spot_img
Home Blog Page 2618

ଆଠଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ଆଠଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାରିଜଣ ମୃତ, ଜଣେ ଗୁରୁତର । କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ନୂଆ ରାସ୍ତାରେ ଟ୍ରକ୍‌- କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କାରଟି ତିଗିରିଆରୁ ଆଠଗଡ଼ ଅଭିମୁଖେ ଆସୁଥିଲା । ଘାଟଣାସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆତଙ୍କ ଖେଳାଇଲାଣି ସ୍କ୍ରବ ଟାଇଫସ୍, ବଢୁଛି ମାମଲା, ଲୋକେ ଭୟଭୀତ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କ ଖେଳାଇଲାଣି ସ୍କ୍ରବ ଟାଇଫସ୍ । ବଢୁଛି ମାମଲା, ଲୋକେ ଭୟଭୀତ । ସୁନ୍ଦରଗଡ଼ ଓ ବରଗଡ଼ରେ ଉପରମୁହାଁ ଆକ୍ରାନ୍ତ ସଂଖ୍ୟା । ସ୍କ୍ରବ ଟାଇଫସରେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ, ଏବେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଯେଉଁ ଜଣେ ରୋଗୀଙ୍କର ସ୍କ୍ରବ ଟାଇଫସରେ ମୃତ୍ୟୁ ହୋଇଛି, ତାକୁ ନେଇ ଜାରି ରହିଛି ସସପେନ୍ସ । ଏହାର ପ୍ରକୃତ କାରଣ ଜାଣିବା ପାଇଁ ସଂପୃକ୍ତ ଜିଲ୍ଲାକୁ ଗସ୍ତ କରିଛନ୍ତି ଜନସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ।

ଘରୋଇ ହସ୍ପିଟାଲରେ ଏହି ରୋଗୀଙ୍କର କି ଟେଷ୍ଟ ହୋଇଥିଲା ଓ କେମିତି ହେଲା ମୃତ୍ୟୁ, ସେସବୁର ଯାଞ୍ଚ କରାଯାଉଛି । ଏଲିସା ପଦ୍ଧତିରେ ପରୀକ୍ଷା ଠିକ୍ । କାର୍ଡ ଟେଷ୍ଟ ଭୁଲ । ହେଲେ ଘରୋଇ ହସ୍ପିଟାଲରେ କାର୍ଡ ଟେଷ୍ଟ କରାଯାଉଛି । ଯାହାଦ୍ବାରା ସଠିକ୍ ଭାବେ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇ ପାରିବେ ନାହିଁ । ଘରୋଇ ହସ୍ପିଟାଲ ଓ ମୃତକଙ୍କ ପରିବାର ସହ ସେମାନଙ୍କ ଭର୍ବାଲ ଅଟୋପସି ହେବ । ଯେଉଁଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମେତ ମୃତକଙ୍କ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯିବ ।

ଆଗାମୀ ଦିନରେ ସ୍କ୍ରବ ଟାଇଫସ ନେଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବ । ଏହାସହ ଟେଷ୍ଟିଂ ବୃଦ୍ଧି କରିବାକୁ ଜନସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ନିର୍ଦ୍ଦେଶ ଦେଇଛନ୍ତି । ସ୍କ୍ରବ ଟାଇଫସ ଓ ଲେପଟସ ପାରିସିଷରୁ ରକ୍ଷା ପାଇବା ପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ପ୍ରତିଦିନ ମାମଲା ବଢୁଥିବାରୁ ସମସ୍ତ ଡିପିଏଚଏଲରେ ଟେଷ୍ଟ ସହ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହାଜୁଦ ରଖିବାକୁ ସବୁ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପ୍ରାଥମିକ ଶିକ୍ଷକ । ଆସନ୍ତାକାଲିଠୁ ସ୍କୁଲରେ ଯୋଗଦେବେ ଶିକ୍ଷକ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲା । ଦାବି ପୂରଣ ପାଇଁ ଡିସେମ୍ବର ଯାଏ ସମୟ ନେଇଛନ୍ତି ସରକାର । ତେବେ ପ୍ରାଥମିକ ଶିକ୍ଷକଙ୍କ ଦାବି ସମ୍ପର୍କରେ ସକାରାତ୍ମକ ଭାବେ ବିଚାର କରିବାକୁ କମିଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ୧୦ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନ୍ଦୋଳନ ପ୍ରତ୍ୟାହାର କରିଛି ।

ଠକ, ଧୋକ୍କାବାଜ ନେତା ପରସ୍ପରର ସମର୍ଥନରେ ବାହାରିଛନ୍ତି: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ସୌମ୍ୟଙ୍କୁ ଟାର୍ଗେଟ୍ କଲେ ଅନୁଭବ ପଟ୍ଟନାୟକ । ବନ୍ୟା ଆସିଲେ ସାପ ବେଙ୍ଗ ଏକାଠି ହେଲା ଭଳି ଅବସ୍ଥା । ଠକ, ଧୋକ୍କାବାଜ ନେତା ପରସ୍ପରର ସମର୍ଥନରେ ବାହାରିଛନ୍ତି ବୋଲି କହିଛନ୍ତି ଅନୁଭବ । ମହମ୍ମଦ ମୋକିମ୍ ଋଣ ଜାଲିଆତି ମାମଲାରେ ଫସିଥିଲେ । ମେଟ୍ରୋ ବିଲଡର MD ଥିବା ବେଳେ ମହମ୍ମଦ ମୋକିମ୍ ଫସିଥିଲେ । ନିକଟରେ ତାଙ୍କୁ ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ବ୍ଲାକମେଲର ନେତାଙ୍କ ସମର୍ଥନରେ ବାହାରିବା କିଛି ଅସ୍ବାଭାବିକ ନୁହେଁ । ଠିକ୍ ସେହିପରି ନିଜ ସଂସ୍ଥା ଜରିଆରେ ଋଣ ଜାଲିଆତି କରୁଥିଲେ ସୌମ୍ୟ ପଟ୍ଟନାୟକ ।

ଏନେଇ ମାମଲା ରୁଜ୍ଜୁ ହେବା ପରେ EOW ତଦନ୍ତ କରୁଛି । ହେଲେ ସୌମ୍ୟଙ୍କ ସମର୍ଥନରେ ମହମ୍ମଦ ମୋକିମ୍ ବାହାରି ଓକିଲାତି କରୁଛନ୍ତି । ଚାକିରି ନାଁରେ ଲୋକଙ୍କୁ ଠକିଥିବା ପ୍ରଦୀପ ମଧ୍ୟ ଏହି ତାଲିକାରେ ଅଛନ୍ତି । ଜେଲ ଯାଇ ଆସିଛନ୍ତି, ଜାଲିଆତି କରିଥିବା ସୌମ୍ୟଙ୍କୁ କରୁଛନ୍ତି ସମର୍ଥନ । ୩ଜଣ ଜାଣିଛନ୍ତି, ନିଜକୁ ବଞ୍ଚେଇବାକୁ ହେଲେ ସମର୍ଥନ କରିବା ଦରକାର । ପରସ୍ପରର ଅପକର୍ମ ଲୁଚାଇବାକୁ ଏମାନଙ୍କ ଭିତରେ ଅଲିଖିତ ବୁଝାମଣା ହୋଇଛି । ଠକ ନେତାଙ୍କୁ ଠିକଣା ସମୟରେ ଉଚିତ ଜବାବ ଦେବେ ଓଡ଼ିଶାବାସୀ ।

ସେହିପରି ସୌମ୍ୟ ଜଣେ ସୁବିଧାବାଦୀ ଓ ସ୍ବାର୍ଥୀ ନେତା । ସ୍ବାର୍ଥ ହାସଲ କରିବାକୁ ସେ କିଛି ବି କରିପାରନ୍ତି । ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କର୍ମଚାରୀଙ୍କୁ ସୌମ୍ୟ ବ୍ୟବହାର କରିଛନ୍ତି । ଅନେକ ବର୍ଷ ଧରି ସେ କର୍ମଚାରୀଙ୍କ ନାଁରେ ବ୍ୟାଙ୍କରୁ ଋଣ ଆଣି ନିଜ ବ୍ୟବସାୟ ବଢ଼ାଉଥିଲେ । କର୍ମଚାରୀଙ୍କ ନାଁରେ ବେଆଇନ ଭାବେ ଋଣ ନେଉଥିଲେ । ଆଗକୁ ସୌମ୍ୟଙ୍କ ବିରୋଧରେ ଆହୁରି ଠକେଇ ପଦାକୁ ଆସିବ ବୋଲି ଅନୁଭବ କହିଛନ୍ତି । ସୌମ୍ୟ ପଟ୍ଟନାୟକ ସବୁବେଳେ ସ୍ବାର୍ଥ ହାସଲ କରିବାକୁ ଦଳ ବଦଳ କରିଛନ୍ତି ।

ସ୍ବାର୍ଥ ପାଇଁ ଅନେକ ଦଳରୁ ତଡ଼ା ଖାଇଛନ୍ତି । ଜୀବନରେ କେବେ ବିଧାୟକ କି ରାଜ୍ୟସଭା ସାଂସଦ ହୋଇ ପାରିନଥାନ୍ତେ ସୌମ୍ୟରଞ୍ଜନ। ବିଜେଡି ଆଶୀର୍ବାଦରେ ସେ ସାଂସଦ ଓ ପରେ ବିଧାୟକ ହେଲେ । ହେଲେ ମନ୍ତ୍ରୀ ନହେବାରୁ ଏବେ ରକ୍ତ ଚାଉଳ ଚୋବାଉଛନ୍ତି । ବିଜେଡିରେ ରହି ମିଛ ଖବର ଲେଖି ବ୍ଲାକମେଲ କରୁଛନ୍ତି । ଏବେ ତାଙ୍କ ବିରୋଧରେ ସତ ଖବର ସାମ୍ନାକୁ ଆସିଲା ପରେ ତାଙ୍କୁ ଆଉ ସହ୍ୟ ହେଉନି । ଖଣ୍ଡପଡ଼ାବାସୀ, ରାଜ୍ୟବାସୀ ଓ ନିଜ କର୍ମଚାରୀଙ୍କୁ ମଧ୍ୟ ସୌମ୍ୟ ଠକିଛନ୍ତି ବୋଲି ଅନୁଭବ କହିଛନ୍ତି ।

ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେଉ: ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବଢ଼ିଲା ମହିଳା ସଂରକ୍ଷଣ ବିଲ୍ ପାସ୍ ଦାବି । ନୂଆ ସଂସଦ ଭବନରେ ହେବାକୁ ଯାଉଥିବା ଅଧିବେଶନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦେବା ଲାଗି ଦାବି କରିଛନ୍ତି ବିଜେ଼ଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି ସଂସଦର ୭୫ ବର୍ଷ ପୂରଣ ସତ୍ତ୍ବେ ଏବେ ବି ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇପାରିନାହିଁ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ମହିଳା ସଂରକ୍ଷଣ ବିଲ୍ ପାସ ଲାଗି ସେ ଦାବି କରିଛନ୍ତି । ଗତକାଲି ସର୍ବଦଳୀୟ ବୈଠକ ରେ ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ର ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା ଏହି ବିଲ ପାରିତ ପାଇଁ ଦାବି କରିଆସିଛନ୍ତି । ଏହି ପ୍ରସଙ୍ଗକୁ ପୁଣି ଦଳ ଦୋହରାଇଛି ।

ଛାଡ଼ିଯାଇଛି ବନ୍ୟା ହେଲେ ଦେଇଯାଇଛି ଅସରନ୍ତି ଦୁଃଖ, ଛାରକାର ହୋଇଯାଇଛି ଲିବ୍ୟାର ଡର୍ନା ସହର, ମିଳୁଛି କୁଢ଼ କୁଢ ଶବ

ତ୍ରିପୋଲି: ଲିବ୍ୟାର ଡର୍ନା ସହରରେ ଜଳ ତାଣ୍ଡବ । ବନ୍ଧ ଭାଙ୍ଗିଯିବାରୁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଡର୍ନା ସହର ଛାରଖାର ହୋଇଯାଇଛି । ମଣିଷ, ଘର, ଗାଡ଼ି, ପଶୁ ଯିଏ ବି ବନ୍ୟା ସାମ୍ନାରେ ଆସିଥିଲା ସବୁକିଛି ବହିଯାଇ ଭୂମଧ୍ୟସାଗରରେ ପଡ଼ିଥିଲା । ବନ୍ଧ ଭାଙ୍ଗିବା କାରଣରୁ ଆସିଥିବା ଜଳପ୍ରଳୟ ଏତେ ତୀବ୍ର ଥିଲା ଯେ କାରଗୁଡ଼ିକୁ ଉଠାଇ ଘରର ଛାତ ପର୍ଯ୍ୟନ୍ତ ଆଣିଦେଇଥିଲା । ବନ୍ୟା ଛାଡ଼ିଯାଇଛି ସତ ହେଲେ ଦେଇଯାଇଛି ଅସରନ୍ତି ଦୁଃଖ । ପୋଖମାଛି ଭଳି ଲୋକମାନେ ଏହି ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁବରଣ କରିଛନ୍ତି । ବଡ ବଡ କୋଠା ଭାଙ୍ଗି ମାଟିରେ ମିଶାଯାଇଛି । ଗାଡ଼ି ମୋଟର ସବୁକିଛି ଚୁରମାର ହୋଇଯାଇଛି । ଡର୍ନା ସହରର ଘରଗୁଡ଼ିକରେ ଏବେବି ପାଣି ଏବଂ କାଦୁଅ ଭରି ରହିଛି ।

ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କୁ ଭୟ ଲାଗୁଛି ଯେ କାଦୁଅରୁ ତାଙ୍କର କୌଣସି ପଡୋଶୀ ବା ଜଣାଶୁଣା ଲୋକଙ୍କ ଶବ ନବାହାରୁ । ଯାହା କି ଲଗାତାର ଦେଖିବାକୁ ମିଳୁଛି । ଘଟଣା ପରେ ପ୍ରଶାସନ ପକ୍ଷରୁ ପୁନଃରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ସହରରୁ ଭାସି ଆସି ଅନେକ କାର୍ ସମୁଦ୍ରରେ ଲାଗିଥିବାର ଦେଖାଯାଇଛି । ସେହିପରି ଅନେକ ଗାଡ଼ିର ମଧ୍ୟ କିଛି ପତ୍ତା ମିଳୁନାହିଁ । ସେହିପରି ଅନେକ ଲୋକଙ୍କ ଶବର କୌଣସି ଖୋଜ ଖବର ମିଳୁନାହିଁ । ସେମାନେ ମଧ୍ୟ ସମୁଦ୍ରରେ ସମାହିତ ହୋଇଯାଇଥିବା ସନ୍ଦେହ କରାଯାଉଛି । ଜଳ ତାଣ୍ଡବ ପରେ ରକ୍ଷା ପାଇଯାଇଥିବା ଲୋକମାନେ ଘରକୁ ଫେରି ଦେଖିବା ବେଳକୁ ସେ ସ୍ଥାନରେ ଆଉ ତାଙ୍କ ଘର ନାହିଁ କେବଳ ଭଗ୍ନାଂଶ ରହିଛି ।

ଏହି ପ୍ରଳୟଙ୍କରୀ ବନ୍ୟାରେ କିଏ ଭାଇକୁ ହରାଇଛି ତ କିଏ ବାପା ମାଆଙ୍କୁ ତ ଆଉ କିଏ ପିଲାମାନଙ୍କୁ ହରାଇଛନ୍ତି । ତେବେ ଜଳପ୍ରଳୟ ପରେ ରୋଗ ବ୍ୟାପିବାର ଆଶଙ୍କା ଦେଖା ଦେଇଛି । ଏବେ ଲୋକଙ୍କ ମନରେ ଆଶଙ୍କା ଯେ ସେମାନେ ଏହି ସହରରେ ରହିବେ ନା ଛାଡ଼ିଦେଇ ଚାଲିଯିବେ । କାରଣ ଅନ୍ୟ କେଉଁଠିକୁ ଯିବାରେ ମଧ୍ୟ ବିପଦ ରହିଛି । ଯୁଦ୍ଧ ସମୟରେ ଲିବ୍ୟାରେ ଚାରିଆଡ଼େ ଲ୍ୟାଣ୍ଡମାଇନ୍ ବିଛାଯାଇଥିଲା । ଯାହାକି ଏହି ପ୍ରଚଣ୍ଡ ପ୍ରଳୟଙ୍କରୀ ବନ୍ୟାରେ ବହିଯାଇ ଏଣେତେଣେ ବ୍ୟାପିଯାଇଛି । ମିଳିତ ଜାତିସଂଘର ଅଫିସ ଫର୍ ଦ କୋଅର୍ଡିନେସନ ଅଫ୍ ହ୍ୟୁମେନିଟାରିୟାନ ଆଫେୟାର୍ସ (ଓସିଏଚଏ) ମୁତାବିକ ଡର୍ନାରେ ଏପର୍ଯ୍ୟନ୍ତ ସୁଦ୍ଧା ୧୧,୩୦୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ଅବଶ୍ୟ ଲଗାତାର ସଂଖ୍ୟାରେ ପରିବର୍ତ୍ତନ ଆସୁଛି । ଏଥିପାଇଁ ଯେପର୍ଯ୍ୟନ୍ତ ସୁଦ୍ଧା ଗଣନା ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ସଠିକ ଡାଟା ମିଳିବା ସମ୍ଭବ ନୁହେଁ । ଏବେ ବି ଲୋକଙ୍କ ଶବ ମିଳୁଛି । ହଜାରେରୁ ଅଧିକ ଲୋକଙ୍କ ଶବକୁ ପୋତାଯାଇଛି । ୧୫୦ରୁ ଅଧିକ ଲୋକ ପାଣି ସହ ଆସିଥିବା ବିଷାକ୍ତ ତତ୍ତ୍ୱ କାରଣରୁ ମୃତ୍ୟୁବରଣ କରିଛନ୍ତି । ଲିବ୍ୟାର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୩୨୮୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଡବ୍ଲୁଏଚଓ ମୃତ୍ୟୁ ସଂଖ୍ୟା ୩୯୨୨ ବୋଲି କହୁଛି । ବର୍ତ୍ତମାନ ସୁଦ୍ଧା ସଠିକ ତଥ୍ୟ ଆସିନାହିଁ । ତେବେ ଆଶଙ୍କା କରାଯାଉଛି ଯେ ଏଥିରେ ସରକାରୀ ତଥ୍ୟଠୁ ଢେର ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ବନ୍ୟାରେ ଅତିକମରେ ୮୯୧ କୋଠା ନଷ୍ଟ ହୋଇଯାଇଛି ।

ଡର୍ନା ସହରର ମେୟର କହିଛନ୍ତି ଯେ, ଅତିକମରେ ୨୦ ହାଜର ଲୋକ ମୃତ୍ୟୁବରଣ କରିଛନ୍ତି । ୧.୨୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡର୍ଣ୍ଣା ସହର ଏବେ ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି । ଚାରିଆଡେ ଖାଲି ଭଙ୍ଗା କୋଠା, କାଦୁଅ, କାର ଉପରେ ଲଦି ହୋଇଥିବା କାର୍ ଦେଖାଯାଇଛି । ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଡର୍ନାରେ ୟୁଗୋସ୍ଲଭିଆର କମ୍ପାନୀ ୧୯୭୦ରେ ଦୁଇଟି ଡ୍ୟାମ ବନାଇଥିଲେ । ପ୍ରଥମ ବନ୍ଧ ୭୫ ମିଟର ଉଚ୍ଚର ଥିଲା । ସେଥିରେ ୧.୮୦ କୋଟି କ୍ୟୁବିକ ମିଟର ପାଣି ଆସୁଥିଲା । ଅନ୍ୟ ବନ୍ଧଟି ୪୫ ମିଟର ଉଚ୍ଚର ଥିଲା । ସେଠାରେ ୧୫ ଲକ୍ଷ କ୍ୟୁବିକ ମିଟର ପାଣି ଧାରଣର କ୍ଷମତା ରହିଥିଲା । ପ୍ରତି କ୍ୟୁବିକ ମିଟର ପାଣିରେ ଏକ ଟନ୍ ଓଜନ ରହିଥାଏ ।

ଦୁଇଟି ଯାକ ଡ୍ୟାମରେ ପ୍ରାୟ ୨ କୋଟି ଟନ ପାଣି ଥିଲା । ଏହି ଡ୍ଯାମର ତଳ ଭାଗରେ ଡର୍ନା ସହର ଅବସ୍ଥାପିତ । ଗତ ୨୦ ବର୍ଷ ହେବ ଏହି ଡ୍ୟାମର ରକ୍ଷଣାବେକ୍ଷଣା ହେଉନଥିଲା । ଡ୍ୟାମଟି କମଜୋର ରହିଥିଲା । ମରାମତି ଆବଶ୍ୟକ କରୁଥିଲେ ମଧ୍ୟ ମରାମତି କରାଯାଇନଥିଲା । ନିକଟରେ ହୋଇଥିବା ଘୂର୍ଣ୍ଣିବଳୟ ଡାନିଏଲ ଏତେ ପାଣି ଭରିଦେଇଥିଲା ଯେ ପୂରୁଣା ଏବଂ କମଜୋର ଥିବା ଏହି ଡ୍ୟାମ ତାକୁ ସମ୍ଭାଳି ପାରିନଥିଲା । ବନ୍ଧଟି ଭାଙ୍ଗିଯାଇଥିଲା ଏବଂ ଏହା ତଳେ ବସିଥିବା ଡର୍ନା ସହରକୁ ବରବାଦ କରିଦେଇଥିଲା । ଜଳ ଏତେ ଦ୍ରୁତ ଗତିରେ ଆସିଥିଲା ଯେ କେହି କିଛି ଭାବିବା ପୂର୍ବରୁ ଏହାର ଚାପରେ ଆସିଯାଇଥିଲେ । ଏଥିରେ ସବୁକିଛି ବାସିଯାଇ ସମୁଦ୍ରରେ ପଡ଼ିଥିଲା । ଏବେ ବି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।

କର୍ମଚାରୀଙ୍କ ନାଁରେ ଋଣ ଜାଲିଆତି ମାମଲା, ସମ୍ୱାଦ ଅଫିସରେ EOWର ଛାନବିନ

ଭୁବନେଶ୍ୱର: କର୍ମଚାରୀଙ୍କ ନାଁରେ ଋଣ ଜାଲିଆତି ମାମଲା । ଭୁବନେଶ୍ବରସ୍ଥିତ ସମ୍ୱାଦ ଅଫିସରେ EOWର ଛାନବିନ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ସରିଲା ଲୁଚକାଳି । ଶେଷରେ EOWକୁ ସାମ୍ନା କଲେ HR ମୁଖ୍ୟ ବୈଜୟନ୍ତୀ କର । ଅତର୍ଛା ହୋଇ EOWକୁ ସାମ୍ନା କଲେ ବୈଜୟନ୍ତୀ କର । EOW ପ୍ରଶ୍ନରେ ଝାଳନାଳ ହୋଇଛନ୍ତି ବୈଜୟନ୍ତୀ । ବୈଜୟନ୍ତୀଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମାଗିଛି EOW । ରେଡରେ ସାମିଲ ହୋଇଛନ୍ତି 12 ଜଣିଆ ଟିମ୍ । HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ଇଓଡବ୍ଲୁ କରୁଛି ଜେରା ।

ଇଓଡବ୍ଲୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ମୁଖ୍ୟ କାର୍ପଟଦାର ବୈଜୟନ୍ତୀ । ଚଢ଼ାଉରେ ୪ଜଣ ଡିଏସପି ଓ ୬ ଜଣ ଇନସ୍ପେକ୍ଟର, ସହିଦନଗର ଥାନା ପୋଲିସ ସାମିଲ ହୋଇଛନ୍ତି । ତେବେ ଚଢାଉ ପୂର୍ବରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ କରାଯାଇଥିବା ସନ୍ଦେହ କରାଯାଉଛି । ସମ୍ବାଦ ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁରେ IPCର ୪୨୦ ଧାରାରେ ହୋଇଛି ମାମଲା । ତାଙ୍କ ବିରୋଧରେ ୫୦୬ ଦଫା ସମେତ ଅନ୍ୟାନ୍ୟ ଧାରା ଲାଗିଛି । କର୍ମଚାରୀଙ୍କୁ ଡରାଇ ଧମକାଇ ତଥା କାଗଜପତ୍ର ଜାଲିଆତି କରି ଋଣ ଉଠାଯାଉଥିଲା ।

ଏହା ସହ ଲୋନ ଟଙ୍କାକୁ ହଡ଼ପ କରିନେଉଥିଲେ ସୌମ୍ୟ ରଞ୍ଜନ । ଏହି ଘୋଟାଲାର ଅନ୍ୟତମ କାର୍ପଟଦାର ଥିଲେ ବୈଜୟନ୍ତୀ କର । ଗତକାଲି ସଂଧ୍ୟାରେ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଜେରା କରିଥିଲା EOW । ସୂଚନା ଅନୁସାରେ ଜଣେ ନୁହେଁ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକିଛି ଇଷ୍ଟର୍ଣ୍ଣ ମିଡିଆ । ଉଠାଯାଇଛି ୧୦୦ କୋଟି ଟଙ୍କାରୁ ଅଧିକ ଋଣ । ସୌମ୍ୟଙ୍କ ବିରୋଧରେ ଏକାଧିକ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଥିବାବେଳେ ବଢିବାରେ ଲାଗିଛି ଅଭିଯୋଗ । ୧୯୯୮ ମସିହାରୁ ଏହି ଲୋନ୍ ସ୍କାମ୍ ଜାରି ରହିଥିବା ଜଣାଯାଇଛି ।

ସମ୍ବାଦ ଅଫିସରେ EOWର ଚଢାଉ

ଭୁବନେଶ୍ବର: ସମ୍ବାଦ ଅଫିସରେ EOWର ଚଢାଉ । HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ୍ ହୋଇଥିଲେ ସୁଦ୍ଧା ହାଜର ହୋଇନଥିଲେ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବାରେ ମୁଖ୍ୟ କାର୍ପଟଦାର ଥିଲେ ବୈଜୟନ୍ତୀ  । ଇଷ୍ଟର୍ଣ୍ଣ ମିଡିଆର ବ୍ୟାଙ୍କ ଘୋଟାଲାରେ ସମ୍ବାଦ ଅଫିସରେ EOW ଟିମ୍ ପହଞ୍ଚିଛନ୍ତି । ୧୨ ଜଣିଆ ଟିମ୍ ରେଡ୍ କରୁଥିବାବେଳେ ଅନେକ ତଥ୍ୟ ମିଳିବ ବୋଲି କୁହାଯାଉଛି । ଏହି ୧୨ ଜଣିଆ ଟିମରେ ୪ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସହ ସହିଦନଗର ଥାନା ପୋଲିସ ସାମିଲ ଅଛି ।ତେବେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ କରାଯାଇଥିବା ସୂଚନା ରହିଛି । ସମ୍ବାଦ ସଂପାଦକ ସୌମ୍ୟ ରଞ୍ଜନଙ୍କ ନାଁରେ ହୋଇଛି ମାମଲା ମଧ୍ୟ ହୋଇଛି ।

ସୂଚନା ଥାଉକି, ସମ୍ବାଦ ଏବଂ କନକ ନ୍ୟୁଜର ମୂଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମହା ଘୋଟାଲା କରିଥିବା ଅଭିଯୋଗ ହୋଇଛି। ସିଧାସଳଖ ବ୍ୟାଙ୍କ ଜାଲିଆତି,କର୍ମଚାରୀଙ୍କୁ ଶେଷଣ,କର୍ମଚାରୀଙ୍କୁ ଧମକ ଭଳି ସଂଗୀନ ଅଭିଯୋଗ ଆସିଛି ତାଙ୍କ ନାଁରେ । ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ମୂଖ୍ୟ ବୈଜୟନ୍ତୀ କରଙ୍କୁ ହାତ ବାରିସୀ କରି ସୌମ୍ୟ ଦୀର୍ଘ ୨୫  ବର୍ଷ ହେଲା ଏହି ଘୋଟାଲା କରିଆସୁଛନ୍ତି । ସୌମ୍ୟ ଜଣେ ପ୍ରଭାବଶଳୀ ବ୍ୟକ୍ତି ହୋଇଥିବାରୁ କେହି ମୁହଁ ଖୋଲୁ ନଥିଲେ  । ହେଲେ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଦୁଇଦିନ ତଳେ କ୍ରାଇମବ୍ରାଞ୍ଚର ଅର୍ଥନୌତିକ ଶାଖରେ ଅଭିଯୋଗ କରିବା ପରେ ପଦାକୁ ଆସିଲା ଘଟଣା ।

ରାଜ୍ୟର ୧ ନମ୍ବର ଖବରକାଗଜ ବୋଲାଉଥିବା ସମ୍ବାଦ ଖବରକାଗଜରେ କିଭଳି କର୍ମଚାରୀଙ୍କୁ ଶୋଷଣ କରାଯାଇଛି, ତାହା ଏବେ ପଦାକୁ ଆସିଛି । କେବଳ କର୍ମଚାରୀଙ୍କୁ ଶୋଷଣ ନୁହେଁ, ଏହି ଖବରକାଗଜର ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ କିଭଳି ନିଜ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ଜରିଆରେ ବ୍ୟାଙ୍କରେ ମଧ୍ୟ ଘୋଟାଲା କରିଛନ୍ତି, ଏହା ସାମ୍ନାକୁ ଆସିଛି । ବ୍ୟାଙ୍କ ଘୋଟାଲା ସାଙ୍ଗକୁ କର୍ମଚାରୀଙ୍କୁ ଶୋଷଣ ବର୍ଷ ବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏନେଇ କେହି ମୁହଁ ଖୋଲୁନଥିଲେ । ହେଲେ ସମ୍ବାଦ ତଥା ଇଷ୍ଟର୍ଣ୍ଣ ମିଡିଆର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ଆଜି EOWରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି । ପାଖାପାଖି ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲିମଟେଡ ୫୦ କୋଟି ଟଙ୍କାରୁ ଅଧିକ ଋଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ଏହି ଘୋଟାଲା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଏହି ବ୍ୟାଙ୍କର ମ୍ୟାନେଜରମାନଙ୍କ ମଧ୍ୟରେ ଅପରାଧିକ ମଧୁଚନ୍ଦ୍ରିକା ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଉଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏପରିକି କଟକ ଅରୁଣୋଦୟ ମାର୍କେଟ୍ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଘୋଟାଲା ଲାଗି ଏକ ମାରୁତି ଏଇଟ୍ ହଣ୍ଡ୍ରେଡ କାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି ।

କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ଶ୍ରୀମତୀ ବୈଜୟନ୍ତୀ କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ EOW ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି । EOW ତଦନ୍ତରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ ଆଶା ରଖିଛନ୍ତି । ଯେଉଁ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି ତାଙ୍କ କହିବା ଅନୁସାରେ ସେ ୨୦୧୫ ମସିହାରେ ସମ୍ବାଦରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ  ।

ମରାମତି ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର, ୫ ଦିନରେ ୫ କୋଟି କ୍ଷତି

କୋରାପୁଟ: ୫ ଦିନ ପରେ କାର୍ଯ୍ୟକ୍ଷମ ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର  । ଡ୍ୟାମ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।  ମଧ୍ୟ ରାତ୍ରିରୁ ୬ ଟି ଟର୍ବାଇନ କାର୍ଯ୍ୟକ୍ଷମ ହେବା ପରେ ୧୨୦ ମେଗାୱାଟ ଉତ୍ପାଦନ ଆରମ୍ଭ ହୋଇଛି  । କିନ୍ତୁ ୫ ଦିନରେ ୫ କୋଟି ରାଜସ୍ବ କ୍ଷତି ସହିଛି ପ୍ରକଳ୍ପ  । ଅନ୍ୟପକ୍ଷରେ ଟି.ପି.ଡ୍ୟାମର ପାଣି ଖାଲି କରିବା ପରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଡି.ଡ୍ୟାମର ଦୁଇଟି ପାୱାର ଗେଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାରେ ଅଟକିଥିବାରୁ ଷ୍ଟୋରେଜ ପାଣିକୁ ସମ୍ପୂର୍ଣ ଖାଲି କରିବାକୁ ପଡିଥିଲା  ।

ଦିନକ ପରେ ନୂଆଖାଇ, ଆଜି ମା’ ସମଲେଶ୍ବରୀଙ୍କ ସିନ୍ଦୂର ଲାଗି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମ୍ବଲପୁର । ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଶେଷ ପର୍ଯ୍ୟାୟରେ ପହଂଚିଲାଣି ପ୍ରସ୍ତୁତି । ମନ୍ଦିର ସଫେଇ ପରେ ଆଜି ୧୧୫ ପାର୍ଶ୍ବ ଦେବଦେବୀଙ୍କ ଠାରେ ସିନ୍ଦୂର ଲାଗି କରାଯାଉଛି । ମନ୍ଦିର ଚାରିପାଖରେ ଥିବା ପାର୍ଶ୍ବ ଦେବଦେବୀଙ୍କୁ ନୂଆଖାଇ ପୂର୍ବରୁ ସିନ୍ଦୂର ଲଗାଇବାର ପରମ୍ପରା ରହିଛି । ସିନ୍ଦୂର ଲାଗି ପରେ ଆଜି ମାଆ ସମଲେଶ୍ବରୀଙ୍କ ଅଳଙ୍କାର ସଫେଇ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ ଏକାଠି ହୋଇ ଜୁହାର ଭେଟ୍ ହେବେ । ସୁନ୍ଦରଗଡ଼ରେ ଥିବା ଜୟଶଙ୍କର ସେବାଶ୍ରମରେ ନୂଆଖାଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।