spot_img
Home Blog Page 2607

ପ୍ରତିଦିନ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଲମ୍ବା ତାଲିକା

ଭୁବନେଶ୍ୱର: ଋଣ ଜାଲିଆତି ମାମଲାରେ ତନାଘନା । ସମ୍ବାଦ ଅଫିସରେ EOWର ମାରାଥନ ଯାଞ୍ଚ । EOW ସହ ସାମିଲ ହୋଇଛି କଟକ ସାଇବର ପୋଲିସ୍ । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ତଦନ୍ତକାରୀ ଟିମ୍ । ଅନ୍ୟପଟେ ବ୍ୟାଙ୍କ ଫ୍ରଡ ମାମଲାରେ ଦୁଇ ଘଣ୍ଟାର ଜେରା ପରେ EOWରୁ ବାହାରିଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ । କେମିତି ହୋଇଥିଲା ବ୍ୟାଙ୍କ ଫ୍ରଡ ସେ ନେଇ ଗୁଡେଇ ତୁଡେଇ ପଚାରିଛି ଇଓଡବଲ୍ୟୁ ।

କେମିତି ଜାଲ କାଗଜ ପତ୍ର ଦେଇ ଲୋନ ଦିଆଯାଇଥିଲା ? ଜୟଦେବ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସମେତ ୨ ଅଧିକାରୀଙ୍କୁ ପଚରାଉଚରା କରୁଛି ଇଓଡବଲ୍ୟୁ । ସମ୍ପୃକ୍ତ ବ୍ୟାଙ୍କରୁ ଅଧିକାଂଶ ସାମ୍ବାଦିକଙ୍କ ନାଁରେ ସମ୍ବାଦ କର୍ତ୍ତୃପକ୍ଷ ଲୋନ ଉଠାଇଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟ ଲୋନ୍ ଜାଲିଆତି ଜଣାପଡ଼ିବା ପରେ ପ୍ରତିଦିନ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଲମ୍ବା ତାଲିକା ।

ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଲା ୪ଟି ଓଟପକ୍ଷୀ

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥୀ । ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୪ଟି ଓଟପକ୍ଷୀ । ୪ଟି ଓଟପକ୍ଷୀଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଥିବାବେଳେ ଅନ୍ୟ ୩ଟି ମାଈ ରହିଛନ୍ତି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ହାଇଦ୍ରାବାଦରୁ ଏହି ୪ଟି ଓଟପକ୍ଷୀଙ୍କୁ ଅଣାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେ ନନ୍ଦନକାନନରେ ମୋଟ ଓଟପକ୍ଷୀଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ପୂର୍ବରୁ ଦୁଇଟି ଅଣ୍ଡିରା ଓଟପକ୍ଷୀ ଥିଲେ । ନନ୍ଦନକାନନ ପରିଚାଳନା କମିଟି ବୈଠକରେ ଏନେଇ ପୂର୍ବରୁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ଆଜି ନୂଆ ଓଟପକ୍ଷୀଙ୍କୁ ଖୁଆଡରେ ଛଡାଯାଇଛି । ସେମାନଙ୍କ ସ୍ବତନ୍ତ୍ର ଯତ୍ନ ନେଉଛନ୍ତି ଜନ୍ତୁ ରକ୍ଷକ ।

ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ । ପୂର୍ବରୁ ମଧ୍ୟ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠୁ ଆଗରେ । ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟ ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।

ଭିସା ବାତିଲ ପ୍ରସଙ୍ଗରେ ବିଦେଶ ମନ୍ତ୍ରଣାଳୟର ପ୍ରତିକ୍ରିୟା, ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି କାନାଡା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପାଇଁ କାନାଡା ଏକ ସୁରକ୍ଷିତ ସ୍ଥାନ ପାଲଟିଛି ବୋଲି କହିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ମୁଁ ଭାବୁଛି ଆତଙ୍କବାଦୀ, ଉଗ୍ରବାଦୀ ତଥା ସଂଗଠିତ ଅପରାଧ ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବରେ କାନାଡାର ସୁନାମ ବଢ଼ୁଛି । ତେଣୁ କାନାଡାକୁ ନିଜର ଆନ୍ତର୍ଜାତୀୟ ପ୍ରତିଷ୍ଠା ପାଇଁ ଚିନ୍ତା କରିବା ଆବଶ୍ୟକ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି, “ଚରମପନ୍ଥୀମାନଙ୍କୁ କାନାଡାରେ ସୁରକ୍ଷିତ ସ୍ଥାନ ଯୋଗାଇ ଦିଆଯାଉଛି, ଆମେ ଚାହୁଁ ଯେ କାନାଡା ସରକାର ଏହା କରନ୍ତୁ ନାହିଁ ଏବଂ ଯେଉଁମାନେ ଆତଙ୍କବାଦ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି କିମ୍ବା ସେମାନଙ୍କୁ ଭାରତ ପଠାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ପାକିସ୍ତାନ ଏବଂ କାନାଡା ଦ୍ୱାରା ଆର୍ଥିକ ସହାୟତା ପାଇ ଭାରତ ବିରୋଧୀ କାର୍ଯ୍ୟାରେ ଲିପ୍ତ ଆତଙ୍କବାଦୀଙ୍କୁ ନେଇ ଆମେ ଚିନ୍ତିତ । ଉଭୟ ଦେଶ ଆତଙ୍କବାଦୀଙ୍କୁ ସମର୍ଥନ କରିବା ସହ ଆର୍ଥିକ ସହାୟତା ଦେଉଛନ୍ତି । ଆମେ ଦୀର୍ଘଦିନ ହେବ ୨୦ରୁ ୨୫ ଅପରାଧୀଙ୍କ ବିରୋଧରେ ପ୍ରତ୍ୟର୍ପଣ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ କାନାଡା ସରକାରଙ୍କୁ ଅନୁରୋଧ କରୁଛୁ ହେଲେ ସେ କୌଣସି ସହାୟତା କରୁନାହାନ୍ତି । କାନାଡାର ଭାରତୀୟ ବାଣିଜ୍ୟ ଦୂତାବାସରେ ସୁରକ୍ଷା ବୃଦ୍ଧି ଉପରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ସୁରକ୍ଷା ଯୋଗାଇବା ଆୟୋଜକ ସରକାରଙ୍କ ଦାୟିତ୍ୱ ଅଟେ । କେତେକ ସ୍ଥାନରେ ଆମର ନିଜସ୍ୱ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅଛି |

କିନ୍ତୁ ଏହାକୁ ସର୍ବସାଧାରଣରେ ଆଲୋଚନା କରିବା ଠିକ୍ ନୁହେଁ । ଏହା ଏକ ଉଚିତ ପରିସ୍ଥିତି ନୁହେଁ । ” କାନାଡାର କୂଟନୀତିଜ୍ଞଙ୍କ ପ୍ରତି ବିପଦ ଥିବା ଖବର ବିଷୟରେ ପଚରାଯିବାରୁ ସେ କହିଛନ୍ତି, “ଆମେ ଆମର ଦାୟିତ୍ୱକୁ ଗୁରୁତର ସହ ନେଇଛୁ । ଆମେ ନିଶ୍ଚିତ ଭାବରେ ଭାରତର ବିଦେଶୀ କୂଟନୀତିଜ୍ଞଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇବୁ । କାନାଡାରେ ଆମର କୂଟନୀତିଜ୍ଞଙ୍କ ପ୍ରତି ମଧ୍ୟ ସମାନ ସମ୍ବେଦନଶୀଳତା ଦେଖାଇବାକୁ ଆମେ ଆଶା କରୁଛୁ। ” ଭିସା ଉପରେ ରୋକ୍ ନେଇ ସେ କହିଛନ୍ତି, ଧମକ କାରଣରୁ କାନାଡାରେ ଭାରତୀୟ ଉଚ୍ଚାୟୁକ୍ତ ଠିକ୍ ଭାବେ କାମ କରିପାରୁନାହିଁ ଏବଂ ଏହି କାରଣ ଯେ ଭାରତ କାନାଡାର ଲୋକମାନଙ୍କ ଭିସା ଆବେଦନ ପ୍ରକ୍ରିୟା ବନ୍ଦ କରି ଦେଇଛନ୍ତି ।

କାନାଡାରେ ଭିସା ସେବାର ବର୍ତ୍ତମାନ ସ୍ଥିତି ଉପରେ ସେ କହିଛନ୍ତି, ଆପଣ କାନାଡାରେ ଆମର ଉଚ୍ଚାୟୁକ୍ତ ଏବଂ ବାଣିଜ୍ୟ ଦୂତାବାସ ଦ୍ୱାରା ସମ୍ମୁଖୀନ କରାଯାଉଥିବା ସୁରକ୍ଷା ବିପଦ ନେଇ ଅବଗତ ଅଛନ୍ତି । ଏହାଦ୍ୱାରା ତାଙ୍କର ସାଧାରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆମର ଉଚ୍ଚାୟୁକ୍ତ ଏବଂ ବାଣିଜ୍ୟ ଦୂତାବାସ ଅସ୍ଥାୟୀ ରୂପରେ ଭିସା ଆବେଦନ ଉପରେ କାମ କରିବାରେ ଅସମର୍ଥ ରହିଛି । ଆମେ ନିୟମିତ ରୂପରେ ସ୍ଥିତିର ସମୀକ୍ଷା କରିବୁ । କାନାଡା ତରଫରୁ ଲଗାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ଉଲ୍ଲେଖ କରି ବାଗଚି କହିଛନ୍ତି, ହଁ ମୋତେ ଲାଗୁଛି ଯେ କିଛି ମାତ୍ରାରେ କୁସଂସ୍କାର ରହିଛି ।

କାନାଡା ସରକାର ଅଭିଯୋଗ କରିଛନ୍ତି ଏବଂ ଆମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେ ଅନୁଭବ କରୁଛୁ ଯେ କାନାଡା ସରକାରଙ୍କ ଏହି ଅଭିଯୋଗଗୁଡ଼ିକ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟରେ ପ୍ରଣୋଦିତ । ସେ ଆହୁରି କହିଛନ୍ତି ଯେ କାନାଡା ମାଟିରେ କଣ ଘଟେ ସେ ସମ୍ବନ୍ଧରେ ଆମେ ବ୍ୟକ୍ତିଗତ ମାମମଲାରେ ଅନେକ ପ୍ରମାଣ ପ୍ରଦାନ କରିଛୁ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବିଦେଶ ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଯେ କୂଟନୀତିଜ୍ଞଙ୍କ ସଂଖ୍ୟାରେ ସମାନତା ଆଣିବା ପାଇଁ ଭାରତର ଅନୁରୋଧ କ୍ରମେ କାନାଡାର କୂଟନୀତିଜ୍ଞଙ୍କ ସଂଖ୍ୟା ଭାରତରେ କମ୍ ହେବ ।

 

 

ସମ୍ବାଦ ଋଣ ଜାଲିଆତି ମାମଲା; ବଢ଼ୁଛି ଅଭିଯୋଗକାରୀଙ୍କ ସଂଖ୍ୟା

ଭୁବନେଶ୍ୱର: ଥରେ ନୁହେଁ ବାରମ୍ବାର ଜଣେ କର୍ମଚାରୀଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଋଣ କରୁଥିଲେ ସମ୍ବାଦ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ । ଦିନକୁ ଦିନ ସୌମ୍ୟଙ୍କ ଠକେଇର ଫର୍ଦ୍ଦାଫାସ ହେଉଥିବାବେଳେ ପ୍ରତିଦିନ ଋଣ ଠକେଇର ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ସମ୍ବାଦର ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ ମଧ୍ୟ ସୌମ୍ୟଙ୍କ ଲୋନ୍ ସ୍କାମର ଶିକାର ହୋଇଛନ୍ତି । ଏନେଇ ସେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି । ଗୌରାଙ୍ଗଙ୍କ ଅଭିଯୋଗ ଅନୁସାରେ ସେ ୧୯୯୯ ମସିହାରେ ସମ୍ବାଦରେ ସିନିଅର ସର୍କୁଲେସନ ଏକ୍ଜୁକ୍ୟୁଟିଭ ଭାବେ ଅନୁଗୁଳରେ ଯୋଗଦେଇଥିଲେ ।

ସେତେବେଳେ ତାଙ୍କ ଦରମା ଥିଲା ୩ ହଜାର ଟଙ୍କା । ୨୦୦୨ରେ ସମ୍ବାଦର ଏଚଆର ବୈଜୟନ୍ତୀ କର ତାଙ୍କୁ ଫୋନ କରି ଦେଖା କରିବାକୁ କହିଥିଲେ । ପରେ କଟକ ଅରୋଣୋଦୟ ମାର୍କେଟ ଏସବିଆଇ ଶାଖାରେ ଏକ ଲୋନ୍ ଆକାଉଣ୍ଟ ଖୋଲିବାକୁ କହିଥିଲେ । ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ କର୍ମଚାରୀଙ୍କ ଲୋନ୍ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ଏଚଆର କହିଥିଲେ । ଲୋନ କରିବାକୁ ରାଜି ନହେବାରୁ ଏବେର ସମ୍ବାଦ ସିଓଓ କମଳାକାନ୍ତ ମହାପାତ୍ର ଗୌରାଙ୍ଗଙ୍କୁ ଫୋନ ଯୋଗେ ଚାକିରି ଯିବାର ଧମକ ଦେଇଥିଲେ ।

ପରେ ବ୍ଲାଙ୍କ ଲୋନ୍ ଆକାଉଣ୍ଟ ଓପନିଂ ଫର୍ମରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା । ଲୋନ ସମ୍ପର୍କରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିବାକୁ କୌଣସି ସୁଯୋଗ ଦେଇନଥିଲେ ଏଚଆର୍ ବୈଜୟନ୍ତୀ କର ଏବଂ ଜୟପୁର ଏଡିସନ ଏଜିଏମ ବିନୋଦ ପଣ୍ଡା । ଆକାଉଣ୍ଟକୁ ଲୋନ୍ ଟଙ୍କା ଆସିବା ପରେ ସମ୍ବାଦ କର୍ତ୍ତୃପକ୍ଷ ବ୍ଲାଙ୍କ୍ ଓ୍ବିଡ୍ରାଲ ଫର୍ମରେ ଦସ୍ତଖତ ନେଇ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟିନେଇଥିଲେ । ଏତିକିରେ ସରିନଥିଲା ସମ୍ବାଦର ଋଣ ସ୍କାମ । ପ୍ରଥମ ଋଣ ସୁଝାସରିନଥିବା ବେଳେ ପୁଣି ୨୦୦୩ ମସିହାରେ ଦ୍ବିତୀୟ ଲୋନ୍ କରିବାକୁ ଗୌରାଙ୍ଗଙ୍କୁ ବାଧ୍ୟ କରାଯାଇଥିଲା ।

ପ୍ରତିବଦଳରେ ଏକ ଲକ୍ଷ ଟଙ୍କା କମ୍ପାନୀ ତରଫରୁ ଉପହାର ଦେବାକୁ କହିଥିଲେ । ପୁଣିଥରେ ଗୌରାଙ୍ଗଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ଟଙ୍କା ଲୋନ୍ କରାଯାଇଥିଲା । ଅଫିସକୁ ଡାକି ତାଙ୍କୁ ୧ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଏହା ତାଙ୍କ ଦରମାରୁ କଟିଥିଲେ । ହେଲେ ବାକିଟଙ୍କା ଲୁଟିନେଇଥିଲେ ସୌମ୍ବରଞ୍ଜନ । ଏହାର ୬ମାସ ପରେ କଟକ ମଙ୍ଗଳାବାଗ ଏସବିଆଇରୁ ପୁଣି ଗୌରାଙ୍ଗଙ୍କ ନାଁରେ ୫ ଲକ୍ଷ ଟଙ୍କାର ଋଣ କରି ନେଇଯାଇଥିଲେ । ତାଙ୍କ ସାଲାରି ସ୍ଲିପକୁ ନକଲି କରି ଲୋନ୍ ଅଣାଯାଇଥିବା ଗୌରାଙ୍ଗ ଜାଣିବାକୁ ପାଇଥିଲେ । ତାଙ୍କ କଥାରେ ରାଜି ନହୋଇଥିଲେ ଚାକିରି ହରାଇବାକୁ ପଡ଼ିଥାନ୍ତା ବୋଲି ଗୌରାଙ୍ଗ ଏତଲାରେ ଉଲ୍ଲେଖ କରିଛନ୍ତି ।

