୪୮୨ ସ୍ନାତକୋତ୍ତର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସମୃଦ୍ଧ ହେଉଛି ଶିକ୍ଷା ବ୍ୟବସ୍ଥା। ପୂରଣ ହେଉଛି ଶିକ୍ଷକ ପଦବୀ। ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଜିଟି ଟିଚର ନିଯୁକ୍ତିରେ ଏମାନେ ହେଉଛନ୍ତି ପ୍ରଥମ ବ୍ୟାଚ। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ନିଜକୁ ଅପଡେଟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାସହ ପ୍ରଯୁକ୍ତି ବିଜ୍ଞାନକୁ ଶିକ୍ଷକତାରେ ଉପଯୋଗ କରି ସାବଲୀଳ କରିବାକୁ ନବୀନ କହିଛନ୍ତି। ଶ୍ରେଣୀଗୃହକୁ ପରିବେଶ ଭିତ୍ତିକ କରି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି । ସମସ୍ତଙ୍କୁ ନବୀନ ଅଭିନନ୍ଦନ ଜଣାଇବା ସହ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହିତ ସମସ୍ତେ ଶିକ୍ଷକତା କରି ରାଜ୍ୟ ରୂପାନ୍ତରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।  ଉଚ୍ଚମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରାଯାଉଛି ।

ଏହା ଭିତରେ ୧୧୦ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ କରାଯାଇଛି। ଉଚ୍ଚମାଧ୍ୟମିକ ସ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହିଠାରୁ ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାକୁ ବାଟ ଫିଟିଥାଏ। ତେଣୁ ଶିକ୍ଷକମାନେ ସର୍ବୋତ୍କୃଷ୍ଟ ଉପାୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।