ଆତଙ୍କ ଖେଳାଇଲାଣି ସ୍କ୍ରବ ଟାଇଫସ୍, ବଢୁଛି ମାମଲା, ଲୋକେ ଭୟଭୀତ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କ ଖେଳାଇଲାଣି ସ୍କ୍ରବ ଟାଇଫସ୍ । ବଢୁଛି ମାମଲା, ଲୋକେ ଭୟଭୀତ । ସୁନ୍ଦରଗଡ଼ ଓ ବରଗଡ଼ରେ ଉପରମୁହାଁ ଆକ୍ରାନ୍ତ ସଂଖ୍ୟା । ସ୍କ୍ରବ ଟାଇଫସରେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ, ଏବେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଯେଉଁ ଜଣେ ରୋଗୀଙ୍କର ସ୍କ୍ରବ ଟାଇଫସରେ ମୃତ୍ୟୁ ହୋଇଛି, ତାକୁ ନେଇ ଜାରି ରହିଛି ସସପେନ୍ସ । ଏହାର ପ୍ରକୃତ କାରଣ ଜାଣିବା ପାଇଁ ସଂପୃକ୍ତ ଜିଲ୍ଲାକୁ ଗସ୍ତ କରିଛନ୍ତି ଜନସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ।

ଘରୋଇ ହସ୍ପିଟାଲରେ ଏହି ରୋଗୀଙ୍କର କି ଟେଷ୍ଟ ହୋଇଥିଲା ଓ କେମିତି ହେଲା ମୃତ୍ୟୁ, ସେସବୁର ଯାଞ୍ଚ କରାଯାଉଛି । ଏଲିସା ପଦ୍ଧତିରେ ପରୀକ୍ଷା ଠିକ୍ । କାର୍ଡ ଟେଷ୍ଟ ଭୁଲ । ହେଲେ ଘରୋଇ ହସ୍ପିଟାଲରେ କାର୍ଡ ଟେଷ୍ଟ କରାଯାଉଛି । ଯାହାଦ୍ବାରା ସଠିକ୍ ଭାବେ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇ ପାରିବେ ନାହିଁ । ଘରୋଇ ହସ୍ପିଟାଲ ଓ ମୃତକଙ୍କ ପରିବାର ସହ ସେମାନଙ୍କ ଭର୍ବାଲ ଅଟୋପସି ହେବ । ଯେଉଁଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମେତ ମୃତକଙ୍କ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯିବ ।

ଆଗାମୀ ଦିନରେ ସ୍କ୍ରବ ଟାଇଫସ ନେଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବ । ଏହାସହ ଟେଷ୍ଟିଂ ବୃଦ୍ଧି କରିବାକୁ ଜନସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ନିର୍ଦ୍ଦେଶ ଦେଇଛନ୍ତି । ସ୍କ୍ରବ ଟାଇଫସ ଓ ଲେପଟସ ପାରିସିଷରୁ ରକ୍ଷା ପାଇବା ପାଇଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ପ୍ରତିଦିନ ମାମଲା ବଢୁଥିବାରୁ ସମସ୍ତ ଡିପିଏଚଏଲରେ ଟେଷ୍ଟ ସହ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହାଜୁଦ ରଖିବାକୁ ସବୁ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ।