ଦାନା ବାନ୍ଧୁଛି ଲଘୁଚାପ, ଓଡ଼ିଶାକୁ ଆସୁଛି ବଡ଼ ବର୍ଷା

1 min read

ଭୁବନେଶ୍ବର: ଦାନା ବାନ୍ଧୁଛି ଲଘୁଚାପ। ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରଭାବରେ ୨୯ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ନନଷ୍ଟପ ବର୍ଷା ସମ୍ଭାବନା ରହିଛି। ଉତ୍ତର-ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପାଗ ଅନୁକୁଳ ରହିଲେ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। କିନ୍ତୁ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ସେପଟେ କାଲି ରାଜସ୍ଥାନ ପରେ ଆଜି ବିହାରର କିଛି ଅଞ୍ଚଳରୁ ମୌସୁମୀ ଫେରିବା ଆରମ୍ଭ ହେଉଛି।

ଓଡ଼ିଶାକୁ ଆସୁଛି ବଡ ବର୍ଷା। ଭିଜିବ ଉପାନ୍ତରୁ ଉପକୂଳ। ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଦୁଇ ଦିନ ପରେ ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗରକୁ ପ୍ରବେଶ କରିବ ଘୂର୍ଣ୍ଣିବଳୟ। ୩୦ତାରିଖ ସୁଦ୍ଧା ନେବ ଲଘୁଚାପର ରୂପ। ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ୨୯ରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ଅକ୍ଟୋବର ୬ତାରିଖ ପର୍ଯ୍ୟନ୍ତ ନାହିଁ ବାତ୍ୟା ଆଶଙ୍କା। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ଏବଂ ପରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। କିନ୍ତୁ ବାତ୍ୟାରେ ପରିଣତ ହେବା ପାଇଁ ପାଗ ଅନୁକୁଳ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। ଯଦିଓ ଅକ୍ଟୋବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ କିନ୍ତୁ ଲଘୁଚାପ ବାତ୍ୟାରେ ପରିଣତ ହେବା ଅସମ୍ଭବ । କାରଣ ଲଘୁଚାପର କେନ୍ଦ୍ରସ୍ଥଳ ଅପେକ୍ଷା ସ୍ଥଳଭାଗର ତାତି ଅଧିକ ରହିଛି। ଏହାସହ ସାମୁଦ୍ରିକ ପବନ ସ୍ଥଳଭାଗକୁ ବହୁଛି ।

ସେପଟେ ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୯ ତାରିଖରେ ଘୂର୍ଣ୍ଣିବଳୟ ଏବଂ ପରେ ଏହା ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରାଯାଇଛି। ପ୍ରଭାବରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୨୦୦ମିଲିମିଟର କିମ୍ବା ତାଠାରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି। ଏବେ ବଙ୍ଗୋପସାଗରରେ ଏକାଧିକ ସିଷ୍ଟମ ଏବଂ ପାଣିପାଗ ନିୟାମକ ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ହେବ। କାଲି ବଜ୍ରପାତ ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।