ଜନବିରୋଧୀ କାର୍ଯ୍ୟରେ ଲିପ୍ତଥିଲେ ସୌମ୍ୟ: ଅନୁଭବ

ଭୁବନେଶ୍ବର: ସୌମ୍ୟଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ଋଣ ଜାଲିଆତି ମାମଲାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ପ୍ରତିଦିନ ଅଭିଯୋଗ ବଢୁଛି । ପ୍ରାୟ ୩୦୦ରୁ ଅଧିକ କର୍ମଚାରୀଙ୍କୁ ସୌମ୍ୟରଞ୍ଜନ ଠକିଥିବା ଜଣାପଡିଛି। ଏନେଇ EOWରେ ମାମଲା ରୁଜୁ ପରେ ତଦନ୍ତ ଜୋରଦାର ହୋଇଛି । ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଶେଷରେ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଅନୁଭବ ।

ସୂଚନା ଥାଉକି, ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟଙ୍କ ବିରୋଧରେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବା ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି)  ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାହୁଲଙ୍କ କୁଲି ବେଶ

ନୂଆଦିଲ୍ଲୀ: ଦେହରେ ନାଲି ସାର୍ଟ । ହାତରେ ବନ୍ଧାଯାଇଛି କୁଲି ବ୍ୟାଜ । ମୁଣ୍ଡରେ ବି ବ୍ୟାଗ । ରାହୁଲ ଗାନ୍ଧୀଙ୍କ ଦୃଶ୍ୟ ଯେକେହି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବେ । ଗୁରୁବାର ଦିଲ୍ଲୀ ରେଳଷ୍ଟେସନରେ ଭିନ୍ନ ଅବଦାରରେ ଦେଖାଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୁଲିମାନଙ୍କ ସହ ମିଶିବା ସହ ସେମାନଙ୍କ ଗହଣରେ ବେଶ୍ କିଛି ସମୟ ବିତାଇଥିଲେ ରାହୁଲ । ଗୁରୁବାର ପୂର୍ବାହ୍ନରେ ଦିଲ୍ଲୀ ଆନନ୍ଦ ବିହାର ରେଳଷ୍ଟେସନକୁ ଯାଇଥିଲେ ରାହୁଲ । ସେଠାରେ ସେ ପୋର୍ଟରମାନଙ୍କ ପୋଷାକ ପିନ୍ଧିବା ସହ ସେମାନଙ୍କ କୁଲି ବ୍ୟାଜ ମଧ୍ୟ ପିନ୍ଧିଥିଲେ । ତେବେ ଉଦ୍ଦେଶ୍ୟ ଥିଲା ସେମାନଙ୍କ ସମସ୍ୟା ବୁଝିବା । ଏନେଇ ସେ କେତେକ ପୋର୍ଟରଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଗହଣରେ କିଛି ସମୟ କଟାଇଥିଲେ । ଏପରିକି ଏକ ବ୍ୟାଗ ମୁଣ୍ଡାଇବାର ଦୃଶ୍ୟ ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଥିଲା । ପୂର୍ବରୁ ସେ ମେକାନିକ, କ୍ରୀଡାବିତ, ଚାଷୀ ଆଦି ଭୂମିକାରେ ଅବତୀର୍ଣ୍ଣ ହୋଇ ଚର୍ଚ୍ଚାର ସାଜିଥିଲେ କାରଣ ।

