spot_img
Home Blog Page 2584

ଅନ୍ତର୍ଜାତୀୟ ସମ୍ମିଳନୀରେ ମହକୁଛି କୋରାପୁଟ କଫି

0

ବାଙ୍ଗାଲୋର: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକୁଛି କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେଇଛନ୍ତି କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ । ଇଣ୍ଟରନ୍ୟାସନାଲ୍ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ । ଓଡ଼ିଶା କଫି ବ୍ୟବସାୟକୁ ଆଉ ପାଦେ ଆଗକୁ ନେବା ପାଇଁ ଏହି ସମ୍ମିଳନୀ ବେଶ୍‌ ଗୁରୁତ୍ବପୂର୍ଣ୍ଣ ପାଲଟିଛି ।  ସମ୍ମିଳନୀରେ ୮୦ଟି ଦେଶର କଫି ଉଦ୍ୟୋଗୀ ଯୋଗଦେଇଛନ୍ତି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେଉଛନ୍ତି । ଭାରତ ବର୍ଷରେ ଗତ ୨୦୦ ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲାରେ ଗତ ୩୫ ବର୍ଷ ଧରି କଫି ଚାଷ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଅନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି । ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି ।

ବିଶ୍ବକପ ଦଳରେ ସାମିଲ ହେବେ କି ଅଶ୍ବିନୀ?

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆରୁ ଆହତ ଅକ୍ଷର ବିଦା । ଏସିଆ କପରେ ଖେଳିଲା ବେଳେ ସେ ଆହତ ହୋଇଥିଲେ । ଏଥିଲାଗି ସେ ନ୍ୟାସନାଲ୍ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି ସୁସ୍ଥ ହୋଇନଥିବାରୁ ଅକ୍ଷର ଆଉ ଦଳକୁ ଫେରିନପାରନ୍ତି । ସେ ଅସୁସ୍ଥ ଥିବାରୁ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସ୍ଥାନ ପାଇପାରନ୍ତି । ଅକ୍ଷରଙ୍କ ସ୍ଥାନରେ ସାମିଲ ହୋଇ ଅଶ୍ବିନ୍  ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ଚମତ୍କାର ବୋଲିଂ କରିଛନ୍ତି । ଭାରତର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି

ଏହି ୨ଟି ମ୍ୟାଚରେ ତାଙ୍କୁ ୪ଟି ଓ୍ବିକେଟ୍ ମିଳିଛି । ଏଥିପାଇଁ ତାଙ୍କୁ ବିଶ୍ବକପ୍ ଦଳରେ ସାମିଲ୍ ନେଇ ଚର୍ଚ୍ଚା ହେଉଛି । ଖେଳାଳି ବଦଳର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୮ ତାରିଖ । ଏହାର ଗୋଟିଏ ଦିନ ପୂର୍ବରୁ ଚଳିତ ସିରିଜର ତୃତୀୟ ଶେଷ ଦିନିକିଆ ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ବୁଧବାର ରାଜକୋଟରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ ।

ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ବ୍ୟାପକ ପରିବର୍ତ୍ତନ ହେବାର ସୂଚନା ମିଳିଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ । ଆଗକୁ ବିଶ୍ବକପ ଥିବାରୁ ଏସବୁ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ରାମ ନେଇଥିବା ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଟିମକୁ ଫେରିବେ । ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ହାଲି ଦିନିକିଆରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଥିଲା । ସେହିପରି ଇନ୍ଦୋର ଦିନିକିଆରେ ଭାରତ ୯୯ ରନରେ ବିଜୟ ହାସଲ କରିଥିଲା ।

