ଭାରତ-କାନାଡାର ତିକ୍ତ ସମ୍ପର୍କରେ ମୁହଁ ଖୋଲିଲେ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ସମ୍ପର୍କ ଗୁରୁତ୍ବପୂର୍ଣ୍ଣ

1 min read

ଓଟାୱା: ଭାରତ-କାନାଡା ବିବାଦ ଜାରି ରହିଥିବାବେଳେ ମୁହଁ ଖୋଲିଲେ କାନାଡା ପ୍ରତିରକ୍ଷା ମନ୍ତ୍ରୀ ବିଲ୍ ବ୍ଲେୟାର । ସେ କହିଛନ୍ତି ଦୁଇ ଦେଶ ମଧ୍ଯରେ ସମ୍ପର୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେବେ ହରଦୀପ ସିଂ ନିଜାରର ହତ୍ଯା ନେଇ ଯେଉଁ ଅଭିଯୋଗ ଆସିଛି ତାହାର ଆମୂଳଚୂଳ ତଦନ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି । ନିଜାରର ହତ୍ଯା ପଛରେ ଭାରତର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ବୟାନ ପରେ ଦୁଇ ଦେଶ ମଧ୍ଯରେ ତିକ୍ତତା ବଢିଛି ।

ସେ କହିଛନ୍ତି- କାନାଡା ସରକାର ନିଜ ସାର୍ବଭୌମତ୍ବ ଉପରେ ଗୁରୁତ୍ବ ଦିଅନ୍ତି । ତେବେ ଭାରତ-କାନାଡା ସମ୍ପର୍କ ଅତୁଟ ରହୁ । ସେପଟେ ଏକ ନାଜି ଡିଭିଜନର ଜଣେ ଭେଟେରାନଙ୍କୁ ଟ୍ରୁଡୁ ସମ୍ମାନ ଦେବାକୁ ନେଇ ଉଠିଛି ବିବାଦ । ଏଥିଲାଗି ଇହୁଦିମାନଙ୍କ ନିକଟରେ କ୍ଷମା ଭିକ୍ଷା କରିଛନ୍ତି ହାଉସ ଅଫ କମନସ ବାଚସ୍ପତି ଆନ୍ଥୋନି ରୋଟା । ଫାଇଭ ଆଇଜ୍ ତଥ୍ଯ ଅନୁସାରେ ଆମେରିକା ଦେଇଥିବା ଗୁପ୍ତ ସୂଚନାକୁ ଆଧାର କରି ଟ୍ରୁଡୁ ଯେଉଁ ବିବୃତି ଦେଇଥିଲେ ତାହା ଦୁଇ ଦେଶ ମଧ୍ଯରେ ସମ୍ପର୍କକୁ ଅଧିକ ତିକ୍ତ କରିଥିଲା ।

ଟ୍ରୁ଼ଡୁଙ୍କ ଅଭିଯୋଗକୁ ଭାରତ ଖଣ୍ଡନ କରିଥିଲେ ବି କାନାଡା ନିଜ ବୟାନରେ ଅଟଳ ରହିଛି । ସେପଟେ କାନାଡାର ଅଭିଯୋଗକୁ ଗୁରୁତ୍ବର ସହ ବିଚାର କରୁଛି ବୋଲି କହିଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ।  ଦୁଇ ଦେଶ ମଧ୍ଯରେ ତିକ୍ତତା ବଢୁଥିବାବେଳେ କାନାଡାରେ ଅଧ୍ଯୟନରତ ସନ୍ତାନମାନଙ୍କ ଭବିଷ୍ଯତ ଅନ୍ଧାରରେ ଗତି କରୁଛି ବୋଲି କହିଛନ୍ତି ସେମାନଙ୍କ ପରିବାର । ତୁରନ୍ତ ଏହି ବିବାଦର ସମାଧାନ ଘଟିବା ସହ ଶାନ୍ତି ଫେରିଆସୁ ବୋଲି ଆଶା କରିଛନ୍ତି ପରିବାର । କାନାଡାରେ ରହୁଥିବା ଭାରତୀୟଙ୍କ ଲାଗି ହେଲପଲାଇନ ନମ୍ବର ଜାରି କରାଯାଉବୋଲି ଦାବି କରାଯାଇଛି । ଏହି ବ୍ଯାପାରରେ ହସ୍ତକ୍ଷେପ କରିବା ଲାଗି କଂଗ୍ରେସ ସାଂସଦ ରବନୀତ ସିଂ ବିଟ୍ଟୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।