spot_img
Home Blog Page 2585

ପାକିସ୍ତାନ ବାୟୁସେନା ଘାଟିରେ ପଶିଲେ ଆତଙ୍କବାଦୀ, ଏନକାଉଣ୍ଟରରେ ୩ ନିପାତ

ଇସଲାମାବାଦ: ପାକିସ୍ତାନ ବାୟୁସେନା ଘାଟିରେ ଆତ୍ମଘାତୀ ହମଲା । ପଞ୍ଜାବରେ ଅବସ୍ଥିତ ପାକିସ୍ତାନ ଏୟାର ଫୋର୍ସର ମିଆଁଓ୍ବାଲି ଟ୍ରେନିଂ ଏୟାର ବେସରେ ଏହି ହମଲା ହୋଇଛି । ନିରାପତ୍ତା ବାହିନୀର ପାଲଟା ଜବାବରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ଆଜି ଭୋରରେ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଅକସ୍ମାତ ଏୟାରଫୋର୍ସ ବେସରେ ପ୍ରବେଶ କରିଥିଲେ । ପ୍ରତିରୋଧ କରିବା ଲାଗି ନିରାପତ୍ତା ବାହିନୀ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ନିରାପତ୍ତା ବାହିନୀର ତ୍ବରିତ ପଦକ୍ଷେପ ଯୋଗୁ ସେମାନଙ୍କ ମଧ୍ୟରୁ ୩ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଏଥିରେ ଏୟାରବେସ ବା ଯବାନମାନଙ୍କର କୌଣସି କ୍ଷତି ଘଟି ନଥିବା ସୂଚନା ମିଳିଛି । ଅନ୍ୟ ୩ ଜଣ ଆତଙ୍କାବାଦୀଙ୍କୁ କବଜା କରାଯାଇଛି ।

ତେବେ ଏହି ଘଟଣାରେ ଏୟାରଫୋର୍ସ ବେସରେ ଥିବା ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି । ଏୟାରବେସ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଛି ଇଣ୍ଟର ସର୍ଭିସ ପବ୍ଲିକ ରିଲେସନସ ବିଭାଗ । ଏହି ହମଲା ତେହରିକ ଇ ଜିହାଦ ପାକିସ୍ତାନ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି ।

ଗାଜା ହସ୍ପିଟାଲରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ଆକ୍ରମଣରେ ୧୫ ମୃତ

ଗାଜା: ପୁଣି ରକ୍ତମୁଖା ଇସ୍ରାଏଲ । ଗାଜାର ଅଲ-ସିଫା ହସ୍ପିଟାଲରେ କଲା ଏୟାରଷ୍ଟ୍ରାଇକ । ଆକ୍ରମଣରେ ପ୍ରାଣ ହରାଇଛନ୍ତି ୧୫ ନାଗରିକ । ଆହତ ହୋଇଛନ୍ତି ୬୦ ଲୋକ । ଏପରିକି ଏକ ଆମ୍ବୁଲାନ୍ସକୁ ଇସ୍ରାଏଲ ମିସାଇଲ ହିଟ୍ କରିଥିବା ସୂଚନା ମିଳିଛି । ସେହିପରି ଗାଜାସ୍ଥିତ ଇଣ୍ଡୋନେସୀୟ ହସ୍ପିଟାଲ ଓ ଅଲ କୁଦୋଶ ହସ୍ପିଟାଲ ନିକଟରେ ବି ମିସାଇଲ ଷ୍ଟ୍ରାଇକ ହୋଇଛି ।

ଏହି ତିନୋଟିଯାକ ହସ୍ପିଟାଲରେ ପାଲେଷ୍ଟିନୀୟମାନେ ଚିକିତ୍ସିତ ହେଉଛନ୍ତି । ତେବେ ଇସ୍ରାଏଲ ଆଇଡିଏଫ ପକ୍ଷରୁ ହସ୍ପିଟାଲକୁ ଟାର୍ଗେଟ କରିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଗତମାସରେ ଗାଜାର ଏକ ହସ୍ପିଟାଲରେ ବଡଧରଣର ହମଲା ହେବା ପରେ ଆଜି ୩ଟି ହସ୍ପିଟାଲକୁ ଟାର୍ଗେଟ କରାଯାଇଛି । ଜେନେଭା ସମ୍ମିଳନୀର ରାଜିନାମାକୁ ଏହି ଏୟାରଷ୍ଟ୍ରାଇକ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି ।

ସେପଟେ ବଡ଼ ଯୁଦ୍ଧ ଲାଗି ହେଜବୁଲ୍ଲା ମୁଖ୍ୟଙ୍କ ବଡ଼ ଆହ୍ବାନ । ଯୁଦ୍ଧରେ ଜୀବନ ଉତ୍ସର୍ଗ ଲାଗି ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରାଲ୍ଲା କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ । ହମାସର ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ପାଲେଷ୍ଟାଇନ ଲାଗି ବୋଲି ସେ କହିଛନ୍ତି । ସେପଟେ ସାମୟିକ ଅସ୍ତ୍ରବିରତି ଲାଗି ଆମେରିକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ସହ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ଆଲୋଚନା କରିଥିଲେ ବି ବିଶେଷ ସଫଳତା ମିଳିନାହିଁ ।

ବାଲେଶ୍ବରରେ ମାତିଲେ ବୁଲା କୁକୁର, ୯ ଜଣଙ୍କୁ ଝୁଣି ପକାଇଲେ

ବାଲେଶ୍ବର: କୁକୁର କାମୁଡ଼ାରେ ୯ ଜଣ ଗୁରୁତର । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଆଟପୁର, କାନପୁର ଓ ପିତାକାଳିଆ ଆଦି ଅଞ୍ଚଳରେ କୁକୁର ଆତଙ୍କ ଦେଖାଦେଇଛି । ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢ଼ିବାକୁ ଲାଗିଥିବା ବେଳେ ଗତକାଲି ରାତିରେ ୯ ଜଣଙ୍କୁ କୁକୁର କାମୁଡ଼ିଛି । ହାତ ଓ ଗୋଡ଼ରେ ଗଭୀତ କ୍ଷତ ସୃଷ୍ଟି ହେବା ସହିତ ଗୁରୁତର ଆହତ ହୋଇଛନ୍ତି ।

ଲୋକମାନେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଟିମ୍ ଇଣ୍ଡିଆକୁ ବଡ ଝଟକା, ବିଶ୍ବକପରୁ ବାଦ ହାର୍ଦ୍ଦିକ ପାଣ୍ଡ୍ୟା

ପୁଣେ: ବିଶ୍ବକପ କ୍ରିକେଟ ବେଳେ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ବକପରୁ ବାଦ ପଡିଛନ୍ତି । ଆହତ ସମସ୍ୟା ପାଇଁ ତାଙ୍କୁ ଅବଶିଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସାମିଲ କରାଯାଇଛି । ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ।

ମ୍ୟାଚ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ ଏହି ଷ୍ଟାର କ୍ରିକେଟର । କିନ୍ତୁ ଏପର୍ଯ୍ୟନ୍ତ ସେ ଏହି ସମସ୍ୟାରୁ ମୁକୁଳି ପାରି ନାହାନ୍ତି । ଚଳିତ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । ଦଳ ୭ଟି ମ୍ୟାଚ ଖେଳିଥିବା ବେଳେ ସବୁ ମ୍ୟାଚର ବିଜେତା ହୋଇ ପାରିଛି । ଆସନ୍ତାକାଲି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଆସନ୍ତା ୬ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ

ଭୁବନେଶ୍ବର: କୋରାପୁଟ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ । ଆସନ୍ତା ୬ ତାରିଖରୁ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ । ସୋମବାର ଓ ଶୁକ୍ରବାର ଦିନକୁ ଦୁଇ ଥର ଏହି ସେବା ଜାରି ରହିବ । ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଦେବ ଇଣ୍ଡିଆ ୱାନ ସଂସ୍ଥା ।

ଭୁବନେଶ୍ବର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରିବ ବିମାନ । ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ । ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ । ଗତବର୍ଷ ଏହି ଦୁଇ ସହର ମଧ୍ୟରେ ପ୍ରଥମ ବିମାନ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଦ୍ବିତୀୟ ବିମାନ ସେବା ବାୟୁ ସଂଯୋଗକୁ ଆହୁରି ସୁଦୃଢ କରିବ । ଏହାସହ ଲୋକଙ୍କ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଆଣିବ ବୋଲି CMO ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଶକ୍ତିଶାଳୀ ଭୂକମ୍ପରେ ନେପାଳରେ ୧୨୯ ମୃତ, ଥରିଲା ଉତ୍ତର ଭାରତ

କାଠମାଣ୍ଡୁ: ନେପାଳରେ ବଡ଼ ଧରଣର ଭୂମିକମ୍ପ । ୬.୪ ତୀବ୍ରତାରେ ଥରି ଉଠିଲା ନେପାଳ । ଭୂମିକମ୍ପରେ ୧୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଅନେକ ଲୋକ ଘର ତଳେ ଚାପି ହୋଇ ରହିଥିବା ସୂଚନା ରହିଛି ।

ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ୩୩୧ କିଲୋମିଟର ଉତର-ପଶ୍ଚିମରେ ୧୦ କିଲୋମିଟର ଭୂତଳରେ ଥିଲା । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ।

ହାତୀ ଘଉଡାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ଫରେଷ୍ଟର

ଅନୁଗୁଳ: ବନଖଣ୍ଡ ବନ୍ତଳା ରେଞ୍ଜର ଫରେଷ୍ଟରଙ୍କୁ ଆକ୍ରମଣ ଅଭିଯୋଗ । ରାତିରେ ଫରେଷ୍ଟର ପ୍ରଦୀପ ପ୍ରଧାନ ହାତୀ ଘଉଡାଇବାକୁ ଯାଇଥିବା ସମୟରେ ଗଡ଼ତରାସ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ବନ୍ତଳା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ଗଡ଼ତରାସ ଅଞ୍ଚଳରେ ହାତୀପଲ ଥିବା ଖବର ପାଇ ପ୍ରଦୀପ ଯାଇଥିଲେ। ହାତୀ ଯୋଗୁଁ କ୍ଷୟକ୍ଷତି ହେଉଥିବାବେଳେ ସଠିକ କ୍ଷତିପୂରଣ ମିଳୁନଥିବା ନେଇ ସେଠାରେ ପ୍ରଦୀପଙ୍କ ସହ ଜଣେ ବ୍ୟକ୍ତିଙ୍କ ବଚସା ହୋଇଥିଲା । ହଠାତ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ପ୍ରଦୀପଙ୍କୁ ଆକ୍ରମଣ କରିଥିଲା ।

ଫଳରେ ପ୍ରଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ତାଙ୍କୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାର ତଦନ୍ତ ଚାଲିଥିବା ଅନୁଗୋଳ DFO ସୂଚନା ଦେଇଛନ୍ତି ।

ଆଇସିସି ଟି-୨୦ ପୁରୁଷ ବିଶ୍ବକପ୍ କ୍ରିକେଟ ଖେଳିବେ ନେପାଳ ଓ ଓମାନ୍

ନନ୍ଦିଘୋଷ ବ୍ୟୁରୋ: ଆଇସିସି ଟି-୨୦ ପୁରୁଷ ବିଶ୍ବକପ୍ କ୍ରିକେଟ ଖେଳିବା ପାଇଁ ନେପାଳ ଓ ଓମାନ୍ ଯୋଗ୍ୟତା ହାସଲ କରିଛନ୍ତି । ନେପାଳରେ ଆୟୋଜିତ ଏସିଆ ଯୋଗ୍ୟତା ପର୍ଯ୍ୟାୟ ସେମି ଫାଇନାଲରେ ୟୁଏଇକୁ ୮ ୱିକେଟରେ ପରାସ୍ତ କରିଥିବା ବେଳେ ଓମାନ କ୍ରିକେଟ ଟିମ୍ ବାହାରିନ୍ କୁ ୧୦ ୱିକେଟରେ ପରାସ୍ତ କରି ଏହି ଯୋଗ୍ୟତା ହାସଲ କରିଛି ।

ଆସନ୍ତାବର୍ଷ ଟି-୨୦ କ୍ରିକେଟ ମ୍ୟାଚ୍ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜନ କରିବେ । ପ୍ରଥମ ଥର ପାଇଁ ୨୦୨୪ ଆଇସିସି ବିଶ୍ବକପ୍ ଟି-୨୦ରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ଜୁନ୍ ୩୦ରେ ଟି-୨୦ ବିଶ୍ବକପ୍ ର ଫାଇନାଲ ଖେଳାଯିବ

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମ୍ପର୍କିତ ପ୍ରସ୍ତାବରେ ଲାଗିବ ମୋହର

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମ୍ପର୍କିତ ପ୍ରସ୍ତାବକୁ ଲାଗିବ ମୋହର । ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର‌ ଉଦଘାଟନ ହେବ । ଏହା ପୂର୍ବରୁ ତ୍ରିଦିନାତ୍ମକ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା । ଏହି ସମୟରେ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ପଠନ କରାଯିବ । ଜାନୁଆରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ ।

୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ସକାଳ ୭ଟା ୩୦ରୁ ଦୀପ ପ୍ରଜ୍ବଳନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ମଠର ମଠାଧୀଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ ଉପସ୍ଥିତ ରହିବେ । ନୃସିଂହ ମନ୍ତ୍ରରେ ସମସ୍ତ ପୂଜାବିଧି କରାଯିବ ।

ପୂର୍ଣ୍ଣାହୂତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ସବକମିଟି ବୈଠକରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା ।

ଜୀବନ ଉତ୍ସର୍ଗ ଲାଗି କର୍ମୀଙ୍କୁ ହେଜବୁଲ୍ଲା ମୁଖ୍ୟଙ୍କ ଆହ୍ବାନ, ଅସ୍ତ୍ରବିରତି ପାଇଁ ମନାକଲେ ନେତ୍ୟାନାହୁ

ଗାଜା: ବଡ଼ ଯୁଦ୍ଧ ଲାଗି ହେଜବୁଲ୍ଲା ମୁଖ୍ୟଙ୍କ ବଡ଼ ଆହ୍ବାନ । ଯୁଦ୍ଧରେ ଜୀବନ ଉତ୍ସର୍ଗ ଲାଗି ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରାଲ୍ଲା କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ । ହମାସର ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ପାଲେଷ୍ଟାଇନ ଲାଗି ବୋଲି ସେ କହିଛନ୍ତି । ସେପଟେ ସାମୟିକ ଅସ୍ତ୍ରବିରତି ଲାଗି ଆମେରିକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ପଣବନ୍ଦୀଙ୍କ ମଧ୍ୟରୁ ୭୪ଜଣ ଆମେରିକୀୟ ପଣବନ୍ଦୀ ପହଞ୍ଚିଛନ୍ତି ଇଜିପ୍ଟରେ । ତେଣେ ପଣବନ୍ଦୀଙ୍କ ମୁକ୍ତି ଲାଗି ହମାସ ସହ ଆଲୋଚନ କରିଛି ଥାଇଲାଣ୍ଡ । ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ସହ ଆଲୋଚନା କରିଥିଲେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ସେପଟେ ନିଜ ଦେଶର ସୁରକ୍ଷା ଲାଗି ଉତ୍ତର ସୀମାରେ ଶତ୍ରୁଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି ନେତାନ୍ୟାହୁ ।

ସେପଟେ ଇସ୍ରାଏଲ ସୀମାରେ ଗର୍ଜିଛି ଏୟାର ରେଡ ସାଇରନ । ଫଳରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଆତଙ୍କ । ଇସ୍ରାଏଲ ଆକ୍ରମଣରେ ହମାସର ଦୁଇ କମାଣ୍ଡର ପ୍ରାଣ ହରାଇଛନ୍ତି । ତେଣେ ଗାଜା ଉପରେ ସର୍ଭେଲାନ୍ସ ଡ୍ରୋନ ଉଡାଇଛି ଆମେରିକା । ପଣବନ୍ଦୀଙ୍କ ସୁରାକ ଲାଗି କରିଛି ଡ୍ରୋନ ବ୍ୟବହାର । ତେଣେ ପାଲେଷ୍ଟାଇନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚେନ୍ନାଇରେ ହୋଇଛି ମହମବତି ରାଲି । ସେହିପରି ଲଦାଖରେ ବି ପାଲେଷ୍ଟାଇନ ସପକ୍ଷରେ ହୋଇଛି ରାଲି ।