ମା’ ବିରଜାଙ୍କ ବନଯାଗ ଯାତ୍ରା ଉତ୍ସବ

0

ଯାଜପୁର: ଆଜି ପବିତ୍ର ସୁନିଆ। ମାଆ ବିରଜାଙ୍କ ବନ ଯାଗ ଯାତ୍ରା ଉତ୍ସବ। ବିରଜା କ୍ଷେତ୍ର ରେ ଶାରଦୀୟ ପୁଜା ଲାଗି ସିହଂଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଦେବୀଙ୍କ ପ୍ରତିମୁର୍ତି  ପୁର୍ବ ଦିଗକୁ ବେଲ ଗଛ ଅନ୍ବେଶଣ ରେ ବାହାରି ଥିଲେ । ହାଟ ପାଟଣା ରେ ବେଲ ଗଛ ସନ୍ଧାନ ରେ ଗଛ ମୁଳେ ପୁଜାର୍ଚନା  କରାଯାଇ ରଥ ନିର୍ମାଣ ଲାଗି ବେଲଡାଳ ସଂଗ୍ରହ କରାଯାଇଛି । ଶାରଦୀୟ ପୁଜା ଲାଗି ମା ଙ୍କ ନିକଟରେ ସ୍ବତନ୍ତ୍ର ପୁଜାର୍ଚନା କରାଯିବା ସହ ଷୋଡଷ ଉପଚାର ପୁଜା ରେ ସାମିଲ ହୋଇଥିବା  ସେବାୟତ ମାନଙ୍କୁ ବରଣି  କରାଯାଇ ରୀତି ନୀତି ଅନୁସାରେ ପୁଜା ପଦ୍ଦତି ର  ସାରଣୀ ଲିଖନ କରାଯାଇଛି । ଯାଜପୁର ଅଧିଷ୍ଠାତ୍ରି ଦେବୀ ମାବିରଜାଙ୍କ କ୍ଷେତ୍ରରେ ଆଜିଠାରୁ ପୁଜା  ଶୁଭାରମ୍ଭ  ହୋଇଥିବା ମୁଖ୍ୟ ପୁରୋଧା କହିଛନ୍ତି । ସେପଟେ ରଥ ନିର୍ମାଣ ଲାଗି ସମସ୍ତ ଆୟୋଜନ କରାଯାଇଥିବା ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ କହିଛନ୍ତି । ସେପଟରେ ବେଲଗଛ ଡାଳ ଆମ ବାଡ଼ିରୁ ମା ଙ୍କ ପୂଜା ପାଇଁ ଯାଉଥିବା ବେଶ୍ ଖୁସି।କେବଳ ଖୁସି ନୁହେଁ ବରଂ ମା ଆମ ଘରକୁ ଆସିଥିବାରୁ ଆମେ ବହୁତ୍ ଖୁସି ଥିବା କହିଛନ୍ତି ଗୌରାଙ୍ଗ ।

ବ୍ୟବସାୟୀ ମହାସଂଘର ଚରମବାଣୀ

ଭୁବନେଶ୍ବର: କେତେକ ଖାଇବା ତେଲ ପ୍ୟାକେଟରେ ମିଳୁଛି କମ ଓଜନର ତେଲ । ନନ୍ଦିଘୋଷ ଟିଭିରେ ଏ ନେଇ ଖବର ପ୍ରସାରଣ ପରେ ରାଜ୍ୟ ବ୍ୟବସାୟୀ ମହାସଂଘ ଦେଇଛି ଚରମବାଣୀ । ଏପରି କୁତ୍ସିତ ବ୍ୟବସ୍ଥା ବନ୍ଦ କରିବାକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ସବୁ ବିତରକଙ୍କୁ ଚିଠି ଲେଖିଛି ମହାସଂଘ । ମାସେ ଭିତରେ ସମସ୍ୟାର ସମାଧାନ ନ ହେଲେ ଆଗକୁ ସମ୍ପୃକ୍ତ କମ୍ପାନୀର ତେଲ ବିକ୍ରି ବନ୍ଦ କରିବାକୁ ଖୋଲାଖୋଲି ଚିଠିରେ ଉଲ୍ଲେଖ ରହିଛି । ସେପଟେ ଖାଉଟି ସୁରକ୍ଷା ଆଇନ୍ ଅନୁଯାୟୀ ଏପରି ଓଜନ କମ୍ କରି ବିକ୍ରି ବିରୋଧରେ ଖାଉଟି ଅଦାଲତରେ ଖାଉଟି ଅଭିଯୋଗ କରିପାରିବେ ବୋଲି ଆଇନଜୀବୀ ସ୍ପଷ୍ଟ କରିଛନ୍ତି ।

ତେଲ ପ୍ୟାକେଟରେ ମିଳୁଛି କମ ଓଜନର ତେଲ । ସୁଧୁରିବାକୁ ଚରମ ଚେତାବନୀ ଶୁଣାଇଲା ରାଜ୍ୟ ବ୍ୟବସାୟୀ ସଂଘ  । କହିଲା, ବନ୍ଦ କର ଖାଉଟିଙ୍କୁ ଠକିବା । ମାସେ ଦେଲୁ ସମୟ । ନ ହେଲେ ବନ୍ଦ କରିବୁ କମ୍ ଓଜନର ତେଲ ପ୍ୟାକେଟ୍ ବିକ୍ରି। ଖାଉଟିଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆଗକୁ ଆସିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶା ବଜାରରେ କେତେକ କମ୍ପାନୀ କମ୍ ଓଜନର ତେଲ ପ୍ୟାକେଟ୍ ବିକ୍ରି କରୁଥିବା ନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେଲା । ଲିଟରିକିଆ ପ୍ୟାକେଟରେ ୯୧୦ ଗ୍ରାମ ବଦଳରେ କେତେକ କମ୍ପାନୀର ତେଲ ପ୍ୟାକେଟ୍ ୮୭୦ ଗ୍ରାମ ଓ ୮୫୦ ଗ୍ରାମ ଓଜନ ଲେଖି ବିକ୍ରି କରିଆସୁଛନ୍ତି । ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ଗ୍ରାହକମାନେ ବ୍ୟବସାୟୀଙ୍କୁ ପଚାରିବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ଗ୍ରାହକ ଓ ବ୍ୟବସାୟୀ ଭିତରେ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି । ଖାଉଟିଙ୍କ ରୋଷରୁ ବଞ୍ଚିବା ପାଇଁ ଆଜି ରାଜ୍ୟ ବ୍ୟବସାୟୀ ମହାସଂଘ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଓ ସବୁ ବିତରକଙ୍କୁ ଲେଖିଛନ୍ତି  ଚରମ ପତ୍ର ।

୨୦୧୯ରେ ଖାଉଟି ସୁରକ୍ଷା ଆଇନ ସଂଶୋଧନ ମୁତାବକ ଏପରି କମ୍ ଓଜନର ତେଲ ପ୍ୟାକେଟ୍ କମ୍ପାନୀ ବଜାରକୁ ଛାଡ଼ିପାରିବ ନାହିଁ । ଏହା ଖାଉଟି ସୁରକ୍ଷା ଆଇନ୍ ଅନୁଯାୟୀ ବେଆଇନ୍ । ଏହା ବିରୋଧରେ ଜଣେ ଗ୍ରାହକ ସମ୍ପୃକ୍ତ କମ୍ପାନୀ ଓ ବିତରକଙ୍କ ବିରୋଧରେ ଅଭିଯୋଗ କରିପାରିବେ । ବଜାରରେ ତେଲ ପ୍ୟାକେଟ୍ର ଏପରି କାରବାର ହେଉଥିଲେ ଓଜନ ଓ ମାପ ବିଭାଗ ବି ଯାଞ୍ଚ୍ କରିବା ଦରକାର ବୋଲି ଆଇନଜୀବୀ ମତ ରଖିଛନ୍ତି ।

ସାଧାରଣ ଗ୍ରାହକଟିଏ ଲିଟରେ ତେଲ ପାଇଁ ଟଙ୍କା ଦେଇ ପ୍ୟାକେଟ୍ ଉପରେ କେତେ ଲେଖା ଅଛି ତାକୁ ଧ୍ୟାନ ଦେଇପାରୁନି । ଗ୍ରାହକ ସଚେତନ ନ ହେଲେ ସ୍ଥିତି ଏମିତି ଆଗକୁ ବଢିଯିବ ଏବଂ କମ୍ପାନୀବାଲା ଠକିଚାଲିଥିବେ । ଯଦି ଲିଟରେ ଓଜନର ମାପ ୯୧୦ ଗ୍ରାମ, ତେବେ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ତେଲ କମ୍ପାନୀ ଓଡ଼ିଶା ବଜାରକୁ କାହିଁକି ଏପରି କମ୍ ଓଜନ ଛାଡ଼ୁଛି ତାହା ବୁଝାପଡ଼ୁନି । ଓଡ଼ିଶାର ଗ୍ରାହକ ଜାଗିଲେ ଯାଇ ଏଭଳି ତଞ୍ଚକତା କରୁଥିବା କମ୍ପାନୀ ସାବାଡ଼ ହେବେ ।

 

ସ୍ବାଭାବିକ ହୋଇପାରୁନି ବିଧାନସଭା, ଗୃହ ଚଳାଇ ଦେଉନି ବିଜେପି

ଭୁବନେଶ୍ବର: ସ୍ବାଭାବିକ ହୋଇପାରୁନି ବିଧାନସଭା । ଅଭ୍ୟାସ ଛାଡୁନି ବିଜେପି । ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ ଚଳାଇ ଦେଇନାହିଁ ମୁଖ୍ୟ ବିରୋଧୀ ବିଜେପି । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ  । ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ରଖିଥିଲେ । ପାଟିତୁଣ୍ଡ କରି ଗୃହକୁ ଚଳାଇ ଦେଉ ନଥିବାରୁ ବିଜେପି ଉପରେ କଂଗ୍ରେସ ଓ ବିଜେଡି ବର୍ଷିଛନ୍ତି ।

ବିଧାନସଭାରେ ଅଚଳାବସ୍ଥା ଜାରି । ହଟ୍ଟଗୋଳ ଯୋଗୁ ତୃତୀୟ ଦିନ ଚାଲିପାରିଲାନି ଗୃହ । ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଆଲୋଚନା ସମୟ । ବିଧାନସଭା ଚଳାଇ ନଦେବା ପାଇଁ ବିଜେପି ବିଧାୟକମାନେ ପଣ କରି ହାଇଡ୍ରାମା କରୁଛନ୍ତି । କେତେବେଳେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରୁଛନ୍ତି  ତ କେତେବେଳେ ବାଚସ୍ପତିଙ୍କ ପୋଡିୟମକୁ ପିଟି ସ୍ବର ଉତ୍ତୋଳନ କରୁଛନ୍ତି । ହୋହଲ୍ଲା ଯୋଗୁ ଗୃହକୁ ବାରମ୍ବାର ମୁଲତବି ରଖୁଛନ୍ତି  ବାଚସ୍ପତି । ଏଭଳି ସ୍ଥିତି ପାଇଁ ବିଜେପି ଉପରେ କଂଗ୍ରେସ ବର୍ଷିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରାପ୍ରସାଦ ବାହିନୀପତି ଗୃହର ସମୟ କାହିକିଁ ବିଜେପି ନଷ୍ଟ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ବିଧାନସଭାର ପ୍ରଶ୍ନକାଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହାକୁ ଯୋଜନାବଦ୍ଧ ଭାବେ ବିଜେପି ବନ୍ଦ କରିବା ଠିକ୍‌ ନୁହେଁ । ଲୋକଙ୍କ ଟଙ୍କାରେ ଚାଲୁଥିବା ଗୃହରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଆଲୋଚନା ନହେବା ଦୁର୍ଭାଗ୍ୟଜନକ । ବିଜେଡି ବିଧାୟକମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ବିଜେପି କିନ୍ତୁ ଅନ୍ୟ ଦଳ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି । ଯାହାକୁ ନେଇ ବିଜେପିକୁ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଘେରିଛନ୍ତି ।

ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡୁଛନ୍ତି । କିନ୍ତୁ ଗୃହକୁ ଆସିବା ପରେ ବିଜେପି ବିଧାୟକଙ୍କ ଆଭିମୁଖ୍ୟ ବଦଳିଯାଉଛି । ବିଜେପି ଗୃହକୁ ଚଳାଇ ନଦେବା ଅତି ଦୁର୍ଭାଗ୍ୟଜନକ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ଗୃହ ପରିଚାଳନାରେ ବିରୋଧୀ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି । ତେଣୁ ବିରୋଧୀ ସହଯୋଗ କରିବା ଉଚିତ । ଶାସକ ଦଳର ବିଧାୟକ ମଧ୍ୟ ସମାନ ମତ ଦେଇଛନ୍ତି ।

ମୌସୁମୀ ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟ ଦିବସ ରହିଛି  । କିନ୍ତୁ ୩ ଦିନ ଧରି ଗୃହ ଠିକ୍‌ ଭାବେ ଚାଲିପାରିନାହିଁ । ଗୋଟିଏ ଦିନ ବିଧାନସଭା ଚାଲିଲେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି  । ଯାହା ସାଧାରଣ ଲୋକଙ୍କ ପଇସା । ବିଜେପି କିନ୍ତୁ ଲୋକଙ୍କ କଥା ଭୁଲି  ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଗୃହକୁ ବନ୍ଦ କରୁଛି ବୋଲି କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ଗୃହ ବାହାରେ ମଧ୍ୟ ବିଜେପି ନିନ୍ଦିତ ହେଉଛି ।

 

ଦାନା ବାନ୍ଧୁଛି ଲଘୁଚାପ, ଓଡ଼ିଶାକୁ ଆସୁଛି ବଡ଼ ବର୍ଷା

ଭୁବନେଶ୍ବର: ଦାନା ବାନ୍ଧୁଛି ଲଘୁଚାପ। ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରଭାବରେ ୨୯ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ନନଷ୍ଟପ ବର୍ଷା ସମ୍ଭାବନା ରହିଛି। ଉତ୍ତର-ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପାଗ ଅନୁକୁଳ ରହିଲେ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। କିନ୍ତୁ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ସେପଟେ କାଲି ରାଜସ୍ଥାନ ପରେ ଆଜି ବିହାରର କିଛି ଅଞ୍ଚଳରୁ ମୌସୁମୀ ଫେରିବା ଆରମ୍ଭ ହେଉଛି।

ଓଡ଼ିଶାକୁ ଆସୁଛି ବଡ ବର୍ଷା। ଭିଜିବ ଉପାନ୍ତରୁ ଉପକୂଳ। ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଦୁଇ ଦିନ ପରେ ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗରକୁ ପ୍ରବେଶ କରିବ ଘୂର୍ଣ୍ଣିବଳୟ। ୩୦ତାରିଖ ସୁଦ୍ଧା ନେବ ଲଘୁଚାପର ରୂପ। ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ୨୯ରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ଅକ୍ଟୋବର ୬ତାରିଖ ପର୍ଯ୍ୟନ୍ତ ନାହିଁ ବାତ୍ୟା ଆଶଙ୍କା। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ଏବଂ ପରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। କିନ୍ତୁ ବାତ୍ୟାରେ ପରିଣତ ହେବା ପାଇଁ ପାଗ ଅନୁକୁଳ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। ଯଦିଓ ଅକ୍ଟୋବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ କିନ୍ତୁ ଲଘୁଚାପ ବାତ୍ୟାରେ ପରିଣତ ହେବା ଅସମ୍ଭବ । କାରଣ ଲଘୁଚାପର କେନ୍ଦ୍ରସ୍ଥଳ ଅପେକ୍ଷା ସ୍ଥଳଭାଗର ତାତି ଅଧିକ ରହିଛି। ଏହାସହ ସାମୁଦ୍ରିକ ପବନ ସ୍ଥଳଭାଗକୁ ବହୁଛି ।

ସେପଟେ ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୯ ତାରିଖରେ ଘୂର୍ଣ୍ଣିବଳୟ ଏବଂ ପରେ ଏହା ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରାଯାଇଛି। ପ୍ରଭାବରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୨୦୦ମିଲିମିଟର କିମ୍ବା ତାଠାରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି। ଏବେ ବଙ୍ଗୋପସାଗରରେ ଏକାଧିକ ସିଷ୍ଟମ ଏବଂ ପାଣିପାଗ ନିୟାମକ ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ହେବ। କାଲି ବଜ୍ରପାତ ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

 

ମୁଖଶାଳାରେ ସାମାଜିକ ଜୀବନର ପ୍ରତିଛବି

ବ୍ରହ୍ମପୁର: ଗଡ଼ଜାତର ନାଁ ରହିଛି । କର୍ପୁର ଉଡିଯାଇଛି ହେଲେ କନା ପଡ଼ିରହିଛି । ତଥାପି ଏହାରି ଭିତରେ ଇତିହାସର ସ୍ମୃତିକୁ ଉଜାଗର କରିବାକୁ ପ୍ରୟାସ କରିଛି ଖଲ୍ଲିକୋଟ ଏନଏସି । ସାରସ୍ବତ ଜଗତର କିମ୍ବଦନ୍ତୀର କଥା ଯାହା ତତ୍କାଳୀନ ସାମାଜିକ ଜୀବନର ପ୍ରତିଛବି ମାଗୁଣିର ଶଗଡ଼ ଆଜି ପୁଣି ସହରରେ ସତେଯେମିତି ଜୀବନ୍ତ ହୋଇ ଉଠିଛି । ନବ ନିର୍ବାଚିତ ପୌର ପ୍ରତିନିଧି ତଥା ନଗରପାଳଙ୍କ ପ୍ରୟାସ ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ପୁରୁଣା ସହରର ହେଉଛି ନବକଳେବର ।

ମୁଖଶାଳାରେ ସାମାଜିକ ଜୀବନର ପ୍ରତିଛବି । ଶୋଭା ପାଉଛି କମ୍ବଦନ୍ତି ମାଗୁଣିର ଶଗଡ଼ । ବ୍ୟାଖ୍ୟା କରୁଛି ଜୀବନର ନିଚ୍ଛକ କାହାଣୀ । ଇଏ ହେଉଛି ଗଞ୍ଜାମ ଜିଲ୍ଲାର ପୁରୁଣା ଗଡ଼ଯାତ ସହର ଖଲ୍ଲିକୋଟର ଦୃଶ୍ୟ । ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇ ରାଜ୍ଯ ସରକାର ସହାୟତା ଯୋଗାଇ ଦେଇଛନ୍ତି । ଏହି ଅନୁଦାନ ଅର୍ଥରେ ଏବେ ସଜେଇ ହେଉଛି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ । ପୁରାତନ ଐତିହ୍ୟ ସମ୍ପନ୍ନ ଏହି ସହରକୁ ଦିଆଯାଉଛି ନୂଆରୂପ । ଏହାମାତ୍ର ଗୋଟିଏ କାର୍ଯ୍ୟ ନୁହେଁ, ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଟା କରାଯାଇଥିବା ମୋ ଖଲ୍ଲିକୋଟ ସମେତ ୪ ଗୋଟି ସେଲ୍‌ଫି ପଏଣ୍ଟ, ସ୍ବାଗତ ଓ ବିଦାୟ ତୋରଣ, ଓପନ ଜିମ୍, ଆଶ୍ରୟସ୍ଥଳୀ, ଗୋଷ୍ଠୀ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ବଦଳିଛି ପୁରାତନ ଗଡ଼ର ଚିତ୍ର ।

ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା, ଏନଏସିର ଅଧ୍ୟକ୍ଷ ଇଞ୍ଜିନିୟର ନିରଞ୍ଜନ ବେହେରାଙ୍କ ଓ ତାଙ୍କ କାଉନସିଲର ମାନଙ୍କ ପ୍ରୟାସରୁ ଜାରି ରହିଛି ପୁରୁଣା ଗଡ଼ର ବିକାଶ କାର୍ଯ୍ୟ । ସହରର ସର୍ବପୁରାତନ ଐତିହ୍ୟ ତଥା ପୁରୀ ଶ୍ରୀମନ୍ଦିରର ସଂସ୍କୃତି ସହ ଜଡିତ ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଭକ୍ତଙ୍କୁ ନିଆରା ଆତ୍ମତୃପ୍ତି ଦେଇଛି । ଏହାସହ ଆଦର୍ଶ ପୋଖରୀ ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ, ମଦ୍ଦରାଜ ସାଗରର ପୁନରୁଦ୍ଧାର, ଦୁଇଟି ମେଗା କଲ୍ୟାଣ ମଣ୍ଡପ ଖଲ୍ଲିକୋଟ ମାନାପଲ୍ଲି ରାସ୍ତାର ଉନ୍ନତିକରଣ ହେଉଛି ।  ମୁକ୍ତା ଯୋଜନାରେ ୩ କୋଟି ୯୫ ଲକ୍ଷ ଟଙ୍କାରେ ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରଜଳ୍ପ ଶତାଧିକ ଏସଏଚଜି ମହିଳାଙ୍କୁ ସ୍ବାବଲମ୍ବୀ ଓ ସ୍ବଚ୍ଛଳ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଖଲ୍ଲିକୋଟବାସୀ

ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ

ପୁରୀ: ସୋମବାର ହେଉଛି ପବିତ୍ର ସୁନିଆଁ ଉତ୍ସବ । ସୋମବାର ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର 14 ଶହ 31 ସାଲ 67 ଅଙ୍କର ପ୍ରବେଶ ହୋଇଛି । ଏହି ଅବସରରେ ସୋମବାର ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟନ୍ୟ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି । ୧୬ ଶାସନର ବ୍ରାହ୍ମଣ ଅନ୍ୟନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ରୀତିନୀତିରେ ଏହି ଅଙ୍କକୁ ପ୍ରଚଳନ କରାଯିବ । ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି  ଗଣନାରେ ବ୍ୟବହାର କରାଯିବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ସେହିପରି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ମଧ୍ୟ ପାଳନ କରାଯିବ ।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଗୃହରେ ପାରିତ

ଭୁବନେଶ୍ବର: ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଗୃହରେ ପାରିତ ହୋଇଛି । ରାଜ୍ୟରେ ସହଜ, ସରଳ ଓ ସ୍ବଚ୍ଛ ହେବ ଆପାର୍ଟମେଣ୍ଟ କିଣାବିକା କାରବାର । ବଢିବ ଆପାର୍ଟମେଣ୍ଟ କିଣାବିକା କାରବାର । ଆପାର୍ଟମେଣ୍ଟର କମନ ଏରିଆରେ ସମସ୍ତଙ୍କ ଭାଗିଦାରୀ ସମାନ ରହିବ । ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ସୁରକ୍ଷା ଦେବ ନୂଆ ଆଇନ । ନୂଆ ଆଇନରେ ଆପାର୍ଟମେଣ୍ଟ ମାଲିକାନାର ନିୟନ୍ତ୍ରଣ ଓ ପରିଚାଳନା ସହଜ ହେବ । ମାଲିକ ସଂଘ ହାତରେ ରହିବ ଆପାର୍ଟମେଣ୍ଟ ପରିଚାଳନା ଦାୟିତ୍ୱ  । ଆପାର୍ଟମେଣ୍ଟର ବୀମା ଓ ନିର୍ମାଣ କାମର ମାନ ନିଶ୍ଚିତ ହେବ ।

5T ନୀତି ଆଧାରରେ ପ୍ରସ୍ତୁତ ହୋଇଛି ନୂଆ ବିଧେୟକ । ଆପାର୍ଟମେଣ୍ଟର ମାଲିକାନା, ପରିଚାଳନା, ପରସ୍ପର ବୁଝାମଣା ଓ ସ୍ୱଚ୍ଛ ବାତାବରଣର ସହାୟକ ହେବ ନୂଆ ଆଇନ । ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିନଥିବାରୁ ଦେଢ ବର୍ଷ ଧରି କିଣାବିକା ବନ୍ଦଥିଲା । ନୂଆ ଆଇନ ଆସିବା ପରେ ରିଏଲ ଇଷ୍ଟେଟ କ୍ଷେତ୍ର ଆହୁରି ସଶକ୍ତ ହେବ  । ପୂର୍ବରୁ ଥିବା ନିୟମାବଳୀରେ ଅସଙ୍ଗତି କାରଣରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ଏଥିଯୋଗୁଁ ଆପାର୍ଟମେଣ୍ଟଗୁଡିକର ପଞ୍ଜୀକରଣ ବନ୍ଦ ହୋଇଥିଲା । ଯେଉଁଥିପାଇଁ ଆପାର୍ଟମେଣ୍ଟ କ୍ରେତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ସରକାରଙ୍କ ରାଜସ୍ବ ମଧ୍ୟ ହ୍ରାସ ପାଇଛି  । ଏବେ ବିଧାନସଭାରେ ବିଧେୟକ  ଗୃହୀତ ହେବା ଦ୍ବାରା ଆପାର୍ଟମେଣ୍ଟ କିଣାବକା କାରବାର ଆଇନ ସହଜ ଓ ସ୍ବଚ୍ଛ ହେବ  ।

ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହେବ ୩ ନୂତନ ବିଭାଗ

0

ଭୁବନେଶ୍ୱର: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍‌ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ ଅନ୍ତର୍ଭୁକ୍ତ। ଏମ୍‌ସରେ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ନିମନ୍ତେ ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଏହାର ଅନୁମୋଦନ ପ୍ରଦାନ କରିଛି। ଏହି ରୋଗୀ ସେବା ତଥା ଅନ୍ୟାନ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ। ଏମ୍‌ସର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ।

ଏହି ଅବସରରେ ଡ. ବିଶ୍ବାସ କହିଛନ୍ତି ଯେ ଗତ ବର୍ଷ ସ୍ୱାସ୍ଥ୍ୟସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛି। ଏଥିସହିତ ଏକାଡେମିକ୍ ପ୍ରୋଗ୍ରାମର ସମ୍ପ୍ରସାରଣ ବିଷୟରେ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏମ୍‌ସ ଭୁବନେଶ୍ୱରରେ ଛଅ ବର୍ଷିଆ ଏମ୍‌ସିଏଚ୍‌ ଶିଶୁରୋଗ ସର୍ଜରୀ ପାଠ୍ୟକ୍ରମ, ଶିଶୁ ପଲ୍‌ମୋନୋଲୋଜି ଏବଂ ଇଣ୍ଟେନ୍ସିଭ୍ କେୟାରରେ ଡିଏମ୍ ପାଠ୍ୟକ୍ରମ ଏବଂ ଶିଶୁ ସଂକ୍ରମଣ ରୋଗ ଏବଂ ଡିଏମ୍ ନେଫ୍ରୋଲୋଜିରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ନୂତନ ବିଭାଗ ଏବଂ ଏକାଡେମିକ୍ କାର୍ଯ୍ୟକ୍ରମ ରୋଗୀ ସେବାରେ ଉନ୍ନତି ତଥା ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବାନେଇ ଡ. ବିଶ୍ବାସ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରକମଲକର ଯୋଗଦେଇ ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ପାଇଁ ଏମ୍‌ସ ଭୁବନେଶ୍ୱରଙ୍କୁ ଅଭିନନ୍ଦନ ଜଣାଇବା ସହ ଗବେଷଣା ଏବଂ ରୋଗୀ ସେବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ |

ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାହାନାଗା ଟ୍ରେନ୍ ଦୁର୍ଘଟଣାର ମୃତ ଶରୀର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା।

ଏକାଦଶ ବାର୍ଷିକ ଉତ୍ସବରେ ବାର୍ଷିକ ସ୍ମରଣିକା “ଦି ଇନ୍‌ସାଇଟ୍”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଦ୍ବାରା ଲିଖିତ ପୁସ୍ତକ କ୍ଲିନିକାଲ୍‌ ଫିଚର୍‌ସ ଅଫ୍‌ ମେଲିଡିଓସିସ୍‌କୁ ମଧ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏମ୍‌ସ ଭୁବନେଶ୍ୱରରେ ମେଲିଓଏଡୋସିସ୍ ରୋଗୀଙ୍କ ପରିଚାଳନା ଉପରେ ଆଧାରିତ ଏହି ପୁସ୍ତକ ଭାରତୀୟ ପ୍ରସଙ୍ଗରେ ମେଲିଓଏଡୋସିସ୍ ରୋଗ ପରିଚାଳନା ପାଇଁ ଏକ ମୂଲ୍ୟବାନ ଉତ୍ସ ହେବ ବୋଲି ଆଶା କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଡିନ୍‌ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ କୁଳସଚିବ ଡ. ଦେବୋପ୍ରିୟ ବନ୍ଦ୍ୟୋପଧ୍ୟାୟ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ କମିଟିର ଆବାହକ ଡ. ସ୍ବେତା ସିଂ ଏବଂ ସହଆବାହକ ଡ. ସୋମନାଥ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।