ଏମଭିଆଇଙ୍କ ପୁଳା ପୁଳା ସମ୍ପତ୍ତି, ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରହିଛି ୨୭ଟି ପ୍ଲଟ

ନୟାଗଡ଼: ନୟାଗଡ଼ ଏମଭିଆଇଙ୍କ ପୁଳା ପୁଳା ସମ୍ପତ୍ତି । ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ପଞ୍ଚାନନ ବେହେରାଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଛି । ରେଡ୍ ବେଳେ ଗୋଟିଏ ଦୁଇ ମହଲା କୋଠା ସହ ଗୋଟିଏ ଏକ ମହଲା କୋଠା ଠାବ ହୋଇଛି । ସେହିପରି ମୋଟ ୨୭ଟି ପ୍ଲଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଏଥିରୁ ୧୦ ପ୍ଲଟ ବେନାମୀ ଥିବା ଜଣାପଡିଛି । ଏହାଛଡ଼ା ୪ଟି ଚାରି ଚକିଆ ଗାଡି ବେନାମୀ ଥିବା ମଧ୍ୟ ଜଣାପଡିଛି ।

ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୨୭ଟି ଜାଗା ରହିଛି । ପଥରଗାଡିଆ ମୌଜାରେ ୧୨ଟି ପ୍ଲଟ ଓ ଦାରୁଠେଙ୍ଗରେ ୨ଟି, ସାମପୁର, ପାଣ୍ଡରା, ରଘୁନାଥପୁର ମୌଜାରେ ଗୋଟିଏ ଲେଖାଏ ପ୍ଲଟ ଠାବ ହୋଇଛି । ସେହିପରି ୧୦ଟି ବେନାମୀ ପ୍ଲଟ ମଧ୍ୟରେ ପଥରଗାଡିଆରେ ୬ଟି, ରଣସିଂହପୁରରେ ୩ଟି ଓ ଦୁତିଆଳରେ ଗୋଟିଏ ପ୍ଲଟ ରହିଛି । ଏହି ସବୁ ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଛି । ଠାବ ହୋଇଥିବା ପ୍ଲଟକୁ ବାଦଦେଲେ ବ୍ୟାଙ୍କ ପୋଷ୍ଟାଲ, ବୀମା ସହ ଅନ୍ୟାନ୍ୟ ଜମା ଥିବା ଜଣାପଡିଛି ।