ରାଷ୍ଟ୍ରପତି ଭବନରେ ଆଜି ସମ୍ମାନିତ ହେବେ ଦେଶର ପ୍ରଥମ କିନ୍ନର ପିଏଚଡିଧାରୀ

1 min read

ନୂଆଦିଲ୍ଲୀ: ଆଜି ସମ୍ମାନିତ ହେବେ ଦେଶର ପ୍ରଥମ କିନ୍ନର ପିଏଚଡିଧାରୀ ଦୀପା ସାହୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ହରିପୁରରେ ବସବାସ କରୁଥିବା ଜଗତସିଂହପୁରର ମୂଳବାସିନ୍ଦା ଦୀପା ଓରଫ ଦିପୁ ପିଲାଟି ବେଳୁ ମେଧାବୀ । ସମୟକ୍ରମେ ପିଲାବେଳେ ତାଙ୍କ ଚାଲିଚଳଣିରେ ଯେବେ ପରିବର୍ତ୍ତନ ଆସିଲା ସେ ଟାହିଟାପରାର ଶିକାର ହେଲେ ।

ଷଷ୍ଠ ଶ୍ରେଣୀରେ ଘରୁ ପଳାଇଆସି ମାମୁଁ ଘରେ ରହିଲେ । ସେଠିମଧ୍ୟ ସମାନ ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା । ଅପମାନ ସହି ନପାରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଦୀପା । ଗୁରୁତର ଭାବେ ତାଙ୍କୁ ଏସସିବି ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସା କରାଯାଇ ସେ ସୁସ୍ଥ ଅନୁଭବ କରିବା ପରେ ଦୀପୁରୁ ପାଲଟି ଯାଇଥିଲେ ଦୀପା କିନ୍ନର । ସେ ସମୟରେ ତାଙ୍କୁ ସାଥ ଦେଇଥିଲେ ରାଜ୍ୟ କିନ୍ନର ମହାସଙ୍ଗ ସଭାପତି ମୀରା ଓ ମିଠି କିନ୍ନର ।

ହରିପୁରରେ ଘର ଭଡା ନେଇ ଉଭୟ ମିଠି ଏବଂ ଦୀପା ରହିଲେ। ପରବର୍ତ୍ତୀ ସମୟରେ ଦୀପା ରାଣୀହାଟ ସ୍କୁଲରେ ପାଠପଢା ଆରମ୍ଭ କରି ଦଶମରେ ଭଲ ନମ୍ବର ରଖି ସଫଳତା ପାଇଥିଲେ । ୨୦୧୪ରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିଜ୍ଞାନରେ ଯୁକ୍ତ ଦୁଇ, 2017ରେ ବଟାନିକାଲ ସାଇନ୍ସରେ ଯୁକ୍ତ ୩ କରିଥିଲେ। ଏହାପରେ ଉତ୍କଳ ୟୁନିଭରସିଟିରେ ବଟାନିକାଲ ସାଇନ୍ସରେ Phd କଲେ। ଗତ ଆଠମାସ ହେବ Phd ଚାଲିଛି । ଖାଲି ସେତିକି ନୁହେଁ ସକାଳୁ ଏକ ଏନଜିଓରେ କାମ କରିବା ପରେ ଫାଙ୍କା ସମୟ କାଢି ପଢାପଢି, ଘର କାର୍ଯ୍ୟ କରନ୍ତି। ଆଗକୁ ଅଧ୍ୟାପିକା ହେବାକୁ ସ୍ବପ ନେଇ ସେ ଆଗେଇ ଚାଲିଛନ୍ତି । ପିଏଚଡି ହାସଲ କଲେ ଦେଶର ପ୍ରଥମ କିନ୍ନର ଭାବେ ନାଁ କରିବେ।