ଉତ୍ତର ଭାରତରେ ଜାରି ରହିଛି ଥଣ୍ଡା ସହ କୁହୁଡ଼ି

ନନ୍ଦିଘୋଷ ବ୍ୟୁରୋ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଜାରି ରହିଛି କୁହୁଡି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି । ଦିଲ୍ଲୀ ସମେତ ପୂରା ଏନ୍‌ସିଆର୍‌ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି । ଏଥିଯୋଗୁ ଦୁର୍ଘଟଣା ଭୟ ମଧ୍ୟ ରହିଛି । ଘନ କୁହୁଡି ଯୋଗୁ ଯାତାୟତ ପ୍ରଭାବିତ ହୋଇଛି । ଗାଡ଼ି ମଟର ଚଳାଚଳରେ ବାଧା ଉପୁଜିଛି । ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି । ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୧୩୨ରୁ ଅଧିକ ବିମାନ ପ୍ରଭାବିତ ହୋଇଛି । ଉଡାଣ ରଦ୍ଦ କରାଯାଇଛି । ଏଥିସହିତ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି । ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ବହୁ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।