ରାଜଧାନୀରେ ଗୋଲାପ ପ୍ରଦର୍ଶନୀ, ଦେଖିବାକୁ ମିଳିଲା ୧୫ ଶହ ପ୍ରକାରର ଗୋଲାପ

ଭୁବନେଶ୍ବର: ପ୍ରେମର ପ୍ରତୀକ ନାଲି ଗୋଲାପ । ବନ୍ଧୁତ୍ବ ପାଇଁ ହଳଦିଆ ଓ ଶାନ୍ତିର ବାର୍ତ୍ତା ଦିଏ ଧଳା ଗୋଲାପ । ସିଏ ଭାଲେଣ୍ଟାଇନ ଡେ’ ହେଉ କି ବିବାହ ଉତ୍ସବ ଅଥବା ସ୍ବାଗତ ସମ୍ବର୍ଦ୍ଧନା, ସବୁଠି ରହିଛି ଗୋଲାପ ଫୁଲର ଚାହିଦା । ବର୍ଷ ତମାମ ପ୍ରତିଟି କାର୍ଯ୍ୟରେ ଏହି ଫୁଲକୁ ସମସ୍ତେ ପସନ୍ଦ କରନ୍ତି । ଲୋକଙ୍କ ଭିତରେ ଥିବା ଗୋଲାପ ପ୍ରତି ଆକର୍ଷଣକୁ ଦେଖି ଭୁବନେଶ୍ବରେ ଆୟୋଜିତ ହୋଇଛି ୪୦ ତମ ରୋଜ କନଭେନସନ ଓ ରୋଜ ଶୋ’ । ଯେଉଁଠି ୧୫ ଶହରୁ ଉର୍ଦ୍ଧ୍ବ ପ୍ରଜାତୀର ଗୋଲାପ ଓ ଓଡ଼ିଶାରୁ ୪ ପ୍ରକାର ଗୋଲାପ ପ୍ରଦର୍ଶିତ ହୋଇଛି ।  ନାରଙ୍ଗ, ସୋଲିଏର, ଜୁମେଲିଆ, ହଟସଟ, ଟପ ସିକ୍ରେଟ, ରିଭାଇଭାଲ, ମିକ୍ସ ପଲି ହାଉସ ରୋଜେସ ପରିର ଅନେକ ଦାମୀକା ଗୋଲାପ ପ୍ରଦର୍ଶନ କରାଯାଇଛି । ଯାହା ଦେଶବ୍ୟାପୀ କୃଷକମାନଙ୍କ କଳାକୁ ପ୍ରଦର୍ଶନ କରିବବୋଲି ଆୟୋଜକ ଆଶା ରଖିଛନ୍ତି ।

ଏହି ଶୋ’ ଦ୍ୱାରା ଗୋଲାପର ବ୍ୟବସାୟିକରଣ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ଦେଶର ପ୍ରାୟ ୪ଶହ ରୁ ଅଧିକ ବୈଜ୍ଞାନିକ, ନର୍ସରୀମ୍ୟାନ୍, କୃଷକ, ଉଦ୍ୟୋଗୀ ଓ ଫୁଲ ପ୍ରେମୀ ସାମିଲ ହୋଇଛନ୍ତି । ୨୦୦୬ ପ୍ରଥମ କରି ଏପରି ଶୋ ହୋଇଥିବାବେଳେ ଚଳିତବର୍ଷ  ଓୟୁଏଟି, ଓଡ଼ିଶା ଉଦ୍ୟାନ କୃଷି ସମାଜ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ରୋଜ ସୋସାଇଟି, ଇଣ୍ଡିଆନ ରୋଜ ଫେଡେରେସନ ଓ କିଟ ରୋଜ ସୋସାଇଟି ମିଳିତ ଭାବେ ଏହାର ଆୟୋଜନ କରିଛନ୍ତି ।

କିଟ କ୍ୟାମ୍ପସରେ ଏହି ମେଗା ଶୋ’ ୩ଦିନ ଧରି ଚାଲିବ । ଉତ୍ସବରେ ଦେଶର ଲେଖକମାନଙ୍କ ଦ୍ୱାରା ଲେଖାଯାଇଥିବା ଗୋଲାପ ଉପରେ ଲୋକପ୍ରିୟ ପ୍ରବନ୍ଧକୁ ନେଇ ଏକ ପତ୍ରିକା ଉନ୍ମୋଚନ କରାଯାଇଛି ।