spot_img
Home Blog Page 2635

କିଏ ଜିତିବ କାଲିର ମ୍ୟାଚ୍?

ବ୍ୟୁରୋ ରିପୋର୍ଟ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । ରବିବାର ବିଶ୍ବକପରେ ଖେଳାଯିବାକୁ ଯାଉଛି ହାଇଭୋଲଟେଜ୍ ମ୍ୟାଚ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା । ବିଶ୍ବକପ୍ ଆରମ୍ଭ ହେବା ଦିନରୁ ଭାରତ ଓ ନ୍ୟୁଜିଲାଣ୍ଡ ଖେଳି ଆସୁଛନ୍ତି । ବିଗତ ୧୨ ସଂସ୍କରଣରେ ଏହି ଦୁଇ ଦେଶ ୯ ଥର ମୁହାଁମୁହିଁ ହେବାର ସୁଯୋଗ ପାଇଛନ୍ତି । ସେଥିରୁ ଭାରତ ମାତ୍ର ୩ ଥର ଜିତିଥିବା ବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି ନେଇଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା । ଶେଷ ଥର ପାଇଁ ୨୦୧୯ ବିଶ୍ବକପ୍ ସେମିଫାଇନାଲ୍ରେ ଭାରତକୁ ନ୍ୟୁଜିଲାଣ୍ଡ୍ ହିଁ ବିଦା କରିଥିଲା । ଆଇସିସି ଇଭେଣ୍ଟଗୁଡ଼ିକରେ ଭାରତକୁ ହରାଇବାରେ ମଧ୍ୟ ନ୍ୟୁଜିଲାଣ୍ଡ୍ ମାହିର ରହିଛି । ୨୦୦୦ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏବଂ ୨୦୨୧ ଆଇସିସି ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ମଧ୍ୟ ଭାରତକୁ କିୱି ଦଳ ପରାସ୍ତ କରିଥିଲା । ଏପରିକି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଏ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍ଟିଏ ମଧ୍ୟ ଜିତି ପାରିନାହିଁ । ନ୍ୟୁଜିଲାଣ୍ଡ୍ ୩-୦ରେ ୨୦୦୭, ୨୦୧୬, ୨୦୨୨ ଆଗୁଆ ହୋଇ ଅପରାଜିତ ରହିଛି । ଚଳିତ ବିଶ୍ବକପରେ ଏଯାଏଁ ଉଭୟ ଦଳ ଅପରାଜିତ ରହିଛନ୍ତି  । ଏଯାଏଁ କେହି ବି ଗୋଟିଏ ବି ମ୍ୟାଚ ହାରିନାହାନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆସନ୍ତାକାଲିର ମ୍ୟାଚ ବେଶ ଦମଦାର ହେବାକୁ ଯାଉଛି  ।

 

 

ସୁନା ଦରକୁ ନେଇ ଦ୍ବନ୍ଦରେ ଗ୍ରାହକ

ଭୁବନେଶ୍ବର: ପାର୍ବଣ ଋତୁରେ ସୁନା କିଣା । ହେଲେ ସୁନା ଦର ଭିନ୍ନ ଭିନ୍ନ ଦେଖି ଗ୍ରାହକ ଦ୍ବନ୍ଦ୍ବରେ ।  ୨୨ କ୍ୟାରେଟ୍ ସୁନା ଗହଣା ଦର ୧୦ ଗ୍ରାମ୍ ପିଛା କେଉଁଠି ୫୬ ହଜାର ୯୦୦ ଟଙ୍କା ଆଉ କେଉଁଠି ୫୬ ହଜାର ୬୦୦ । ଏପିରିକି କିଛି ସ୍ଥାନରେ ୫୭ ହଜାର ଟଙ୍କା ଦର ରହିଛି । ଭୁବନେଶ୍ବର ସମେତ ଓଡ଼ିଶା ବଜାରରେ ଭିନ୍ନ ଭିନ୍ନ ଜୁଏଲାରୀ ଦୋକାନୀ ଗ୍ରାହକଙ୍କୁ ଭିନ୍ନ ଭିନ୍ ଦରରେ ଗହଣା ବିକ୍ରି କରୁଛନ୍ତି । ସୁନା ଗହଣା କିଣିବା ମୋହରେ ଗ୍ରାହକ ଏଥିପ୍ରତି ଦୃଷ୍ଟି ଦିଏନି । କଣ ରହିଛି ଏହା ପଛର କାରଣ  ?

