ସମ୍ପର୍କିତ ମାନୁଆଲ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ତରଫରୁ ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ରାଜ୍ୟର ଡିଜିପି ଏକମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ । ୨୦୨୪ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଏହି ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଗଣମାଧ୍ୟମରେ ଟ୍ରାଏଲ ଦ୍ୱାରା ନ୍ୟାୟପାଳିକା ପ୍ରଭାବିତ ହେଉଛି । ପୋଲିସର ସମ୍ବେଦନଶୀଳତା ଆସିବା ଜରୁରୀ । କେଉଁ ପର୍ଯ୍ୟାୟରେ ତଦନ୍ତର ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପସଙ୍ଗ ।

କାରଣ ଏହା ପୀଡିତ ବା ଅଭିଯୁକ୍ତଙ୍କ ସହିତ ସାଧାରଣ ଜନତାଙ୍କୁ ସ୍ୱାର୍ଥ ସହିତ ଜଡିତ । ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂରେ ଜନସ୍ୱାର୍ଥର ଅନେକ ଦିଗ ଅନ୍ତର୍ଭୁକ୍ତ । ମୌଳିକ ସ୍ତରରେ ଭାଷଣ ଏବଂ ଅଭିବ୍ୟକ୍ତିର ମୌଳିକ ଅଧିକାର ଉଭୟ ଗଣମାଧ୍ୟମର ମତାମତ, ପ୍ରସାରଣ କରିବାର ଅଧିକାର ଦୃଷ୍ଟିରୁ ସିଧାସଳଖ ଜଡିତ । ଏଣୁ ମିଡିଆ ଟ୍ରାଏଲକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ବରିଷ୍ଠ ଅଧିକାରୀ ସହିଦ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡ଼ ଧରଣର ଏନକାଉଣ୍ଟର ।  ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି ।

ଆଉ କିଛି ଯବାନ ଓ ପୋଲିସ୍‌ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏବେ ବି ଘଟଣା ସ୍ଥଳରେ ଘମାଘୋଟ ଗୁଳି ବିନିମୟ ଜାରି ରହିଛି । ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେନା ଓ ପୋଲିସ୍‌ ପକ୍ଷରୁ ମିଳିତ ଭାବେ ଅପରେସନ କରାଯାଇଥିଲା ।  ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଏଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି । ଏବେ ବି ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି । ଘଟଣା ସ୍ଥଳକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଆର୍ମିର ୧୫ କ୍ରପ୍ସ କମାଣ୍ଡର ଓ ଜମ୍ମୁ-କଶ୍ମୀର ପୋଲିସ୍‌ର ଡିଜି ଦିଲବାଗ ସିଂହଙ୍କ ବହୁ ବରିଷ୍ଠ ଅଧିକାରୀ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି ।

ଘଟଣା ସ୍ଥଳରୁ ୩ ବରିଷ୍ଠ ସୁରକ୍ଷାକର୍ମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ ।

ବଢୁଛି ତେଲେଙ୍ଗିରି ଜଳ ଭଣ୍ଡାର ଜଳସ୍ତର, ଡ୍ୟାମ ନିକଟକୁ ନଯିବାକୁ ସଚେତନ କରୁଛି ପ୍ରଶାସନ

କୋରାପୁଟ: ଜିଲ୍ଲାରେ ଲଗାଣ ବର୍ଷା । ବଢୁଛି ତେଲେଙ୍ଗିରି ଜଳ ଭଣ୍ଡାର ଜଳ ସ୍ତର । ଜଳଭଣ୍ଡାରର ଗୋଟିଏ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଡ୍ୟାମ ନିକଟକୁ ନଯିବା ପାଇଁ ଲୋକଙ୍କୁ ସଚେତନ କରିଛି ପ୍ରଶାସନ । ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା ବି କରାଯାଇଛି ।

ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୩ ଘନମିଟର ରହିଥିବା ବେଳେ ଏପଯ୍ୟନ୍ତ ୬୩୨.୮ ଘନମିଟର ଜଳ ରହିଛି । ପ୍ରତି ସେକେଣ୍ଡରେ ୫୦ ଘନମିଟର ଜଳ ପ୍ରବେଶ କରୁଛି । ଗୋଟିଏ ଗେଟ ସାହାଯ୍ୟରେ ପ୍ରତି ସେକେଣ୍ଡରେ ୫୦ ଘନ ମିଟର ଜଳକୁ ନିଷ୍କାସନ କରାଯାଉଛି । ଆଗକୁ ଜଳ ଜଳସ୍ତର ବୃଦ୍ଧି ପାଇଲେ ଅନ୍ୟ ଏକ ଗେଟ ଖୋଲାଯିବ ବୋଲି କହିଛନ୍ତି ତେଲେଙ୍ଗିରି SDO ସୂଚନା ଦେଇଛନ୍ତି ।

ଗ୍ରାନାଇଟ୍ ପଥର କ୍ବାରୀରେ ଅଘଟଣ, ଚାପି ହୋଇ ୨ ମୃତ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ କାଳୁଆ ଗ୍ରାନାଇଟ୍ ପଥର କ୍ବାରୀରେ ଅଘଟଣ । ଗ୍ରାନାଇଟ୍ ପଥରରେ ଚାପି ହୋଇ ଦୁଇଜଣଙ୍କ ମୃତ୍ୟୁ । ଦୁର୍ଘଟଣା ଦୁଇଜଣ ଆହତ । ମୃତକ ହେଲେ ଦିଗପହଣ୍ଡି ଥାନା ପିଲିଗାଡ଼ିଆରେ ୨୨ ବର୍ଷୀୟ ଗୋବିନ୍ଦ ମଲ୍ଲିକ ଓ ୨୩ ବର୍ଷୀୟ ଜଗା ମଲ୍ଲିକ ।

ଆହତଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲା ଆର ଉଦୟଗିରି କଇଠଢେପ ଗାଁର ୩୫ ବର୍ଷୀୟ ସୁଦର୍ଶନ ବାଡତ୍ୟା ଓ ସଦର ଥାନା ଅଞ୍ଚଳର ୩୨ ବର୍ଷୀୟ କୃଷ୍ଣ ବେହେରା । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

କୁବେର DFOଙ୍କ ବିରୁଦ୍ଧରେ ବନବିଭାଗର କାର୍ଯ୍ୟାନୁଷ୍ଠାନ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବନ

ରାୟଗଡା: DFO ବିଜୟ କୁମାର ପରିଡ଼ା ନିଲମ୍ବିତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବନ କଲେ ସରକାର । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଗଷ୍ଟ ୨୪ ତାରିଖ ଦିନ ଭିଜିଲାନ୍ସ ଟିମ୍, ରାୟଗଡା ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ।

ଆୟର ୨୦୬ ଗୁଣ ଅଧିକ ସମ୍ପତ୍ତି ଜବତ ହୋଇଥିଲା । ସଠିକ ହିସାବ ଦେଇନପାରି ଗିରଫ ହୋଇଥିଲେ ବିଜୟ ପରିଡା । ୨୫ ତାରିଖରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଭୁବନେଶ୍ବର ଝାରପଡା ଜେଲରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ରହିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ।

କୋରାପୁଟ ସ୍ଥିତ RCCFଙ୍କ କାର୍ଯ୍ୟାଳୟରେ ତାଙ୍କୁ ହାଜିରା ପକାଇବାକୁ କୁହାଯାଇଛି । ନିଲମ୍ବନ ଆଦେଶ ନଉଠିବା ଯାଏଁ RCCF ଙ୍କ ବିନା ଅନୁମତିରେ ସେ ହେଡକ୍ବାର୍ଟର ଛାଡି ଯାଇପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ବର: ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସିଏମଓ କରିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲୋକ ଜଣାଇଥିବା ଅଭିଯୋଗ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ । ପାନୀୟ ଜଳ ପ୍ରକଳ୍ପ, ମଠ, ମନ୍ଦିର, ମସଜିଦର ଉନ୍ନତିକରଣ , ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ , ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟାକାରିତା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି  । ଗତ ୬ମାସ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ୩୦ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ ସହିତ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ  ।

