ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଉତ୍କଣ୍ଠାରେ ସାରା ଦେଶ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଦେଶରେ ଉତ୍କଣ୍ଠା । ଜାନୁଆରୀ ୧୭ରେ ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ଭିତର ସମେତ ବାହାରର ପ୍ରମୁଖ ଦେବପୀଠକୁ କରାଯାଉଛି ନିମନ୍ତ୍ରଣ । ୧୭ଟି ସ୍ବତନ୍ତ୍ର ଦଳ ବିଭିନ୍ନ ରାଜ୍ୟକୁ ଯାଇ ନିମନ୍ତ୍ରଣ ପ୍ରଦାନ କରୁଛନ୍ତି । ନେପାଳର କାଠମାଣ୍ଡୁରେ ପହଞ୍ଚିଛି ପରିକ୍ରମା ନିମନ୍ତ୍ରଣ। ସେଠାକାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି ।

ସେହିପରି ମଦୁରାଇର ଆଗଲର ମନ୍ଦିର, ବଦ୍ରିନାଥ, କେଦାରନାଥ ଓ ଝାଡ଼ଖଣ୍ଡର ଦେଓଘର ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ସ୍ବତନ୍ତ୍ର ଦଳ। ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ମଦୁରାଇର ମିନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିର, ବିଜୟଓ୍ବଡାର ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣାର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ,ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଆଧ୍ୟାତ୍ମିକ ପରିବେଶରେ ନିମନ୍ତ୍ରଣ ପ୍ରଦାନ କରାଯାଇଥିବାବେଳେ ଜଗନ୍ନାଥ ଧାମକୁ ଆସିବାକୁ ସମସ୍ତେ ଉତ୍କଣ୍ଠା ପ୍ରକାଶ କରିଛନ୍ତି ।