spot_img
Home Blog Page 2628

ଅନଲାଇନରେ ମଗାଇଥିଲେ ଏହି ଜିନିଷ, ଆସିଲା ଇଟା

ପୁରୀ: ସାବଧାନ! ଅନଲାଇନରେ ଅର୍ଡର କଲେ, ଫସିଗଲେ । ଅନଲାଇନରେ ମଗାଇଥିଲେ ଟ୍ରଲି ବ୍ୟାଗ୍ ହେଲେ ଆସିଲା ଇଟା ଓ ଚିରା ଗଦି । ପୁରୀରେ ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀର ବୈଠକରେ ଅତିଥିଙ୍କୁ ଉପହାର ଦେବା ପାଇଁ ଅନଲାଇନରେ ଟ୍ରଲି ଓ ବ୍ୟାଗ ମଗାଇଥିଲେ କମ୍ପାନୀର ଅଧିକାରୀ। ହେଲେ ପ୍ୟାକେଟ ଆସି ଖୋଲିବା ପରେ ଗୋଟିଏରୁ ଟ୍ରଲି ବ୍ୟାଗ୍ ବାହାରିଥିବାବେଳେ ଅନ୍ୟଟିରୁ ଇଟା ଓ ଚିରା ଗଦି ବାହାରିଥିବା ଦେଥଖିବାକୁ ପାଇଥିଲେ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିବାବେଳେ ଆଇନର ସହାୟତା ନିଆଯିବ ବୋଲି ଗ୍ରାହକ କହିଛନ୍ତି । ଏଭଳି ଅନେକ ଘଟଣା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ଆଜିକାଲି ଯୁବପିଢ଼ୀ ଶସ୍ତା ଏବଂ ସହଜ ପାଇଁ ଘରେ ବସି ଅନଲାଇନରୁ ସାମଗ୍ରୀ ମଗାଉଛନ୍ତି । କିଛି ସାମଗ୍ରୀ ଭଲ ପଡ଼ୁଥିବାବେଳେ ଆଉ କିଛି ଖରାପ ପଡ଼ୁଛି । ଯାହାକୁ ନେଇ ଅନେକ ସମୟରେ ଗ୍ରାହକମାନେ ବେଶ ଚିନ୍ତାରେ ମଧ୍ୟ ରହୁଛନ୍ତି ।

ବନ୍ଧା ହେଲା ନକଲି ଡାକ୍ତର

ଢେଙ୍କାନାଳ: ବନ୍ଧା ହେଲା ନକଲି ଡାକ୍ତର । ଢେଙ୍କାନାଳ କଙ୍କଡାହାଡ଼ କେରଜୁଳି ଗାଁରୁ ଧରାପଡ଼ିଲା ନକଲି ଡାକ୍ତର । ଗିରଫ ନକଲି ଡାକ୍ତର ଜଣକ ହେଲା ପଶ୍ଚିମବଙ୍ଗର ରାକେଶ ବିଶ୍ୱାସ l କଙ୍କଡାହାଡ଼ର କେରଜୁଳି ଗାଁରେ ଦୀର୍ଘବର୍ଷ ହେବ ରହି କ୍ଲିନିକ କରିଥିଲା ରାକେଶ। କୌଣସି ମେଡିକାଲ ଡିଗ୍ରୀ, କ୍ଲିନିକ ଲାଇସେନ୍ସ ନଥାଇ ନିଜକୁ ଡାକ୍ତର କୁହାଇ କରୁଥିଲା ରୋଗୀସେବା । ରୋଗୀମାନଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରିବା ସହ ଗର୍ଭପାତ କରାଉଥିବା ଅଭିଯୋଗ ହୋଇଛି। ବେଆଇନ କ୍ଲିନିକସମ୍ପର୍କରେ ସୂଚନା ପାଇ କଙ୍କଡାହାଡ଼ ପୋଲିସ ନକଲି ଡାକ୍ତରକୁ ଗିରଫ କରିବା ସହ କ୍ଲିନିକକୁ ସିଜ୍ କରିଛି l ଅଂଚଳରେ ଅନେକ ଏଭଳି ନକଲି ଡାକ୍ତର ସକ୍ରିୟ ଥିବାରୁ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ଓ ସ୍ଥାନୀୟ ପୋଲିସ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

ପୁଣି ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା। ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ସୋମବାର ଅପରାହ୍ନରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଯାହାକୁ ନେଇ ଭୟଭୀତ ହୋଇଥିଲେ ସ୍ଥାନୀୟ ଲୋକେ। ସେପଟେ ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହେଇଛି । ଅପରାହ୍ନ ୪ଟା ୧୮ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସାଧାରଣ ଲୋକ ।

ଏହା ପୂର୍ବରୁ ଶୁକ୍ରବାର ରାତିରେ ମଧ୍ୟ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସେହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଥିଲା ୬.୪ । ରାତି ପ୍ରାୟ ସାଢେ ୧୧ଟା ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହେଇତିଲା ।

 

କଲରାପତରିଆକୁ ଟ୍ରାପ କଲାପରେ ମଧ୍ୟ ନୂଆପଡ଼ାରେ ନିଦ ହଜାଇଛି ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ାରେ ନିଦ ହଜାଇଛି ବାଘ ଆତଙ୍କ। ଗୋଟେ କଲରାପତରିଆକୁ ଟ୍ରାପ କରାଯାଇଛି। ହେଲେ ଭୟ ଟଳିନି । କାରଣ ଏବେ ବି ଆଉ ଏକ ବାଘ ବୁଲୁଥିବା ଖବର ମିଳିଛି । ବାଘର ଗତିବିଧି ସଂପର୍କରେ ମନିଟର କରୁଛି ବନ ବିଭାଗ। ଅନ୍ୟପଟେ ଟ୍ରାପ ହୋଇଥିବା କଲରାପତରିଆ କାହିଁକି ମଣିଷଖିଆ ପାଲଟିଲା, ତାକୁ ନେଇ ସ୍ବତନ୍ତ୍ର ଟିମ୍ ରିସର୍ଚ୍ଚ ଚଳାଇଛି । ସେପଟେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ଲୋକଙ୍କୁ ୧୫ଦିନ ଭିତରେ କ୍ଷତିପୂରଣ ମିଳିବ ବୋଲି ପିସିସିଏଫ୍ ବନ୍ୟପ୍ରାଣୀ କହିଛନ୍ତି।

ନୂଆପଡ଼ାରେ ଥମୁନି ବାଘ ଆତଙ୍କ। କିଛି ମାସର ବ୍ରେକ ପରେ ଏବେ ପୁଣି ଘାରିଛି ବାଘ ଭୟ। କିଛି ଦିନ ତଳେ ଦୁଇ ଜଣଙ୍କୁ ଜୀବନରୁ ମାରି ଦେଇଥିଲା କଲରାପତରିଆ। ତାପରେ ମଣିଷଖିଆକୁ ଟ୍ରାପ୍ କରିଛି ବନ ବିଭାଗ। ହେଲେ ତଥାପି ସରିନି ଆତଙ୍କ। ଗୋଟିଏ ବାଘ କାବୁ ହୋଇଥିବା ବେଳେ ଆଉ ଏକ କଲରାପତରିଆ ବାଘ ବୁଲୁଥିବା କହିଛନ୍ତି ଗାଁଲୋକେ। ବାଘ ଭୟରେ ଆଖପାଖ ଗାଁରେ ତାଟି କବାଟ ପଡିଗଲାଣି । ଗତ ତିନି ଦିନ ହେଲା ବାଘକୁ ନେଇ ଜାରି ରହିଛି ସସପେନସ୍ । ହେଲେ ଏଯାଏଁ ତା ଗତିବିଧି ନେଇ ଖବର ଆସିନି। ବନ ବିଭାଗ ବାଘକୁ ଠାବ କରିବାକୁ କ୍ୟାମେରା ଲଗାଇଛି  ।

ସେପଟେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା କୋଦୋପାଲି ଗାଁରୁ ବନବିଭାଗ କଲରାପତରିଆ ବାଘକୁ ଯନ୍ତା ପକାଇ ଧରିବା ପରେ ନିଜ କାର୍ଯ୍ୟାଳୟ ପରିସରରେ ଏକାନ୍ତରେ ରଖିଛି । ବାଘ ସୁସ୍ଥ ଅଛି। ହେଲେ ତାର ମଣିଷଖିଆ ସ୍ବଭାବ ନେଇ ସନ୍ଦେହରେ ବନ ବିଭାଗ। ବାଘର ବ୍ୟବହାର ଯାଞ୍ଚ କରିବାକୁ ୪ଜଣିଆ ଟିମ୍ ନୂଆପଡ଼ା ଯାଇଛନ୍ତି। ଏଥିରେ କଲରାପତରିଆ ବାଘ ସମ୍ପର୍କରେ ଜାଣିଥିବା ଜଣେ ବିଶେଷଜ୍ଞଙ୍କୁ ବି ସମ୍ବଲପୁରରୁ ପଠାଯାଇଛି। ସେହିପରି ଦେବ୍ରିଗଡ଼ ଡିଏଫଓ ଏବଂ ଭେଟେନାରୀ ଟିମ୍ ମଧ୍ୟ ବାଘର ବ୍ୟବହାରକୁ ଯାଞ୍ଚ କରୁଛନ୍ତି।

 

ସୀମା ହାଇଦରଙ୍କୁ ନେଇ ବଢ଼ୁଛି ଚିନ୍ତା, ପାକିସ୍ତାନ ଦେଉନି ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତରେ ଆସି ରହିଥିବା ସୀମା ହାଇଦର ଜଣେ ଆତଙ୍କବାଦୀ । ସେ ପାକିସ୍ତାନର ଗୁପ୍ତଚର ଭାବେ ଆସି ଭାରତରେ ରହିଛନ୍ତି । ସେ ଭାରତ ପାଇଁ ପରବର୍ତ୍ତୀ ସମୟରେ ବିପଦ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସୀମା ନିଜର ଧର୍ମ ପରିବର୍ତ୍ତନ କରିବା ସହ ହିନ୍ଦୁ ଧର୍ମର ପରମ୍ପରାକୁ ଆପଣାଇଥିବା ନଜରକୁ ଆସିଛି । ପର୍ବ ପର୍ବାଣୀ ସମୟରେ ତାଙ୍କର ନୂଆ ନୂଆ ଲୁକ୍ ସାଙ୍ଗକୁ ଧାର୍ମିକ ଭାବନାର ପୋଷ୍ଟମାନ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି । ରାକ୍ଷୀ ପୂର୍ଣ୍ଣିମା ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ନେତାଙ୍କ ପାଖକୁ ମଧ୍ୟ ରାକ୍ଷୀ ପଠାଇଥିଲେ ସୀମା ।

ସେ ନିଜକୁ ଏବେ ଭାରତୀୟ ବୋଲି କହିବା ସହ ତ୍ରିରଙ୍ଗା ଧରି ଅନେକବାର ଫଟୋ ଉଠାଇବା ସହ ପାକିସ୍ତାନକୁ ନିନ୍ଦା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସୀମାଙ୍କୁ ନେଇ ଏବେ ମଧ୍ୟ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । ସେପଟେ ପାକିସ୍ତାନ ସୀମାଙ୍କ ବାବଦରେ କୌଣସି ସ୍ପଷ୍ଠୀକରଣ ଦେଇ ନାହିଁ । ଯାହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ମଧ୍ୟ ଉପୁଜିଛି । ଉତ୍ତରପ୍ରଦେଶ ପୋଲିସର ତଦନ୍ତ ମଧ୍ୟ ଧିମା ପଡ଼ି ଯାଇଥିବା ଅଭିଯୋଗ ହେଉଛି । ୪ ଛୁଆଙ୍କୁ ଧରି ଭାରତରେ ସଚିନଙ୍କ ସହ ରହିଥିବା ସୀମା ଅନେକ ସମୟରେ ଗଣମାଧ୍ୟମରେ ହେଡଲାଇନ ମଧ୍ୟ ପାଲଟିଛନ୍ତି । ପବଜୀ ଖେଳରୁ ତାଙ୍କ ପ୍ରେମ ହୋଇଥିବାବେଳେ ପାକିସ୍ତାନରୁ ନେପାଳ ଦେଇ ସିଧା ଭାରତରେ ପ୍ରବେଶ । ତେବେ ସେ କିଛି ଉଦ୍ଦେଶ୍ୟ ନେଇ ଭାରତରେ ପ୍ରବେଶ କରିଥାଇପାରନ୍ତି ବୋଲି ଆଜି ମଧ୍ୟ ଅନେକଙ୍କ ମନରେ ସନ୍ଦେହ ଉପୁଜିଛି ।

 

୧୪୬ ବର୍ଷ ପରେ କ୍ରିକେଟ ଇତିହାସରେ ପ୍ରଥମ, ରନ ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ୍

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ନୂଆ । ୧୪୬ ବର୍ଷର କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ ଖେଳିବା ପୂର୍ବରୁ ଆଉଟ୍ ହେଲେ ବ୍ୟାଟ୍ସମ୍ୟାନ । ବିଶ୍ବକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଛି ଏଭଳି କିଛି । ଶ୍ରୀଲଙ୍କାର ଆଞ୍ଜେଲ ମ୍ୟାଥୁସ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇଛନ୍ତି । ଟାଇମ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ତିନି ମିନିଟ୍ ବିଳମ୍ବରେ କ୍ରିଜରେ ପହଞ୍ଚିଥିବାରୁ ବିନା ବଲ୍ ଖେଳି ଆଉଟ୍ ହେଇଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ । ଆଇସିସିର ନିୟମ ମୁତାବକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏହି ଆଉଟ୍ ଘୋଷଣା କରିଛନ୍ତି ଫିଲଡ୍ ଅମ୍ପାୟର । ମ୍ୟାଥ୍ୟୁସ ବିଳମ୍ବରେ ପହଞ୍ଚିବାର କାରଣ କହିଥିଲେ । ମାତ୍ର ଅମ୍ପାୟାର ଏହାକୁ ଶୁଣି ନଥିଲେ । ସେପଟେ ବାଂଲାଦେଶ ମଧ୍ୟ ଏହି ଆଉଟକୁ ଫେରାଇ ନଥିଲା । ଫଳରେ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ସହ ମାଥ୍ୟୁସ ଯୁକ୍ତି କରିଥିଲେ ସୁଦ୍ଧା ଶୁଣିନଥିଲେ । ଶେଷରେ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ସୂଚନା ଥାଉକି, ମାଥ୍ୟୁସ ଯେତେବେଳେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଆସିଥିଲେ ତାଙ୍କ ହେଲମେଟ ଠିକ୍ ନଥିଲା । ଫଳରେ ସେ ଆଉ ଏକ ହେଲମେଟ ଆଣିବାକୁ ଇସାରା କରିଥିଲେ । ଆଇସିସି ନିୟମ ଅନୁସାରେ ନୂଆ ବ୍ୟାଟ୍ସମ୍ୟାନ ୩ ମିନିଟ ମଧ୍ୟରେ ବଲକୁ ସାମନା ନକଲେ ସେ ଟାଇମ ଆଉଟରେ ଆଉଟ୍ ହେବେ । ଏଣୁ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଆଉଟ୍ ପାଇଁ ଅପିଲ୍ କରିଥିଲେ । ଶେଷରେ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ ।

