ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ । ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ । ତେବେ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ପୂର୍ବ ଅଧିବେଶନ ସମୟରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ଅଧାଦିନ ମୁଲତବୀ ରହିଥିଲା ।
ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ପର୍ଯ୍ୟାୟ କ୍ରମେ ସ୍କାନିଂ କରିବାକୁ ନିଷ୍ପତ୍ତି ହୋଇଛି । ସ୍କାନିଂ ପରେ ବାହାର ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବ । ଫାଟ ଓ କେତେ ପରିମାଣରେ କ୍ଷତି ହୋଇଛି, ସେନେଇ ସ୍କାନିଂ ରିପୋର୍ଟରୁ ସୂଚନା ମିଳିବ । ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ଲେଜର ସ୍କାନିଂ ପାଇଁ ଆବଶ୍ୟକ ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
କୁଳଡିଆ ଅଭୟାରଣ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ବାଲେଶ୍ବର: ପ୍ରକୃତିର ମଜା ନେବାକୁ ଚାହୁଁଛନ୍ତି ? ଖୋଲିଛି ବାଲେଶ୍ୱର ନୀଳଗିରିର କୁଳଡିଆ ଅଭୟାରଣ୍ୟ। ପ୍ରାକୃତିକ ପରିବେଶ ସହିତ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ନଭେମ୍ବର ୧ରୁ ଖୋଲିଛି ଅଭୟାରଣ୍ୟ । ପ୍ରଥମ ଦିନରେ ପୁଷ୍ପ ଗୁଚ୍ଛ ଦେଇ ଏବଂ ମିଠା ଖୁଆଇ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଥିଲା। ଅଭୟାରଣ୍ୟର ଆକର୍ଷଣ ସାଜିଛି ନେଚର୍ସ କ୍ୟାମ୍ପ । ମିଳିବ ବୋଟିଂର ସୁବିଧା।
ଚାରିଆଡେ ସବୁଜ ବନାନି। ଘଞ୍ଚ ଜଙ୍ଗଲକୁ ପକ୍ଷୀଙ୍କ କିଚିରି ମିଚିର ଶବ୍ଦ। ନେଚର କ୍ୟାମ୍ପରେ ରାତ୍ରିଯାପନର ମଜା । ଶୀତ ଋତୁ ଆରମ୍ଭରୁ ଏସବୁ ସୁବିଧା ମିଳିବ କୁଳଡିହା ଅଭୟାରଣ୍ୟ । ନଭେମ୍ବର ୧ରୁ ଖୋଲିଲାଣି ବାଲେଶ୍ୱର ନୀଳଗିରିର କୁଳଡିହା ଅଭୟାରଣ୍ୟ। ପରିବାର ସହ ସମୟ ବିତାଇବାକୁ ଏଠାକୁ ପହଞ୍ଚିଲେଣି ପର୍ଯ୍ୟଟକ । କିଏ ଖାଇବାରେ ବ୍ୟସ୍ତ ତ କିଏ ଫଟୋ ଉଠାଇବାରେ ଲାଗିଛି । ଅଭୟାରଣ୍ୟ ଖୋଲିବା ପରେ ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଏବଂ ମିଠା ଖୁଆଇ ସ୍ଵାଗତ କରାଯାଇଥିଲା । ଅଭୟାରଣ୍ୟ ମଧ୍ୟରେ ରହିଛି ନେଚର୍ସ ପାର୍କ, ୯ଟି ଟେଣ୍ଟ ହାଉସ୍।
ଦୀର୍ଘ ସାଢ଼େ ଚାରି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଖୋଲାଯିବା ପରେ ପର୍ଯ୍ୟଟକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଅଭୟାରଣ୍ୟରେ ବିଭିନ୍ନ ବନ୍ୟଜନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛନ୍ତି। ଭାଲୁ, ବାଘ, ହାତୀ, କୁଟୁରା, ହରିଣ, ସମ୍ବର, ବାରା ଆଦି ବନ୍ୟଜନ୍ତୁ ସମେତ ଶୁଆ, ଶାରୀ, ଚିଲ, ମୟୂର, କୁଚିଳାଖାଈ ସହ ବହୁ ବିଦେଶୀ ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ମିଳନ୍ତି। ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢି ଏଠାକୁ ଆସି ଲୋକେ ଶାନ୍ତିରେ ପ୍ରକୃତିକୁ ମନ ଭରି ଉପଭୋଗ କରନ୍ତି ।
ଇସ୍ରୋ ଚିଫ୍ ଏସ୍. ସୋମନାଥଙ୍କ ଜୀବନ ଉପରେ ଅଧାରିତ ପୁସ୍ତକକୁ ନେଇ ବିବାଦ ! କେ. ଶିଭନଙ୍କ ସମ୍ପର୍କରେ ଲେଖିଛନ୍ତି ଏଭଳି କଥା..
ନୂଆଦିଲ୍ଲୀ: ଇସ୍ରୋ ଚିଫ୍ ଏସ.ସୋମନାଥଙ୍କ ଜୀବନକୁ ଉପରେ ଆାଧାରିତ ପୁସ୍ତକ ’ନୀଲାବୁ କୁଡିଚା ସିମଗଲ’ରେ ପୂର୍ବତନ ଇସ୍ରୋ ମୁଖ୍ୟ କେ. ଶିଭମଙ୍କୁ ନେଇ ଅଭିଯୋଗ ଆଣିଛନ୍ତି ଏସ. ସୋମନାଥ । ଏହି ପୁସ୍ତକରେ ଲେଖା ଆଛି ଶିଭମ ଚାହୁଁ ନଥିଲେ ସୋମନାଥ ଇସ୍ରୋ ମୁଖ୍ୟ ବନନ୍ତୁ । ଏହାସହ ସେ ଚିଫ୍ ବନିବାରେ ମଧ୍ୟ ବାଧା ସୃଷ୍ଟି କରିଥିବା ପୁସ୍ତକରେ ପ୍ରକାଶ ପାଇଥିବା କୁହାଯାଉଛି। ଯାହାକୁ ନେଇ ଦକ୍ଷିଣ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ସୋମନାଥଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, କୌଣସି ଉଚ୍ଚ ପଦ ଅଧିକାର କରିବା ପୂର୍ବରୁ ବହୁ ବାଧା ବିଘ୍ନକୁ ସାମନା କରିବାକୁ ପଡ଼ିବ । ମୋ ଜୀବନରେ ଘଟିଥିବା ଘଟଣାକୁ ଏହି ପୁସ୍ତକରେ ବର୍ଣ୍ଣନା କରିଛି । ମୁଁ କୌଣସି ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିନାହିଁ । ଚନ୍ଦ୍ରଯାନ-୨ ବିଫଳ ହେବାର ମୁଖ୍ୟ କାରଣ ହେଉଛି ଏହା ଉପରେ ସମସ୍ତ ପରୀକ୍ଷା କରାଯାଇନଥିଲା । କାହାକୁ ସମାଲୋଚନା କରାଯିବା ପାଇଁ ଏହି ପୁସ୍ତକ ରଚନା କରାଯାଇନାହିଁ ବୋଲି ସେ ପ୍ରକାଶ କରିଥିବାବେଳେ ଖୁବଶୀଘ୍ର ଏହା ବଜାରକୁ ଆସିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
କାହା ସ୍ବାର୍ଥରେ ଶବ ରାଜନୀତି?
ଭୁବନେଶ୍ବର: ଗଣମାଧ୍ୟମର ଦାୟିତ୍ୱ ହେଉଛି ସତ ସାମ୍ନାକୁ ଆଣିବା । କିନ୍ତୁ କିଛି ଗଣମାଧ୍ୟମ ଖବରକୁ ରୋଚକ କରିବା ବା ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରି ମିଛ ଖବର ପ୍ରକାଶ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଗାଡି ଦୁର୍ଘଟଣାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଗତ ୩୧ ତାରିଖ ଅପରାହ୍ନ ୩ଟା ୩୦ ମିନିଟ୍ । ଭୁବନେଶ୍ବର ୟୁନିଟ ୮ ପଟୁ ଆସି ନଅ ତାଲା ପଟକୁ ଯିବାକୁ ପାୱାର୍ ହାଉସ ଟ୍ରାଫିକରେ ଛିଡା ହୋଇଥାଏ ଏକ କଳା ରଙ୍ଗର ରେଞ୍ଜ ରୋଭର । ଠିକ ସେହି ସମୟରେ ଗ୍ରୀନ ସିଗନାଲ ଥିବା ବେଳେ କମିଶନରେଟ ପୋଲିସ ମୁଖ୍ୟାଳୟ ପଟୁ ରାଜଭବନ ଆଡକୁ ଯାଉଥିଲା ଗୋଟିଏ ପଲସର ବାଇକ । ହଠାତ ସେହି ସମୟରେ ରେଞ୍ଜ ରୋଭର ପଛ ପଟେ ସାଇରନ ଦେଇ ଆସି ଲାଗିଥିଲା ଗୋଟିଏ ଆମ୍ବୁଲାନ୍ସ । ଟ୍ରାଫିକ ପୋଷ୍ଟରେ ଥିବା କନଷ୍ଟେବଳ ଆମ୍ବୁଲାନ୍ସକୁ ସାଇଡ ଦେବାକୁ ଇସାରା ଦେଇଥିଲେ ।
କିନ୍ତୁ ସାଇଡ଼ ହେବାକୁ ରାସ୍ତା ନଥିବାରୁ ଆଗକୁ ଚାଲି ଆସିଥିଲେ ରେଞ୍ଜରୋଭର ଡ୍ରାଇଭର । ଫଳରେ ରାଜଭବନ ପଟକୁ ଯାଉଥିବା ଏହି ପଲସର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଇକ ଚାଳକ କାହ୍ନୁ ଚରଣ ନାୟକ ଓ ସାଙ୍ଗରେ ଥିବା ସମ୍ପର୍କୀୟ ଲୋପାମୁଦ୍ରା ସାହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଲୋପାମୁଦ୍ରାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଲୋପାମୁଦ୍ରାଙ୍କ ଅଙ୍ଗଦାନ କରିଛନ୍ତି ତାଙ୍କ ପରିବାର । ବର୍ତ୍ତମାନ କାହ୍ନୁଚରଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଘଟଣା ଦିନ କ୍ୟାପିଟାଲ ଥାନା ପୋଲିସ ଗାଡିଟିକୁ ସିଜ କରିଥିଲା । ଗାଡି ଡ୍ରାଇଭର ସୌଭାଗ୍ୟ କୁମାର ବାଗକୁ କେସ ନମ୍ବର ୬୪୩ ଦଫା ୨୭୯,୩୩୭, ୩୩୮, ୧୮୪ MV ଆକ୍ଟ ରେ କୋର୍ଟ ଚାଲାଣ କରିଥିଲା । ଏ ହେଉଛି କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ ।
ଆଉ ହେଉଛି ପୋଲିସ ପିଆରଓ ଙ୍କର କିଛି ସମୟ ପରର କ୍ଲାରିଫିକେସନ । ପ୍ରଥମେ ଜାରି ହୋଇଥିବା ରିଲିଜ ରେଞ୍ଜରୋଭରର ନମ୍ବର OD 33 AF 6726 ବୋଲି ଲେଖାଯାଇଥିଲା । ଯାହା ଏକ ଟାଇପିଂ ମିଷ୍ଟେକ ବୋଲି କିଛି ସମୟ ପରେ କ୍ଲାରିଫାଏ କରିଥିଲେ ପିଆରଓ । କିନ୍ତୁ କିଛି ଗଣମାଧ୍ୟମ କିଛି ନବୁଝି ଖବରକୁ ରୋଚକ କରିବା ଆଶାରେ ବିଭ୍ରାନ୍ତିକର ଖବର ପ୍ରକାଶ କରିଥିଲେ । RTO ତଥ୍ୟ ମୁତାବକ ରେଞ୍ଜରୋଭର ଗାଡି ନଂ ଓଡି-୨୩-କେ- ୦୦୦୬ର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । ଆଇନ ଅନୁଯାୟୀ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଯେହେତୁ ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ଦିବଂଗତ ନେତା ନବ ଦାସଙ୍କ ପୁଅ ବିଶାଲ ଦାସ ରହିଛନ୍ତି, ତେଣୁ ଗୋଟିଏ ପଲିଟିକାଲ ଷ୍ଟଣ୍ଟ ଚାଲିଥିବା ଘଟଣା ନଜରକୁ ଆସିଛି ।
ବଦଳୁଛି ପାଗ, ରାତିରେ ଥଣ୍ଡା, ଦିନରେ ପ୍ରବଳ ଗରମ
ଭୁବନେଶ୍ବର: ରାତିରେ ଥଣ୍ଡା, ଦିନରେ ପ୍ରବଳ ଗରମ । ସ୍ବାଭାବିକ ଠାରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଗରମ ଲାଗିରହିଛି ବୋଲି କହିଛି ପାଣିପାଗ । ତେଣୁ ଗରମ ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ୩ ଦିନ ପରେ ରାଜ୍ୟକୁ ଥଣ୍ଡା ପବନ ପ୍ରବେଶ କରିବ । ପ୍ରଭାବରେ ରାତ୍ରିରେ ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ । ଅନ୍ୟପଟେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ କୋରାପୁଟ ବନ୍ଧୁଗାଁରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବନ୍ଧୁଗାଁରେ ୯୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ରେ ୮୯.୪ ମିମି ଏବଂ ମୟୂରଭଞ୍ଜ ରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
କେରଳ କୋଚିରେ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
କୋଚି: କେରଳ କୋଚିରେ ଭାରତୀୟ ନୌସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଇଏନଏସ୍ ଗରୁଡ ଏୟାରବେସରେ ଦୁର୍ଘଟଣା ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ସୂଚନା।
ରିପୋର୍ଟ ଅନୁସାରେ ଟ୍ରେନିଂ ଫ୍ଲାଇଟ୍ ଭାବେ କାମ କରୁଥିବା ଭାରତୀୟ ନୌସେନାର ଏହି ହେଲିକପ୍ଟର ଲିଫ୍ଟ ଅଫ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ପାଖାପାଖି ୨ଟା ୩୦ମି. ସମୟରେ ରୁଟିନ୍ ଟ୍ରେନିଂ ବେଳେ ଏହି ଅଘଟଣ ହୋଇଥିଲା।
Kerala | One Navy sailor lost his life in an accident involving a Chetak helicopter during its ground maintenance checks at Naval air base INS Garuda in Kochi. More details awaited: Indian Navy officials
— ANI (@ANI) November 4, 2023
ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ଟୁଟୁ ନାୟକ ଗିରଫ
ଭୁବନେଶ୍ବର: ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ କଲା ଖାରବେଳନଗର ଥାନା ପୋଲିସ । ଟୁଟୁ ନାୟକଙ୍କ ବିରୋଧରେ ଲାଗିଥିଲା ସଂଙ୍ଗୀନ ଦଫା ।ଟୁଟୁ ନାୟକଙ୍କୁ 354,294,341,323 ଦଫାରେ ଗିରଫ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ପ୍ରଥା ଫିଲ୍ମର ପ୍ରିମିୟର ସମୟରେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହେଇଥିଲା । ଏନେଇ ମହିଳା ସାମ୍ବାଦିକା ଜଣକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଅଭିଯୋଗ ପରେ ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଏହାପରେ ଥାନାରେ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଟୁଟୁ ନାୟକ ମାଡ଼ ମାରିବା ଘଟଣାକୁ ସାରା ଓଡ଼ିଶାରେ ନିନ୍ଦା କରାଯାଇଥିବାବେଳେ ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ଗିରଫ କରାଯିବା ନେଇ ଦାବି କରାଯାଇଥିଲା ।
ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ
ମୁମ୍ବାଇ: ଭାରତର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ । ଗିରଫ ହେଲା ଅଭିଯୁକ୍ତ । ମୁକେଶଙ୍କୁ ଇ-ମେଲରେ ଧମକ ପଠାଇଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି ପୋଲିସ । ଭୁଲ ପ୍ରମାଣ ଦେଇ ଧମକ ଦେଉଥିବା ଜଣା ପଡ଼ିଛି । ଅଭିଯୁକ୍ତର ନାଁ ଗଣେଷ ରମେଶ ଭାନାପାର୍ଡି ହୋଇଥିବାବେଳେ ସେ ଶାଦବ ଖାନ ନାମରେ ମେଲ ପଠାଇ ଦମକ ଦେଇଥିଲା । ସେ ପ୍ରଥମେ ୨୦ କୋଟି ଟଙ୍କା ମାଗିଥିବାବେଳେ ପରବର୍ତ୍ତୀ ସମୟରେ ୪ଶହ କୋଟି ଟଙ୍କା ମାଗିଥିଲା । ପାଖାପାଖି ୫ରୁ ୬ଟି ମେଲ ପଠାଇଥିଲା । ହତ୍ୟା କରିବା ପାଇଁ ସିଧାସଳଖ ଲେଖିଥିବାବେଳେ ଏହା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା ।
ଅକ୍ଟୋବର ୨୭ ତାରିଖରେ ପ୍ରଥମେ ହତ୍ୟା ଧମକ ଅଫିସିଆଲ ମେଲ ଆଇଡିକୁ ଆସିଥିଲା । ଏଥିରେ ଲେଖାଥିଲା କି, ୨୦ କୋଟି ଟଙ୍କା ନଦେଲେ ହତ୍ୟା କରିବ । ପରେ ୨୮ ତାରିଖରେ ଆଉ ଏକ ମେଲ ଆସିଥିଲା । ଏଥିରେ ଲେଖାଥିଲା କି, ୨୦୦ କୋଟି ଟଙ୍କା ନଦେଲେ ହତ୍ୟା କରିବେ । ଏହାସହ ପରେ ୩୦ ତାରିଖରେ ଆଉ ଏକ ମେଲ ଆସିଥିବାବେଳେ ଏଥିରେ ଲେଖାଥିଲା କି, ୪ଶହ କୋଟି ଟଙ୍କା ନଦେଲେ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରାଯିବ । ଏହାପରେ ପୋଲିସ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲା । ପରେ ତଦନ୍ତ ଆରମ୍ଭ ହୋଇଥିବାବେଳେ ଶନିବାର ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି ପୋଲିସ । ବେଲଜିୟମରୁ ମେଲ ଗୁଡ଼ିକ ଆସିଥିବାବେଳେ ତଦନ୍ତ ଆରମ୍ଭ କରାଯାଇଥିଲା ।
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଐଶାନ୍ୟ କୋଣରେ ହେବ ଯଜ୍ଞ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁଆରୀ ୧୭ରେ ହେବ । ନୀତି ସବକମିଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ଚାରି ଦ୍ବାରରେ ହେବ ଚାରିବେଦକୁ ନେଇ ପାରାୟଣ । ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ସମ୍ପର୍କରେ ଆଲୋଚନା ହୋଇଛି । ଦୋଳବେଦୀ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତା ନିର୍ମାଣ ହେବ । ଫଳରେ ବଡ଼ଦାଣ୍ଡରେ ହେଉଥିବା ଯାତ୍ରୀ ସମସ୍ୟା ଦୂରହେବ । ଗ୍ରୀନ କରିଡର ଭାବେ ଏହା କାର୍ଯ୍ୟ କରିବ । ଏହି ପ୍ରକଳ୍ପକୁ ଆଜି ଏନଓସି ଦିଆଯାଇଛି । ମନ୍ଦିର ଚାରିପଟେ ଯଜ୍ଞ ହେବ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପରିବେଷଣ କରିବେ ସଂକୀର୍ତ୍ତନ । ଐଶାନ୍ୟ କୋଣରେ ଯଜ୍ଞ କରାଯିବ ।
ମାଟିତୋଟାରେ ହେଉଥିବା ଗୁରୁକୁଳ ବିଷୟରେ ବି ଆଲୋଚନା ହୋଇଛି । ହରଚଣ୍ଡୀ ସାହିରେ ସେବକମାନଙ୍କ ବାସଗୃହ ସମ୍ପର୍କରେ ବି ଆଲୋଚନା ହୋଇଛି । ବାଉଳି ମଠର ଉନ୍ନତି ଲାଗି ଦେବୋତ୍ତର କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି । ଚାରିଟି ସ୍ଥାନରେ ଦାନବାକ୍ସ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି । ଚାରିଟି ଭକ୍ତନିବାସରେ ଭକ୍ତଙ୍କ ଲାଗି ସୁବିଧା ରହିବ ।ସେଠାରେ ଟିଭି ସଂଯୋଗ କରାଯିବ । ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ଆରସିଏମ ଫାସିଲିଟି ସୁବିଧା ରହିବ । ରିଏମ୍ବର୍ସ କଷ୍ଟ୍ ଅଫ ମେଡିସିନ ବ୍ୟବସ୍ଥା କରାଯିବ । ୧୨ ହଜାର ଟଙ୍କାର ସିଲିଂରେ ବ୍ୟବସ୍ଥା କରାଯିବ । ସେବକ କଲ୍ୟାଣ ସ୍ବାସ୍ଥ୍ୟ ବୀମା ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସେବକଙ୍କ କନ୍ୟାଙ୍କ ବିବାହ ସହାୟତା ପରିମାଣ ୫୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବ୍ରତ ଘର ସହାୟତା ୩୦ ହଜାର ଟଙ୍କାକୁ ବୃଦ୍ଧି । ଶୁଦ୍ଧିକ୍ରିୟାରେ ସହାୟତା ୨୦ ହଜାର ଟଙ୍କାକୁ ବୃଦ୍ଧି ।
ଶିକ୍ଷାବୃତ୍ତି ୫ଜଣ ପୁଅ ଓ ୫ଜଣ ଝିଅଙ୍କୁ ଦିଆଯିବ । ପଞ୍ଚକ ସମୟରେ ଭିଡ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯିବ । ମନ୍ଦିରର ମାଲିକାନାରେ ଥିବା ବିଭିନ୍ନ ଅବ୍ୟବହୃତ ସମ୍ପତ୍ତିକୁ ଡିସପୋଜ କରି ସ୍ଥାୟୀ ସମ୍ପତ୍ତିରେ ପରିଣତ ଲାଗି ପ୍ରସ୍ତାବ ଦିଆଯାଇଛି । ରତ୍ନଭଣ୍ଡାର ସମ୍ପର୍କରେ ଏଏସଆଇ ସହ ଆଲୋଚନା । ଲେଜର ସ୍କାନିଂ ଲାଗି ଏଏସଆଇକୁ ଦିଆଯାଇଛି ଅନୁମତି । ସ୍କାନିଂ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆଉ କିଛି ସମୟ ପରେ ଏଏସଆଇ ସହ ଏନେଇ ବୈଠକ ହେବ ।

