ନୟାଗଡ଼: ଦଶହରାରେ ଅଘଟଣ । ପୋଖରୀରେ ବୁଡ଼ି ମାଆ ଝିଅ ମୃତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଘୋଳାହାଣ୍ଡିରେ ଘଟିଛି ଅଭାବନୀୟ ଘଟଣା । ମୃତକ ରୀନା ପ୍ରଧାନ ଓ ୧୩ ବର୍ଷୀୟା ଝିଅ ବର୍ଷା । ଗାଧୋଇବାବେଳେ ଅସାବଧାନତାରୁ ଉଭୟ ପୋଖରୀରେ ବୁଡ଼ିଯାଇଥିଲେ । ପୋଖରୀରେ ଭାସୁଥିବାର ଦେଖି ଗାଁ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ମୃତ୍ୟୁ ଖବର ପାଇବା ପରେ ପରିବାରରେ ଖେଳି ଯାଇଛି ଶୋକର ଛାୟା । ସବୁଠି ଉତ୍ସବର ମାହୋଲ ଚାଲିଥିବାବେଳେ ଗାଁରେ କାନ୍ଦବୋବାଳିରେ ଫାଟି ପଡ଼ୁଛି ।
ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ବ୍ୟାନ, ଅଭିନୟ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ
ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ ।
ଆଜି ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇ ଥିବା କୁହାଯାଇଛି । ସମ୍ବଲପୁରରେ ‘ରାମ’ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ, ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଝଗଡ଼ା ଚାଲିଛି । ବ୍ୟକ୍ତିଗତ ଝଗଡା ପାଇଁ ବଳିପଡୁଛନ୍ତି ପ୍ରଯୋଜକ । ବିଗ ବଜେଟରେ ଫିଲ୍ମ ରାମରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିଲା ଫିଲ୍ମ । ହେଲେ ମନୋଜଙ୍କ ସମର୍ଥକ ସମ୍ବଲପୁରରେ ଶୋ’ ବନ୍ଦ କରିଦେଇଥିଲେ । ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବୁଟର । ଏନେଇ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଅଭିଯୋଗ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବା ପରେ ମନୋଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂଘ ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନୋଜ । ସେ କହିଛନ୍ତି, ‘ବ୍ୟାନ କରାଯିବା ନେଇ ତାଙ୍କ ପାଖକୁ କୌଣସି ଲିଖିତ ଚିଠି ଆସିନାହିଁ । ବ୍ୟାନ ପ୍ରସଙ୍ଗରେ ସେ ଅବଗତ ନାହାନ୍ତି ।’ ଏପରିକି ରାମ ସିନେମାକୁ ବିରୋଧ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ।
ଚଳନ୍ତା ପ୍ଲେନରେ ଇଂଜିନ୍ ବନ୍ଦ ଉଦ୍ୟମ କରି ଗିରଫ ହେଲେ ଛୁଟିରେ ଥିବା ପାଇଲଟ୍
ନୂଆଦିଲ୍ଲୀ: ଚଳନ୍ତା ପ୍ଲେନର ଇଂଜିନ ବନ୍ଦ କରିବାକୁ ଚେଷ୍ଟା କରି ଅଫ୍ ଡ୍ୟୁଟି ପାଇଲଟ୍ ଗିରଫ । ବିମାନଟି ଓ୍ବାସିଂଟନରୁ କାଲିଫର୍ଣ୍ଣିଆ ଯାଉଥିଲା । ଘଟଣା ଘଟିଛି ଅଲାସ୍କା ଏୟାରଲାଇନ୍ସରେ । ରବିବାର ଡ୍ୟୁଟିରେ ନଥିବା ପାଇଲଟ ଜୋସେଫ ଇମର୍ସନ ପ୍ଲେନର ଇଂଜିନ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ତେବେ କାର୍ଯ୍ୟରତ ପାଇଲଟ୍ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇବା ପରେ ଜୋସେଫଙ୍କୁ ଗିରଫ କରାଯାଇଛି । ଏବେ ଜୋସେଫଙ୍କୁ ମଲ୍ଟନୋମାହ କାଉଣ୍ଟି ଡିଷ୍ଟେସନରେ ରଖାଯାଇଛି । ବିମାନରେ ୮୦ ଯାତ୍ରୀ ଥିଲେ । ଅଲେସ୍କା ଏୟାରଲାଇନ୍ସ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି ।
ରିପୋର୍ଟ ଅନୁସାରେ ଜୋସେଫ ଅପରେଟିଂ ପାଇଲଟଙ୍କ ପାଖ ସିଟରେ ବସିଥିଲେ । ହଠାତ ସେ ଫାୟାର ସପ୍ରେସନ ସିଷ୍ଟମକୁ ଆକ୍ଟିଭ କରିବାକୁ ଚେଷ୍ଟା କରିଥିଲେ । ଏହା ଆକ୍ଟିଭ ହେଲେ ପ୍ଲେନରେ ଇନ୍ଧନ ସପ୍ଲାଏ ବନ୍ଦ ହୋଇଯାଇଥାଏ ଓ ବିମାନ ତଳକୁ ଖସି ପଡ଼ିଥାଏ । ହେଲେ ବିମାନର ପାଇଲଟ ଜୋସେଫଙ୍କୁ ଅଟକାଇବା ସହ ପୋର୍ଟଲ୍ୟାଣ୍ଡରେ ବିମାନର ଜରୁରୀ ଅବତରଣ କରାଇଥିଲେ ।
ଆମେରିକୀୟ ନ୍ୟୁଜ ଚ୍ୟାନେଲ ଦି ନ୍ୟୁୟର୍କ ଟାଇମ୍ସ ଅନୁସାରେ, ବିମାନ ଅବତରଣ ପରେ ୮୩ ଲୋକଙ୍କ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଥିଲା । ଏହାସହ ଜୋସେଫଙ୍କୁ ମାନସିକ ସ୍ତରରେ ଅସୁସ୍ଥ ବୋଲି କୁହାଯାଇଛି ।
ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳାଇବାକୁ ତାନ୍ତ୍ରିକ ପାଖକୁ ଯିବା ବେଳେ ମାଡ଼ି ବସିଲା ପୋଲିସ, ୪୭ ଲକ୍ଷ ଜବତ
ଗ୍ବାଲିୟର: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ପୋଲିସକୁ ବଡ଼ ସଫଳତା । ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳାଇବାକୁ ଯାଇ ଜଣେ ଗିରଫ । ଅଭିଯୁକ୍ତ ପାଖରୁ ୪୭ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଜବତ । ଅଭିଯୁକ୍ତ ଜଣଙ୍କ ମୋରେନାର ସୁଲତାନ କରୋସିୟା ବୋଲି ଜଣାପଡ଼ିଛି । ତନ୍ତମନ୍ତ୍ର ମାଧ୍ୟମରେ ଏହି ଅଚଳ ଟଙ୍କାକୁ ବଦଳାଇବାକୁ କରିଥିଲା ଯୋଜନା । ଏକ ଅଳିଆ ଗଦାରୁ ସେ ଏହି ଟଙ୍କା ପାଇଥିବା ଓ ସେବେଠାରୁ ଲୁଚାଇ ରଖିଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ ।
ଟଙ୍କାକୁ ବଦଳାଇବାକୁ ତାନ୍ତ୍ରିକ ପାଖକୁ ଯାଉଥିଲା
ଅଭିଯୁକ୍ତ କହିଛି, ପୁରୁଣା ଟଙ୍କାକୁ ନୂଆ ଟଙ୍କାରେ ପରିବର୍ତ୍ତନ କରିବାକୁ ଜଙ୍ଗଲରେ ରହୁଥିବା ଜଣେ ତାନ୍ତ୍ରିକ ପାଖକୁ ନେଉଥିଲା । ଫୋନ କଲରେ ଜଣେ ତାନ୍ତ୍ରିକ ଜଣଙ୍କ ଏହି ପୁରୁଣା ନୋଟ୍ ବଦଳାଇ ପାରିବ ବୋଲି କହିଥିଲା । ଏକ ଜିନକୁ ସେ ବଶ କରି ରଖିଛି ଓ ସେ ଏହି ନୋଟକୁ ନୂଆ ନୋଟରେ ପରିଣତ କରିପାରିବ ବୋଲି ତାନ୍ତ୍ରିକ କହିଥିଲା ।
ପୋଲିସ କହିଛି, ଗୁପ୍ତ ସୂଚନା ମିଳିବା ପାରେ ମୋରେନା ରାସ୍ତାରେ ଜଣେ ବାଇକ ଚାଳକକୁ ଅଟକା ଯାଇଥିଲା । ପୋଲିସକୁ ଦେଖି ବ୍ୟକ୍ତି ଜଣଙ୍କ ଖସି ଯିବାକୁ ଚେଷ୍ଟା କରିଥିଲା । ତା’ ବ୍ୟାଗରୁ ୪୭ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ ମିଳିଥିଲା ।
ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ରାୟ: କହିଲେ- ଭିନ୍ନ ଧର୍ମର ଯୋଡ଼ିଙ୍କ ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍
ଆହ୍ଲାବାଦ: ଭିନ୍ନ ଧର୍ମର ଯୁବକ ଓ ଯୁବତୀଙ୍କ ଲିଭ୍ ଇନ୍ ରିଲେସନସିପକୁ କେବଳ ଟାଇମ୍ ପାସ୍ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, ‘ଯେପର୍ଯ୍ୟନ୍ତ ଏହି ସମ୍ପର୍କକୁ ବିବାହର ରୂପ ଦେବାକୁ ଉଭୟ ପ୍ରସ୍ତୁତ ହୋଇ ନଥିବେ ଏହାରୁ ସୁରକ୍ଷା ଦିଆଟାଇ ପାରିବ ନାହିଁ ।’
ଜୀବନ ଫୁଲଶଯ୍ୟା ନୁହେଁ, ଏହା ବହୁତ କଠିନ ବୋଲି କୋର୍ଟ କହିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । କୁମାରୀ ରାଧିକା ଏବଂ ସୋହେଲ ଖାନଙ୍କ ଆବେଦନର ବିଚାର କରି ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ବିଚାରପତି ରାହୁଲ ଚର୍ତୁବେଦୀ ଏବଂ ଏମଏଏଚ ଇଦରିସିଙ୍କ ଖଣ୍ଡପୀଠ ।
ଆବେଦନରେ କୁହାଯାଇଥିଲା, ଉଭୟ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଚାହୁଁଛନ୍ତି । ତେଣୁ ମଥୁରା ରିଫାଇନାରୀ ଥାନାରେ ହୋଇଥିବା ଅପହରଣ ମାମଲାକୁ ରଦ୍ଦ କରିବା ସହ ଗିରଫଦାରୀ ଅଟକାଇବାକୁ ନିବେଦନ କରାଯାଇଛି ।
କୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି, ‘ସୁପ୍ରିମକୋର୍ଟ କିଛି ମାମଲାରେ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଅନୁମତି ଦେଇଚନ୍ତି । ହେଲେ ଦୁଇ ମାସର ସମୟ ଓ ୨୦ରୁ ୨୨ ବର୍ଷ ବୟସରେ ଏମିତି ସମ୍ପର୍କକୁ ନେଇ ସେମାନେ ହୁଏତ ଭମ୍ଭୀର ଭାବେ ବିଚାର କରି ନପାରନ୍ତି । ଏଥିରେ ବିଶ୍ବାସଠାରୁ ସମ୍ପର୍କର ଅଧିକ ମହତ୍ବ ରହିଥାଏ । ଯେ ପର୍ଯ୍ୟନ୍ତ ଉଭୟ ଏହାକୁ ବିବାହର ରୂପ ଦେଇ ନଥିବେ ଓ ପରସ୍ପରକୁ ବିଶ୍ବାସକୁ ନେଇ ନଥିବେ ସେ ପର୍ଯ୍ୟନ୍ତ କୋର୍ଟ ଏମିତି ସମ୍ପର୍କକୁ ନେଇ କୌଣସି ନିଷ୍ପତ୍ତି ଶୁଣାଇବେ ନାହିଁ ।’
ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକାଳରେ ବିକାଶର ଶିଖର ଛୁଇଁଛି ଓଡ଼ିଶା
ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସରର ନେବା ପରେ ଭି.କେ. ପାଣ୍ଡିଆନଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି । ନିଜ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଓଡ଼ିଶାକୁ ବାସ୍ତବ ରୂପ ଦେଇଛନ୍ତି ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ଏହି ସମୟରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ନେଇଥିଲେ ପଦକ୍ଷେପ ।
ପରେ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ସମୟରେ ସେ ଜାତୀୟ ପୁରସ୍କାର ପାଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତ ।
ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭି.କେ ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ବହୁବାର ନିମନ୍ତ୍ରଣ କରାଯାଇଛି । ଲୋକକଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଥିଲେ । ଭିନ୍ନକ୍ଷମଙ୍କ ସଶକ୍ତିକରଣରେ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି ।
୨୦୦୭ରୁ ୨୦୧୧ ଯାଏଁ ଗଞ୍ଜାମ ଜିଲ୍ଲାପାଳ ଥିଲେ ଭି.କେ. ପାଣ୍ଡିଆନ । ଏହି ସମୟରେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଲାଗୁ କରିଥିଲେ ।
ରାଉରକେଲା ଏଡିଏମ ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ସେ ସମୟରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ । ସେ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି ଭି.କେ ପାଣ୍ଡିଆନ ।