କଂଗ୍ରେସ ଟୁଇଟ୍ କରି କହିଛି, “ଜନନାୟକ ରାହୁଲ ଗାନ୍ଧୀଜୀ ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲିସାଥୀମାନଙ୍କୁ ଭେଟିଥିଲେ। ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓରେ କୁଲି ସାଥୀମାନେ ରାହୁଲଙ୍କୁ ଭେଟିବାର ଆଗ୍ରହ ପ୍ରକାଶ କରିଥିଲେ। ଆଜି ରାହୁଲ ଗାନ୍ଧୀ ସେମାନଙ୍କ ନିକଟ‌ରେ ପହଞ୍ଚି ସେମାନଙ୍କ କଥା ଶୁଣିଛନ୍ତି। ‘ଭାରତ ଯୋଡ଼ୋ’ ଯାତ୍ରା ଜାରି ରହିଛି।

ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ଓଡ଼ିଆରେ ବିଜେଡିର ପକ୍ଷ ରଖିଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନା । ବିଲ୍କୁ ବିଜେଡିର ସମର୍ଥନ । ଆଲୋଚନାରେ ଭାଗ ନେଇ ବିବୃତ୍ତି ରଖିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ମାତୃ ଭାଷା ଓଡ଼ିଆକୁ ସମ୍ମାନ ଦେଇ ସେ ନିଜର ବିବୃତ୍ତି ଓଡ଼ିଆରେ ଦେଇଥିଲେ । ତାଙ୍କ ଭାଷଣରେ ସେ କହିଛନ୍ତି ଯେ, ବିଜେଡି ସବୁବେଳେ ସାଧାରଣ ଜନଜୀବନ ତଥା ସମାଜର ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିଆସୁଛି । ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।

୨୦୧୧ରେ ତାଙ୍କ ସୁପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ପୌରପାଳିକା ଏବଂ ମହାନଗର ନିଗମରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ପୁନର୍ବାର ମହିଳା ସଶକ୍ତିକରଣ ଏବଂ ବିଶେଷକରି ସାଧାରଣ ଜୀବନରେ ସେମାନଙ୍କ ଅଂଶଗ୍ରହଣ ପାଇଁ ବିଜେଡିର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶ୍ୱାସ କରନ୍ତି ଯେ ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ରାଜ୍ୟ କିମ୍ବା ରାଷ୍ଟ୍ରର ବିକାଶ ହୋଇପାରିବ ନାହିଁ ।

ତେଣୁ ନଭେମ୍ବର ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଥିଲେ । ଡିସେମ୍ବର ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ ୨୨ଜଣ ବିଜେଡି ପ୍ରତିନିଧିଙ୍କୁ ୭ଟି ଜାତୀୟ ଦଳ ସମେତ ଭାରତର ୨୨ଟି ପ୍ରମୁଖ ରାଜନୈତିକ ଦଳଙ୍କ ନିକଟକୁ ପଠାଇଥିଲେ । ଏହି ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେହି ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ଦୀର୍ଘଦିନରୁ ସଂସଦରେ ପଡ଼ି ରହିଥିବା ମହିଳା ସଂରକ୍ଷଣ ବିଲକୁ ପାସ୍ କରିବାକୁ ସହମତି ଜୁଟାଇଥିଲେ ।

ଲୋକସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ଦଳର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବ ପ୍ରଦାନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିର ୭ ଜଣ ମହିଳା ପ୍ରାର୍ଥୀ ରହିଥିଲେ ଯେଉଁଥିରୁ ୫ଜଣ ମହିଳା ପ୍ରାର୍ଥୀ ମଧ୍ୟ ଜିତିଥିଲେ । ମୁଖ୍ୟମନ୍ତ୍ରୀ ଦୀର୍ଘବର୍ଷ ଧରି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ନିଶ୍ଚିତ କରିବାକୁ ଏହି ଲମ୍ବା ଯୁଦ୍ଧ ଲଢ଼ିଆସୁଛନ୍ତି । ସଂସଦରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ବିଜେଡି ସାଂସଦମାନେ ବାରମ୍ବାର ଦାବି ଉଠାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ଲାଟଫର୍ମରେ ଏକାଧିକ ଚିଠି ଏବଂ ଦାବି ମାଧ୍ୟମରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାର ଆବଶ୍ୟକତା ସଂକ୍ରାନ୍ତରେ ବୁଝାଇଆସିଛନ୍ତି ।

ସଂସଦରେ ପାରିତ ହେବା ପାଇଁ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବଡ଼ ବିଜୟ । କାରଣ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନର ସଂଗ୍ରାମ ଜାରି ରଖିଛନ୍ତି । ଏହା ଓଡ଼ିଶା ଏବଂ ଭାରତର ମହିଳାମାନଙ୍କ ପାଇଁ ଏକ ବିଜୟ । ମହିଳା ସଂରକ୍ଷଣ ବିଲ୍ କୁ ସଂସଦରେ ପାରିତ କରିବା ବିଜୁ ଜନତା ଦଳର ନିରନ୍ତର ପ୍ରୟାସର ବିଜୟ ଅଟେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠିନ ପରିଶ୍ରମ ଏବଂ ନିରନ୍ତର ପ୍ରୟାସ ପାଇଁ ଓଡ଼ିଶା ତଥା ଦେଶରେ ମହିଳାମାନେ ବୃହତ ସଶକ୍ତିକରଣର ସୁଫଳ ପାଇବାକୁ ଯାଉଛନ୍ତି । ତେଣୁ ବିଜେଡି ସମ୍ପୂର୍ଣ୍ଣ ଭାବେ ଏହି ବିଲ୍କୁ ସମର୍ଥନ କରୁଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଢ଼ିଲା ଅଡୁଆ

ଇସଲାମବାଦ: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ । ଆପରାଧିକ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ହୋଇଛନ୍ତି ଇମ୍ରାନ । ଗତ ମେ ୯ ତାରିଖ ହିଂସା ଘଟଣାରେ ଇମ୍ରାନଙ୍କୁ କରାଯାଇଛି ଅଭିଯୁକ୍ତ । ବିଭିନ୍ନ ସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ ଏବଂ ବିଦ୍ରୋହ କରିବା ଲାଗି ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଇମ୍ରାନ ହୋଇଛନ୍ତି ଅଭିଯୁକ୍ତ । ଏହି ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ଯୁଦଣ୍ଡ ମିଳିବାରେ ବ୍ଯବସ୍ଥା ରହିଛି । ଗତ ମେ ୯ରେ ଏକ ଦୁର୍ନୀତି ମାମଲାରେ ପାକିସ୍ତାନ ତେହରିକ ଇ ଇନସାଫ ଅଧ୍ଯକ୍ଷ ଇମ୍ରାନଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ସରକାରୀ ବିରୋଧୀ ହାଓ୍ବା ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା ।

ଏହି ଘଟଣାରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା । ମାତ୍ର ପରେ ସେ ଜାମିନରେ ମୁକୁଳିଥିଲେ । ସେହିଦିନ ରାଓ୍ବଲପିଣ୍ଡିସ୍ଥିତ ସାମରିକ ମୁଖ୍ୟାଳୟ ସମେତ ଅନ୍ଯାନ୍ଯ ସରକାରୀ ପ୍ରତିଷ୍ଠାନ ଉପରେ ଇମ୍ରାନଙ୍କ ସମର୍ଥକ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା । ଏହା ସହ ଲାହୋର କର୍ପସ କମାଣ୍ଡର ହାଉସ ଓ ଅସ୍କାରୀ ଟାଓ୍ବାର ଉପରେ ମଧ୍ଯ ପିଟିଆଇ କର୍ମୀ ହମଲା କରିଥିଲେ । ସେହିଦେଶର ଆଇନ ଅନୁସାରେ ଇମ୍ରାନଙ୍କ ବିରୋଧରେ ଧାରା 120 ବି ସମେତ ଅନ୍ଯାନ୍ୟ ଧାରା ଲାଗିଛି । ଇମ୍ରାନଙ୍କ ବିରୋଧରେ ପ୍ରସ୍ତୁତ ଅଭିଯୋଗପତ୍ରକୁ ଲାହୋର ଆଣ୍ଟିଟେରରିଜିମ୍ କୋର୍ଟରେ ଦାଖଲ କରାଯିବ । ବର୍ତ୍ତମାନ ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଆତୋକ ଜେଲରେ ଗତ ଅଗଷ୍ଟ ୫ରୁ ରହିଛନ୍ତି ।

ସୌମ୍ୟଙ୍କୁ ଅଲେଖଙ୍କ ସମାଲୋଚନା, କହିଲେ ଜୟଦେବ ଜେନାଙ୍କ ସହ ଯାହା କରିଥିଲେ ଏବେ ପାଇଲେ

ଭୁବନେଶ୍ବର: ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଗଣମାଧ୍ୟମକୁ ଝାଲ କରି ବିଭିନ୍ନ ଭୁଲ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ତେବେ ସୌମ୍ୟଙ୍କୁ ଟାର୍ଗେଟ କଲେ ପୂର୍ବତନ କଂଗ୍ରେସ କର୍ମୀ ଅଲେଖ ସାମଲ । କହିଲେ, ତଦନ୍ତକୁ ସାମ୍ନା କରନ୍ତୁ ସୌମ୍ୟ। ଗଣମାଧ୍ୟମର କ୍ଷମତା ନ ଦେଖାଇ ଅଭିଯୋଗର ତଦନ୍ତରେ ସହଯୋଗ କରନ୍ତୁ। କର୍ମଚାରୀଙ୍କ ସାଲାରୀ ସାର୍ଟିଫିକେଟ, ପ୍ୟାନ କାର୍ଡ, ଆଇ କାର୍ଡ ସବୁ କିଛି ଜାଲିଆତି କରି ବ୍ୟାଙ୍କରୁ ଫ୍ରଡ଼ କରିଛନ୍ତି। ବୈଜୟନ୍ତ କର ସବୁ କାରନାମା କରିଛନ୍ତି। ସୌମ୍ୟ ବାବୁ ସବୁ ଜାଣିଛନ୍ତି। ତଦନ୍ତର ସାମ୍ନା ନ କରି ଏବେ ତାଙ୍କ ସପକ୍ଷରେ ଓକିଲାତି କରିବାକୁ ଲୋକ ଯୋଗାଡ଼ କରୁଛନ୍ତି।।ତାଙ୍କର ଏ ପୁରୁଣା ଅଭ୍ୟାସ । କଂଗ୍ରେସ ରୁ ସସପେଣ୍ଡ ହେବା ବେଳେ ଜୟଦେବ ଜେନା ଆଉ ତାଙ୍କ ପୁଅ ବାପି ଜେନାଙ୍କ ବିରୋଧରେ ଏଭଳି ମିଛ ଅଭିଯୋଗ କରିଥିଲେ। ନିଜ ଗଣମାଧ୍ୟମକୁ ବ୍ୟବହାର କରୁଥିଲେ। ଅଭିଯୋଗ ଆସିଛି, ପଦରୁ ଇସ୍ତଫା ଦେଇ ତଦନ୍ତକୁ ସାମ୍ନା କରନ୍ତୁ।

ସୌମ୍ୟଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଯାହାକୁ ନେଇ ଅଲେଖ ତାଙ୍କୁ ଟାର୍ଗେଟ କରି କହିଛନ୍ତି କି, କଣ ଜାଣିଛନ୍ତି ଏ କାରବାର ବିଷୟରେ। କିଛି ନ ଜାଣି ସୌମ୍ୟଙ୍କ ସପକ୍ଷରେ ଓକିଲାତି କରିବା ଠିକ ନୁହେଁ। ଯଦି ଅଭିଯୋଗ ସତ୍ୟ ହୁଏ, ତାହାଲେ ଶରତ ପଟ୍ଟନାୟକ କଣ କରିବେ? ଏମାନେ ତ ସବୁ ବିଜେପି ସାଙ୍ଗରେ ଅଛନ୍ତି। ଦଳ ବୁଡ଼ିଲା ବେଳକୁ ଏଆଇସିସି ଏଭଳିଆ ଜଣେ ଘୋଡା ମୁହାଁ କୁ ପଠାଇଛି।