ଏହି ସମୟରେ ମୋଟ ୫୭ ହଜାର ୮୫ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୩୭ହଜାର ୫୧୩ଟି ବା ୬୫ଦଶମିକ ୭୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି  । ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କଠୁ ଫିଡବ୍ୟାକ ନେଉଛି ସିଏମଓ । ୨୪ ହଜାର ୭୨୨ ଲୋକଙ୍କୁ ସରକାର ଚିଠି ଲେଖି ଫିଡବ୍ୟାକ ନେଇଥିବାବେଳେ ଓ ୨୨ ହଜାର ୪୦୭ ଜଣଙ୍କଠୁ ଫୋନ ଯୋଗେ ପ୍ରତିକ୍ରିୟା ନିଆଯାଇଛି  । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ 5T ସଚିବ ନିର୍ଦ୍ଦେଶ ଦେଇଛନ୍ତି  ।  ଏହାଛଡ଼ା ଧାର୍ମିକ ପୀଠର ରୂପାନ୍ତରଣ ଓ 5T ଉପକ୍ରମରେ କଲେଜର ନବକଳେବର ନେଇ ଆଲୋଚନା କରାଯାଇଛି  । ଗୁଣାବତ୍ତାକୁ ଆଧାର କରି ଟାର୍ଗେଟ ସମୟ ମଧ୍ୟରେ ସବୁ ପ୍ରକଳ୍ପ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି  । 5T ନୀତିକୁ ଉପଯୋଗ କରି ଜନତାଙ୍କ ମୌଳିକ ସୁବିଧାକୁ ପୂରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

ଜେଡ଼୍ ଓ୍ବାନ୍ ଇଷ୍ଟେଟରେ ଘର କିଣିଥିଲେ ସାବଧାନ!

ଭୁବନେଶ୍ବର: ରାଜଧାନୀର ଜେଡ଼୍ ଓ୍ବାନ୍ ଇଷ୍ଟେଟରେ ଘର କିଣିଥିଲେ ସାବଧାନ । ରାଜ୍ୟର ପ୍ରତିଷ୍ଠିତ ରିଏଲ ଇଷ୍ଟେଟ ଏଜେନ୍ସି ଜେଡ଼୍ ଇଷ୍ଟେଟ ବିରୋଧରେ ଗୁରୁତର ଅଭିଯୋଗ । କୋଟି କୋଟି ଟଙ୍କା ଦେଇ ଘର କିଣିଥିବା ଆପାର୍ଟମେଣ୍ଟ ମାଲିକଙ୍କୁ ଜେଡ଼୍ ଇଷ୍ଟେଟ କିଭଳି ବର୍ଷ ବର୍ଷ ଧରି ଠକିଚାଲିଛି ତାର ଗୁମର ଖୋଲିଛି । ଇଓଡ଼ବ୍ଲୁରେ ଜେଡ଼୍ ଇଷ୍ଟେଟ ବିରୋଧରେ ଠକେଇର ଲାଟେଷ୍ଟ ଅଭିଯୋଗ ହୋଇଛି । ହାଇକୋର୍ଟ, ରେରା କୋର୍ଟ, ପଞ୍ଜୀକରଣ ଆଇଜିଙ୍କ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଙ୍ଘନ କରିଛି ଜେଡ଼୍ ଇଷ୍ଟେଟ । ଏପରିକି ହକ୍ ମାଗିଲେ ଗୁଣ୍ଡା ଲଗାଇ ଘର ମାଲିକଙ୍କୁ ଧମକାଇବା, ବାଡ଼େଇବା ଭଳି କାମ କରୁଛି ଜେଡ଼୍ ଇଷ୍ଟେଟ ।

ଦିଲ୍ଲୀର ସୁପରଟେକ୍ ଭଳି ଭୁବନେଶ୍ବରର ଜେଡ଼୍ ଓ୍ବାନ୍ ହାଉସିଂ ପ୍ରକଳ୍ପରେ ଚାଲିବ କି ବୁଲ୍ଡ଼ୋଜର୍ ? ବାରମ୍ବାର ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଜେଡ଼୍ ଇଷ୍ଟେଟ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? କଷ୍ଟ ଅର୍ଜିତ ଅର୍ଥରେ ଘର କିଣି ବିନା ଦ୍ବନ୍ଦ୍ବରେ ରହିବାର ସ୍ବପ୍ନ କେମିତି ପାଣିଫୋଟକା ପରି ମିଳେଇଯାଏ, ତାର ପ୍ରକୃଷ୍ଟ ଉଦାହାରଣ ହେଉଛି ‘ଜେଡ୍ ଓ୍ବାନ ହାଉସିଂ ପ୍ରକଳ୍ପ । ମହାକାଳ ଫଳ ଭଳି ଜେଡ ଇଷ୍ଟେଟ ଲୋକଙ୍କୁ  ରଙ୍ଗୀନ ଚିତ୍ର ଦେଖାଇ ଠକି ଚାଲିଛି ୨୦୧୧ ମସିହାରୁ ।

୨୦୧୧ରେ ସୁନ୍ଦର ମନଲୋଭା ପ୍ଲାନ ଦେଖି ଅନେକ ଏନ୍ଆରଆଇ, ଡ଼ାକ୍ତର, ଇଞ୍ଜିନିୟର ଏଠାରେ ଖଣ୍ଡେ ଘର କିଣିବାକୁ ମନ ବଳାଇଲେ । ଚୁକ୍ତି ମୁତାବକ କୋଟି କୋଟି ଟଙ୍କା ଜମା ବି କଲେ ହେଲେ ୨୦୧୬ରେ ଜେଡ଼୍ ଇଷ୍ଟେଟ ଘର ମାଲିକଙ୍କ ବିନା ଅନୁମତିରେ ମନଇଚ୍ଛା ପ୍ଲାନ ବଦଳାଇଦେଲା । ରେରା ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଚାଲାକି କରି ଜେଡ଼୍ ଇଷ୍ଟେଟ ପ୍ଲାନ ବଦଳାଇ ବିଡ଼ିଏଠାରୁ ଅନୁମୋଦନ ବି ଆଣିଲା । କାହାର ଅଭିଯୋଗକୁ କର୍ଣ୍ଣପାତ ବି କଲାନାହିଁ । ସେତିକି ମନ ବୁଝିଲା ନାହିଁ, ପୁଣି ୨୦୨୧ରେ ଆଉ ଥରେ ପ୍ଲାନ ବଦଳାଇ ଘର ମାଲିକଙ୍କୁ ଠକିଲା ଜେଡ଼୍ ଇଷ୍ଟେଟ ।

୨୦୧୧ରେ ୨୬ ଏକର ୧୮୪ ଡିସିମିଲ ଜମିରେ ଜେଡ୍ ୱାନ ପ୍ରକଳ୍ପ ପାଇଁ ବିଡିଏରୁ ଅନୁମତି ମିଳିଥିଲା । ୨୧ଟି ଟାୱାର, ୨୬ଟି ଭିଲା, କ୍ଲବ ହାଉସ, କମ୍ୟୁନିଟି ସେଣ୍ଟର, କ୍ରେଚ୍ ଓ ଅନ୍ୟାନ୍ୟ କମନ ଆମେନିଟି ପାଇଁ ଅନୁମତି ମିଳିଥିଲା । ବୁକିଂ ସମୟରେ ଫେଜୱାରୀ କାମ ହେବ ବୋଲି କୁହାଯାଇଥିଲା । ଏଗ୍ରିମେଣ୍ଟ ଅନୁଯାୟୀ ଘରର ମାଲିକାନା ସହ କମନ ଏରିଆରେ ମଧ୍ୟ ସେୟାର ରହିବ ବୋଲି କୁହାଯାଇଥିଲା ।

ନିର୍ଦ୍ଧାରିତ ସମୟର ବର୍ଷେ ପରେ ସେଲ ଡିଡ୍ ଆରମ୍ଭ ହୋଇଥିଲା । ଯେଉଁ ଆଧାରରେ ସେଲ ଡିଡ୍ ହେବା କଥା ତାର ଉଲଂଘନ କରାଯାଉଥିଲା । ଏକଥା ଘର କ୍ରୟ କରୁଥିବା ବ୍ୟକ୍ତିମାନେ ଜାଣୁଥିଲେ ମଧ୍ୟ ବାଧ୍ୟବାଧକତାରେ ସେଲ ଡିଡ୍ କରିଥିବା ଅଭିଯୋଗ ହୋଇଛି। ରେରା ଆଇନ ଅନୁଯାୟୀ ପ୍ଲାନରେ ପରିବର୍ତ୍ତନ କଲେ ସମସ୍ତ ଘର ମାଲିକଙ୍କ ସମ୍ମତି ନେବା କଥା , ହେଲା ତାହା ହେଲା ନାହିଁ ।  ମାମଲା ହାଇକୋର୍ଟରେ ଚାଲିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଭୃକ୍ଷେପ କଲା ନାହିଁ ସଂସ୍ଥା ।

କେବଳ ବିନା ଅନୁମତିରେ ପ୍ଲାନ ପରିବର୍ତ୍ତନ ଭଳି ଅଭିଯୋଗ ନୁହେଁ, ଜେଡ଼୍ ଇଷ୍ଟେଟ ବିରୋଧରେ ଗଦା ଗଦା ଅଭିଯୋଗ । ଏସବୁର ଦସ୍ତାବିଜ୍ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗୁମର ରାଜ୍ୟବାସୀଙ୍କ ପାଖରେ ରଖିବାକୁ ଚେଷ୍ଟା କରିବୁ । ରାଜନୈତିକ ପୃଷ୍ଠଭୂମି ଓ ମିଡିଆ ହାଉସ୍ ବଳରେ ନିଜ ସ୍ବାର୍ଥ ହାସଲ ପାଇଁ ପ୍ରୟାସ କରିବା ସହ ଅଭିଯୋଗ କରୁଥିବା ନୀରିହ ଗ୍ରାହକଙ୍କୁ ଗୁଣ୍ଡା ଲଗାଇ ଧମକାଇବା, ବାଡ଼େଇବା, ଜେଲରେ ପୁରାଇବା ଭଳି ଘୃଣ୍ୟ କାମ କରିବାକୁ ପଛାଉନାହିଁ ଜେଡ଼୍ ଇଷ୍ଟେଟ ।

 

ରାଉରକେଲାରେ ନିଆରା ପଦକ୍ଷେପ, ମଣ୍ଡପରେ ସ୍ବଚ୍ଛତା ରଖିଲେ ପୁରସ୍କାର

ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରୀୟ ପୁଜା କମିଟି କର୍ମକର୍ତ୍ତାଙ୍କ ସହ ସହରର ବିଭିନ୍ନ ପୁଜା କମିଟି ଏକ ବୈଠକରେ ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେଇଛନ୍ତି ।

ରାଉରକେଲା ସହରରେ ପାର୍ବଣ ମାହୋଲ । ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ପ୍ରସ୍ତୁତ ହେଲେଣି ମଣ୍ଡପ । ଚଳିତବର୍ଷ ୨୨୨ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୧୦୧ ମଣ୍ଡପରେ ଦୁର୍ଗାପୂଜା ଓ ୯୭ ମଣ୍ଡପରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ । ସହରରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଛି ।

ପୂଜା ମଣ୍ଡପ ଚାରିପଟ ପରିଷ୍କାର ରଖିବା ସହ ନିୟମ ପାଳନ ନକଲେ ଜୋରିମାନା କରାଯିବ । ପରିଷ୍କାର ରଖିଥିବା ଶ୍ରେଷ୍ଠ ୩ଟି କମିଟିକୁ ୧୦ ହଜାର, ୧୫ ହଜାର ଓ ୨୦ ହଜାର ପୁରସ୍କାର ଦିଆଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂଜା ସମ୍ପର୍କିତ ସମସ୍ତ ଅନୁମତି ପ୍ରଦାନ କରାଯିବା ସହ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ରହିବ । ବିଦ୍ୟୁତ, ଅଗ୍ନିଶମ, ନିର୍ବାହୀ ଯନ୍ତ୍ରୀଙ୍କ ଭଳି ବିଭିନ୍ନ ବିଭାଗର ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏବଂ ଆବଶ୍ୟକୀୟ ଯାଞ୍ଚ କଲା ପୂଜା ମଣ୍ଡପ ଗୁଡ଼ିକୁ ମିଳିବ ଅନୁମତି । ସେହିପରି ପ୍ରତି ଦୁଇବର୍ଷରେ ଥରେ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷର ସଦସ୍ୟ କମିଟିରେ ରହିବେ ।

ପୂଜା ମଣ୍ଡପରେ ସାଧାରଣ ଲୋକ, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ମଣ୍ଡରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସ୍ବେଛାସେବୀ ନିୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି । ମୂର୍ତ୍ତି ନିର୍ମାଣରେ ପ୍ରାକୃତିକ ରଙ୍ଗର ବ୍ୟବହାର ଏବଂ ଅଧିକ ଶବ୍ଦରେ ଡିଜେ ନବଜାଇବା ଲାଗି ନିଷ୍ପତ୍ତି ।