ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ଓଡ଼ିଆରେ ବିଜେଡିର ପକ୍ଷ ରଖିଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନା । ବିଲ୍କୁ ବିଜେଡିର ସମର୍ଥନ । ଆଲୋଚନାରେ ଭାଗ ନେଇ ବିବୃତ୍ତି ରଖିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ମାତୃ ଭାଷା ଓଡ଼ିଆକୁ ସମ୍ମାନ ଦେଇ ସେ ନିଜର ବିବୃତ୍ତି ଓଡ଼ିଆରେ ଦେଇଥିଲେ । ତାଙ୍କ ଭାଷଣରେ ସେ କହିଛନ୍ତି ଯେ, ବିଜେଡି ସବୁବେଳେ ସାଧାରଣ ଜନଜୀବନ ତଥା ସମାଜର ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିଆସୁଛି । ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।

୨୦୧୧ରେ ତାଙ୍କ ସୁପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ପୌରପାଳିକା ଏବଂ ମହାନଗର ନିଗମରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ପୁନର୍ବାର ମହିଳା ସଶକ୍ତିକରଣ ଏବଂ ବିଶେଷକରି ସାଧାରଣ ଜୀବନରେ ସେମାନଙ୍କ ଅଂଶଗ୍ରହଣ ପାଇଁ ବିଜେଡିର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶ୍ୱାସ କରନ୍ତି ଯେ ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ରାଜ୍ୟ କିମ୍ବା ରାଷ୍ଟ୍ରର ବିକାଶ ହୋଇପାରିବ ନାହିଁ ।

ତେଣୁ ନଭେମ୍ବର ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଥିଲେ । ଡିସେମ୍ବର ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ ୨୨ଜଣ ବିଜେଡି ପ୍ରତିନିଧିଙ୍କୁ ୭ଟି ଜାତୀୟ ଦଳ ସମେତ ଭାରତର ୨୨ଟି ପ୍ରମୁଖ ରାଜନୈତିକ ଦଳଙ୍କ ନିକଟକୁ ପଠାଇଥିଲେ । ଏହି ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେହି ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ଦୀର୍ଘଦିନରୁ ସଂସଦରେ ପଡ଼ି ରହିଥିବା ମହିଳା ସଂରକ୍ଷଣ ବିଲକୁ ପାସ୍ କରିବାକୁ ସହମତି ଜୁଟାଇଥିଲେ ।

ଲୋକସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ଦଳର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବ ପ୍ରଦାନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିର ୭ ଜଣ ମହିଳା ପ୍ରାର୍ଥୀ ରହିଥିଲେ ଯେଉଁଥିରୁ ୫ଜଣ ମହିଳା ପ୍ରାର୍ଥୀ ମଧ୍ୟ ଜିତିଥିଲେ । ମୁଖ୍ୟମନ୍ତ୍ରୀ ଦୀର୍ଘବର୍ଷ ଧରି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ନିଶ୍ଚିତ କରିବାକୁ ଏହି ଲମ୍ବା ଯୁଦ୍ଧ ଲଢ଼ିଆସୁଛନ୍ତି । ସଂସଦରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ବିଜେଡି ସାଂସଦମାନେ ବାରମ୍ବାର ଦାବି ଉଠାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ଲାଟଫର୍ମରେ ଏକାଧିକ ଚିଠି ଏବଂ ଦାବି ମାଧ୍ୟମରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାର ଆବଶ୍ୟକତା ସଂକ୍ରାନ୍ତରେ ବୁଝାଇଆସିଛନ୍ତି ।

ସଂସଦରେ ପାରିତ ହେବା ପାଇଁ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବଡ଼ ବିଜୟ । କାରଣ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନର ସଂଗ୍ରାମ ଜାରି ରଖିଛନ୍ତି । ଏହା ଓଡ଼ିଶା ଏବଂ ଭାରତର ମହିଳାମାନଙ୍କ ପାଇଁ ଏକ ବିଜୟ । ମହିଳା ସଂରକ୍ଷଣ ବିଲ୍ କୁ ସଂସଦରେ ପାରିତ କରିବା ବିଜୁ ଜନତା ଦଳର ନିରନ୍ତର ପ୍ରୟାସର ବିଜୟ ଅଟେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠିନ ପରିଶ୍ରମ ଏବଂ ନିରନ୍ତର ପ୍ରୟାସ ପାଇଁ ଓଡ଼ିଶା ତଥା ଦେଶରେ ମହିଳାମାନେ ବୃହତ ସଶକ୍ତିକରଣର ସୁଫଳ ପାଇବାକୁ ଯାଉଛନ୍ତି । ତେଣୁ ବିଜେଡି ସମ୍ପୂର୍ଣ୍ଣ ଭାବେ ଏହି ବିଲ୍କୁ ସମର୍ଥନ କରୁଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ।