ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା

1 min read

ଭୁବନେଶ୍ବର: ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସିଏମଓ କରିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲୋକ ଜଣାଇଥିବା ଅଭିଯୋଗ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ । ପାନୀୟ ଜଳ ପ୍ରକଳ୍ପ, ମଠ, ମନ୍ଦିର, ମସଜିଦର ଉନ୍ନତିକରଣ , ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ , ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟାକାରିତା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି  । ଗତ ୬ମାସ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ୩୦ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ ସହିତ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ  ।

ଏହି ସମୟରେ ମୋଟ ୫୭ ହଜାର ୮୫ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୩୭ହଜାର ୫୧୩ଟି ବା ୬୫ଦଶମିକ ୭୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି  । ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କଠୁ ଫିଡବ୍ୟାକ ନେଉଛି ସିଏମଓ । ୨୪ ହଜାର ୭୨୨ ଲୋକଙ୍କୁ ସରକାର ଚିଠି ଲେଖି ଫିଡବ୍ୟାକ ନେଇଥିବାବେଳେ ଓ ୨୨ ହଜାର ୪୦୭ ଜଣଙ୍କଠୁ ଫୋନ ଯୋଗେ ପ୍ରତିକ୍ରିୟା ନିଆଯାଇଛି  । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ 5T ସଚିବ ନିର୍ଦ୍ଦେଶ ଦେଇଛନ୍ତି  ।  ଏହାଛଡ଼ା ଧାର୍ମିକ ପୀଠର ରୂପାନ୍ତରଣ ଓ 5T ଉପକ୍ରମରେ କଲେଜର ନବକଳେବର ନେଇ ଆଲୋଚନା କରାଯାଇଛି  । ଗୁଣାବତ୍ତାକୁ ଆଧାର କରି ଟାର୍ଗେଟ ସମୟ ମଧ୍ୟରେ ସବୁ ପ୍ରକଳ୍ପ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି  । 5T ନୀତିକୁ ଉପଯୋଗ କରି ଜନତାଙ୍କ ମୌଳିକ ସୁବିଧାକୁ ପୂରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।