ଆସନ୍ତା ଦୁଇ ଦିନ ରାଜ୍ୟରେ ରାଜ କରିବ ଗରମ ଗୁଳୁଗୁଳି

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାଜ କରିବ ଗରମ ଗୁଳୁଗୁଳି। ଓଡିଶାକୁ ଆସୁଥିବା ଗରମ ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ଏଭଳି ପାଗ ଜାରି ରହିବ । ବାୟୁମଣ୍ଡଳ ରେ ଥିବା ପ୍ରଚୁର ପରିମାଣର ଜଳିୟବାଷ୍ପ ପାଇଁ ଆର୍ଦ୍ରତା ବୃଦ୍ଧି ପାଇଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏହା ସହିତ ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨ ଦିନ ପରେ ରାଜ୍ୟରେ ବଦଳିବ ପାଗ। ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତ ଅନୁଭୁତ ହେବ। କାର୍ତ୍ତିକରେ ଖରା ଛାଇ ଖେଳ ଦେଖିବାକୁ ମିଳୁଛି । କେତେବେଳେ ହାଲୁକା ଥଣ୍ଡା ତ ପୁଣି କେତେବେଳେ ବର୍ଷା। ପୁଣି କେତେବେଳେ ଗରମ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ। ରାଜ୍ୟରେ ବାୟୁ ଚଳାଚଳର ଅସଙ୍ଗତି ପାଇଁ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ମଧ୍ୟ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍‌ ମୃତ୍ୟୁ ମାମଲା, ପୋଲିସର ହସ୍ତଗତ ହେଲା ଭିସେରା ରିପୋର୍ଟ

ରାଉରକେଲା: ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ପୋଲିସର ହସ୍ତଗତ ହୋଇଛି ଭିସେରା ରିପୋର୍ଟ । ଭିସେରା ରିପୋର୍ଟ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି  । ମାମଲାରେ ୨୦ ଜଣଙ୍କୁ ପଚରାଉଚରା କରାଯାଇଛି । ହୋଟେଲ ରାଧିକାର କର୍ମଚାରୀଙ୍କ ସହ ହୋଟେଲ ଅନୁରାଗର ମ୍ୟାନେଜରଙ୍କୁ ଜେରା କରାଯାଇଛି । ମୃତ ସୁସ୍ମିତା ମିଞ୍ଜଙ୍କ ସ୍ବାମୀ ସୁଶୀଲ ଟପ୍ନୋଙ୍କୁ ଜେରା କରି ବିଭିନ୍ନ ତଥ୍ୟ ହାସଲ କରିଛି ପୋଲିସ । ସେପ୍ଟେମ୍ୱର ମାସ ୧୯ ତାରିଖରେ ରାଉରକେଲା ସେନସୋରି ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ପରେ ପ୍ଲାଣ୍ଟ ସାଇଟ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି  । ବିବାହ ପରେ ସ୍ବାସୀଙ୍କ ସହିତ ସୁସ୍ମିତାଙ୍କ ଭଲ ସମ୍ପର୍କ ନଥିଲା । ୨୦୨୦ ମସିହା ଫେବ୍ରୁଆରୀ ୧୪ରେ ସୁଶୀଲଙ୍କୁ ବିବାହ କରିଥିଲେ ସୁସ୍ମିତା । ପରେ ସ୍ବାମୀ ନିର୍ଯାତନା ଦେଉଥିବା ଅଭିଯୋଗରେ ୨୦୨୨ ମସିହାରେ ରାଉରକେଲା ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ । ମୃତ୍ୟୁ ପୂର୍ବରୁ ସୁସ୍ମିତା ମୋବାଇଲରେ କଥା ହୋଇଥିବା ଯୁବକଙ୍କ ସହ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ ।

ଚିନ୍ତା ବଢ଼ାଇଲାଣି ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବଢିଚାଲିଛି ପ୍ରଦୂଷଣ, ଏହାଦ୍ବାରା  ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ପ୍ରତିବର୍ଷ ହରିୟାନା,ଦିଲ୍ଲୀରେ ନଡା ପୋଡାଯିବା ସହ ମାତ୍ରାଧିକ ଯାନବାହନ ଚଳାଚଳ ଯୋଗୁ ଦିଲ୍ଲୀରେ ଶୀତଦିନେ ପ୍ରଦୂଷଣ ମାତ୍ରା ବଢୁଛି । ବାୟୁର ମାନାଙ୍କ ବା AQI ୪୭୧ ରହିଛି, ଯାହାକି ଶ୍ବାସକ୍ରିୟାରେ ଗୁରୁତର ବ୍ୟାଘାତ ସୃଷ୍ଟି କରିପାରେ । ବିଶେଷଜ୍ଞଙ୍କ କହିବା ହେଲା, ଏୟାର କ୍ବାଲିଟି ଇଣ୍ଡେକ୍ସ ଏକ୍ୟୁଆଇ ୪୫୦ ଉପରେ ରହିଲେ ପ୍ରଦୂଷଣର ସ୍ତର ଗମ୍ଭୀର ପ୍ଲସ୍ ଶ୍ରେଣୀରେ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ବାୟୁର ମାନ ବା AQI ୫୦ ତଳକୁ ରହିବା କଥା ।

କିନ୍ତୁ, ବର୍ତ୍ତମାନ ଦିଲ୍ଲୀରେ AQI ୪ଶହରୁ ଅଧିକ ରହୁଛି ଯାହାକି  ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ବିପଦଜନକ । ଲଗାତର ୭ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଗମ୍ଭୀର ଶ୍ରେଣୀରେ ରହିଛି । ଆରକେ ପୁରମରେ ଏକ୍ୟୁଆଇ ୪୬୬, ଆଇଟିଓରେ ୪୦୨, ପଟପଡଗଂଜରେ ୪୭୧, ନ୍ୟୁ ମୋତିବାଗରେ ୪୮୮ ଏକ୍ୟୁଆଇ ରହିଛି ଯାହାକି ଅତ୍ୟନ୍ତ ମଣିଷ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉ । ପ୍ରଦୂଷିତ ବାୟୁ,ଧୂଳିକଣା ମଣିଷ ଶରୀରରେ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।ଦିଲ୍ଲୀ ଏମସ୍ ର ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ପିୟୁଷ ରଞ୍ଜନଙ୍କ କହିବା ହେଲା ବାୟୁ ପ୍ରଦୂଷଣ ଯୋଗୁ ହୃଦଘାତ,ଫୁସଫୁସ୍ କ୍ୟାନସର,ବ୍ରେନ୍ ଷ୍ଟ୍ରୋକ୍, ଆଥ୍ରିଟିସ୍ ଭଳି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି । ବାୟୁ ପ୍ରଦୂଷଣ ମନୁଷ୍ୟର ଶ୍ବାସକ୍ରିୟାରେ ଗୁରୁତର ବାଧା ସୃଷ୍ଟି କରିବା ସହ ଶ୍ବାସରୋଗ ସୃଷ୍ଟି କରିଥାଏ ।

ପ୍ରଦୂଷିତ ବାୟୁର ଧୂଳିକଣା ସହ ରାସାୟନିକ ଡ୍ରପଲେଟସ୍ ନିଶ୍ବାସ ମାଧ୍ୟମରେ ଫୁସଫୁସ୍ ରେ ପ୍ରବେଶ କରିଥାଏ । ଏହା ଅଧିକ ଦିନ ଫୁସଫୁସ୍ ରେ ଜମି ରହିବା ଫଳରେ ଫୁସଫୁସ୍ କ୍ୟାନସର୍ ଭଳି ରୋଗ ସୃଷ୍ଟି ହୋଇଥାଏ । ଶିଶୁ,ବୟସ୍କ, ଗର୍ଭବତୀ ମହିଳା ଓ ରୋଗୀଙ୍କ କ୍ଷେତ୍ରରେ ଏହା ମାରାତ୍ମକ ହୋଇଥାଏ । ନିଶ୍ବାସରେ ବିଷାକ୍ତ ଧୂଳିକଣା ଯାଇ ରକ୍ତନଳୀରେ ପ୍ରବାହିତ ହୋଇଥାଏ । ରକ୍ତନଳୀ ମାଧ୍ୟମରେ ଏହା ମସ୍ତିଷ୍କ ଓ  ଧମନୀରେ ଜମିବା କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଓ ହୃଦଘାତ ହେବାର ଆଶଙ୍କା ସର୍ବାଧିକ ରହିଥାଏ ।

ବିଶ୍ବକପ ପରେ ନୂଆ ଅଧିନାୟକ ଖୋଜିବ ଟିମ୍ ଇଣ୍ଡିଆ, ଏହି ସିନିୟର ଖେଳାଳି ନେବେ ବିଶ୍ରାମ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସିନିୟର ଖେଳାଳିଙ୍କୁ ଦିଆଯିବ ବିଶ୍ରାମ । ଯୁବ ଖେଳାଳିଙ୍କୁ ଦଳରେ କରାଯିବ ସାମିଲ୍ । ଦିନିକିଆ ବିଶ୍ବକପ ପରେ ଟି-୨୦ ବିଶ୍ବକପ ପାଇଁ କରାଯିବ ପ୍ରସ୍ତୁତି । ତେବେ ଦିନିକିଆ ବିଶ୍ବକପ ପରେ ରୋହିତ, କୋହଲି ଏବଂ ବୁମରାଙ୍କ ଭଳି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ସୂଚନା ମିଳିଛି । ସେପଟେ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ଅଧିନାୟକ ପଦ ସମ୍ଭାଳିପାରନ୍ତି । ବିଶ୍ବକପ ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ,କ ଟି-୨୦ ସିରିଜ ଖେଳିବାକୁ ଯାଉଛି । ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ଦଳରେ ବହୁ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିପାରେ ।

ଏଣୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦଳରେ ବହୁ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିପାରେ । ସଞ୍ଜୁ ସାମସନ ଏହି ଟି-୨୦ ସିରିଜରେ ଦଳକୁ କମବ୍ୟାକ କରିପାରନ୍ତି । ତେବେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଖେଳିବାର ସମ୍ଭାବନା ଅଧିକ ରହିଛି । ସେପଟେ ସାମ୍ଭବ୍ୟ ଦଳ କଥା ଯଦି ବିଚାର କରିବା ତାହେଲେ ଋତୁରାଜଙ୍କ ସହ ସଞ୍ଜୁ ସାମସନ ଓପନିଂ କରିବେ । ଜିତେଶ ଶର୍ମା ଓ୍ବିକେଟ କିପର ଭାବେ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି । ଅଲରାଉଣ୍ଡରଙ୍କ କଥା ଯଦି କହିବା ତାହେଲେ ଅକ୍ଷର ପଟେଲ, ଶିଭମ ଦୁବେ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିପାରେ । ବୋଲରଙ୍କ ମଧ୍ୟରେ ରହିପାରନ୍ତି ଅର୍ଶଦୀ ସିଂ, ମୁକେଶ କୁମାର, ଦୀପକ ଚହର ଏବଂ ଉମ୍ରାନ ମଲ୍ଲିକ । ସେପଟେ ଦୀର୍ଘଦିନ ହେବ ଦଳରୁ ବାହାରେ ଥିବା ଚହଲଙ୍କୁ ସ୍ଥାନ ମିଳିବାର ସମ୍ଭାବନା ଅଧିକ ରହିଛି ।