ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ବରିଷ୍ଠ ଅଧିକାରୀ ସହିଦ

1 min read

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡ଼ ଧରଣର ଏନକାଉଣ୍ଟର ।  ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି ।

ଆଉ କିଛି ଯବାନ ଓ ପୋଲିସ୍‌ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏବେ ବି ଘଟଣା ସ୍ଥଳରେ ଘମାଘୋଟ ଗୁଳି ବିନିମୟ ଜାରି ରହିଛି । ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେନା ଓ ପୋଲିସ୍‌ ପକ୍ଷରୁ ମିଳିତ ଭାବେ ଅପରେସନ କରାଯାଇଥିଲା ।  ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଏଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି । ଏବେ ବି ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି । ଘଟଣା ସ୍ଥଳକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଆର୍ମିର ୧୫ କ୍ରପ୍ସ କମାଣ୍ଡର ଓ ଜମ୍ମୁ-କଶ୍ମୀର ପୋଲିସ୍‌ର ଡିଜି ଦିଲବାଗ ସିଂହଙ୍କ ବହୁ ବରିଷ୍ଠ ଅଧିକାରୀ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି ।

ଘଟଣା ସ୍ଥଳରୁ ୩ ବରିଷ୍ଠ ସୁରକ୍ଷାକର୍ମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ ।