ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର

1 min read

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ନୂଆ ସୂର୍ଯ୍ୟ । ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ । ଆକାଶ ପଥରେ ଯୋଡି ହୋଇଛି ମାଲକାନଗିରି । ବିମାନସେବାର ଲୋକାର୍ପଣ ପରେ ଫଟୋ ସୁଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ । ଜିଲ୍ଲାକୁ ବିମାନସେବା ସ୍ବପ୍ନ ଭଳି ଲାଗୁଥିଲେ ବି ରାଜ୍ୟ ସରକାରଙ୍କ ଉଦ୍ୟମରେ ଆକାଶରେ ଉଡ଼ାଣ ଆଶା ପୂରଣ ହୋଇଛି ।

ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ଇନଟୁ ୩୦ ମିଟର ରନଓ୍ବେ ନିର୍ମାଣ ହୋଇଛି । ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ଉନ୍ନତିକରଣ ହୋଇଛି । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି  । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶ ପଥରେ ଯୋଡି ହୋଇଛି ମାଲକାନଗିରି । ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।