ଓଡ଼ିଶାରେ ଦଶହରାଠାରୁ ଧନତେରାସ୍ ପର୍ଯ୍ୟନ୍ତ ୧ କ୍ବିଣ୍ଟାଲରୁ ୨ କ୍ବିଣ୍ଟାଲ୍ ସୁନା ବିକ୍ରି ହେଉଛି । ପ୍ରାୟ ୬୦୦ କୋଟି ଟଙ୍କାର ବିଶାଳ କାରବାର । ବଡ଼ ବଡ଼ କର୍ପୋରେଟ୍ ସୁନା ଦୋକାନୀଙ୍କ ଆଗରେ ଛୋଟ ସୁନା ଦୋକାନୀଙ୍କ ବେପାର ଫିକା ପଡିଯାଏ । ବେପାର କରିବା ପାଇଁ ଛୋଟ ସୁନା ଗହଣା ଦୋକାନୀ ବାଧ୍ୟ ହୋଇ ସରକାରୀ ଓ ଆଇବିଜେ ଧାର୍ଯ୍ୟ କରିଥିବା ଦରଠାରୁ କମ୍ ଦର ଅଫର୍ କରନ୍ତି । ଓଡ଼ିଶାରେ ସୁନା ଦୋକାନୀଙ୍କ ସଂଘ ଥିଲେ ବି ସୁନା ଦର ସମାନ ରଖିବା ନେଇ କୌଣସି ମେକାନିଜିମ ନାହିଁ ।

ଇଂଲଣ୍ଡକୁ ୨୨୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଇଂଲଣ୍ଡର ଲଜ୍ଜାଜନକ ପରାଜୟ । ୨୨୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା । ଗତ ବିଶ୍ବକପରେ ଚାମ୍ପିୟନ ହୋଇଥିବା ଦଳର ଶୋଚନୀୟ ପରାଜୟ । ଦକ୍ଷିଣ ଆଫ୍ରିକାର ୪୦୦ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ମାତ୍ର ୧୭୦ ରନ କରି ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ବୋଲିଂ ଆଗରେ ଧରାଶାୟୀ ହୋଇଛି ଇଂଲଣ୍ଡ ।

 

ମାର୍କେଟରେ ଚାଲିଛି ବମ୍ପର ଅଫର

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଚାରିଆଡେ ପୂଜା ମହୋଲ । କର୍ମକ୍ଷେତ୍ରରୁ ମିଳିଛି ଛୁଟି । ପୂଜା ବୋନସ ବି ମିଳିଛି । ତେଣୁ ଏବେ ମାର୍କେଟରେ ଚାଲିଛି ବମ୍ପର ଅଫର । ଟିଭି, ଫ୍ରିଜ୍ ଠାରୁ ଆରମ୍ଭ କରି ମୋବାଇଲ ଏବଂ ଫର୍ଣ୍ଣିଚରରେ ଲାଗିଛି ବଡ ଅଫର । କିଏ ବାଏ ଓ୍ବାନ୍ ଗେଟ୍ ଟୁ ଅଫର ଦେଉଛନ୍ତି ତ କିଏ ବାଏ ଓ୍ବାନ୍ ଗେଟ୍ ଫାଇଭ୍ ଅଫର ଲଗାଇଛନ୍ତି । ଆଉ କିଏ ଦେଉଛନ୍ତି ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ର ଅଫର । ଫାଇନାନ୍ସ କମ୍ପାନୀ ବି ହାତ ଖୋଲି ଦେଉଛନ୍ତି ଇଏମ୍ଆଇ ଅଫର । ଏହି ଅଫର ସମୟକୁ ଅପେକ୍ଷା କରି ରହିଥିବା ଗ୍ରାହକ ଏବେ କିଣାକିଣିରେ ଲାଗିପଡିଛନ୍ତି ।

ପାର୍ବଣରେ ବମ୍ପର ଅଫର । ବାଏ ଓ୍ବାନ୍ ଗେଟ୍ ଫାଇଭ୍ ଫ୍ରି । ଟିଭି, ଫ୍ରିଜ୍, ଓ୍ବାସିଙ୍ଗମେସିନ୍ ଓ ମୋବାଇଲରେ ନୋ କଷ୍ଟ ଇଏମ୍ଆଇ । ଫାଇନାନ୍ସ କମ୍ପାନୀ ଦେଇଛନ୍ତି ହାତ ଖୋଲା ରିହାତି । ଜିରୋ ଡାଉନ୍ପେମେଣ୍ଟରେ ୩୦ ମାସର କିସ୍ତି । ଫର୍ଣ୍ଣିଚର ଦୋକାନରେ ଲାଗିଲା ୭୦ ପ୍ରତିଶତ ପର୍ଯ୍ୟନ୍ତ ଅଫ୍ । ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ଼ । କିଏ ଝିଅ ବାହାଘର ପାଇଁ ତ କିଏ ନିଜ ଘର ସଜାଇବା ପାଇଁ ବୋହି ନେଉଛନ୍ତି ସାମଗ୍ରୀ । ମୋବାଇଲ ବେପାରରେ ଲାଗିଛି ଜବରଦସ୍ତ ବୋନାଞ୍ଜା । ଦଶହରାରେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରତି ଇଲେକ୍ଟ୍ରୋନିକ୍ସ ଦୋକାନରେ ଗ୍ରାହାକମାନଙ୍କ ଭିଡ ଦେଖିବାକୁ ମିଳିଛି । ଦଶହରା ଏବଂ ଦୀପାବଳୀ ସମୟରେ ଅଫର ଲାଗୁଥିବାରୁ କିଣିବାକୁ ଆସିଥିବା ଗ୍ରାହକମାନେ କହିଛନ୍ତି ।

କମ୍ପାନୀମାନେ ବି ଭଲ ବ୍ୟବସାୟ ନେଇ ପୂଜା ସମୟକୁ ଅପେକ୍ଷା କରିଥାନ୍ତି । କିଛି କମ୍ପାନୀ ଓ୍ବାରେଣ୍ଟି ଏକ ବର୍ଷରୁ ୩ ବର୍ଷ ଅଫର ଦେଉଥିବା ବେଳେ କିଛି କମ୍ପାନୀ ଗ୍ରାହକମାନଙ୍କ ପାଇଁ କରିଛନ୍ତି ଅନ୍ଲାଇନ୍ ଲକି ଡ୍ର ବ୍ୟବସ୍ଥା । କିଛି ଟିଭି କମ୍ପାନୀ ଗୋଟିଏ ଟିଭି କିଣିଲେ ଆଉ ଗୋଟିଏ ଟିଭି ଫ୍ରି ଦେଉଥିବା ବେଳେ କିଛି କମ୍ପାନୀ ଗୋଟିଏ ଓ୍ବାସିଂମେସିନ୍ କିଣିଲେ ଆଉ ଏକ ଓ୍ବାସିଂ ମେସିନ୍ ମାଗଣା ନେଇ ଅଫର ଦେଇଛନ୍ତି । ସେପଟେ ଫର୍ଣ୍ଣିଚର ବ୍ୟବସାୟୀ ବି ପଛରେ ପଡି ନାହାନ୍ତି । ବିଭିନ୍ନ ନାମୀ ଦାମୀ ଫର୍ଣ୍ଣିରର ସୋଫା ସେଟ୍, ଡାଇନିଂ ସେଟ୍, ବେଡ୍, କଫି ଟେବୁଲ୍, ଆଉଡୋର ସେଟ୍ରେ ଦେଇଛନ୍ତି ୭୦ ପ୍ରତିଶତ ପର୍ଯ୍ୟନ୍ତ ଅଫର ।

ଚାଲିଛି ପୂଜା, ମଣ୍ଡପରେ ଲାଗିଲାଣି ଭକ୍ତଙ୍କ ଭିଡ଼

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଛି ଦୁର୍ଗାପୂଜା । ଷଷ୍ଠୀରେ ବିଲ୍ବବରଣ ପରେ ସପ୍ତମୀରେ ମାଆଙ୍କ ଚକ୍ଷୁଦାନ କରାଯାଇଛି । ସୂଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଟକୁଛି ଟୁଇନସିଟି । ଦେଶବିଦେଶର ପ୍ୟାଲେସ ତୋରଣ ଭିତରେ ସୁନାଚାନ୍ଦିରେ ଝଟକୁଛନ୍ତି ମାଆ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଖଚାଖଚ ଭିଡ଼ ।

ମହାମାୟାଙ୍କ ମହା ସପ୍ତମୀ । ମଣ୍ଡପରେ ଆଧ୍ୟାତ୍ମିକ ମାହେଲ । ଷଷ୍ଠୀରେ ବିଲ୍ବବରଣ ପରେ ମାଆଙ୍କ ଚକ୍ଷୁଦାନ । ସପ୍ତମୀ ପୂଜା ପାଇଁ ସବୁଠି ଖଚାଖଚ ଭିଡ଼ । ଭୁବନେଶ୍ବର ରସୁଲଗଡ଼ରେ ତାଇଓ୍ବାନର ବୁଦ୍ଧ ମନ୍ଦିର ଆକୃତିର ତୋରଣ ଭିତରେ ପୂଜା ପାଉଛନ୍ତି ମାଆ । ତୋରଣରୁ ଉଚ୍ଚତା ୬୫ ଫୁଟ ଥିବାବେଳେ ଚଉଡ଼ା ରହିଛି ୧୨୦ ଫୁଟ । ସେପଟେ ବମିଖାଲ ଚଳିତବର୍ଷ ଆୟୋଜନ କରିଛି ୬୦ ତମ ପୂଜା ଉତ୍ସବ । ଉତ୍ତରପ୍ରଦେଶ ହସ୍ତିନାପୁର ପ୍ୟାଲେସରେ ଶୋଭା ପାଉଛନ୍ତି ଜଗଜ୍ଜନନୀ । ମାଆଙ୍କ ଚକ୍ଷୁଦାନ ପରେ ମଣ୍ଡପରେ ମୂର୍ତ୍ତିରେ ହୋଇଛି ପ୍ରାଣ ପ୍ରତିଷ୍ଠା । ମହା ସପ୍ତମୀରେ ପାଣିତୋଳା ଓ ଘଟସ୍ଥାପନ ହୋଇ ଝାରପଡ଼ା ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ । ଚଳିତବର୍ଷ ମଣ୍ଡପ ୧୩ ତମ ପୂଜା ଉତ୍ସବ ପାଳନ କରୁଥିବବେଳେ ଏଥର ୮୫ ଫୁଟ ଉଚ୍ଚ ଗୋଲଡେନ ତୋରଣ ଭିତରେ ପୂଜା ପାଉଛନ୍ତି ଦୁର୍ଗତନାଶିନୀ । ଚାନ୍ଦିମେଢ ପାଇଁ ମଣ୍ଡପରେ ମୁତୟନ ହୋଇଛନ୍ତି ସଶସ୍ତ୍ର ପୋଲିସ୍ ।

ଷଷ୍ଠୀରେ ବିଲ୍ବବରଣୀ ପରେ ସପ୍ତମୀରେ କଳସ ଶୋଭାଯାତ୍ରାରେ ମଣ୍ଡପକୁ ପବିତ୍ର ଜଳ ଆସି ନବପତ୍ରିକା ସ୍ଥାପନ ଓ ମାଆଙ୍କୁ ଚକ୍ଷୁଦାନ କରାଯାଇ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜା ନୀତି । କଟକର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଆଙ୍କ ପୂଜା । ସେପଟେ ସହରରେ ବସବାସ କରୁଥିବା ତେଲଗୁ ସଂପ୍ରଦାୟର ଲୋକ ମାନେ ନବରାତ୍ର ଅବସରରେ ଦେଓ୍ବାନ ବଜାର ବାଲାଜୀ ମନ୍ଦିରରେ ମହାସପ୍ତମୀ ପୂଜା କରିଛନ୍ତି । ଏହି ଅବସରରେ ଶତାଧିକ କୁନି ଓ  କିଶୋରୀ ସରସ୍ଵତୀ ପୂଜା କରିଛନ୍ତି । ପିଲାମାନେ ନୂଆ କରି ପାଠ ଆରମ୍ଭ କରି ଖଡ଼ି ଛୁଇଁଛନ୍ତି ।

 

ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, କାକୁଡିଖାଇଙ୍କୁ କାକୁଡି ବଳି

ପୁରୀ: ଶ୍ରୀକ୍ଷେତ୍ରରେ ଦଶହରାରେ ସ୍ବତନ୍ତ୍ର ବିଧି ପରମ୍ପରା ରହିଥିବା ବେଳେ ଏଠାରେ ଦୁର୍ଗାଙ୍କୁ ଗୋଷାଣୀ ରୂପରେ ପୂଜା କରାଯାଏ । ଶ୍ରୀମନ୍ଦିର ଓ ବିଭିନ୍ନ ପୀଠ ମାନଙ୍କରେ ଶନିବାର ମହାଷ୍ଟମୀ ପାଳିତ ହେଉଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଅନୁଷ୍ଠିତ ହେଉଛି ମହାସପ୍ତମୀ । ତ୍ରିଦିନାତ୍ମକ ପୂଜାରେ ମାଆ ବିମଳାଙ୍କ ନିକଟରେ ଗୁପ୍ତ ଵିଧି ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିବା ବେଳେ ବିମଳାଙ୍କ ପ୍ରତିନିଧି ସ୍ବରୂପ କାକୁଡିଖାଇଙ୍କୁ ଦର୍ଶନ କରି କାକୁଡି ବଳି ଦେବାର ନିଆରା ପରମ୍ପରା ରହିଛି ।

ଶାରଦୀୟ ପୂଜାରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଉତ୍କଳୀୟ ପରମ୍ପରାର ଦୃଶ୍ୟ । ଦୁର୍ଗୋତ୍ସବ ଷୋଡଶ ଦିନାତ୍ମକ ପୂଜା ଵିଧି ଅନୁସାରେ ପାଳନ କରାଯିବା ସହ ଶ୍ରୀମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ନିକଟରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ତ୍ରିଦିନାତ୍ମକ ପୂଜା ସମୟରେ ମାଆଙ୍କ ନିକଟରେ ମହାପୂଜା ବସିବା ସହ ଚଣ୍ଡୀପାଠ, ତ୍ରିକାଳ ପୂଜା ବ୍ୟତୀତ ନିଶାର୍ଦ୍ଧରେ ହୁଏ ଅନେକ ଗୁପ୍ତ ନୀତି । ବିମଳାଙ୍କ ନିକଟରେ ମହାପୂଜା ସମୟରେ ମହିଳା ଭକ୍ତଙ୍କ ଦର୍ଶନରେ ବାରଣ ରହିଥିବାରୁ ମାଆ କାକୁଡି ଖାଇଙ୍କୁ ଏହି ସମୟରେ ବିମଳାଙ୍କ ପ୍ରତିନିଧି ଭାବେ ଦର୍ଶନ କରି ଆଶିଷ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ । ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପ୍ରତିନିଧି ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ପ୍ରଦାନ କରିଛନ୍ତି ଶ୍ରଦ୍ଧାଳୁ ।

ଦୁର୍ଗା ମାଧବ ଉପାସନାର ଏହି କ୍ଷେତ୍ରରେ ବିଭିନ୍ନ ପୀଠମାନଙ୍କରେ ମାଆଙ୍କୁ ଗୋଷାଣୀ ରୂପେ ପୂଜା କରିବାର ରହିଛି ବହୁ ପ୍ରାଚୀନ ପରମ୍ପରା । ଶ୍ରୀମନ୍ଦିର ଓ ବିଭିନ୍ନ ପୀଠମାନଙ୍କରେ ମହାଷ୍ଟମୀ ପାଳିତ ହେଉଥିବା ବେଳେ ପୂଜା ମଣ୍ଡପ ଗୁଡିକରେ ହେଉଛି ମହାସପ୍ତମୀ ପୂଜା । ସହରରେ ବିଭିନ୍ନ ସ୍ଥାନରେ ଗୋଷାଣୀ ମୂର୍ତ୍ତି ପାରମ୍ପରିକ ଭାବେ ପୂଜା ପାଉଥିବା ବେଳେ କିଛି ମଣ୍ଡପରେ ଦୁର୍ଗାଙ୍କ ଉପାସନା କରାଯାଉଛି ।

ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲ ବା ଜୁନିଅର କଲେଜରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଲେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ । କଲେଜ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ବିଭାଗରେ ଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୋଗର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଜାତିଆଣ ମନ୍ତବ୍ୟ, ରୁମରେ ଅଶ୍ଳୀଳ ଭିଡିଓ ଦେଖିବା, ରାତିରେ ସର୍ଟସ ପିନ୍ଧିବାକୁ ବାଧ୍ୟ କରିବା ଭଳି ଅଭିଯୋଗ କରିଛନ୍ତି  ଛାତ୍ରୀ। ରୁମରେ ମୁଣ୍ଡ ନକୁଣ୍ଡାଇବା, ପୋଷାକ ଓ ଜୋତା ଅଲଗା ରଖିବାକୁ ଅନ୍ତେବାସୀ କହୁଥିବା ଛାତ୍ରୀ ଅଭିଯୋଗ କରିଛନ୍ତି ।

ତେବେ ହଷ୍ଟେଲରେ ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୁନିୟର କଲେଜ୍ ଅଧ୍ୟକ୍ଷା ସରୋଜାଲକ୍ଷ୍ମୀ ସିଂହ । ସେପ୍ଟେମ୍ବର ୪ ତାରିଖରେ ଛାତ୍ରୀ ଜଣକ ହଷ୍ଟେଲକୁ ଆସିଥିଲେ । ୧୪ ତାରିଖରେ ରାଗିଂ ହୋଇଥିବା ସେ ଅଭିଯୋଗ କରିଥିଲେ । ମୁଣ୍ଡ କୁଣ୍ଡାଇବାକୁ ନେଇ ରୁମ୍ ମେଟଙ୍କ ସହ ବିବାଦ ହୋଇଥିଲା । ଛାତ୍ରୀଙ୍କ ପ୍ରଥମ ଅଭିଯୋଗରେ ଜାଣିଆଣ ଆକ୍ଷେପ କଥା ଉଲ୍ଲେଖ କଥା ହୋଇନଥିଲା । ଛାତ୍ରୀଙ୍କ ପରିବାରକୁ ଅଧ୍ୟକ୍ଷା ପୂର୍ବରୁ ଜାଣିଛନ୍ତି । ତେଣୁ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲକୁ ତଦନ୍ତ ପାଇଁ ଅବଗତ କରାଯାଇଥିଲା ।

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ଵାରା ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ’ ଉଦ୍‌ଘାଟିତ

ଭୁବନେଶ୍ଵର: ଶାରଦୀୟ ଦୁର୍ଗାପୂଜା ଅବସରରେ ସବୁଠି ଉତ୍ସବ ମୁଖର । ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ ‘ ଉଦ୍‌ଘାଟିତ ହୋଇଯାଇଛି । ପ୍ରଦର୍ଶନୀକୁ ବରିଷ୍ଠ ନାରୀ ଶିଳ୍ପୀ ଜ୍ୟୋତିମୟୀ ମହାନ୍ତି ,ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଦଶହରା ଅବସରରେ ଦେବୀ ଦୁର୍ଗା, ନାରୀ ଶକ୍ତି ଏବଂ ନାରୀ ମନସ୍ତତ୍ଵକୁ ନେଇ ପ୍ରଦର୍ଶିତ ଚିତ୍ର ଗୁଡିକ ଦର୍ଶକଙ୍କୁ ପ୍ରଭାବିତ କରିବା ସହିତ ସମାଜକୁ ଏକ ସୁବାର୍ତ୍ତା ଦେଇପାରିବ ବୋଲି ଅତ୍ତିଥି ମାନେ ମତ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ଅତିଥୀ ପରିଚୟ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥୀଙ୍କୁ ସ୍ଵାଗତ କରିଥିଲେ । ଏହି ପ୍ରଦର୍ଶନୀରେ ଏକାଡେମୀ ଦ୍ଵାରା ସଂରକ୍ଷିତ ଦେବୀ ଦୁର୍ଗା ଓ ନାରୀ ଶକ୍ତି ଉପରେ ଆଧାରିତ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ୫୦ ଟି ସୃଜନଶୀଳ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ଟା ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ । ପ୍ରଦର୍ଶନୀ ଅବସରରେ ବରିଷ୍ଠ ଚିତ୍ର ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ,ଅଶୋକ ପଟ୍ଟନାୟକ ,ଜୟଶ୍ରୀ ଜେନା, ରବୀନ୍ଦ୍ର କୁମାର ମହାରଣା, ନରୋତ୍ତମ ଦାସ ପ୍ରମୁଖ ଶିଳ୍ପୀ ଓ ଅନେକ କଳା ପ୍ରେମୀମାନେ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

 

 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଦ୍ବାରଶୁଣୀ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାରକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ।  ବିଶୋଇ ପଟୁ ଆସୁଥିବା କାରକୁ ଭାରସ୍ୟାମ ହରାଇ ଧକ୍କା ଦେଇଥିଲା ଟ୍ରକ୍। କାର ଭିତରେ ଛଅ ଜଣ ଯାତ୍ରୀ ରହିଥିଲେ  । ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ସ୍ବସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି  । ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇବା ପରେ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଟ୍ରକ୍ ସହ ଟ୍ରକ୍ ଡ଼୍ରାଇଭର ଫେରାର ରହିଛି ।

ମାଡ଼ମରା ଅଭିଯୋଗରେ ବିଜେପି ନେତା ଗିରଫ

ବଲାଙ୍ଗୀର: ବଲାଙ୍ଗୀର ତୁଷୁରାର ଗୁଡ଼ଭେଲା ବ୍ଲକ୍ ପ୍ରୋଜେକ୍ଟ କୋଡ଼ିନେଟର ବା ବିପିସିଙ୍କୁ ମାଡ଼ମରା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ଗିରଫ। ଅଶୋକ ଦୋରାଙ୍କୁ ଜିଲ୍ଲା ବାହାରୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଅବଶ୍ୟ ଏନେଇ କୌଣସି ଔପଚାରିକ ପ୍ରତିକ୍ରିୟା ରଖିନି ବଲାଙ୍ଗୀର ପୋଲିସ। ହେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିବା ପରେ ତାଙ୍କର ଡ଼ାକ୍ତରୀ ମାଇନା ହୋଇଛି । ଅଶୋକ ଦୋରା ହେଉଛନ୍ତି ଗୁଡଦ୍ଭେଲା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ। ଗତ ୧୦ ତାରିଖ ଦିନ ଗୁଡଭେଲା ବ୍ଲକ୍ କାର୍ଯ୍ୟାଳୟରେ ଅଶୋକଙ୍କ ସମର୍ଥକ ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ଟିଟିଲାଗଡ଼ର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଦୋରା। ଏହି ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗୀର ପୋଲିସ। ହେଲେ ଫେରାର ଥିଲେ ମୁଖ୍ୟ ଅଭିଯୁକ୍ତ ଅଶୋକ ଦୋରା  । ଘଟଣାର ୧୦ ଦିନ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ।