ଜେଡ଼୍ ଓ୍ବାନ୍ ଇଷ୍ଟେଟରେ ଘର କିଣିଥିଲେ ସାବଧାନ!

ଭୁବନେଶ୍ବର: ରାଜଧାନୀର ଜେଡ଼୍ ଓ୍ବାନ୍ ଇଷ୍ଟେଟରେ ଘର କିଣିଥିଲେ ସାବଧାନ । ରାଜ୍ୟର ପ୍ରତିଷ୍ଠିତ ରିଏଲ ଇଷ୍ଟେଟ ଏଜେନ୍ସି ଜେଡ଼୍ ଇଷ୍ଟେଟ ବିରୋଧରେ ଗୁରୁତର ଅଭିଯୋଗ । କୋଟି କୋଟି ଟଙ୍କା ଦେଇ ଘର କିଣିଥିବା ଆପାର୍ଟମେଣ୍ଟ ମାଲିକଙ୍କୁ ଜେଡ଼୍ ଇଷ୍ଟେଟ କିଭଳି ବର୍ଷ ବର୍ଷ ଧରି ଠକିଚାଲିଛି ତାର ଗୁମର ଖୋଲିଛି । ଇଓଡ଼ବ୍ଲୁରେ ଜେଡ଼୍ ଇଷ୍ଟେଟ ବିରୋଧରେ ଠକେଇର ଲାଟେଷ୍ଟ ଅଭିଯୋଗ ହୋଇଛି । ହାଇକୋର୍ଟ, ରେରା କୋର୍ଟ, ପଞ୍ଜୀକରଣ ଆଇଜିଙ୍କ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଙ୍ଘନ କରିଛି ଜେଡ଼୍ ଇଷ୍ଟେଟ । ଏପରିକି ହକ୍ ମାଗିଲେ ଗୁଣ୍ଡା ଲଗାଇ ଘର ମାଲିକଙ୍କୁ ଧମକାଇବା, ବାଡ଼େଇବା ଭଳି କାମ କରୁଛି ଜେଡ଼୍ ଇଷ୍ଟେଟ ।

ଦିଲ୍ଲୀର ସୁପରଟେକ୍ ଭଳି ଭୁବନେଶ୍ବରର ଜେଡ଼୍ ଓ୍ବାନ୍ ହାଉସିଂ ପ୍ରକଳ୍ପରେ ଚାଲିବ କି ବୁଲ୍ଡ଼ୋଜର୍ ? ବାରମ୍ବାର ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଜେଡ଼୍ ଇଷ୍ଟେଟ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? କଷ୍ଟ ଅର୍ଜିତ ଅର୍ଥରେ ଘର କିଣି ବିନା ଦ୍ବନ୍ଦ୍ବରେ ରହିବାର ସ୍ବପ୍ନ କେମିତି ପାଣିଫୋଟକା ପରି ମିଳେଇଯାଏ, ତାର ପ୍ରକୃଷ୍ଟ ଉଦାହାରଣ ହେଉଛି ‘ଜେଡ୍ ଓ୍ବାନ ହାଉସିଂ ପ୍ରକଳ୍ପ । ମହାକାଳ ଫଳ ଭଳି ଜେଡ ଇଷ୍ଟେଟ ଲୋକଙ୍କୁ  ରଙ୍ଗୀନ ଚିତ୍ର ଦେଖାଇ ଠକି ଚାଲିଛି ୨୦୧୧ ମସିହାରୁ ।

୨୦୧୧ରେ ସୁନ୍ଦର ମନଲୋଭା ପ୍ଲାନ ଦେଖି ଅନେକ ଏନ୍ଆରଆଇ, ଡ଼ାକ୍ତର, ଇଞ୍ଜିନିୟର ଏଠାରେ ଖଣ୍ଡେ ଘର କିଣିବାକୁ ମନ ବଳାଇଲେ । ଚୁକ୍ତି ମୁତାବକ କୋଟି କୋଟି ଟଙ୍କା ଜମା ବି କଲେ ହେଲେ ୨୦୧୬ରେ ଜେଡ଼୍ ଇଷ୍ଟେଟ ଘର ମାଲିକଙ୍କ ବିନା ଅନୁମତିରେ ମନଇଚ୍ଛା ପ୍ଲାନ ବଦଳାଇଦେଲା । ରେରା ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଚାଲାକି କରି ଜେଡ଼୍ ଇଷ୍ଟେଟ ପ୍ଲାନ ବଦଳାଇ ବିଡ଼ିଏଠାରୁ ଅନୁମୋଦନ ବି ଆଣିଲା । କାହାର ଅଭିଯୋଗକୁ କର୍ଣ୍ଣପାତ ବି କଲାନାହିଁ । ସେତିକି ମନ ବୁଝିଲା ନାହିଁ, ପୁଣି ୨୦୨୧ରେ ଆଉ ଥରେ ପ୍ଲାନ ବଦଳାଇ ଘର ମାଲିକଙ୍କୁ ଠକିଲା ଜେଡ଼୍ ଇଷ୍ଟେଟ ।

୨୦୧୧ରେ ୨୬ ଏକର ୧୮୪ ଡିସିମିଲ ଜମିରେ ଜେଡ୍ ୱାନ ପ୍ରକଳ୍ପ ପାଇଁ ବିଡିଏରୁ ଅନୁମତି ମିଳିଥିଲା । ୨୧ଟି ଟାୱାର, ୨୬ଟି ଭିଲା, କ୍ଲବ ହାଉସ, କମ୍ୟୁନିଟି ସେଣ୍ଟର, କ୍ରେଚ୍ ଓ ଅନ୍ୟାନ୍ୟ କମନ ଆମେନିଟି ପାଇଁ ଅନୁମତି ମିଳିଥିଲା । ବୁକିଂ ସମୟରେ ଫେଜୱାରୀ କାମ ହେବ ବୋଲି କୁହାଯାଇଥିଲା । ଏଗ୍ରିମେଣ୍ଟ ଅନୁଯାୟୀ ଘରର ମାଲିକାନା ସହ କମନ ଏରିଆରେ ମଧ୍ୟ ସେୟାର ରହିବ ବୋଲି କୁହାଯାଇଥିଲା ।

ନିର୍ଦ୍ଧାରିତ ସମୟର ବର୍ଷେ ପରେ ସେଲ ଡିଡ୍ ଆରମ୍ଭ ହୋଇଥିଲା । ଯେଉଁ ଆଧାରରେ ସେଲ ଡିଡ୍ ହେବା କଥା ତାର ଉଲଂଘନ କରାଯାଉଥିଲା । ଏକଥା ଘର କ୍ରୟ କରୁଥିବା ବ୍ୟକ୍ତିମାନେ ଜାଣୁଥିଲେ ମଧ୍ୟ ବାଧ୍ୟବାଧକତାରେ ସେଲ ଡିଡ୍ କରିଥିବା ଅଭିଯୋଗ ହୋଇଛି। ରେରା ଆଇନ ଅନୁଯାୟୀ ପ୍ଲାନରେ ପରିବର୍ତ୍ତନ କଲେ ସମସ୍ତ ଘର ମାଲିକଙ୍କ ସମ୍ମତି ନେବା କଥା , ହେଲା ତାହା ହେଲା ନାହିଁ ।  ମାମଲା ହାଇକୋର୍ଟରେ ଚାଲିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଭୃକ୍ଷେପ କଲା ନାହିଁ ସଂସ୍ଥା ।

କେବଳ ବିନା ଅନୁମତିରେ ପ୍ଲାନ ପରିବର୍ତ୍ତନ ଭଳି ଅଭିଯୋଗ ନୁହେଁ, ଜେଡ଼୍ ଇଷ୍ଟେଟ ବିରୋଧରେ ଗଦା ଗଦା ଅଭିଯୋଗ । ଏସବୁର ଦସ୍ତାବିଜ୍ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗୁମର ରାଜ୍ୟବାସୀଙ୍କ ପାଖରେ ରଖିବାକୁ ଚେଷ୍ଟା କରିବୁ । ରାଜନୈତିକ ପୃଷ୍ଠଭୂମି ଓ ମିଡିଆ ହାଉସ୍ ବଳରେ ନିଜ ସ୍ବାର୍ଥ ହାସଲ ପାଇଁ ପ୍ରୟାସ କରିବା ସହ ଅଭିଯୋଗ କରୁଥିବା ନୀରିହ ଗ୍ରାହକଙ୍କୁ ଗୁଣ୍ଡା ଲଗାଇ ଧମକାଇବା, ବାଡ଼େଇବା, ଜେଲରେ ପୁରାଇବା ଭଳି ଘୃଣ୍ୟ କାମ କରିବାକୁ ପଛାଉନାହିଁ ଜେଡ଼୍ ଇଷ୍ଟେଟ ।