spot_img
Home Blog Page 2592

ଭଉଣୀ ବାହାଘରରେ କାହିଁକି ଆସିଲେନି ପ୍ରିୟଙ୍କା?

ଜୟପୁର: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁର ପ୍ୟାଲେସରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ବହୁ ଅତିଥୀମାନେ ଏହି ବିବାହ ଉତ୍ସବରେ ନଜର ଆସିଛନ୍ତି । ସେଲିବ୍ରେଟିଙ୍କ ଉତ୍ସାହ ନାଚ ଗୀତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ପରିଣୀତିଙ୍କ ବଡ଼ ଭଉଣୀ ପ୍ରିୟଙ୍କା ନିଜ ଭଉଣୀ ବାହାଘରରେ ନଜର ଆସିନାହାନ୍ତି । ଯାହାକି ଅନେକଙ୍କ ମନରେ ପ୍ରଶ୍ନ ଉଠିଛି କି, କାହିଁକି ଭଉଣୀ ବାହାଘର ଉପସ୍ଥିତ ରହିଲେ ନାହିଁ ପ୍ରିୟଙ୍କା । ଏହା ପଛରେ କଣ କାରଣ ରହିଛି ।

ତେବେ ପ୍ରିୟଙ୍କାଙ୍କ ଅନୁପସ୍ଥିତିର କାରଣ କହିଛନ୍ତି ତାଙ୍କ ମା ମଧୁ ଚୋପ୍ରା । ସେ କହିଛନ୍ତି କି, ପ୍ରିୟଙ୍କା ନିଜର କାମରେ ରହିଛନ୍ତି । ବ୍ୟସ୍ତତା ଭିତରେ ବହୁ କାମ ରହିଥିବାରୁ ସେ ଏହି ବିବାହ ଉତ୍ସବରେ ଯୋଗ ଦେଇପାରିନାହାନ୍ତି । ତେବେ କେଉଁ କାମରେ ବ୍ୟସ୍ତ ଅଛନ୍ତି ଯେ ଆସିପାରିଲେ ନାହିଁ ତାହା ସେ ସ୍ପଷ୍ଠ କରିନାହାନ୍ତି । ତେବେ ବିବାହ ଉତ୍ସବରେ ଯୋଗ ଦେଇନଥିବାବେଳେ କୌଣସି ଉପହାର ମଧ୍ୟ ପଠାଇନାହାନ୍ତି । ସେପଟେ ପରିଣୀତିଙ୍କ ମା ମଧୁ ବେଶ ଖୁସି ହୋଇଥିବା ନଜର ଆସିଛନ୍ତି । ସେ ବେଶ ଖୁସିର ସହ ବିବାହ ଉତ୍ସବକୁ ଉପଭୋଗ କରୁଥିବାର ଫଟୋମାନ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସାନିଆ ମିର୍ଜା, ମନୀଷ ମାଲହୋତ୍ରା ଏବଂ ହରଭଜନ ସିଂଙ୍କ ପରି କେତେକ ପ୍ରସିଦ୍ଧ ସେଲିବ୍ରେଟୀ ପରିଣୀତି ଏବଂ ରାଘବଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେପ୍ଟେମ୍ବର 22ରେ ଉଦୟପୁରରେ ପହଞ୍ଚିଥିବାବେଳେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହଳଦୀ, ମେହେନ୍ଦୀ ଭଳି ବହୁ ନୀତି ପାଳନ କରାଯିବା ସହ ବିବାହ ସମାରୋହ ଅନୁଷ୍ଠିତ ହୋଇଛି ।

ଏସିଆନ୍ ଗେମ୍ସରେ ଭାରତକୁ ପୁଣି ସ୍ବର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍ ଆଣିଲେ ମେଡାଲ୍‌

ହାଞ୍ଜହୁ: ଏସିଆନ୍ ଗେମ୍ସରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ  । ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଶ୍ରୀଲଙ୍କାକୁ ହରାଇ ମେଡାଲ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଫାଇନାଲରେ 19 ରନରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି 116 ରନ କରିଥିଲା ଭାରତ  । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି ।

 

ସେହିପରି ଏସିଆନ ଗେମ୍ସରେ ଆଜି ଭାରତକୁ ପ୍ରଥମ ସ୍ବର୍ଣ୍ଣ ମିଳିଛି। ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ ।

ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ । ବକ୍ସିଂ, ବାସ୍କେଟବଲ, ଚେସ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ ।

ପ୍ରଥମ ଥର ଆଷ୍ଟ୍ରଏଡରୁ ପଥରଗୁଣ୍ଡ ଧରି ପୃଥିବୀ ଫେରିଲା ନାସାର କ୍ୟାପସୁଲ୍‌

ୱାଶିଂଟନ: ନାସାର ଓସିରିସ-ରେକ୍ସ ମିସନକୁ ବଡ଼ ସଫଳତା । ଆମେରିକା ପ୍ରତିରକ୍ଷା ବିଭାଗ ଅନ୍ତର୍ଗତ ଉଟାହ ଟେଷ୍ଟ ଆଣ୍ଡ ଟ୍ରେନିଂ ରେଞ୍ଜରେ ଅବତରଣ କରିଛି ନାସାର କ୍ୟାପସୁଲ । ପ୍ରାୟ ୨୦୦ ନିୟୁତ ମାଇଲ ଦୂରରେ ଥିବା ଆଷ୍ଟରଏଡରୁ ଏକ କପ୍ ନମୁନା ସଂଗ୍ରହ କରି ଫେରିଛି କ୍ୟାପସୁଲ । ପ୍ରାୟ ୭ ବର୍ଷ ତଳେ ଏହାକୁ ପଠାଯାଇଥିଲା । ସଂଗୃହୀତ ପଥର ଗୁଣ୍ଡ ଓ ଅନ୍ୟାନ୍ୟ ଦ୍ରବ୍ୟ ପୃଥିବୀର ବୟସଠାରୁ ବି ପୁରୁଣା ଥିବା ଜାଣିବାକୁ ପାଇଛି ନାସା ।

ବେନ୍ନୁ ନାମକ ଏହି ଆଷ୍ଟରଏଡରୁ ଏହା ସଂଗୃହୀତ ହୋଇଥିଲା । ପୃଥିବୀ ଉପରେ ଅନେକ ସମୟରେ ଉଲକାପିଣ୍ଡ ପଡୁଥିବାବେଳେ ସେଗୁଡିକ ସମ୍ପର୍କରେ ଗବେଷଣା ଲାଗି ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି । ସେଗୁଡିକର ରାସାୟନିକ ପ୍ରକ୍ରିୟା ଜରିଆରେ ପୃଥିବୀରେ ଜୀବନ ସୃଷ୍ଟିର ସମ୍ଭାବନା ପ୍ରସଙ୍ଗରେ ଗବେଷଣା ଜାରି ରହିଛି । ସଂଗୃହୀତ ଦ୍ରବ୍ୟକୁ ପୃଥିବୀର ଜଳବାୟୁର ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ନାଇଟ୍ରୋଜେନ ଗ୍ୟାସ ଆଚ୍ଛାଦିତ ପରିସରରେ ରଖାଯାଇଛି ।

ଏହାକୁ ବର୍ତ୍ତମାନ ନାସାର ହଷ୍ଟନସ୍ଥିତ ଜନସନ ସ୍ପେସ ସେଣ୍ଟରରେ ରଖାଯାଇଛି । ଉଟାହରେ ଓସିରିସ-ରେକ୍ସ ସ୍ପେସକ୍ରାଫ୍ଟରୁ କ୍ୟାପସୁଲଟି ବାହାରିବା ପରେ ଏକ ହେଲିକପ୍ଟର ଜରିଆରେ ତାହାକୁ ସ୍ଥାନାନ୍ତରିତ କରାଯାଇଛି । ଗତ ୨୦୧୬ରେ ନାସାର ଓସିରିସ-ରେକ୍ସ ସ୍ପେସକ୍ରାଫ୍ଟକୁ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ ତାହା ଏମ୍ପାୟାର ଷ୍ଟେଟ ବିଲଡିଂ ଆକାରର ଏକ ଆଷ୍ଟରଏଡ ବେନ୍ନୁରେ ପହଞ୍ଚିଥିଲା । ଏହି ସ୍ପେସକ୍ରାଫ୍ଟ ପ୍ରାୟ ବର୍ଷ ଧରି ରହିଥିଲା ଏବଂ ଶେଷରେ ତାହା ଫେରିଥିଲା ।

ବାୟୁସେନାରେ ସାମିଲ ହେଲା ସି-୨୯୫ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ

ଗାଜଆବାଦ: ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେଲା ସି-୨୯୫ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସରେ ଏହାକୁ ସାମିଲ କରିଛନ୍ତି । ଏହି ଉତ୍ସବରେ ସାମିଲ ଥିଲେ ଏୟାର ଚିଫ ମାର୍ଶଲ ଭି.ଆର. ଚୌଧୁରୀଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ଅଧିକାରୀ ।

ବର୍ତ୍ତମାନ ଭାରତୀୟ ବାୟୁ ସେନା ସ୍ବଦ୍ବେଶୀ ଡ୍ରୋନ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ବେସାମରିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନ ପ୍ରଯୁକ୍ତି ରୂପାନ୍ତରିତ ହୋଇଛି । ହିଣ୍ଡନରେ ବି ଉଦଘାଟିତ ହୋଇଛି ଭାରତ ଡ୍ରୋନ ଶକ୍ତି-୨୦୨୩ । ଭାରତୀୟ ବାୟୁସେନା ଓ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଛି ।

୧୪ ଗେଟ୍‌ ଦେଇ ହୀରାକୁଦରୁ ଛଡା ଯାଉଛି ବନ୍ୟା ଜଳ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ । ଏବେ ମୋଟ୍ ୧୪ଟି ଗେଟ୍ ଦେଇ ପାଣି ଛଡ଼ାଯାଇଛି । ପୂର୍ବରୁ ୨୪ଟି ଗେଟ୍ ଦେଇ ପାଣି ଛଡ଼ା ଯାଉଥିଲା । ୧୦ଟି ଗେଟ୍ ବନ୍ଦ ହେବା ପରେ ଏବେ ୧୪ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ବାମପଟରେ ୮ ଓ ଡାହାଣ ପଟରେ ୬ଟି ଗେଟ୍ ଖୋଲା ଅଛି ।

ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮ ଦଶମିକ ୨୯ ଫୁଟ୍‌ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ୍‌ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ ଜଳ । ୧୪ଟି ଗେଟ୍‌ ଦେଇ ୨ ଲକ୍ଷ ୬୪ ହଜାର ୨୦୧ ଘନଫୁଟ ଜଳ ନିଷ୍କାସିତ ହେଉଛି ।…

ଜୋର ଧରୁଛି କାବେରୀ ଜଳ ବିବାଦ, ପାଣି ପାଇଁ ପ୍ରତିବାଦରେ କର୍ଣ୍ଣାଟକ ତାମିଲନାଡୁ

0

ଜୋର ଧରୁଛି କାବେରୀ ନଦୀ ବିବାଦ । ତାମିଲନାଡୁର ବଢୁଛି ପ୍ରତିବାଦ । ରାଜ୍ୟକୁ କାବେରୀ ନଦୀ ଜଳ ଅଧିକ ଛାଡିବା ଦାବିରେ ବିଭିନ୍ନ କୃଷକ ସଂଗଠନ ଚଳାଇଛନ୍ତି ବିକ୍ଷୋଭ । କର୍ଣ୍ଣାଟକ ଅଧିକ ଜଳ ଛାଡିବା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରଖିଛନ୍ତି ସଂଗଠନ । ଗତକାଲି କାବେରୀ ନଦୀରେ ଚାଷୀମାନେ ଠିଆ ହୋଇ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ ।

ସେପଟେ ତାମିଲନାଡୁକୁ ଅଧିକ ପାଣି ନଛାଡିବା ଦାବିରେ କର୍ଣ୍ଣାଟକ ମାଣ୍ଡ୍ୟାରେ ବି ବିଭିନ୍ନ ସଂଗଠନ କରିଛନ୍ତି ଆନ୍ଦୋଳନ । ସେପ୍ଟେମ୍ବର ୧୩ ତାରିଖରୁ ୧୫ ଦିନ ଯାଏ ତାମିଲନାଡୁକୁ ୫ ହଜାର କ୍ୟୁସେକ କାବେରୀ ଜଳ ଛାଡିବା ଲାଗି କାବେରୀ ନଦୀ ପରିଚାଳନା କର୍ତ୍ତୃପକ୍ଷ ବା ସିଡବ୍ଲୁଏମଏ ନିର୍ଦ୍ଦେଶ ଦେବା ପରେ ତାହାକୁ ବିରୋଧ କରିଛନ୍ତି କର୍ଣ୍ଣାଟକର ବିଭିନ୍ନ ସଂଗଠନ ।

ତେଣେ ଜଳବିବାଦରେ ହସ୍ତକ୍ଷେପ ନ କରିବା ଲାଗି ଗତ ସେପ୍ଟେମ୍ବର ୨୧ ତାରିଖରେ ଜଷ୍ଟିସ ବି.ଆର. ଗଭାଇ, ପିଏସ ନରସିହ୍ମା ଓ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ । ଏହାସହ ଦୈନିକ ୫ ହଜାର କ୍ୟୁସେକ ବଦଳରେ ୭ ହଜାର ୨୦୦ କ୍ୟୁସେକ ଜଳ କର୍ଣ୍ଣାଟକ ଛାଡିବା ଲାଗି ତାମିଲନାଡୁ କରିଥିବା ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

ଆଉ ମାତ୍ର ୫ ଦିନ ପରେ ଉଭାନ ହୋଇଯିବ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖ ପରେ ଆଉ ଚାଲିବନି ୨ ହଜାର ଟଙ୍କିଆ ନୋଟ । ଦେଶର ସବୁଠାରୁ ବଡ ନୋଟ ୨ ହଜାର ଟଙ୍କିଆର ଆୟୁଷ ଆଉ ମାତ୍ର ୫ ଦିନ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଲିନ ନୋଟ ପଲିସି ଅନୁସାରେ ୩୦ ତାରିଖ ପରେ ନିଜର ଆଇନଗତ ବୈଧତା ହରାଇବ । ବଜାରରୁ ୨ ହଜାର ଟଙ୍କିଆ ନୋଟ ହଟାଇବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗତ ମେ ୨୩ ତାରିଖରୁ ୨ ହଜାର ଟଙ୍କିଆର ବଦଳି ବା ଜମା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ମେ ୨୩ ତାରିଖରେ ଏହି ନିଷ୍ପତ୍ତି ଘୋଷଣା କରିବା ପରେ ବଦଳି ବା ଜମା ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଥିଲା । ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ବା ବିଏସବିଡି ଅନୁସାରେ କିମ୍ବା ଜନ ଧନ ଆକାଉଣ୍ଟ ଜରିଆରେ ନିୟମିତ ଜମା ଜାରି ରହିଛି ।

ଆୟକର ନିୟମାବଳୀ ୧୧୪-ବି ଅନୁସାରେ ଏକ ବ୍ୟାଙ୍କ ବା ଡାକଘରେ ଗୋଟିଏ ଦିନରେ ୫୦ ହଜାର ଟଙ୍କା ଜମା କରାଗଲେ ପାନ୍ ଆବଶ୍ୟକ ହୋଇଥାଏ । ଆସନ୍ତା ୩୦ ତାରିଖ ଯାଏ ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ତଥା ନିକଟସ୍ଥ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ବଦଳାଇପାରିବେ । ବିଭିନ୍ନ ଛୁଟିକୁ ବିଚାର କରାଗଲେ ଏହି ଜମା ପ୍ରକ୍ରିୟା ସେପ୍ଟେମ୍ବର ୨୫, ୨୬, ୨୭, ୨୯ ଓ ୩୦ରେ ହିଁ ଚାଲିପାରିବ ।

ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କେନ୍ଦୁଝର: ଚମ୍ପୁଆ ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଜୁନିଅର ଇଞ୍ଜିନିୟର ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନିଜ ଗାଁ ଜୟନ୍ତୀପୁର ବୈତରଣୀ ନଦୀକୂଳରେ ଏକ ଗଛରୁ ଉଦ୍ଧାର କରାଯାଇଛି ମୃତଦେହ  । ଏକ ପ୍ଲାଷ୍ଟିକ ଦଉଡ଼ିରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଠାବ କରାଯାଇଥିଲା  ।

ନିକଟରେ ଥିଲା ତାଙ୍କ ବାଇକ ଓ ହେଲମେଟ୍‌ । ଜୁନିଅର ଇଞ୍ଜିନିୟର ରାମକୃଷ୍ଣ ସିଂ ଗତକାଲିଠାରୁ ଚମ୍ପୁଆ ବ୍ଲକ୍ କଲୋନୀ ସରକାରୀ ବାସଭବନରୁ ନିଖୋଜ ଥିଲେ  । ଘରେ ଛାଡ଼ି ଯାଇଥିଲେ ତାଙ୍କ ମୋବାଇଲ ଫୋନ୍ । ଘରଲୋକ ତାଙ୍କୁ ଚାରିଆଡ଼େ ଖୋଜା ଖୋଜି କରି କୌଣସି ଖବର ପାଇ ନଥିଲେ  । ଆଜି ତାଙ୍କ ଗାଁ ଲୋକ ସକାଳୁ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ଥିବାବେଳେ ଜୁନିଅର ଇଞ୍ଜିନିୟର ରାମକୃଷ୍ଣ ସିଂଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ।

ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭାରତ-କାନାଡାର ତିକ୍ତ ସମ୍ପର୍କରେ ମୁହଁ ଖୋଲିଲେ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ସମ୍ପର୍କ ଗୁରୁତ୍ବପୂର୍ଣ୍ଣ

ଓଟାୱା: ଭାରତ-କାନାଡା ବିବାଦ ଜାରି ରହିଥିବାବେଳେ ମୁହଁ ଖୋଲିଲେ କାନାଡା ପ୍ରତିରକ୍ଷା ମନ୍ତ୍ରୀ ବିଲ୍ ବ୍ଲେୟାର । ସେ କହିଛନ୍ତି ଦୁଇ ଦେଶ ମଧ୍ଯରେ ସମ୍ପର୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେବେ ହରଦୀପ ସିଂ ନିଜାରର ହତ୍ଯା ନେଇ ଯେଉଁ ଅଭିଯୋଗ ଆସିଛି ତାହାର ଆମୂଳଚୂଳ ତଦନ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି । ନିଜାରର ହତ୍ଯା ପଛରେ ଭାରତର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ବୟାନ ପରେ ଦୁଇ ଦେଶ ମଧ୍ଯରେ ତିକ୍ତତା ବଢିଛି ।

ସେ କହିଛନ୍ତି- କାନାଡା ସରକାର ନିଜ ସାର୍ବଭୌମତ୍ବ ଉପରେ ଗୁରୁତ୍ବ ଦିଅନ୍ତି । ତେବେ ଭାରତ-କାନାଡା ସମ୍ପର୍କ ଅତୁଟ ରହୁ । ସେପଟେ ଏକ ନାଜି ଡିଭିଜନର ଜଣେ ଭେଟେରାନଙ୍କୁ ଟ୍ରୁଡୁ ସମ୍ମାନ ଦେବାକୁ ନେଇ ଉଠିଛି ବିବାଦ । ଏଥିଲାଗି ଇହୁଦିମାନଙ୍କ ନିକଟରେ କ୍ଷମା ଭିକ୍ଷା କରିଛନ୍ତି ହାଉସ ଅଫ କମନସ ବାଚସ୍ପତି ଆନ୍ଥୋନି ରୋଟା । ଫାଇଭ ଆଇଜ୍ ତଥ୍ଯ ଅନୁସାରେ ଆମେରିକା ଦେଇଥିବା ଗୁପ୍ତ ସୂଚନାକୁ ଆଧାର କରି ଟ୍ରୁଡୁ ଯେଉଁ ବିବୃତି ଦେଇଥିଲେ ତାହା ଦୁଇ ଦେଶ ମଧ୍ଯରେ ସମ୍ପର୍କକୁ ଅଧିକ ତିକ୍ତ କରିଥିଲା ।

ଟ୍ରୁ଼ଡୁଙ୍କ ଅଭିଯୋଗକୁ ଭାରତ ଖଣ୍ଡନ କରିଥିଲେ ବି କାନାଡା ନିଜ ବୟାନରେ ଅଟଳ ରହିଛି । ସେପଟେ କାନାଡାର ଅଭିଯୋଗକୁ ଗୁରୁତ୍ବର ସହ ବିଚାର କରୁଛି ବୋଲି କହିଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ।  ଦୁଇ ଦେଶ ମଧ୍ଯରେ ତିକ୍ତତା ବଢୁଥିବାବେଳେ କାନାଡାରେ ଅଧ୍ଯୟନରତ ସନ୍ତାନମାନଙ୍କ ଭବିଷ୍ଯତ ଅନ୍ଧାରରେ ଗତି କରୁଛି ବୋଲି କହିଛନ୍ତି ସେମାନଙ୍କ ପରିବାର । ତୁରନ୍ତ ଏହି ବିବାଦର ସମାଧାନ ଘଟିବା ସହ ଶାନ୍ତି ଫେରିଆସୁ ବୋଲି ଆଶା କରିଛନ୍ତି ପରିବାର । କାନାଡାରେ ରହୁଥିବା ଭାରତୀୟଙ୍କ ଲାଗି ହେଲପଲାଇନ ନମ୍ବର ଜାରି କରାଯାଉବୋଲି ଦାବି କରାଯାଇଛି । ଏହି ବ୍ଯାପାରରେ ହସ୍ତକ୍ଷେପ କରିବା ଲାଗି କଂଗ୍ରେସ ସାଂସଦ ରବନୀତ ସିଂ ବିଟ୍ଟୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ବିକାଶ ଓ ଜନ ସମସ୍ୟାର ସମାଧାନ, ମୋ ସରକାରର ପ୍ରାଥମିକତା: ନବୀନ

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ  । ସେ କହିଛନ୍ତି  ଲୋକଙ୍କ ସରକାର ସମସ୍ୟାର ସମାଧାନ ପାଇଁ ମୋ ସରକାର ସର୍ବଦା ପ୍ରାଥମିକତା ଦେଇଆସୁଛି। କୋଭିଡ୍ ଘଟିବା ପୂର୍ବରୁ CMO ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରିଆସୁଥିଲା  ।ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ନିଜର ଅଭିଯୋଗ ଉପସ୍ଥାପନ କରୁଥିଲେ ଏବଂ ଏହାର ସମାଧାନ ପାଇଁ ଏକ ଦୃଢ ବ୍ୟବସ୍ଥା ଥିଲା। ଏହା ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଲୋକଙ୍କୁ ଆଶା ଦେଇଥିଲା।  ଯେତେବେଳେ କୋଭିଡ୍ ଘଟିଲା ପ୍ରାୟ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ହେତୁ CM ଅଭିଯୋଗ ସେଲ୍ ବନ୍ଦ ହୋଇଗଲା |

ସ୍ୱାଭାବିକତା ଫେରିବା ପରେ ଏହାକୁ ପୁନ ଆରମ୍ଭ କରାଯାଇଥିଲା | ତଥାପି, ପୋଷ୍ଟ କୋଭିଡ୍ ଆମେ ଲକ୍ଷ୍ୟ କରିଛୁ ଯେ ଅଭିଯୋଗ ସଂଖ୍ୟାକୁ ଆସୁଥିବା ସାଧାରଣ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଦୁଇ ବର୍ଷର କୋଭିଡ ବ୍ୟାଘାତ ଅଭିଯୋଗର ସମାଧାନରେ ସ୍ଥାନାନ୍ତରିତ ହୋଇଥିଲା ଏବଂ ମୁଁ ସିଏମ୍ ଗ୍ରିଭାନ୍ସ ସେଲ୍‌କୁ ଲୋକଙ୍କ ଦ୍ୱାର ପାଖକୁ ନେଇ ଖୁବ୍ କମ୍ ସମୟ ମଧ୍ୟରେ ରାଜ୍ୟର ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଆଚ୍ଛାଦନ କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ଚିନ୍ତା କଲି। CM ଅଭିଯୋଗ ସେଲ୍ CMO ଦ୍ୱାରା ପରିଚାଳିତ ଏବଂ ମୋର ନିର୍ଦ୍ଦେଶ ଅନୁଯାୟୀ CMO ର ଅଧିକାରୀମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ବିକେନ୍ଦ୍ରୀକରଣ ଅଭିଯୋଗ ସେଲ୍ ପରିଚାଳନା କରିଥିଲେ |
ଏହି ୬ ମାସ ମଧ୍ୟରେ ୧୯୦ ରୁ ଅଧିକ ସ୍ଥାନରେ CMO ପହଞ୍ଚିଥିଲା  । ପ୍ରତିଦିନ ତିନି ରୁ ପାଞ୍ଚଟି ସ୍ଥାନ ଆବୃତ କରାଯାଉଥିଲା ଏବଂ ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ ୫୭୪୪୨ ଟି ଆବେଦନ ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୪୩୫୩୬ ଟି ଆବେଦନ ସମାଧାନ ହୋଇସାରିଛି। ଆବେଦନକାରୀଙ୍କୁ ଲିଖିତ ଉତ୍ତର ଦିଆଯାଏ ଏବଂ ମୋ ସରକାର ମାଧ୍ୟମରେ ଫୋନ୍ କଲଗୁଡିକ ମତାମତ ଦିଆଯାଏ | ମୁଁ ସମସ୍ତ ଦୃଢ଼ତା ସହିତ କହିବି ଯେ – ଏହା ହେଉଛି ସବୁଠାରୁ ବଡ ଏବଂ ପ୍ରଭାବଶାଳୀ ଲୋକମାନଙ୍କର ଅଭିଯୋଗ ସମାଧାନ |

 

ଆପଣ ସମସ୍ତେ ମନେ ରଖିଥିବେ ଯେ କୋଭିଡ ସମୟରେ ମୁଁ ସମାନ ଦଳ ପଠାଇଥିଲି | ଆପଣ ସମସ୍ତେ ମନେ ରଖିଥିବେ ଯେ କୋଭିଡ ସମୟରେ, ମୁଁ କୋଭିଡ ପରିଚାଳନା ଉପରେ ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ସମାନ ଦଳ ପଠାଇଥିଲି | ଯେତେବେଳେ ଅନ୍ୟମାନେ ସେମାନଙ୍କ ଘର ଭିତରେ ଥିଲେ, ସିଏମଓ ଟିମ୍ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଜିଲ୍ଲା ମତାମତ ଗ୍ରହଣ କରିବା ଏବଂ କୋଭିଡ ପରିସ୍ଥିତି ଉପରେ ନଜର ରଖିବା ପରେ ଜିଲ୍ଲା ପରିଦର୍ଶନ କରିଥିଲେ। ଏହା ଆମକୁ ଶୀଘ୍ର ନିଷ୍ପତ୍ତି ନେବାରେ ଏବଂ ଆମ ରାଜ୍ୟରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ ସହ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କଲା  ।

CM ଅଭିଯୋଗ ସେଲ୍ ସବୁବେଳେ CMO ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ମାନ୍ୟବର ମନ୍ତ୍ରୀମାନେ ଭୁବନେଶ୍ୱରରେ ସମାନ ଭାବରେ ଯୋଗଦେବା ଆବଶ୍ୟକ କରନ୍ତି ନାହିଁ | ଥରେ ଆବେଦନପତ୍ର ଗ୍ରହଣ ହେବା ପରେ ସେଗୁଡିକ ସଂପୃକ୍ତ ବିଭାଗକୁ ପଠାଯାଏ | ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଧିକାରୀଙ୍କ ପ୍ରସଙ୍ଗ କେଉଁଠାରେ ଅଛି?

ଆବେଦନଗୁଡ଼ିକର ସମାଧାନରେ ମାନ୍ୟବର ମନ୍ତ୍ରୀମାନେ ବିଭାଗର ମୁଖ୍ୟ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହା ସର୍ବୋଚ୍ଚ ସ୍ତରରେ ଦଳଗତ କାର୍ଯ୍ୟ ଅଟେ  ।

୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡିଥାନ୍ତା । ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡା ହୋଇଥାନ୍ତା । ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ CMO ର ତ୍ରୁଟି କେଉଁଠି ? ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା । ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି । ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା ବେଳେ CMOର ଅଭିଯୋଗ ଶୁଣାଣି ପାଇଁ ସମାନ ହାରରେ ହେଲିକପ୍ଟର ଖର୍ଚ୍ଚ ହୋଇଛି ।

 

ସମସ୍ତ ନିର୍ବାଚନମଣ୍ଡଳୀରେ ସିଏମ୍ ଅଭିଯୋଗ ସେଲ୍ ଅତି ବୃତ୍ତିଗତ ଢଙ୍ଗରେ କରାଯାଇଛି। ଏହି ଅଭ୍ୟାସ ଲୋକଙ୍କୁ ରାଜ୍ୟ ସରକାରଙ୍କ ଯୋଜନା, ସେମାନଙ୍କ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପ ଏବଂ ଏଥିପାଇଁ ଅନୁମୋଦିତ ପାଣ୍ଠି ବିଷୟରେ ଜାଣିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା। ଅଭିଯୋଗର ସମାଧାନ ପାଇଁ ସମୟସୀମା ଦେବା ମୋର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଥିଲା  । ସମ୍ମାନଜନକ ମନ୍ତ୍ରୀ, ଜିଲ୍ଲା ପ୍ରଶାସନ, ସିଏମଓ, ବିଭାଗ ଏବଂ ଅନ୍ୟ ସମସ୍ତଙ୍କୁ ଏହି ବୃତ୍ତିଗତ ବ୍ୟାୟାମରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି। ବିରୋଧୀ ସଦସ୍ୟମାନେ ଖୁସି ହେବା ଉଚିତ ଯେ ସେମାନଙ୍କ ଅଞ୍ଚଳରେ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଛି। ମୁଁ ବୁଝି ପାରୁ ନାହିଁ ଯେ ଲୋକମାନଙ୍କର ସମସ୍ୟାର ସମାଧାନକୁ କେହି ବିରୋଧ କରିପାରିବେ  ।ସର୍ବଶେଷରେ ଆମେ ଜନସେବାରେ ଅଛୁ ଏବଂ ଲୋକଙ୍କ ଅଭିଯୋଗ ଆମର ସର୍ବୋଚ୍ଚ ପ୍ରାଥମିକତା  ।

ଲୋକମାନେ ଖୁସି …

ଲୋକମାନଙ୍କ ପ୍ରତିନିଧିମାନେ ଖୁସି  । ରାଜନୈତିକ କାରଣରୁ ବିରୋଧୀ ସଦସ୍ୟମାନେ ଅସନ୍ତୁଷ୍ଟ ହେବା ଉଚିତ୍ ନୁହେଁ । ମୋ ସରକାର ପାଇଁ ଲୋକମାନେ ପ୍ରଥମେ ଆସନ୍ତି, ଲୋକମାନଙ୍କ ସମସ୍ୟା ସମାଧାନ କରିବା ହେଉଛି ଏକ ପ୍ରାଥମିକତା ଏବଂ ମୁଁ ଯଥା ସମ୍ଭବ ଏହା ଜାରି ରଖିବି ବୋଲି ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।