ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କଲା ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବ ହସ୍ପିଟାଲ । ମୃତକଙ୍କ ମାଆଙ୍କ ଡିଏନଏ ମିଳାଇବା ପାଇଁ ଏମ୍ସକୁ ପଠାଯାଇଛି ମୃତଦେହ । ଆସନ୍ତାକାଲି ଡିଏନଏ ସାମ୍ପଲ କଲେକ୍ସନ କରାଯିବ । ଦିଲ୍ଲୀପଙ୍କ ପରିବାର ପକ୍ଷରୁ ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମଞ୍ଚେଶ୍ବର ଥାନା ବିରୋଧରେ ଦିଆଯାଇଛି ଏତଲା ।

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ । ମୃତ୍ୟୁ ସଂଖ୍ୟା ଛୁଇଁଲା ୩ । ହସ୍ପିଟାଲରେ ସ୍ପେଶାଲ ଟିମର ତଦନ୍ତ ଆରମ୍ଭ । ରିପୋର୍ଟ ଆସିବା ଯାଏଁ ସଂରକ୍ଷିତ ରହିବ ଶବ । ପୋଲିସ ଓ ହସ୍ପିଟାଲ ବିରୋଧରେ ଏତଲା ଦେଲେ ଦିଲ୍ଲୀପଙ୍କ ପରିବାର । ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଗତକାଲି ରାତିରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ଜଟଣୀ ବଅଁଗ ଅଞ୍ଚଳର ଦିଲ୍ଲୀପ ରାଉତରାୟଙ୍କର ବୋଲି ପରିବାର ଲୋକ ଦାବି କରିଛନ୍ତି ।

ଗତ କାଲି ପୁଅ ସହିତ କଥା ହୋଇ ଫେରିବା ପରେ ଦିଲ୍ଲୀପଙ୍କର କେମିତି ମୃତ୍ୟୁ ହେଲା ବୋଲି କହି କାନ୍ଦି କାନ୍ଦି ହସ୍ପିଟାଲ ଭିତରେ ଗଡି ଯାଉଛି ମାଆ । କିଏ ଢଳ ଢଳ ଆଖିରେ ଚାହିଁ ରହିଛି ତ ଆଉ କିଏ ନିରବ ହୋଇ ବସିଛି ଚୁପଚାପ । ଏଭଳି ଦୃଶ୍ୟ ଆଜି ହସ୍ପିଟାଲ ପରିସରରେ ବେଶ ହୃଦୟ ବିଦାରକ ଥିଲା । ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବା ସହ ମଞ୍ଚେଶ୍ବର ଥାନା ପୋଲିସକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି ପରିବାର ଲୋକେ ।

ସେପଟେ ଏତଲା ମିଳିବା ପରେ ହାଇଟେକ ହସ୍ପିଟାଲରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ୧୫ ଜଣିଆ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଛି । ଟିମରେ ଜୋନ ୫ ଏସିପି, ମଞ୍ଚେଶ୍ୱର ଆଇଆସି, ଦୁଇ ଜଣ ମହିଳା ଆଇଆଇସି, ସାଇଣ୍ଟଫିକ ଅଫିସର, ଏସଆଇଙ୍କ ସମେତ ୧୫ ଜଣ ଅଛନ୍ତି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଶବକୁ ନେଇ ଦ୍ବନ୍ଦ ରହିଛି । ତେଣୁ ଉଭୟ ଜ୍ୟୋତି ଏବଂ ଦିଲ୍ଲୀପଙ୍କ ପରିବାର ଲୋକଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରି ଡିଏନ୍ଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ଯାହାର ଶବ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ସେ ପର୍ଯ୍ୟନ୍ତ ଶବକୁ ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ କରିବା ସହ ସଂରକ୍ଷିତ କରି ରଖାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ବଡ ଭୁଲ ପାଇଁ ଦାୟୀ କିଏ ? କାହାର ଭୁଲ ପାଇଁ ଚାରି ଚାରିଟି ପରିବାର ଛାରଖାର ହୋଇଗଲା ? ଯଦି ଆଜି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଦିଲ୍ଲୀପ ତେବେ ଜ୍ୟୋତିଙ୍କ ଶବ କଣ ସତ୍କାର ସରିଛି ? ଯଦି ସରିଛି ତେବେ ଜ୍ୟୋତିଙ୍କ ପରିବାରକୁ କେମିତି ମିଳିବ ଶେଷ ସନ୍ତକ ? ଯଦି ଦିଲ୍ଲୀପ ବଞ୍ଚିଥିଲେ ତେବେ ଭୁଲ ଶବ ଦେଇ କାହିଁକି ଦିଲ୍ଲୀପଙ୍କ ସ୍ତ୍ରୀଙ୍କୁ ମରିବାକୁ ବାଧ୍ୟ କରାଗଲା ? ଏସବୁର ମୂଳ ପର୍ଯ୍ୟନ୍ତ ଯାଇ ପାରିବ ତ କମିଶନରେଟ ପୋଲିସ ? ଦୋଷୀ ବିରୋଧରେ ହୋଇପାରିବ ତ କାର୍ଯ୍ୟାନୁଷ୍ଠାନ ? ଏପ୍ରଶ୍ନ ପଚାରୁଛି ଓଡ଼ିଶା ।